ମଧୁବାବୁଙ୍କ ଭବିଷ୍ୟତ ଦୃଷ୍ଟି

ସତ୍ୟ ନାରାୟଣ ସାହୁ

ମଧୁବାବୁଙ୍କ ୧୭୪ତମ ଜନ୍ମ ଦିବସରେ କୃତଜ୍ଞ ରାଜ୍ୟ ଓ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଓଡ଼ିଶା ଓ ଭାରତ ପ୍ରତି ତାଙ୍କର ଅଶେଷ ଅବଦାନକୁ ମନେ ପକାଏ। ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସ୍ଥାପନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୦୩ରେ ତାଙ୍କ କୃତ ଉତ୍କଳ ସମ୍ମିଳନୀ ଦ୍ୱାରା ସାମ୍ବିଧାନିକ ଓ ଅହିଂସ ପଦ୍ଧତିରେ ଐତିହାସିକ ଆନ୍ଦୋଳନ କରିଥିଲେ। ୧୯୩୬ ଏପ୍ରିଲ ପହିଲାରେ ସେହି ଯୁଗାନ୍ତକାରୀ ଆନ୍ଦୋଳନର ଫଳ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ଗଠିତ ହୋଇ ପାରିଥିଲା। ବ୍ରିଟେନ୍‌ର ପ୍ରସିଦ୍ଧ ନୃତତ୍ତ୍ବ ପ୍ରଫେସର ଏଫ.ଜି. ବେଲି ୧୯୫୯ରେ ‘ଇକୋନୋମିକ୍‌ ୱିକ୍‌ଲି’ରେ “ଓଡ଼ିଆ ଆନ୍ଦୋଳନ” (Oriya Movement) ଶୀର୍ଷକ ଏକ ଲେଖାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଚ୍ଚ ପ୍ରଶଂସା କରି ଲେଖିଥିଲେ ଯେ ‘ଓଡ଼ିଆ ଜାତୀୟତା ତାହାର ଦାବି ଓ ଲକ୍ଷ୍ୟକୁ କୂଟନୈତିକ ଏବଂ ସାମ୍ବିଧାନିକ ପଦ୍ଧତିରେ ସେ ଆଗକୁ ବଢ଼ାଇଥିଲେ ଓ ସେଥିରେ ହିଂସା ଏବଂ ବଳ ପ୍ରୟୋଗର ସ୍ଥାନ ନ ଥିଲା।’

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ଅବଦାନ ଯେତିକି ମହାନ୍‌ ଥିଲା, ଆଧୁନିକ ଭାରତର ନିର୍ମାଣ ପାଇଁ ତାଙ୍କର ଦୃଷ୍ଟିକୋଣ ତା’ ଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ତାଙ୍କର ଦୃଷ୍ଟିକୋଣ ତାଙ୍କ ସମୟ ଅନୁସାରେ କିଭଳି ପ୍ରଶସ୍ତ ଓ ସୁଦୂରବିସ୍ତାରୀ ଥିଲା, ତାହାର ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ। ଦୁଃଖର କଥା ବର୍ତ୍ତମାନ ଧର୍ମ ନାମରେ ଘୃଣାର ମଞ୍ଜି ବୁଣାଯାଉଛି। କିଛି ଦିନ ତଳେ ତଥାକଥିତ ସନ୍ଥ ଧର୍ମ ସଂସଦ ଦ୍ବାରା ଆୟୋଜିତ ସମାବେଶରେ ଘୃଣାପୂର୍ଣ୍ଣ ଭାଷଣ ଦିଆଯାଇ ମୁସ‌୍ଲିମ ସଂପ୍ରଦାୟର ଲୋକମାନଙ୍କ ଗଣସଂହାର ଲାଗି ତଥା ସେମାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇବା ପାଇଁ ଡାକରା ଦିଆଗଲା। ସୁପ୍ରିମ୍‌ କୋର୍ଟ ଏ ନେଇ ଉଦ୍‌ବେଗ ପ୍ରକାଶ କଲେ। କିନ୍ତୁ ଦୁଃଖର ବିଷୟ ଯେ ଆମ ଦେଶର ଶାସନ ସମ୍ଭାଳୁ ଥିବା ଶୀର୍ଷ ସ୍ତରର ନେତୃବୃନ୍ଦ ଏହାର ନିନ୍ଦା କରିବା ତ ଦୂରର କଥା, ଏ ବ୍ୟାପାରରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ଧର୍ମଭିତ୍ତିକ ଧ୍ରୁବୀକରଣ କରି ମୁସ୍‌ଲିମ ସଂପ୍ରଦାୟର ଲୋକମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଭାବେ ବହିଷ୍କାର କରିବା ପାଇଁ ବିଷାକ୍ତ ଭାଷାରେ ଡାକରା ଦିଆଯାଉଛି। ପୃଥିବୀର ସର୍ବ ବୃହତ୍‌ ରାଜନୈତିକ ଦଳ ଭାବେ ଡିଣ୍ଡିମ ପିଟୁଥିବା ଭାରତର ଶାସକ ଦଳର କିଛି ନେତା ମଧ୍ୟ ଏହା ସହିତ ସମ୍ପୃକ୍ତ। ଏହି ସବୁ ଘୃଣ୍ୟ କାର୍ଯ୍ୟ ଆମ ଅନ୍ତର୍ଭୁକ୍ତୀ ସଭ୍ୟତା ଓ ସମ୍ବିଧାନର ବିପରୀତ। ଏହି ପରିପ୍ରେକ୍ଷୀରେ ୧୯୦୩ରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ବଳିତ ଘୋଷଣାକୁ ଦେଖାଯାଇପାରେ। ମଧୁବାବୁଙ୍କ ଅନୁମୋଦନ ପ୍ରାପ୍ତ ଏହି ଘୋଷଣାରେ ଉପର ବର୍ଣ୍ଣିତ ସାଂପ୍ରଦାୟିକ ବିଦ୍ବେଷଜନିତ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଶିକ୍ଷା ରହିଛି। ସେଥିରେ ଧର୍ମ ବିଷୟରେ ଯାହା ଲେଖାଯାଇଥିଲା ତାହା ବର୍ତ୍ତମାନର ବିଷାକ୍ତ ଧାର୍ମିକ ଧ୍ରୁବୀକରଣର ପ୍ରତିକାର କରି ସମ୍ବିଧାନରେ ପ୍ରଣୀତ ଥିବା ଧର୍ମ ନିରପେକ୍ଷତାକୁ ରକ୍ଷା କରି ପାରିବ।

ସେଥିରେ କୁହାଯାଇଥିଲା- ‘…ଉତ୍କଳୀୟମାନଙ୍କ ମଧ୍ୟରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବ୍ରାହ୍ମ ଇତ୍ୟାଦି ସମସ୍ତେ ଅଛନ୍ତି ଓ ସେମାନଙ୍କର ଧର୍ମ ଭିନ୍ନ ଭିନ୍ନ। ଏପରି ସ୍ଥଳେ ଧର୍ମ ସମ୍ବନ୍ଧରେ ସେମାନଙ୍କର ମତ ମିଳି ପାରିବ ନାହିଁ ଏବଂ ଏ ସମ୍ମିଳନୀରେ ଧର୍ମ ନେଇ ତର୍କ ପ୍ରବେଶ କଲେ ଆମ୍ଭମାନଙ୍କ ମଧ୍ୟରେ ଗୁରୁତର ମତଭେଦ ସୃଷ୍ଟି ହେବାର ଆଶଙ୍କା ବଢ଼ିବ। ଏହି କାରଣରୁ ଧର୍ମ ସମ୍ବନ୍ଧୀୟ ତର୍କ ଏ ସମ୍ମିଳନୀର ସୀମା ମଧ୍ୟକୁ ଆସିନାହିଁ। x x x ସମସ୍ତ ଧର୍ମର ମୂଳ ଭିତ୍ତିକୁ ଧରି କୌଣସି କାର୍ଯ୍ୟରେ ହାତ ଦେଲେ କୌଣସି ସଂପ୍ରଦାୟର କିଛି ଆପତ୍ତି ନାହିଁ। x x x କିପରି ଉତ୍କଳୀୟମାନେ ବିଦ୍ୟା, ଧନ, ଶିଳ୍ପ ଓ ସମାଜ ଇତ୍ୟାଦି କ୍ଷେତ୍ରରେ ଉନ୍ନତି କରିବେ, ଏହା ହିଁ ଏ ସମ୍ମିଳନୀର କଳ୍ପନା।’
ଉପରୋକ୍ତ ବ୍ୟାଖ୍ୟା ଭାରତ ଓ ବିଶ୍ୱରେ ଦେଖା ଦେଇଥିବା ଧର୍ମ ଜନିତ ଉତ୍କଟ ଘୃଣା ଓ ଧ୍ରୁବୀକରଣ ପରିପ୍ରେକ୍ଷୀରେ ତା’ର ନିରାକରଣ ପାଇଁ ଅତ୍ୟନ୍ତ ପ୍ରଯୁଜ୍ୟ।
ମଧୁବାବୁ ନିଜେ ଧର୍ମ ପରିବର୍ତ୍ତନ କରି ୧୮୬୮ ମସିହାରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ସେ ରାଜନୀତିରେ ବା ସାର୍ବଜନୀନ କ୍ଷେତ୍ରରେ ଧର୍ମକୁ ନ ଆଣି ସର୍ବ ଧର୍ମ ସମଭାବର ଆଦର୍ଶରେ ଦେଶ ଓ ସମାଜକୁ ଗଠନ କରିବା ପାଇଁ ସତତ ଚେଷ୍ଟିତ ଥିଲେ।

ସେ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ତଥା ମନ୍ତ୍ରୀପଦରେ ମଧ୍ୟ ଆସୀନ ଥିଲେ। ୧୯୨୧ ମସିହା ମାର୍ଚ୍ଚ ୧୧ରେ ବିଧାନସଭାର ସଦସ୍ୟ ମୁବାରକ ଅଲ୍ଲୀ ବିଧାନସଭା ପରିସର ଭିତରେ ମୁସ୍‌ଲିମ ସଦସ୍ୟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରାର୍ଥନା ପ୍ରକୋଷ୍ଠ ପାଇଁ ଅନୁରୋଧ କଲେ। ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ମଧୁବାବୁ କହିଲେ ଯେ ପ୍ରାର୍ଥନା ଗୃହ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀମାନେ ମାଗିବେ ତେବେ ଅନ୍ୟମାନେ ମଧ୍ୟ ସେହି ପ୍ରକାର ଦାବି କରିବେ ଓ ତଦ୍ଦ୍ବାରା ଧର୍ମକୁ ନେଇ କଳହ ସୃଷ୍ଟି ହେବ। ସେ କହିଥିଲେ ଯେ ସମାଜରେ ବ୍ରାହ୍ମଣବାଦ ଅଛି, ହିନ୍ଦୁ ଧର୍ମକୁ ନେଇ କିଛି ଲୋକ ହିନ୍ଦୁବାଦକୁ ଗୁରୁତ୍ବ ଦିଅନ୍ତି, ଜୈନ ଧର୍ମକୁ ଧରି ଜୈନବାଦର ଅନୁସରଣକାରୀ ମଧ୍ୟ ଅଛନ୍ତି ଓ ଇସ୍‌ଲାମକୁ ନେଇ ମଧ୍ୟ ମହମଦବାଦକୁ ଲୋକ ବିଶ୍ୱାସ କରନ୍ତି। ତା’ ପରେ ସେ ଏକ ପରିହାସମୂଳକ ମନ୍ତବ୍ୟ ଦେଇ କହିଥିଲେ ଯେ ଧର୍ମଭିତ୍ତିକ ପ୍ରାର୍ଥନା ଗୃହ ଦାବି ଆଉ ଗୋଟିଏ ‘ବାଦ’ ସୃଷ୍ଟି କରିବ। ସେ ତା’ର ନାମ ମଧ୍ୟ ଦେଇଥିଲେ ‘ବିଭାଜନବାଦ’। ତାଙ୍କର ଯୁକ୍ତି ଥିଲା ସବୁ ଧର୍ମର ଲୋକ ବିଧାନସଭାରେ ପ୍ରତିନିଧିତ୍ବ କରି ଦେଶକୁ ‘ବିଭାଜନବାଦ’ରୁ ବଞ୍ଚେଇ ରଖନ୍ତୁ। ମୁବାରକ ଅଲ୍ଲୀ ଅନୁରୋଧ କରିଥିବା ସ୍ୱତନ୍ତ୍ର ପ୍ରାର୍ଥନା ଗୃହ ପରିବର୍ତ୍ତେ ସେ ଦୁଇଟି ତମ୍ବୁ ଟାଣିବାର ବ୍ୟବସ୍ଥା କରିଥିଲେ ଓ ମୁସ୍‌ଲିମ ବିଧାୟକମାନଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ। ଏହା କେବଳ ମଧୁବାବୁଙ୍କ ଧାର୍ମିକ ଉଦାରତା ବିଷୟ ବର୍ଣ୍ଣନା କରୁନାହିଁ, ଏହା ତାଙ୍କର ଦୂରଦୃଷ୍ଟିକୁ ଦର୍ଶାଇଥାଏ; ଯାହାର ଅଭାବରେ ଆଜି ସାଂପ୍ରଦାୟିକ ବିଭାଜନ ତୀବ୍ର ହେବାରେ ଲାଗିଛି ଏବଂ ବିଭିନ୍ନ ସରଳ ପନ୍ଥର ଅନୁଗାମୀମାନେ ଜଟିଳ ‘ବାଦ’ଗୁଡ଼ିକର ସୃଷ୍ଟିରେ ଉତ୍‌ପ୍ରେରକ ସାଜିବାରେ ଲାଗିଛନ୍ତି।

ସେ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରି ନ ଥିବା ସତ୍ତ୍ବେ ବ୍ରିଟିସ୍‌ ଶାସନ ଯେ ଓଡ଼ିଶା ଓ ଭାରତର ଆର୍ଥିକ ଦୁର୍ଗତିର କାରଣ, ସେ ନେଇ ଦୃଢ଼ ଯୁକ୍ତି ବାଢ଼ିଥିଲେ। ଓଡ଼ିଶାର ଲୋକମାନେ ବହୁ ସଂଖ୍ୟାରେ ଚାଷ ଉପରେ ନିର୍ଭର କରୁଥିବାରୁ ସେ ଚାଷୀମାନଙ୍କ ପାଇଁ ବିଂଶ ଶତାବ୍ଦୀର ପ୍ରଥମ ଦଶକରୁ କୌଶଳ ବିକାଶ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କୃଷି ବାହାରେ ସେମାନଙ୍କ ଅତିରିକ୍ତ ଆୟ ପାଇଁ ଯୋଜନା କରିଥିଲେ। ବର୍ତ୍ତମାନ କୌଶଳ ବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସାରା ଦେଶରେ ଗୁରୁତ୍ବ ଲାଭ କରି ଆଗେଇ ଚାଲିଛି। ‘ଉତ୍କଳ ଟ୍ୟାନେରି’ରେ ଚମଡ଼ାକୁ ବ୍ୟବହାର କରି ସେ ‘ଦକ୍ଷତା ବା କୌଶଳ ବିକାଶର ସମ୍ଭାବନାକୁ ଫଳବତୀ କରିବା ପାଇଁ ଚେଷ୍ଟା କରିଥିଲେ। ୧୯୧୦ ମସିହା, ଏପ୍ରିଲ ୨ ତାରିଖରେ ବଜେଟ୍‌ ଆଲୋଚନାରେ ଭାଗ ନେଇ ସେ ବୈପ୍ଳବିକ ଆହ୍ୱାନ ଦେଇ କହିଥିଲେ ଯେ କୃଷିଭିତ୍ତିକ ଶିଳ୍ପ ଓ ମିଳିତ (Joint) ଷ୍ଟକ୍ କମ୍ପାନି ନ କଲେ ଚାଷୀର ଆୟ ସୀମିତ ରହିବ। ଦେଶ ଶିଳ୍ପ କ୍ଷେତ୍ରରେ ପଛୁଆ ହୋଇଥିବାର ଅନ୍ୟତମ କାରଣ ସେ ଜାତି ପ୍ରଥାରେ ଦେଖିଥିଲେ। ବି.ଆର୍‌. ଆମ୍ବେଦକରଙ୍କ ବହୁ ପୂର୍ବରୁ ଅର୍ଥାତ୍‌ ୧୯୧୪, ଏପ୍ରିଲ ୬ରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରି ସେ କହିଥିଲେ ଯେ ୟୁରୋପ ଭଳି ଶ୍ରମ ବିଭାଜନ (division of labour) ଭାରତରେ ଜାତି ପ୍ରଥା ଯୋଗୁଁ ହୋଇ ପାରି ନ ଥିଲା ଏବଂ ସେହି କାରଣରୁ ଶିଳ୍ପର ବିକାଶ ଅସମ୍ଭବ ହେଲା। ଆମ୍ବେଦକର ୧୯୪୦ରେ ‘ହିନ୍ଦୁ ଧର୍ମ’ ଶୀର୍ଷକ ଲେଖାରେ ଲେଖିଥିଲେ ଜାତି ପ୍ରଥା ଶ୍ରମ ବିଭାଜନ ନ କରି ଶ୍ରମିକମାନଙ୍କୁ ବିଭାଜିତ କରିଦେଇଛି। ୧୯୧୬ ମାର୍ଚ୍ଚ ୧୬ ତାରିଖରେ କେନ୍ଦ୍ର ବିଧାନସଭାରେ ପତିତ ବର୍ଗର ଶିକ୍ଷା ଓ ସାମାଜିକ ଉତ୍‌ଥାନ ଏବଂ ଛୁଅଁାଛୁତିର ଉଚ୍ଛେଦ ପାଇଁ ମଧୁବାବୁ ଦେଇଥିବା ଅନେକ ଦୃଷ୍ଟିକୋଣ ବି.ଆର. ଆମ୍ବେଦକରଙ୍କ ଦ୍ବାରା ୧୯୩୦ ମସିହାରେ ଲଣ୍ଡନରେ ଅନୁଷ୍ଠିତ ଦ୍ବିତୀୟ ଗୋଲ୍‌ଟେବଲ ବୈଠକରେ ଦାଖଲ କରାଯାଇଥିବା ତାଙ୍କ ଲେଖା ‘ପାକ୍‌ସ ବ୍ରିଟାନିକା ଓ ଅଛୁଆଁ ବର୍ଗ’ରେ ସ୍ଥାନ ପାଇଥିଲା। ମହାତ୍ମା ଗାନ୍ଧୀ ଲେଖିଥିଲେ ଯେ ମଧୁବାବୁ ସଂଖ୍ୟା ଦ୍ୱାରା ପ୍ରମାଣ କରିଥିଲେ ଯେ ଛୁଅଁାଛୁତି ଯୋଗୁଁ ଦେଶ ଆର୍ଥିକ ଦୃଷ୍ଟିରୁ ପଛୁଆ ହୋଇଯାଇଛି।

୧୯୧୩ରେ ଗଙ୍ଗା ନଦୀକୁ ପରିଷ୍କାର ରଖିବା ପାଇଁ ମଧୁବାବୁ ଆହ୍ୱାନ ଦେଇ କହିଥିଲେ ଯେ ନଦୀ କୂଳେ କୂଳେ ଶୌଚାଳୟ ସ୍ଥାପନ କରାଯିବା ଆବଶ୍ୟକ। ୧୯୨୨-୨୩ରେ ମହିଳାମାନେ ଆଇନରେ ସ୍ନାତକ ହେବା ପରେ ଓକିଲ ହୋଇ ଅଦାଲତରେ ମକଦ୍ଦମା ଲଢ଼ି ପାରୁନଥିଲେ। ଏଥିଲାଗି ଶ୍ରେୟ ମଧୁବାବୁଙ୍କ ପାଖକୁ ଯିବ। ମଧୁବାବୁ ସେହି ବିଷୟରେ ପାଟନା ଉଚ୍ଚ ନ୍ୟାୟାଳୟରେ ଏକ କେସ୍‌ ଦାୟର କରି ହାରିଯିବା ପରେ ଲଣ୍ଡନର ‘ପ୍ରିଭି କାଉନ୍‌ସିଲ୍‌’କୁ ଯାଇଥିଲେ। ‘ପ୍ରିଭି କାଉନ୍‌ସିଲ୍‌ରେ ତାଙ୍କର କେସ୍‌ ଏକ ଜନସ୍ୱାର୍ଥମୂଳକ ମାମଲା (PIL) ଥିଲା। ସମ୍ଭବତଃ ତାହା ଭାରତର ପ୍ରଥମ ‘ପି.ଆଇ.ଏଲ୍‌’ ଥିଲା। ତାକୁ ଆଧାର କରି ବ୍ରିଟିସ୍‌ ସରକାର ଏକ ନୂଆ ଆଇନ ପ୍ରଣୟନ କଲେ ଓ ମହିଳାମାନେ ଓକିଲ ହେବା ପାଇଁ ସୁଯୋଗ ମିଳିଲା। ୧୯୨୩ ମସିହା, ଫେବ୍ରୁଆରି ୨୩ ତାରିଖରେ ସେ କେନ୍ଦ୍ରୀୟ ବିଧାନସଭାରେ ସେତେବେଳେ ଓଡ଼ିଶାରେ ବ୍ୟାପିଥିବା ଭୟାବହ କଲେରା ମହାମାରୀ ଉପରେ ଯାହା କହିଥିଲେ, ତାହାର ପ୍ରାସଙ୍ଗିକତା କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ବିଶେଷ ପ୍ରଣିଧାନଯୋଗ୍ୟ। ସେ କହିଥିଲେ, ‘ବିଧାୟକମାନେ ଲୋକଙ୍କ ପାଖକୁ ଯାଇ ଓ ସରକାରକୁ ଲୋକଙ୍କ ନିକଟକୁ ନେବାର କର୍ତ୍ତବ୍ୟ ସଂପାଦନ କରି ଜୀବନ ବଞ୍ଚାଇବା ନିତାନ୍ତ ଆବଶ୍ୟକ।’ ଓଡ଼ିଶା ଓ ଭାରତ ନିର୍ମାଣରେ ମଧୁବାବୁଙ୍କ ଦୃଷ୍ଟିକୋଣର ପ୍ରଭାବକୁ ଦେଖିହୁଏ। ସବୁଠାରୁ ବଡ଼ କଥା ହେଲା ତାଙ୍କର ଭବିଷ୍ୟତ ଦୃଷ୍ଟି, ଯାହାକୁ ଗ୍ରହଣ କରି ସଂସ୍କାର ଅଣାଯାଇ ପାରିଛି ଏବଂ ଅନେକ ସ୍ଥଳରେ ତାକୁ ପରିତ୍ୟଜ୍ୟ କରି ବିପଦକୁ ମଧ୍ୟ ବରଣ କରାଯାଉଛି।
ମୋ: ୯୮୭୧୮୯୪୫୩୪

ସମ୍ବନ୍ଧିତ ଖବର