ସୁରେନ୍ଦ୍ର ମହାନ୍ତିଙ୍କ ଜୀବନ ତାଙ୍କ ଗଳ୍ପ ଉପନ୍ୟାସଗୁଡ଼ିକର ଚରିତ୍ରମାନଙ୍କ ଜୀବନଠାରୁ ଅଧିକ ନାଟକୀୟ। ଶଁବାଳୁଆର ଲୋମଶ, ସ୍ଥିର ଏବଂ ପ୍ରାୟ ସ୍ଥବିର ବର୍ତ୍ତମାନକୁ ଦେଖିଲା ବେଳେ ଯେମିତି ଅଦୂର ଭବିଷ୍ୟତରେ ଏକ ଚିତ୍ରିତ ପ୍ରଜାପତିର କ୍ଷିପ୍ର ଉଡ଼ାଣ କଥା ଚିନ୍ତା କରିହୁଏ ନାହିଁ, ସେମିତି ସୁରେନ୍ଦ୍ରଙ୍କ ଶୈଶବ, କୈଶୋର ଏବଂ ଆଦ୍ୟ ଯୌବନର ଦୁଃସ୍ଥିତି ସମ୍ପର୍କରେ ପଢ଼ିଲାବେଳେ ପରବର୍ତ୍ତୀ ଜୀବନରେ ଦ୍ରୁତଗାମୀ ଅଶ୍ୱର କ୍ଷିପ୍ରତା କଳ୍ପନା କରିହୁଏ ନାହିଁ। ଏହି ଦୃଷ୍ଟିରୁ ସୁରେନ୍ଦ୍ର ମହାନ୍ତିଙ୍କର ଜୀବନ ଓ ସାଧନା ସମ୍ମୁଖରେ ମଣିଷର ଅଦ୍ଭୁତ ଉଦାହରଣମାନ ଆମ ଆଖି ଆଗରେ ରଖିଦିଏ।
କଟକଠାରୁ ଅଳ୍ପ ଦୂର ସାଲେପୁର-ବହୁଗ୍ରାମ ଅଞ୍ଚଳର ପୁରୁଷୋତ୍ତମପୁର ତାଙ୍କର ଗାଁ। ତାଙ୍କ ପରିବାରଟି ତହସିଲଦାର ପରିବାର ଭାବରେ ପରିଚିତ ଥିଲେ ସୁଦ୍ଧା ତାଙ୍କ ଜନ୍ମବେଳକୁ ସେ ଔଜ୍ଜ୍ୱଲ୍ୟ ଆଉ ନ ଥିଲା। ମଣିଷର ଜୀବନକୁ ତା’ର ପିଲାଦିନ ଗଢ଼ିଥାଏ। ଶୈଶବ-କୈଶୋରର ସ୍ମୃତିସମୂହ, ସ୍ୱପ୍ନ ଓ ସ୍ୱପ୍ନଭଙ୍ଗ ତା’ର ମାନସିକତାକୁ ନିର୍ମାଣ କରିଥାଏ। ସୁରେନ୍ଦ୍ର ମହାନ୍ତିଙ୍କ ଜୀବନ ଓ ସାହିତ୍ୟ ଉଭୟକୁ ବୁଝିବା ଦିଗରେ ତାଙ୍କର ‘ପଥ ଓ ପୃଥିବୀ’ ଜୀବନ ସ୍ମୃତି ବହୁ ପରିମାଣରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ ତାଙ୍କ ‘କାଠଘୋଡ଼ା’ ଗଳ୍ପରେ ସେ ଲେଖିଥିଲେ- ‘ଶୈଶବର ଗନ୍ଧ ଅଛି? ତାହାହେଲେ ତାହା ହେଉଛି ଗୋବରଲିପା ମାଟିପିଣ୍ଡା ଆଉ ମଧୁମାଳତୀ ଫୁଲର ମିଶାମିଶି ଗୋଟାଏ ବାସନା।’ କାରଣ, ସୁରେନ୍ଦ୍ର ମହାନ୍ତିଙ୍କ ଗାଁଘରର ଦକ୍ଷିଣ-ପଶ୍ଚିମ କୋଣକୁ ଗୋଟେ ବୁଢ଼ା ବଉଳ ଗଛ ଦେହରେ ବେଢ଼େଇ ହୋଇ ରହିଥିଲା ପ୍ରକାଣ୍ଡ ମଧୁମାଳତୀ ଲଟା। ଗାଆଁଦାଣ୍ଡର ଏଇ ଲଟାଟି ଗୋଟେ ବଉଳ ଗଛକୁ ଆଲିଙ୍ଗନ କଲା ପରି ବେଢ଼େଇ ଯାଇଥିଲା ଏବଂ ବଉଳ-ମଧୁମାଳତୀ ବାସ୍ନାରେ ସଞ୍ଜ ସକାଳେ ମହକୁଥିଲା।
୧୯୩୮ ବେଳକୁ ସୁରେନ୍ଦ୍ର ସାଲେପୁର ହାଇସ୍କୁଲ୍ର ଏକାଦଶ ଶ୍ରେଣୀର ଛାତ୍ର। ସେହି ସମୟରେ ‘ଉତ୍କଳ ସାହିତ୍ୟ’ରେ ପ୍ରଥମେ ପ୍ରକାଶ ପାଏ ତାଙ୍କର ଗଳ୍ପ ‘ବନ୍ଦୀ’। ଇଂରେଜୀ ଶିକ୍ଷକ ଶ୍ରୀ ମନମୋହନ ପଟ୍ଟନାୟକ ଏ ଗଳ୍ପଟି ପ୍ରକାଶ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ; ଯେମିତି କଟକରେ ପଢ଼ିବାବେଳେ ବନ୍ଧୁ ଓ କବି ବିନୋଦ ନାୟକ ସୁରେନ୍ଦ୍ରଙ୍କ ଅଜାଣତରେ ତାଙ୍କ ଟ୍ରଙ୍କ୍ ଭିତରୁ ‘ମଣିଷ ଓ ଅର୍ଥନୀତି’ ଗଳ୍ପଟିକୁ ନେଇ ‘ଆରତି’ରେ ପ୍ରକାଶ କରାଇଥିଲେ। ପ୍ରଥମେ ଶିକ୍ଷକ ଏବଂ ପରେ ସାହିତ୍ୟିକ ବନ୍ଧୁ ଉଭୟଙ୍କର ସହୃଦୟତାକୁ ଲକ୍ଷ୍ୟ କରି ସୁରେନ୍ଦ୍ର ମହାନ୍ତି ତାଙ୍କ ‘ପଥ ଓ ପୃଥିବୀ’ରେ ଲେଖିଛନ୍ତି, ‘ଆଜି ଲେଖକମାନଙ୍କ ମଧ୍ୟରେ ଲକ୍ଷ୍ୟ କରୁଛି, ଘୋର ପରଶ୍ରୀକାତରତା। କିନ୍ତୁ ସେଦିନ ଥିଲା ଅଲଗା। ସାହିତ୍ୟ ଥିଲା ଶ୍ରଦ୍ଧା ଓ ସୌହାର୍ଦର ତୀର୍ଥଭୂମି।’
ସୁରେନ୍ଦ୍ର ମହାନ୍ତିଙ୍କ ଅଞ୍ଚଳ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଅଞ୍ଚଳ। ୧୯୩୪ ମସିହାରେ ମଧୁବାବୁଙ୍କ ବିୟୋଗ ହୁଏ। ସୁରେନ୍ଦ୍ର ଶୁଣନ୍ତି, ‘ଓଡ଼ିଶାର ମୁଣ୍ଡ ଖସିପଡ଼ିଲା’ ଏକଥା ପଦକ ତାଙ୍କୁ ବହୁବର୍ଷ ପର୍ଯ୍ୟନ୍ତ ଆଚ୍ଛନ୍ନ କରି ରଖେ। କ୍ରମେ ମଧୁବାବୁଙ୍କ ସମ୍ପର୍କରେ ବହୁ ବିସ୍ମୟକର କଥା ସେ ଶୁଣନ୍ତି ଏବଂ ଏହାର ଫଳଶ୍ରୁତି ହୁଏ- ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ‘କୁଳବୃଦ୍ଧ’- ମଧୁବାବୁଙ୍କ ଜୀବନଚରିତ ଆଧାରରେ ଦୁଇ ଅନବଦ୍ୟ ସୃଷ୍ଟି ଯାହାର ପଟାନ୍ତର ନାହିଁ। ସୁରେନ୍ଦ୍ର ସାହିତ୍ୟର ତିନିଟି ଉଜ୍ଜ୍ୱଳ ବିନ୍ଦୁ ଗୌତମବୁଦ୍ଧ, ଶ୍ରୀଜଗନ୍ନାଥ ଏବଂ ମଧୁସୂଦନ ଦାସ। ତାଙ୍କର ସମଗ୍ର ସାହିତ୍ୟରେ ଏଇ ତିନି ବିନ୍ଦୁର ବିସ୍ତାର ଏବଂ ଅନୁଶୀଳନ ଲକ୍ଷ୍ୟ କରାଯାଇଥାଏ।
୧୯୩୭ରେ ସୁରେନ୍ଦ୍ର ଛାତ୍ର ଥିବାବେଳେ ସାଲେପୁର ଗସ୍ତରେ ଆସିଥିବା ଜବାହରଲାଲ ନେହରୁଙ୍କୁ ଦେଖନ୍ତି। ହଷ୍ଟେଲ୍ ଝରକା ଭାଙ୍ଗି ନେହରୁଙ୍କ ସେହି ସଭାକୁ ସେ ଯାଇଥିଲେ ଏବଂ ସେଥିପାଇଁ ଶାସ୍ତି ପାଇଥିଲେ। ମାତ୍ର ଅନୁଶାସନ ଓ ଶୃଙ୍ଖଳାକୁ ମାନି ନିରବ ରହିବା ତାଙ୍କର ସ୍ୱଭାବରେ ନ ଥିଲା। ସାଲେପୁରରୁ ସୁରେନ୍ଦ୍ର ଆସନ୍ତି ରେଭେନ୍ସା କଲେଜ। ଆରମ୍ଭ ହୁଏ ଭବଘୂରା ଓ ବୋହେମିଆନ ଜୀବନ। ସାହିତ୍ୟ ରଚନାର ଝୁଙ୍କ୍ ବଢ଼େ।
୧୯୪୨ ଅଗଷ୍ଟ ବିପ୍ଳବର ସମୟ। ରେଭେନ୍ସାର ଇଷ୍ଟ୍ ହଷ୍ଟେଲ୍ ପାଲଟିଥାଏ ଏକ ଆତ୍ମଘୋଷିତ ରିପବ୍ଲିକ୍। ସୁଭାଷପନ୍ଥୀ ଶୀଳଭଦ୍ରୟାଜୀଙ୍କ ପ୍ରେରଣାରେ ସୁରେନ୍ଦ୍ର ପାଲଟନ୍ତି ‘ଅଣ୍ଡରଗ୍ରାଉଣ୍ଡ୍’ ଯାହାର ପ୍ରଭାବ ତାଙ୍କର କେତେକ ଗଳ୍ପରେ ଏବଂ ‘ନେତି ନେତି’ ଉପନ୍ୟାସରେ ଦେଖୁ। ବିଶ୍ୱବିଦ୍ୟାଳୟ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଏନାହିଁ। କଲେଜର ବି.ଏ. (ଇଂରେଜୀ) ଶ୍ରେଣୀରୁ ନାଁ କଟି ସାରିଥାଏ ବର୍ଷକ ଆଗରୁ। ଅସ୍ଥାୟୀ ଚାକିରି ଓ ଟିଉସନ୍ କରି ଉଦ୍ଦେଶ୍ୟହୀନ ଭାବରେ ସମୟ ବିତଉଥାଆନ୍ତି ସୁରେନ୍ଦ୍ର ମହାନ୍ତି।
ଅନେକେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ପରବର୍ତ୍ତୀ ସମୟରେ ରାଜ୍ୟସଭା ଏବଂ ଲୋକସଭାର ସଦସ୍ୟ, ଏକାଧିକ ସମ୍ବାଦପତ୍ରର ସଂପାଦକ, ‘ନୀଳଶୈଳ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ଖ୍ୟାତିର ଲେଖକ ସୁରେନ୍ଦ୍ର ମହାନ୍ତି ଏକଦା ଅନ୍ନସଂସ୍ଥାନ ପାଇଁ ସିଲ୍କ କପଡ଼ା କମ୍ପାନିର ଭ୍ରାମ୍ୟମାଣ ଏଜେଣ୍ଟ୍ କାର୍ଯ୍ୟ କରିଥିଲେ। ୧୯୪୩ ମସିହାବେଳକୁ ଲୁଧିଆନାର ଏକ ସିଲ୍କ କମ୍ପାନିର ଶାଢ଼ି, ବ୍ଲାଉଜ୍ ପିସ୍ ବିକ୍ରୟ ଏଜେଣ୍ଟ୍ ଭାବେ ସେ ଜଟଣୀର ବିଭିନ୍ନ ଘର ଘର ବୁଲି ଅର୍ଡର ସଂଗ୍ରହ କରୁଥିଲେ। ସେଇଠାରେ କିଛି ମୁସଲମାନ ଫେରିବାଲାଙ୍କ ସହ ତାଙ୍କର ଆତ୍ମୀୟତା ସୃଷ୍ଟି ହୁଏ। ସାଂପ୍ରଦାୟିକ ମତଭିନ୍ନତା ସତ୍ତ୍ୱେ ବନ୍ଧୁତା ଓ ଉଦାରତାର ଏଇ ଅଭିଜ୍ଞତା ଆମେ ଭେଟୁ ସୁରେନ୍ଦ୍ରଙ୍କର ‘ଦୁଇବନ୍ଧୁ’ ଗଳ୍ପରେ ଯାହା କଲିକତାର ୧୯୪୬ ହିନ୍ଦୁ ମୁସଲମାନ ଦଙ୍ଗା ଉପରେ ଆଧାରିତ। ୧୯୪୫ରେ ଅଫିସ୍ର କର୍ତ୍ତାଙ୍କ ମୁହଁକୁ ଫାଇଲ୍ ଫିଙ୍ଗିଦେଇ ସୁରେନ୍ଦ୍ର ଚାଲିଆସନ୍ତି। ଏଇଠି ସାମ୍ବାଦିକତା ସହ ହୁଏ ତାଙ୍କର ପ୍ରଥମ ସମ୍ପର୍କ। ସୁରେନ୍ଦ୍ର ‘ନିଉ ଓଡ଼ିଶା’ର ସଂପାଦକ ଜେ.ଏନ୍. ଆଚାରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ‘ନିଉ ଓଡ଼ିଶା’ ବନ୍ଦ ହେବାପରେ ସୁରେନ୍ଦ୍ର ମହାନ୍ତି ପହଞ୍ଚନ୍ତି ଆଡ୍ଭୋକେଟ୍ ମଧୁସୂଦନ ମହାନ୍ତିଙ୍କ ‘ଦ ଅବ୍ଜରଭର’ରେ। ମଧୁ ମହାନ୍ତିଙ୍କ ସହ ସୁରେନ୍ଦ୍ରଙ୍କ ପରିଚୟରୁ ତାଙ୍କ ଜୀବନର ଦ୍ୱିତୀୟ ପର୍ବ ଆରମ୍ଭ ହୁଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁରେନ୍ଦ୍ରଙ୍କର କିଛି ଲେଖା ମଧୁବାବୁଙ୍କୁ ଭଲ ଲାଗିଥିବାରୁ ସେ ଡକାଇ ପଠେଇଥାନ୍ତି। କାରଣ ଏଇଠି ତାଙ୍କର ସାକ୍ଷାତ ହୁଏ ଆଡ୍ଭୋକେଟ୍ ମଧୁସୂଦନ ମହାନ୍ତିଙ୍କ କନ୍ୟା ରେଣୁକାଙ୍କ ସହ, ଯିଏ ପାଲଟନ୍ତି ତାଙ୍କର ପ୍ରେମିକା ଏବଂ ପତ୍ନୀ।
ସୁରେନ୍ଦ୍ର ମହାନ୍ତି ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ, କିଛି ପରିମାଣର ଅଧୈର୍ଯ୍ୟ ଅଥଚ ଶୃଙ୍ଖଳିତ। ସେଥିପାଇଁ ସେ କାହାର ଉନ୍ନାସିକତା, ବିଳମ୍ବ ଅଥବା ବିଶୃଙ୍ଖଳାକୁ ବରଦାସ୍ତ କରିପାରୁ ନ ଥିଲେ। ବାହାଘର ବେଳେ ଶ୍ୱଶୁରଘରୁ ଫୁଲରେ ସଜା ହୋଇଥିବା ମୋଟର କାର୍ ଆସି ପହଞ୍ଚିବାରେ ବିଳମ୍ବ ହେଲା। ସୁରେନ୍ଦ୍ର ମହାନ୍ତି ସାଇକେଲ୍ ଚଢ଼ି, ଗଳାରେ ଫୁଲମାନ ଲମ୍ବେଇ ଡଗରପଡ଼ାରୁ ନିମଚଉଡ଼ି ବାହାରିପଡ଼ିଲେ। ଏ ଖବର ନିମଚଉଡ଼ିରେ ପହଞ୍ଚିବା କ୍ଷଣି ଫୁଲ ସଜ୍ଜିତ ମଟରଗାଡ଼ିଟା ଦ୍ରୁତଗତିରେ ଆସି ପହଞ୍ଚିଥିଲା ଏବଂ ସୁରେନ୍ଦ୍ର କିଛି କହିବା ଆଗରୁ ଡ୍ରାଇଭର ତାଙ୍କୁ ଏକରକମ ଭିଡ଼ିନେଇ ଗାଡ଼ିରେ ବସେଇ ନେଇ ଚାଲିଯାଇଥିଲା। ସେମିତି କଟକରୁ ପ୍ରକାଶିତ ଏକ ସାହିତ୍ୟ ପତ୍ରିକାକୁ ଗପ ପରେ ଗପ ପଠେଇ ଚାଲୁଥାଆନ୍ତି, ମାତ୍ର ତାହା ଛପାଯାଉ ନ ଥାଏ। ଦିନେ ଯୁବ କଥାକାର ସୁରେନ୍ଦ୍ର ମହାନ୍ତି ଚୌଧୁରୀ ବଜାରରୁ ଗୋଟେ ଝୁଡ଼ି କିଣିନେଇ ଜେଲ୍ ରେରାଡ୍ରେ ଅବସ୍ଥିତ ସଂପାଦକଙ୍କ ଦପ୍ତରରେ ପହଞ୍ଚିଲେ। ଝୁଡ଼ିହସ୍ତେ ଲେଖକଙ୍କୁ ଦେଖି ସଂପାଦକ ବିସ୍ମିତ। ଅବିଚଳିତ ସୁରେନ୍ଦ୍ର କହିଲେ, ‘ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ରିଜେକ୍ଟ କରୁଥିବା ମୋର ଗଳ୍ପଗୁଡ଼ିକୁ ଏଇ ଝୁଡ଼ିରେ ପକେଇ ଦେଉଥିବେ। ମୁଁ ମଝିରେ ମଝିରେ ଆସି ନେଇଯାଉଥିବି। କାରଣ ସେଗୁଡ଼ିକର ନକଲ ମୋ ପାଖେ ନାହିଁ।’
‘ଜନତା’ର ପ୍ରକାଶନ ଏବଂ ସଂପାଦନା ସୁରେନ୍ଦ୍ର ମହାନ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାଳ। ଏହି ପତ୍ରିକା ପାଇଁ ତାଙ୍କୁ ‘ଡିଫେନ୍ସ ଅଫ୍ ଇଣ୍ଡିଆ ରୁଲ୍’ ଅନୁସାରେ ପ୍ରଥମ କାରାବାସ ବରଣ କରିବାକୁ ପଡ଼ିଥିଲା। ‘ଜନତା’ ବନ୍ଦ ହୋଇଗଲା, ସୁରେନ୍ଦ୍ର ରହିଲେ ଜେଲ୍ଖାନାରେ। ଛତିଶ ଦିନ ପରେ ମଧୁସୂଦନ ମହାନ୍ତି ଓଡ଼ିଶା ହାଇକୋର୍ଟରେ ‘ହେଭିଅସ୍ କର୍ପସ୍ ରିଟ୍’ ଦାଖଲ କରିବା ପରେ ସରକାର ସୁରେନ୍ଦ୍ରଙ୍କୁ ମୁକ୍ତିଦେଲେ। ସେଇ ଜେଲ୍ ଭିତରେ ଥିବାବେଳେ ହିଁ ସତ୍ତାଦ୍ରୋହୀ ସୁରେନ୍ଦ୍ର ପାଲଟିଯାଇଥିଲେ କଂଗ୍ରେସ ବିରୋଧୀ।
ସୁରେନ୍ଦ୍ର ମହାନ୍ତିଙ୍କ ରାଜନୈତିକ ଉପନ୍ୟାସ ‘ଅନ୍ଧ ଦିଗନ୍ତ’ ୧୯୬୪ ମସିହାରେ ଶ୍ରେଷ୍ଠ ଉପନ୍ୟାସ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହେବା କଥା ଘୋଷିତ ହୋଇଥିଲା। ମାତ୍ର ରାଜନୈତିକ କାରଣ ଯୋଗୁଁ ଓଡ଼ିଶା ସାହିତ୍ୟ ଏକାଡେମୀର ତତ୍କାଳୀନ ସଭାପତି ଫନ୍ଦିଫିକର କରି ସୁରେନ୍ଦ୍ରଙ୍କ ସେ ବହି ବିଚାରକୁ ନିଆଯାଇନାହିଁ ବୋଲି ଏକ ପଛୁଆ ନିଷ୍ପତ୍ତି ନେଇ ସୁରେନ୍ଦ୍ରଙ୍କୁ ପୁରସ୍କାରରୁ ବଞ୍ଚିତ କରିଥିଲେ। ଓଡ଼ିଶା ଇତିହାସରେ ଏପ୍ରକାର ଘଟଣା ସମ୍ଭବତଃ ପ୍ରଥମ ଓ ଶେଷ, ଯେତେବେଳେ ଏକାଡେମୀ ଚିଠି ଦେଇ ସାରି ପୁରସ୍କାର ନ ଦେବାକୁ କଚେରିକୁ, ପ୍ରତ୍ୟକ୍ଷରେ ନ ହେଲେ ସୁଦ୍ଧା ପ୍ରଚ୍ଛନ୍ନ ଭାବରେ ଜଣେ କବିଙ୍କ ମାଧ୍ୟମରେ ଯାଇଥିଲା।
ଦୀର୍ଘ ଛତିଶ ଦିନର କାରାବାସ ସୁରେନ୍ଦ୍ର ମହାନ୍ତିଙ୍କୁ ସାରା ଓଡ଼ିଶାରେ ପରିଚିତ କରିଦେଲା। ‘ଜନତା’ ବନ୍ଦ ହୋଇଯିବା ପରେ ଅନ୍ନସଂସ୍ଥାନ ଚିନ୍ତା ବଢ଼ିଚାଲିଲା। ସୁରେନ୍ଦ୍ର ସେତେବେଳେ ସ୍ଥିରକଲେ, ଆଉ ଏ ସାମ୍ବାଦିକତା ନୁହେଁ, ଗୋଟେ କିଛି ଚାକିରି କରିବେ। ଏହା ଆଗରୁ ଘଟିଥିବା ଗୋଟେ ଛୋଟ ଘଟଣାର ବର୍ଣ୍ଣନା ଏଠି ପ୍ରୟୋଜନ ଯାହା ସୁରେନ୍ଦ୍ରବାବୁଙ୍କୁ ବରଂ ବିଚଳିତ କରିଥିଲା।
ଦିନେ ଘରେ କିଛି ନ ଥିଲା। ପତ୍ରିକା ଡେସ୍ପାଚ୍ ପାଇଁ ତିଆରି ମଇଦା ଲେହି ଖାଇ ରାତି କାଟିବାକୁ ପଡ଼ିଥିଲା ସୁରେନ୍ଦ୍ରଙ୍କ ପରିବାରକୁ। ମଇଦା ଅଠାକୁ ଦେଖାଇ ଅସହାୟ ସ୍ୱାମୀ ସେଦିନ ପତ୍ନୀଙ୍କୁ କହିଥିଲେ- ‘”ଇଏ ତ ଚମତ୍କାର ପରିଜ୍। ଟିକେ, କ୍ଷୀର ଓ ଚିନି ମିଶେଇଦେଲେ ତ ଫାଷ୍ଟକ୍ଲାସ୍।’’ ସ୍ୱାମୀଙ୍କର ଏ ପରିହାସ ରେଣୁକାଙ୍କୁ ସେଦିନ ଭଲ ଲାଗି ନ ଥିଲା। ଅସହାୟ ଅଭିମାନରେ ସେ ଉପବାସରେ ଯାଇ ଶୋଇଯାଇଥିଲେ। ସେଇ ରାତିରେ ସୁରେନ୍ଦ୍ର ସ୍ଥିର କରିଥିଲେ- ଚାକିରିଟିଏ କରିବେ।
ମଧୁସୂଦନ ମହାନ୍ତିଙ୍କ ପରେ ସୁରେନ୍ଦ୍ରଙ୍କ ଜୀବନରେ ଦ୍ୱିତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ହେଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ, ଯିଏ ଟାଟା କମ୍ପାନିରେ ଚାକିରି ଆଶାୟୀ, ‘ଇନ୍ଟ୍ରଡକ୍ସନ୍ ଲେଟର’ ପାଇଁ ଜଣେ ‘ଭିକାରି’ (ଏହା ସୁରେନ୍ଦ୍ରଙ୍କ ନିଜ ଭାଷା)କୁ ହଠାତ୍ ଅଭିଷିକ୍ତ କରିଥିଲେ ଜଣେ ‘ନେତା’ରେ। ସେହିଦିନ ସନ୍ଧ୍ୟାରେ ସୁନ୍ଦରଗଡ଼ରେ ଅନୁଷ୍ଠିତ କୋଶଳ-ଉତ୍କଳ ପ୍ରଜା ପରିଷଦର ଶେଷ ଅଧିବେଶନରେ ସୁରେନ୍ଦ୍ର ମହାନ୍ତି ହେଲେ ମୁଖ୍ୟବକ୍ତା। ‘ଜନତା’ ବନ୍ଦ ହେବାର ଆଶଙ୍କା ଦୂର ହେଲା, ମାସକୁ ମାସ ପ୍ରୟୋଜନ ମୁତାବକ ଦେଢ଼ହଜାର ଟଙ୍କାର ପ୍ରତିଶ୍ରୁତି ସହ ଅଗ୍ରୀମ ଗୋଟାଏ ମାସର ଚେକ୍ ଧରେଇ ଦିଆଗଲା ସୁରେନ୍ଦ୍ରଙ୍କୁ।
ଏହା ପରର ଜୀବନ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ନ ଥିଲେ ମଧ୍ୟ ଥିଲା ପ୍ରାୟ ସରଳ ରୈଖିକ, ଯଦିଓ ତା’ ଭିତରେ ନାଟକୀୟ ଉପାଦାନର ଅଭାବ ନାହିଁ- ଯେମିତି ପ୍ରଥମ ନିର୍ବାଚନ ଲଢ଼ିବାବେଳେ ଜାଣି ଜାଣି ବୟସ ବଢ଼େଇ ଦେବା, (୧୯୨୨ ପରିବର୍ତ୍ତେ ୧୯୨୦ ବୋଲି ଉଲ୍ଲେଖ କରିବା) ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ନ ଜଣାଇ ତାଙ୍କ ତକିଆ ତଳ ପର୍ସରୁ ପାଞ୍ଚ ଶହ ଟଙ୍କା ନେଇଯାଇ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ଏବଂ ଅବଶେଷରେ ରାଜ୍ୟସଭାକୁ ନିର୍ବାଚିତ ହେବା ସବୁଗୁଡ଼ିକ ଘଟଣା ନାଟକୀୟ। ଏ ବ୍ୟାପାରରେ ସେ ମିଥ୍ୟା, ଚୋରି ଓ ଛଳନା ଇତ୍ୟାଦିର ପଥ ଆପଣେଇଥିବା ଅକପଟ ଭାବରେ ନିଜ ଜୀବନସ୍ମୃତିରେ ଲେଖିଛନ୍ତି। କାରଣ ତା’ ପୂର୍ବର ଉତ୍ପୀଡ଼କ ଜୀବନ ତାଙ୍କୁ ଏକପ୍ରକାର ଅସହାୟ କରିଦେଇଥିଲା।
ସୁରେନ୍ଦ୍ର ମହାନ୍ତି ୧୯୫୨ରୁ ୧୯୫୬ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ, ୧୯୫୬ରୁ ୬୨ ଓ ୧୯୭୧ରୁ ୧୯୭୭ ପର୍ଯ୍ୟନ୍ତ ଲୋକସଭା ସଭ୍ୟ ଏବଂ ପୁଣି ୧୯୭୯ରୁ ୧୯୮୪ ଯାଏ ରାଜ୍ୟସଭାର ସଭ୍ୟ ଥିଲେ। ସେମିତି ‘ଜନତା’ ପରେ ୧୯୫୫ରୁ ୧୯୬୦ ‘କଳିଙ୍ଗ’ର ସଂପାଦକ ଏବଂ ପରେ ୧୯୮୪ରୁ ୧୯୮୭ ପର୍ଯ୍ୟନ୍ତ ‘ସମ୍ବାଦ’ର ସଂପାଦକ ଦାୟିତ୍ୱ ନିର୍ବାହ କରିଥିଲେ। ତେବେ ନିଜେ ସୁରେନ୍ଦ୍ର ମହାନ୍ତି କହିଯାଇଛନ୍ତି ଯେ, ସେ ନେତା କିମ୍ବା ସମ୍ବାଦପତ୍ର ସଂପାଦକ ନୁହେଁ, ଜଣେ ସାହିତ୍ୟିକ ରୂପେ ହିଁ ପରିଚିତ ରହିବାକୁ ଚାହିବେ। ସୁରେନ୍ଦ୍ର ମହାନ୍ତି ସାହିତ୍ୟକୁ ପ୍ରବେଶ କଲା ବେଳର ସମୟ ଥିଲା ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ କାଳ। ‘ସେତେବେଳେ ଗଗନ ପବନରେ ଥିଲା ସାହିତ୍ୟ। ସେଦିନ ଥିଲା ଜାତୀୟ ସଂଗ୍ରାମର ସ୍ପନ୍ଦନ। ପୁଣି ଜୀବନରେ ମଧ୍ୟ ଏକ ହିଲ୍ଲୋଳ। ସେଦିନ ମଳୟ ବହୁଥିଲା, ସେଥିପାଇଁ ବାଉଁଶଗଛରେ ସୁଦ୍ଧା ପତ୍ର-ପଲ୍ଲବ କଅଁଳୁଥିଲା। ଏଭଳି ଏକ ପରିବେଶରେ ଗଳ୍ପ-ଉପନ୍ୟାସ ହେଲା ତାଙ୍କର ଚାରଣ ଭୂମି। ସେ ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଏବଂ ‘ଅନ୍ଧ ଦିଗନ୍ତ’ ପରି ବହୁ ଉପନ୍ୟାସ ଲେଖିଥିଲେ ସୁଦ୍ଧା ଗଳ୍ପ ହିଁ ତାଙ୍କର ସ୍ୱଚ୍ଛନ୍ଦ ଚାରଣଭୂମି ବୋଲି ନିଜେ ପ୍ରକାଶ କରିଛନ୍ତି। ତାଙ୍କର ପ୍ରସିଦ୍ଧ ଗଳ୍ପ ସଂକଳନ ଗୁଡ଼ିକ ହେଲା- ‘କୃଷ୍ଣଚୂଡ଼ା’, ‘ମହାନଗରୀର ରାତ୍ରି’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ମହାନିର୍ବାଣ’, ‘ମରାଳର ମୃତ୍ୟୁ’, ‘ଦୁଇ ସୀମାନ୍ତ’ ଇତ୍ୟାଦି। ସମୁଦାୟ ଗଳ୍ପ ସଂକଳନ ସଂଖ୍ୟା ତେରଟି। ଉପନ୍ୟାସ ସଂଖ୍ୟା ଏଗାର, ଚରିତୋପନ୍ୟାସ - ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ - ଏପରି ମିଶେଇ ପଚାଶ ଖଣ୍ଡ ଗ୍ରନ୍ଥର ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି। ଏଗୁଡ଼ିକ ମଧ୍ୟରୁ ‘ନୀଳଶୈଳ’, ‘କୁଳବୃଦ୍ଧ’, ‘ଶେଷସ୍ତମ୍ଭ’ ଏବଂ ତାଙ୍କର ଜୀବନସ୍ମୃତି ‘ପଥ ଓ ପୃଥିବୀ’ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ।
୧୯୬୨ ନିର୍ବାଚନରେ ପରାଜୟ ସାହିତ୍ୟିକ ସୁରେନ୍ଦ୍ରଙ୍କୁ ଜୟମାଲ୍ୟ ଦେବାର ଅବକାଶ ତିଆରି କରିଥିଲା। ସେହି ଦଶକର ଶେଷ ଆଡ଼କୁ ‘ନୀଳଶୈଳ’ ସାଙ୍ଗକୁ ‘ଶତାବ୍ଦୀର ସୂର୍ଯ୍ୟ’ ପ୍ରକାଶ ପାଇ ତାଙ୍କୁ ଅସପତ୍ନ ପ୍ରତିଷ୍ଠା ଆଣି ଦେଲା। ତାଙ୍କ ନିଜ ଭାଷାରେ ‘ଗତ ଶତାବ୍ଦୀର ଷଷ୍ଠ ଓ ସପ୍ତମ ଦଶକ’ ଥିଲା ତାଙ୍କ ସାହିତ୍ୟିକ ଜୀବନର ମହତ୍ତମ କାଳ। ନିର୍ବାଚନରେ ପରାସ୍ତ ହୋଇ ନ ଥିଲେ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି କଦାପି ସମ୍ଭବ ହୋଇପାରି ନ ଥାନ୍ତା ବୋଲି ସେ ନିଜେ ଲେଖିଯାଇଛନ୍ତି। ତାଙ୍କର ଅନ୍ୟ ପ୍ରସିଦ୍ଧ କୀର୍ତ୍ତି ହେଲା ‘ଶେଷସ୍ତମ୍ଭ’। ଆଜି ପର୍ଯ୍ୟନ୍ତ ‘ସମ୍ବାଦ’ ଯେ ସାହିତ୍ୟିକ ମହଲରେ ବିଶେଷ ଆଦର ପାଇ ଆସୁଛି ତାହା ପଛରେ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରଥମ ସ୍ପର୍ଶ ଓ ‘ଶେଷସ୍ତମ୍ଭ’ର ଏକ ବଳିଷ୍ଠ ଭୂମିକା ଅଛି। ତାଙ୍କର ପରଲୋକ ୧୯୯୦ ଡିସେମ୍ବର ୨୧ ତାରିଖରେ ହୋଇଥିଲା, ଏହାର ଠିକ୍ ପୂର୍ବ ସପ୍ତାହରେ, ଅର୍ଥାତ୍ ୧୫ ଡିସେମ୍ବର ୧୯୯୦ ସାହିତ୍ୟ ପୃଷ୍ଠାରେ ତାଙ୍କର ଅନ୍ତିମ ଶେଷସ୍ତମ୍ଭ ‘ଲାଇଟ୍ ହାଉସ୍’ରେ ‘ଶାଳଭଂଜିକା’ ପ୍ରକାଶ ପାଇଥିଲା।
କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ? ପ୍ରଥମ କଥା ହେଲା ତାଙ୍କର କାନଭାସ ବିସ୍ତୃତ। ସେ ଇତିହାସରୁ ବିଷୟ ସଂଗ୍ରହ କରିଛନ୍ତି, ବୌଦ୍ଧଯୁଗୀୟ କଥା ନେଇ ଲେଖିଛନ୍ତି, ଜଗନ୍ନାଥକୁ ନେଇ ଲେଖିଛନ୍ତି, ବର୍ତ୍ତମାନର ସାମାଜିକ-ରାଜନୈତିକ ସମସ୍ୟାକୁ ନେଇ ଲେଖିଛନ୍ତି ଓ ‘ଖ୍ରୀ.ଅ. ୨୦୬୧’ ପରି ଭବିଷ୍ୟତର କଥା ନେଇ ଗଳ୍ପ ଲେଖିଛନ୍ତି। ଏ କ୍ଷେତ୍ରରେ ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ଓଡ଼ିଆ ସାହିତ୍ୟରେ ନାହାନ୍ତି। ଦ୍ୱିତୀୟ କଥା ହେଲା ତାଙ୍କର ଅଦ୍ଭୁତ ଶବ୍ଦ ବସାଣ। ତୃତୀୟ କଥା ହେଲା ଜୀବନ ପ୍ରତି ଅନାସକ୍ତ ଦୃଷ୍ଟିଭଙ୍ଗୀ। ତାଙ୍କ ଚରିତ୍ରମାନେ ନୀତି-ନୈତିକତାର ବାହ୍ୟ ଆଡ଼ମ୍ବର ନେଇ ଆଦୌ ସ୍ପର୍ଶକାତର ନୁହନ୍ତି।
ଜନତା-ଗଣତନ୍ତ୍ର-କଳିଙ୍ଗ ଅଭିଜ୍ଞତା ଦେଇ ସେ ‘ସମ୍ବାଦ’ର ସଂପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ‘ସମ୍ବାଦ’ ପାଇଁ ସେ ତିନି ପ୍ରକାର ଲେଖା ଲେଖୁଥିଲେ- ସଂପାଦକୀୟ ତ ଲେଖୁଥିଲେ, ତାହାଛଡ଼ା ସଂପାଦକୀୟ ପୃଷ୍ଠା ପାଇଁ ‘ଅନ୍ୟ ଦୃଷ୍ଟିରେ’ ଶିରୋନାମାରେ ପ୍ରବନ୍ଧ, ସାହିତ୍ୟ ପୃଷ୍ଠା ପାଇଁ ‘ଶେଷସ୍ତମ୍ଭ’ ଏବଂ ନରିଆ ଦାସ ଛଦ୍ମ ନାମରେ ସାପ୍ତାହିକ ରାଜନୈତିକ ବ୍ୟଙ୍ଗ ‘ନରୋତ୍ତମ ଚକଡ଼ା’। ଏଇ ଲେଖାଗୁଡ଼ିକ ସେ ନିଜ ହାତରେ ଲେଖୁ ନ ଥିଲେ, ଶ୍ରୁତଲିଖନ ଦେଉଥିଲେ। ଦିନେ ଦିନେ ଦୁଇ ଘଣ୍ଟା ଭିତରେ ଭିନ୍ନ ଭିନ୍ନ ଶୈଳୀର ଓ ଭାବର ତିନିଟି ଲେଖା ଲେଖିବାକୁ ପଡୁଥିଲା। ଅଥଚ ସାପୁଆ କେଳା ପେଡ଼ିର ସାପ ପରି ଶବ୍ଦ ଓ ଶୈଳୀ ତାଙ୍କର ଏପରି ବୋଲ ମାନିଥିଲା ଯେ, ସେ ଅନାୟାସରେ, ମଝିରେ ବିଡ଼ି ଖଣ୍ଡେ ଖଣ୍ଡେ ଟାଣି, ଅର୍ଦ୍ଧନିମୀଳିତ ଆଖିରେ ଶ୍ରୁତଲିଖନ ଦେଇ ଚାଲୁଥିଲେ। କୌଣସି ଜାଗାରେ ଅଟକୁ ନ ଥିଲେ। ଅଦ୍ଭୁତ ତାଙ୍କର ଶବ୍ଦ-ସାମର୍ଥ୍ୟ।
ଆଡଭୋକେଟ୍ ମଧୁସୂଦନ ମହାନ୍ତି, ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପରେ ଆଉ ଜଣେ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ। ସିଏ ହେଲେ ସୌମ୍ୟରଂଜନ ପଟ୍ଟନାୟକ। ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନର ବହୁ ଘଟଣା ଏହି ଲେଖକ ନିଜେ ପ୍ରତ୍ୟକ୍ଷ କରିଛି। ଉଦାହରଣ ସ୍ୱରୂପ ସୁରେନ୍ଦ୍ର ବାବୁଙ୍କ ଜନ୍ମଦିନରେ ତାଙ୍କୁ ଭେଟିବାକୁ ଅନେକ ବ୍ୟକ୍ତି କିଏ କଲମ, କିଏ ଭାଗବତ, କିଏ ଜଗନ୍ନାଥଙ୍କ ଫଟୋ ଇତ୍ୟାଦି ନେଇ ଯାଆନ୍ତି। କିନ୍ତୁ ସୌମ୍ୟରଂଜନ ପଟ୍ଟନାୟକ ବିରାଟ ଲାଲ ଗୋଲାପର ଗୋଟାଏ ତୋଡ଼ା ସାଙ୍ଗକୁ ସୁରେନ୍ଦ୍ର ବାବୁଙ୍କ ମନପସନ୍ଦର ବଡ଼ ସ୍କଚ୍ ବୋତଲ ନେଇ ଭେଟନ୍ତି। ଏସବୁ ଦେଖି ଉଲ୍ଲସିତ ସୁରେନ୍ଦ୍ର ବାବୁ ଥରେ କହିଥିଲେ, ‘ଆସ, ସୌମ୍ୟବାବୁ, ଏମାନେ ଭାଗବତ, ଗଙ୍ଗାପାଣି, ଜଗନ୍ନାଥ ଫଟୋ ଦେଇ ମୋ ଜନ୍ମଦିନରେ ମୋତେ ମଶାଣିକୁ ପଠେଇବାର ପରିବେଶ ତିଆରି କରି ସାରିଥିଲେ। ତୁମେ ଅନ୍ତତଃ ମୋତେ ଏଥିରୁ ନିଷ୍କୃତି ଦେଲ।’ ଏଇ ଗୋଟିଏ କଥା ନୁହେଁ, ତାଙ୍କର ‘ପଥ ଓ ପୃଥିବୀ’ ପାଣ୍ଡୁଲିପିକୁ ସୌମ୍ୟରଂଜନ ବାବୁ କେମିତି ନେଇ ଆସିଲେ ସେ ସଂପର୍କରେ ସେ ନିଜେ ଲେଖିଛନ୍ତି, ‘ଇଷ୍ଟର୍ଣ୍ଣ ମିଡିଆର ମ୍ୟାନେଜିଂ ଡାଇରେକ୍ଟର ସୌମ୍ୟରଂଜନ ପଟ୍ଟନାୟକ ହଠାତ୍ ଦିନେ ଅଦିନ ଝଡ଼ ପରି ମୋ ପାଖକୁ ଆସି ପାଣ୍ଡୁଲିପିଟିକୁ ଏକପ୍ରକାର ଉଡ଼େଇ ନେଇଗଲେ କହିଲେ ଅତ୍ୟୁକ୍ତି ହେବନାହିଁ।’
‘କଳିଙ୍ଗ’ର ସଂପାଦକ ଥିବାବେଳେ ତାଙ୍କର ଜଣେ ସହକର୍ମୀ ଥରେ ଦୁଃଖ କରି ତାଙ୍କୁ କହିଥିଲେ, ‘ଆପଣଙ୍କ ଲେଖାସବୁ ପଢ଼ି ମୋର ମନେ ହେଉଥିଲା, ଆପଣଙ୍କଠୁଁ ବଳି ମୋଲାୟମ ରସିକ ପ୍ରକୃତିର ଲୋକ ବିରଳ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଦେଖୁଛି, ଆପଣ ସଂପୂର୍ଣ୍ଣ ବିପରୀତ।’ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଉତ୍ତର ଦେଇଥିଲେ, ‘ତୁମେ କ’ଣ ଭାବୁଛ, ଲେଖକମାନେ ଗୋଟିଏ ଗୋଟିଏ ରସଗୋଲା? ସବୁବେଳେ ମିଠା ଆଉ ମୁଲାୟମ?’
ସୁରେନ୍ଦ୍ର ମହାନ୍ତିଙ୍କୁ ନେଇ ଏହିପରି ଶହେ ସ୍ମୃତି। ସେସବୁ ଆଖି ସାମ୍ନାରେ ନାଚିଯାଉଛି। ଓଡ଼ିଆ ସାହିତ୍ୟ ଆଉ ଜଣେ ସୁରେନ୍ଦ୍ର ମହାନ୍ତି ପାଇବ ନାହିଁ, ଏକଥା ଭାବିବାବେଳେ ଅପ୍ରାପ୍ତିର ଗୋଟେ ଅଦ୍ଭୁତ ଅନୁଭବ ଅସହାୟ କରିଦିଏ। ମାତ୍ର ଯେଉଁ ପ୍ରକାର ଶଁବାଳୁଆର ପରିଚୟରୁ ଆସି ସେ ଭାରତୀୟ ସାହିତ୍ୟ ଉଦ୍ୟାନରେ ଚିତ୍ରିତ ପ୍ରଜାପତିର ସ୍ୱାକ୍ଷର ରଖିଯାଇଛନ୍ତି ତାହା ଚିନ୍ତା କଲାବେଳେ, ମନ ସାହସ ଓ ଆତ୍ମବିଶ୍ୱାସରେ ଭରିଯାଏ। ସେ ଯଥାର୍ଥରେ ଥିଲେ ଓଡ଼ିଆ କଥା ସାହିତ୍ୟର ବିସ୍ମୟ ବିଶ୍ୱକର୍ମା।
ମୋ: ୯୧୭୮୪୬୭୦୦୮