“ଭୂମିକମ୍ପ ହେବ ଧରଣୀ ଫାଟିବ ଉଠିବେ ସହସ୍ରଭୁଜା”, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଠାରୁ ମଧୁସୂଦନଙ୍କ ମାତୃ ଆବାହନୀରେ ଅଭିମନ୍ତ୍ରିତ ହେଉଥିଲା ବିଖଣ୍ଡିତ ଓଡ଼ିଶାର କୋଣ-ଅନୁକୋଣ। ସେହି ସମୟ ପରିପ୍ରେକ୍ଷୀରେ ସମ୍ମିଳନୀର ସଭାସ୍ଥଳୀ ଓ ମଞ୍ଚସଜ୍ଜା ଥିଲା ବେଶ୍ ଆକର୍ଷଣୀୟ। ମଞ୍ଚର ପୃଷ୍ଠଭାଗରେ ଚିତ୍ରିତ ତିନିଟି ନାରୀଚିତ୍ର ସଭାସଦ୍, ଆଗନ୍ତୁକ ଓ ଅଧିକାରୀ- ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବାମ ପାର୍ଶ୍ୱର ନାରୀଚିତ୍ର ତଳେ ଲେଖାଥିଲା ‘ଗଞ୍ଜାମ: ଡଟର୍ ଇନ୍ ଏକ୍ସାଇଲ୍’ ବା ନିର୍ବାସିତା କନ୍ୟା। ଦକ୍ଷିଣ ପାର୍ଶ୍ୱର ନାରୀମୂର୍ତ୍ତି ତଳେ ଅଙ୍କିତ ହୋଇଥିଲା ଅନ୍ୟ ଏକ ନାରୀମୂର୍ତ୍ତି ଯେଉଁଠି ଲେଖାଥିଲା: ‘ଗଲ୍‌ଫ ଅଫ୍ ଆଡମିନିଷ୍ଟ୍ରେସନ୍’ ବା ପ୍ରଶାସନର ବ୍ୟବଧାନ। ଏମନ୍ତ ଚିତ୍ରାଙ୍କନର ମର୍ମ ଏହି ଯେ ଉତ୍କଳ ଜନନୀଙ୍କ ଠାରୁ ଗଞ୍ଜାମ ଓ ଅନ୍ୟାନ୍ୟ ଓଡ଼ିଆ ଅଞ୍ଚଳ ଆଉ କେତେ ଦିନ ଦୂରେଇ ରହିବ? ବ୍ରିଟିଶ ଶାସନ ଦ୍ୱାରା ସୃଷ୍ଟ କୃତ୍ରିମ ଦୂରତ୍ୱର ଅବସାନ ଘଟିବ କେବେ? ଏପରି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରିଥିଲା। କିନ୍ତୁ ଏହିସବୁ ପ୍ରଶ୍ନର ଉତ୍ତର ଏହି ମହାସମ୍ମିଳନୀ ମଞ୍ଚରେ ପ୍ରତିଧ୍ୱନିତ ହୋଇଥିଲା।

Advertisment

ସଭାରେ ଗୃହୀତ ଏଗାରଟି ପ୍ରସ୍ତାବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀତ କରିବା ପାଇଁ ବଡ଼ଲାଟଙ୍କ ପ୍ରସ୍ତାବକୁ ସମର୍ଥନ। ଏଠାରେ ଉଲ୍ଲେଖନୀୟ ଯେ ଲର୍ଡ କର୍ଜନ ହେଉଛନ୍ତି ଭାରତର ପ୍ରଥମ ବଡ଼ଲାଟ ଯିଏକି ଓଡ଼ିଶାର ସମସ୍ୟା ପ୍ରତି ଧ୍ୟାନ ଦେଇଥିଲେ। ସମ୍ବଲପୁରରେ ଓଡ଼ିଆ ଭାଷାକୁ କଚେରିରେ ପୁନଃ ପ୍ରଚଳନ କରାଯାଇଥିବାରୁ ଛୋଟଲାଟଙ୍କୁ ଧନ୍ୟବାଦ ପ୍ରଦାନ ଥିଲା ଦ୍ୱିତୀୟ ନିର୍ଦ୍ଧାରଣ। ତେବେ ଓଡ଼ିଶାରେ ବସବାସ କରୁଥିବା ଅନ୍ୟ ଭାଷାଭାଷୀମାନଙ୍କ ସହିତ ସଦ୍ଭାବ ପ୍ରତିଷ୍ଠା, କୃଷି ଓ ଶିଳ୍ପ ବିକାଶ, ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ବିଦେଶକୁ ପଠାଇବା ପାଇଁ ଉପାୟ ବିଧାନ ଏବଂ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଆଦି ନିର୍ଦ୍ଧାରଣ ପ୍ରଥମ ଅଧିବେଶନର ବିଶେଷତ୍ୱ ବ୍ୟାଖ୍ୟାନ କରେ। ବ୍ୟାଖ୍ୟାନ କରେ ମଧୁବାବୁଙ୍କ ଦୂରଦୃଷ୍ଟି ଓ ଉଦାର ମନୋଭାବ। ଦେଶପ୍ରୀତି, ଜାତିପ୍ରୀତି, ଭାଷାପ୍ରୀତି ତଥା ଶିକ୍ଷା ଓ ସଂସ୍କାର ମନସ୍କତାରେ ଇଦ୍‌ଗା ମୈଦାନ ବା କଟକ କେବଳ କାହିଁକି ସାରା ଓଡ଼ିଆ ଅଞ୍ଚଳ ଗୁଞ୍ଜରିତ ହୋଇଥିଲା। ସଭା ପରିଚାଳନା ଓଡ଼ିଆରେ ହେଉଥିବା ଲକ୍ଷ୍ୟ କରି ସଭାରେ ଉପସ୍ଥିତ ଥିବା ‘ଅମୃତ ବଜାର ପତ୍ରିକା’ର ସମ୍ପାଦକ ମୋତିଲାଲ ଘୋଷ ମଧୁସୂଦନଙ୍କୁ କହିଥିଲେ ଯେ ଆମେ ବଙ୍ଗାଳୀମାନେ ତୁମ ଠାରୁ ଭାଷାପ୍ରେମ ଶିଖିଲୁ। କାରଣ ବଙ୍ଗରେ ଇଂରେଜୀରେ ସଭା ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ୧୯୦୩ ମସିହାରୁ ୧୯୨୦ ମସିହା ପର୍ଯ୍ୟନ୍ତ ବିଶେଷ ଅଧିବେଶନ ଲଗାଏତ ଉତ୍କଳ ସମ୍ମିଳନୀର ୧୮ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସାତଟି ଅଧିବେଶନ କଟକରେ, ତିନିଟି ଲେଖାଏଁ ବ୍ରହ୍ମପୁର ଓ ପୁରୀରେ, ଦୁଇଟି ବାଲେଶ୍ୱରରେ ଏବଂ ପାରଳାଖେମୁଣ୍ଡି, ସମ୍ବଲପୁର ଓ ଚକ୍ରଧରପୁର (ଅଧୁନା ଝାଡ଼ଖଣ୍ଡ ଅନ୍ତର୍ଗତ)ରେ ଗୋଟିଏ କରି ଅଧିବେଶନ ଆୟୋଜନ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକରେ ଲୁଗା, ଲୁଣ, ସମବାୟ, ନାରୀଶିକ୍ଷା, ଇଂଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ ଓ ବନ୍ଦର ପ୍ରତିଷ୍ଠା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା।

ବିଖଣ୍ଡିତ ଓଡ଼ିଶାର ସ୍ୱାର୍ଥ ପାଇଁ ମଧୁସୂଦନ କେତେକ ସର୍ବଭାରତୀୟ ନେତାଙ୍କ ସହଯୋଗ ପାଇପାରିଥିଲେ। ତାଙ୍କ ପରାମର୍ଶକ୍ରମେ ସାର୍ ସଚ୍ଚିଦାନନ୍ଦ ସିହ୍ନା ୧୯୨୦ ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ନୀତି ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି ଗଠନ ସକାଶେ ଇମ୍ପେରିଆଲ୍ ଲେଜିସଲେଟିଭ୍ କାଉନସିଲ୍‌ରେ ପ୍ରସ୍ତାବ ଆଣିଥିଲେ। ଏହାର ଫଳସ୍ୱରୂପ ୧୯୨୪ ମସିହାରେ ଗଠିତ ଫିଲିପ୍-ଡଫ୍ କମିଟି ମାନ୍ଦ୍ରାଜ ଅଧୀନରେ ଥିବା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ପାଇଁ ଅନୁକୂଳ ମତ ଦେଇଥିଲା। ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ତାଙ୍କୁ ବ୍ରହ୍ମପୁରଠାରେ ମଧୁସୂଦନଙ୍କ ମାର୍ଗଦର୍ଶନରେ ନିରଞ୍ଜନ ପଟ୍ଟନାୟକ ଓ ଚକ୍ରପାଣି ପ୍ରଧାନଙ୍କ ଦ୍ୱାରା ରଚିତ ‘ଦ ଓଡ଼ିଆ ମୁଭମେଣ୍ଟ’ପୁସ୍ତକ ପ୍ରଦାନ କରାଯାଇଥିଲା। ସେଠାରେ ଗାନ୍ଧୀଜୀ ଓଡ଼ିଶାର ଦାବିକୁ ନ୍ୟାଯ୍ୟ ବୋଲି ଅଭିହିତ କରିଥିଲେ। ୧୯୨୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ସିନ୍ଧୁ, କର୍ଣ୍ଣାଟକ, ଆନ୍ଧ୍ର ଓ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରାଶାସନିକ ଏକକ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା ଏବଂ ମହାପ୍ରଦେଶଗୁଡ଼ିକର ପୁନର୍ଗଠନ ବିଷୟରେ ବିଚାର ଓ ଅଧ୍ୟୟନ କରିବା ପାଇଁ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା। କିନ୍ତୁ ଏହି କମିଟି ସିନ୍ଧୁ ପ୍ରଦେଶ ଗଠନ ପାଇଁ ଅନୁମୋଦନ କରିଥିଲେ ମଧ୍ୟ ଓଡ଼ିଶାର ଦାବିକୁ ଅଣଦେଖା କରିଥିଲା। ଓଡ଼ିଶା କଂଗ୍ରେସ ନେତାମାନେ କଲିକତାର ଦେଶବନ୍ଧୁ ନଗରରେ ୧୯୨୮ ମସିହାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରସ୍ତାବ ପାରିତ କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।

ଅପରପକ୍ଷେ ସାଇମନ୍ କମିସନଙ୍କ ସମର୍ଥନ କ୍ରମେ ଅଟ୍ଲି କମିଟି ଗଠିତ ହୋଇଥିଲା ଯାହା ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା। ତତ୍ପରେ ୧୯୩୧ ମସିହାରେ ସୀମା ନିର୍ଦ୍ଧାରଣ ପାଇଁ ଓ’ଡନେଲ୍ କମିଟି ଗଠିତ ହୋଇଥିଲା ଏବଂ ୧୯୩୨ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ସେକ୍ରେଟେରି ଅଫ୍ ଷ୍ଟେଟ୍ ଫର୍ ଇଣ୍ଡିଆ ସାମୁଏଲ୍ ହୋରେ ଲଣ୍ଡନରେ ଘୋଷଣା କରିଥିଲେ। ୧୯୩୩ ମସିହାରେ ଶ୍ୱେତପତ୍ର ପ୍ରକାଶ ପାଇଥିଲା ଯେଉଁଥିରେ ଓଡ଼ିଶା ଓ ସିନ୍ଧୁପ୍ରଦେଶ ଗଠନ ବିଷୟରେ ଉଲ୍ଲେଖ ଥିଲା। କିନ୍ତୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଓଡ଼ିଶାରେ ପୁଣି ପ୍ରତିବାଦର ସ୍ୱର ଶୁଭିଥିଲା, ଯାହା ଫଳରେ ଜଏଣ୍ଟ ସିଲେକ୍ଟ କମିଟି ଗଠିତ ହୋଇଥିଲା। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦୃଢ଼ ଦାବି ଫଳରେ କେତେକ ପାରମ୍ପରିକ ଓଡ଼ିଆ ଅଞ୍ଚଳ ଓଡ଼ିଶା ମାନଚିତ୍ରରେ ସ୍ଥାନ ପାଇପାରିଥିଲା। ତତ୍ପରେ ୧୯୩୬ ମସିହା ଏପ୍ରିଲ ପହିଲାରୁ ଓଡ଼ିଶା ସ୍ୱତନ୍ତ୍ର ହେବ ବୋଲି ବ୍ରିଟିଶ ସରକାର ଘୋଷଣା କରିଥିଲେ। ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାର୍ଥକ ହୋଇଥିବାରୁ ସମ୍ରାଟ ଅଷ୍ଟମ ଏଡୱାର୍ଡ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ସାମୂହିକ ସ୍ୱପ୍ନ ଓ ସଙ୍ଘାତ ଭିତରେ ଓଡ଼ିଆ ଜାତୀୟତାର କମନୀୟ କାନ୍ତି କ୍ରମଶଃ ପ୍ରସ୍ଫୁଟିତ ହେଲା। ଆବିର୍ଭୂତା ହେଲେ ଅବା ମଧୁବାବୁଙ୍କ ‘ସହସ୍ରଭୁଜା’। ଭାରତ ଇତିହାସରେ ନୂଆ ଅଧ୍ୟାୟଟିଏ ଯୋଡ଼ିଲା ଓଡ଼ିଶା: ‘ଭାଷା ଭିତ୍ତିକ ରାଜ୍ୟ’। ତେବେ ଯେଉଁ ଭୂମିର ଭିତ୍ତି ଭାଷା, ସେହି ଭୂମି ଓ ଭାଷା ପ୍ରତି ତା’ର ସନ୍ତାନମାନେ କେତେ ଦୂର ପ୍ରତିବଦ୍ଧ, ତାହା ଏକ ନିରବ ଓ ନିରବଚ୍ଛିନ୍ନ ପ୍ରଶ୍ନବାଚୀ।
ମୋ: ୯୪୩୭୧୪୩୮୯୬