ପୂର୍ଣ୍ଣେନ୍ଦୁ କର
ଆମ ଜୀବନରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭାବେ ତ ଜୋତା ଓ ଚପଲର ଚାହିଦା ଅଛି, ଫେସନ ଅଭିବ୍ୟକ୍ତି ଭାବେ ଜୋତା ବା ଚପଲ ମଧ୍ୟ ବେଶ ପୋଷାକର ଏକ ଅଂଶ ଭାବେ ବିପୁଳ ଲୋକପ୍ରିୟ। ସୁତରାଂ, ତାହାର ଉତ୍ପାଦନ ଓ ବ୍ୟବସାୟକୁ ନେଇ ଆମ ରାଜ୍ୟର ସ୍ଥିତି ଏବଂ ଅନ୍ୟ ରାଜ୍ୟମାନେ ଏଥିରେ କେତେ ଅଗ୍ରଣୀ ତାହା ଏକ ଆଲୋଚନା ଲାଗି ସଂଦର୍ଭ ସୃଷ୍ଟି କରିଥାଏ। ପୁଣି ଉତ୍କଳଗୌରବ ମଧୁସୂସନ ଦାସଙ୍କ ଦ୍ବାରା ସ୍ଥାପିତ ‘ଉତ୍କଳ ଟାନେରି’ ସ୍ବାଧୀନତା ପୂର୍ବବର୍ତ୍ତୀ ଭାରତରେ ସ୍ବଦେଶୀ ଉଦ୍ୟୋଗର ଏକ ଧ୍ରୁବତାରାସୁଲଭ ଦୃଷ୍ଟାନ୍ତ ହୋଇଥିବାରୁ ଆମ ରାଜ୍ୟକୁ ଘେନି ଏଭଳି ଆଲୋଚନା ଅଧିକ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଜୋତା କିମ୍ବା ଚପଲ ବ୍ୟବସାୟକୁ ଦୁଇ ଭାଗରେ ବିଭକ୍ତ କରାଯିବ; ପ୍ରଥମଟି ହେଲା ଆମ ଦେଶର ବିଭିନ୍ନ ରାଜ୍ୟରେ ତିଆରି ଓ ବିକ୍ରି ହେଉଥିବା ଜୋତା ବା ଚପଲ ଏବଂ ଦ୍ବିତୀୟଟି ହେଲା ଆମ ଦେଶରେ ମିଳୁଥିବା ବିଦେଶୀ କମ୍ପାନିର ଜୋତା ବା ଚପଲ। ଆମ ଦେଶୀ ବ୍ରାଣ୍ଡ ଭିତରେ କିଛି ଅଗ୍ରଗଣ୍ୟ ହେଲେ ବାଟା, ଖାଦିମ୍ସ, ଶ୍ରୀଲେଦର୍ସ, ଭିକେସି ଇତ୍ୟାଦି ଏବଂ ବିଦେଶୀ ବ୍ରାଣ୍ଡଗୁଡ଼ିକ ଭିତରେ ପ୍ରମୁଖ ହେଉଛନ୍ତି ନାଇକି, ପୁମା, ସୋଲମୋନ, କନଭର୍ସ, ରିବୋକ, କ୍ରକ୍ସ ଇତ୍ୟାଦି। ତେବେ, ସମସ୍ତେ ନାମକରା ବ୍ରାଣ୍ଡ୍ର ଚପଲ ବା ଜୋତା ପିନ୍ଧୁ ନ ଥିବାରୁ ଆଞ୍ଚଳିକ ଭାବେ ତିଆରି ଜୋତା ବା ଚପଲର ମଧ୍ୟ ଏକ ବିଶାଳ ବଜାର ରହିଛି, କିନ୍ତୁ ସେ ଉଦ୍ୟୋଗର ସ୍ଥିତି ସୁବ୍ୟବସ୍ଥିତ ନୁହେଁ।
ପ୍ରଥେମ ବିଦେଶୀ ବ୍ରାଣ୍ଡ୍ର ବ୍ୟବସାୟ ଉପରେ ଆଲୋଚନା କରିବା, ଯାହାର ଦୁଇଟି ସ୍ତର ରହିଛି। ପ୍ରଥମ ସ୍ତରରେ ଥାଆନ୍ତି ନାମକରା ବିଦେଶୀ ବ୍ରାଣ୍ଡଗୁଡ଼ିକ ନିଜେ ପ୍ରସ୍ତୁତ କରୁଥିବା ଜୋତା ବା ଚଫଲ, ଯେଉଁ କଂପାନିଗୁଡ଼ିକ ମୂଳତଃ ଆମେରିକା, ଜର୍ମାନୀ, ଜାପାନ ଓ ସ୍ୱିଜରଲ୍ୟାଣ୍ଡରେ ଅବସ୍ଥିତ ଏବଂ ସେମାନଙ୍କ ନାଁରେ ଜୋତା ବିକ୍ରି ହୁଏ। କିନ୍ତୁ ଏଭଳି ଜୋତା ବା ଚପଲ କମ୍ପାନି ଅଧିକାଂଶ ଜୋତା ବା ଚପଲ ନିଜେ ଉତ୍ପାଦନ ନ କରି ସେ ଦାୟିତ୍ବ ଅନ୍ୟ କମ୍ପାନିଗୁଡ଼ିକୁ ଦେଇ ଦିଅନ୍ତି। ବଡ଼ ବ୍ରାଣ୍ଡ୍ଗୁଡ଼ିକ ଲାଗି ଜୋତା ତିଆରି କରୁଥିବା କମ୍ପାନିଗୁଡ଼ିକୁ ‘ଆଉଟସୋର୍ସଡ୍ ଫୁଟ୍ଉୟର ମ୍ୟାନୁଫାକ୍ଚରର୍’ ବୋଲି କୁହାଯାଏ। ଏମାନେ ଦୀର୍ଘକାଳୀନ ଚୁକ୍ତି ଭିତ୍ତିରେ ନାମୀ କଂପାନିଗୁଡ଼ିକ ଲାଗି ଜୋତା ତିଆରି କରିଥାଆନ୍ତି। ଏହା ହେଉଛି ଦ୍ବିତୀୟ ସ୍ତର। ଏଭଳି ‘ଆଉଟସୋର୍ସିଂ’ରୁ ଲାଭବାନ ହେଉଥିବା କମ୍ପାନିଗୁଡ଼ିକ ଭିତରୁ ପାଖାପାଖି ୯୦% ଭିଏତନାମ, ତାଇୱାନ ଓ ଚୀନରେ ଅବସ୍ଥିତ। ତେଣୁ ବିଶ୍ୱ ବଜାରରେ ବହୁଳ ଭାବେ ବିକ୍ରି ହେଉଥିବା ଆମେରିକୀ ବା ୟୁରୋପୀୟ ବ୍ରାଣ୍ଡ୍ର ଜୋତା ବା ଚପଲ ପ୍ରକୃତରେ ତିଆରି ହେଉଛି ଏସିଆ ମହାଦେଶର ଉପରୋକ୍ତ କିଛି ଦେଶରେ। ଏହି ପରିପ୍ରେକ୍ଷୀରେ ଯାହା ଧ୍ୟାନ ଆକର୍ଷଣକାରୀ, ତାହା ହେଲା ତାଇୱାନ ଓ ଭିଏତନାମରେ କଞ୍ଚାମାଲ ଓ ଶ୍ରମିକ ମଜୁରିରେ ବୃଦ୍ଧି ହୋଇଥିବା ହେତୁ ଅନେକ ବିଦେଶୀ ବ୍ରାଣ୍ଡ ଗଲା ଦଶ ବର୍ଷ ହେଲାଣି ସେମାନଙ୍କ ଦ୍ରବ୍ୟ ଉତ୍ପାଦନ ଲାଗି ଭାରତମୁହାଁ ହୋଇଛନ୍ତି। ଫଳରେ ଏହି ବ୍ରାଣ୍ଡେଡ୍ କମ୍ପାନିଗୁଡ଼ିକୁ ଭାରତ ତିଆରି ଜୋତା ରପ୍ତାନିରେ ବୃଦ୍ଧି ଘଟିଛି।
ପୂର୍ବେ ଆମ ଦେଶରେ ଜୋତା କିମ୍ବା ଚପଲ ତିଆରି କଥା ଉଠିଲେ ଉତ୍ତରପ୍ରଦେଶର ଆଗ୍ରା ଓ କାନପୁର କଥା ଶୁଣାଯାଉଥିଲା। କିନ୍ତୁ ବିଗତ ଦୁଇ ଦଶନ୍ଧି ହେବ ଦକ୍ଷିଣ ଭାରତର ତାମିଲନାଡୁସ୍ଥ ଅମ୍ବୁର ଓ ରାଣୀପେଟ, ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା ଜୋତା ଓ ଚପଲ ତିଆରିରେ ଅଗ୍ରଣୀ ହୋଇଗଲେଣି। ଏହି ସବୁ ସ୍ଥାନରେ ଉଭୟ ଦେଶୀ ଓ ବିଦେଶୀ ବ୍ରାଣ୍ଡ୍ର ଜୋତା ତିଆରି କରାଯାଉଛି। ତାମିଲନାଡୁର ଅମ୍ବୁର ଓ ଚେନ୍ନାଇ ଅଞ୍ଚଳରେ ପ୍ରାୟ ୨୨୫ଟି ଜୋତା କିମ୍ବା ଚପଲ ତିଆରି କାରଖାନା ରହିଛି। ଦେଶର ସମୁଦାୟ ଜୋତା ଚାହିଦାର ୩୦% ପୂରଣ କରିଥାଏ କେବଳ ତାମିଲନାଡୁର ଏଇ ଅଞ୍ଚଳ। ଦେଶର ଜୋତା କିମ୍ବା ଚପଲ ରପ୍ତାନିର ୪୮% କେବଳ ଚେନ୍ନାଇ ବନ୍ଦରରୁ ହିଁ ହୋଇଥାଏ। ସେମିତି ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାରେ ବନ୍ଦର ପାଖରେ ୨୦ରୁ ଅଧିକ ଚପଲ ଓ ଜୋତା ତିଆରି କାରଖାନାମାନ ରହିଛି। କିନ୍ତୁ ଆମ ରାଜ୍ୟରେ ଚପଲ ଓ ଜୋତା ତିଆରି କାରଖାନା ଆଦୌ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ; ଅତି ବେଶୀରେ ଆମ ରାଜ୍ୟରେ ମାତ୍ର ୮ରୁ ୧୦ଟି ଛୋଟ କମ୍ପାନି ଅଛନ୍ତି। ତେଣୁ ଆମ ରାଜ୍ୟ ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଆାମ ରାଜ୍ୟରେ ମିଳୁଥିବା ଚମଡ଼ା ଜୋତା କିମ୍ବା ଚପଲ କାନପୁର କିମ୍ବା ଆଗ୍ରାରୁ ଆସୁଛି, ଫେସନ ଲାଗି ପିନ୍ଧା ଯାଉଥିବା ଜୋତା କିମ୍ବା ଚପଲ ଆସୁଛି ଚେନ୍ନାଇ ଓ ଆନ୍ଧ୍ରରୁ ଏବଂ କମ୍ ଦାମ୍ର ଚପଲ କିମ୍ବା ଜୋତା ଆସୁଛି ଦିଲ୍ଲୀ ଓ ହରିୟାଣାରୁ। କହିବାର ମର୍ମ ହେଲା ସଂପ୍ରତି ସୃଷ୍ଟି ହୋଇଥିବା ସୁଯୋଗର ଲାଭ ଉଠାଇ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ଆୟ ଓ ନିଯୁକ୍ତି ବୃଦ୍ଧିରେ ସଫଳ ହୋଇଥିଲା ବେଳେ ଆମ ରାଜ୍ୟ ଲାଭ ଉଠାଇ ପାରିନାହିଁ।
ତାମିଲନାଡୁ ଏ ଦିଗରେ କିଭଳି ଅଗ୍ରଗତି କରିଛି, ତାହା ଦେଖିବା। ଏହି ଆଲୋଚନାରେ କେବଳ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜୋତା କିମ୍ବା ଚପଲକୁ ଅନୁଶୀଳନ ଲାଗି ନିଆଯାଉ। ସଂପ୍ରତି ବଜାରରେ ଏକ ପ୍ରକାରର ଚପଲର ଚାହିଦା ବହୁତ, ଯାହାକୁ ‘କ୍ଲଗ୍ସ’ ଚପଲ ବୋଲି କୁହାଯାଉଛି। ବିଶ୍ୱ ବଜାରରେ ଏହି ପ୍ରକାରର ଚପଲର ବ୍ୟାବସାୟିକ ମୂଲ୍ୟ ୭୫ ହଜାର କୋଟି ଡଲାର ହେଲାଣି। ଏହାର ବିକ୍ରି ବିଗତ ତିନି ବର୍ଷ ଭିତରେ ୭% ହାରରେ ବୃଦ୍ଧି ପାଉଛି ଏବଂ ଆଗାମୀ ପାଞ୍ଚ ବର୍ଷରେ ଏହି ବୃଦ୍ଧି ହାର ୧୨%ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ୨୦୩୦ ମସିହା ସୁଦ୍ଧା ‘କ୍ଲଗ୍ସ’ଜାତୀୟ ଚପଲର ବଜାର ଆକାର ୧.୧୮ ଲକ୍ଷ କୋଟି ଡଲାରରେ ପହଞ୍ଚିବାର ବୋଲି ଅନୁମାନ କରାଯାଉଛି। ବିଶ୍ୱ ଚପଲ ବଜାରରେ ଏଭଳି ବ୍ୟବସାୟର ସୁଯୋଗକୁ ଉପଲବ୍ଧି କରିପାରିଥିବା ପ୍ରଥମ ରାଜ୍ୟ ହେଉଛି ତାମିଲନାଡୁ। ଗଲା ଦଶନ୍ଧିରେ ତାମିଲନାଡୁ ସରକାର ତାଇୱାନ ଓ ଭିଏତନାମରୁ ଚପଲ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରି ଉଦ୍ୟୋଗ ବସାଇବା ପାଇଁ ଅନେକ ସୁବିଧା ଯୋଗାଇ ଦେଇଛନ୍ତି। ଫଳତଃ, କାଞ୍ଚିପୁରମ, ତିଣ୍ଡିୱାଣମ ଓ ଭେଲୋର ଭଳି ଅଞ୍ଚଳରେ କୋଡ଼ିଏରୁ ଅଧିକ ବଡ଼ ତାଇୱାନୀ ଓ ଭିଏତନାମୀ କମ୍ପାନି ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହି ସବୁ ଉଦ୍ୟୋଗ ରପ୍ତାନିଭିତ୍ତିକ ଏବଂ ପ୍ରତ୍ୟେକ ଉଦ୍ୟୋଗରେ ପ୍ରାୟ ତିନିରୁ ଚାରି ହଜାର ଆଞ୍ଚଳିକ ଲୋକ ନିଯୁକ୍ତି ପାଇଛନ୍ତି।
ବର୍ଷକୁ ଏକ କୋଟି କ୍ଲଗ୍ସ ଚପଲ ଯୋଡ଼ା ତିଆରି କରିବାକୁ ହେଲେ ପ୍ରଥମେ ଦରକାର ପ୍ରାୟ ୧୦୦ ଏକର ପରିମିତ ଜମି। ତାମିଲନାଡୁ ସରକାର ଏଭଳି କମ୍ପାନିଙ୍କୁ ଜମି କୋଡ଼ିଏ ବର୍ଷିଆ ଲିଜ୍ରେ ଦେଇଛନ୍ତି। ଏଭଳି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ହୁଏ ପ୍ରାୟ ୪୦୦ କୋଟି ଟଙ୍କା, ଯହିଁରେ ଜୋତା ବା ଚପଲ ତିଆରି ମେସିନ ଅନ୍ତର୍ଭୁକ୍ତ। ବର୍ଷକୁ କୋଟିଏ ଯୋଡ଼ା ଚପଲ ତିଆରି କରୁଥିବା କାରଖାନାରେ ମୋଟାମୋଟି ୩୨୦୦ ଜଣ ଲୋକ ନିଯୁକ୍ତି ପାଅନ୍ତି, ଯହିଁରୁ ୨୨୦୦ ଜଣ ଅଣକୁଶଳୀ, ପ୍ରାୟ ୯୫୦ ଜଣ ଅର୍ଦ୍ଧକୁଶଳୀ ଏବଂ ମାତ୍ର ପ୍ରାୟ ୫୦ ଜଣ କୁଶଳୀ ବା ଦକ୍ଷ ମାନବ ସମ୍ବଳ ଭାବେ ଗଣା। ଜଣେ ଅଣକୁଶଳୀ କର୍ମଚାରୀ ସକାଶେ ଦରମା ମାସିକ ୨୦ ହଜାର ହୋଇଥିଲା ବେଳେ ଅର୍ଦ୍ଧ ଓ ପୂର୍ଣ୍ଣ ଦକ୍ଷ ମାନବ ସମ୍ବଳ ଲାଗି ଦରମା ବ୍ୟକ୍ତି ପିଛା ମାସିକ ୩୦ ହଜାରରୁ ନେଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ସୁତରାଂ, ବେକାରି ଦୂରୀକରଣ ଦିଗରେ ଏଭଳି ଉଦ୍ୟୋଗର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ। ଏଭଳି ଚପଲ ତିଆରି ଲାଗି ଆବଶ୍ୟକ କଞ୍ଚାମାଲ ଯଥା ରେଜିନ୍ସ ଓ କିଛି ନିର୍ଦ୍ଦିଷ୍ଟ ରାସାୟନିକ ଦ୍ରବ୍ୟର କିଲୋ ପିଛା ଦର ହେଉଛି ଯଥାକ୍ରମେ ୧୮୦ ଟଙ୍କା ଓ ୩୬୦ ଟଙ୍କା। ଏହି ଆଧାରରେ ହିସାବରୁ ଜଣାପଡ଼େ ଯେ ଗୋଟେ ଯୋଡ଼ା ଏଭଳି ଚପଲର ତିଆରି ମୂଲ୍ୟ ହେଉଛି ମାତ୍ର ୩୨୦ ଟଙ୍କା। କିନ୍ତୁ ତାହାର ବିକ୍ରୟ ଦର ଯାହା, ସେଥିରେ ୪୦% ଲାଭ ମିଳିଥାଏ। ଏଭଳି ଏକ କାରଖାନା ଆରମ୍ଭ ହୋଇ ଉତ୍ପାଦନକ୍ଷମ ହେବା ସ୍ତରକୁ ଆସିବା ଲାଗି ସମୁଦାୟ ୧୫ରୁ ୧୮ ମାସ ଆବଶ୍ୟକ। ଆମ ରାଜ୍ୟରେ ଏଭଳି ଉଦ୍ୟୋଗ ଲାଗି ଜମି ଓ ପ୍ରମୁଖ ମାନବ ସମ୍ବଳ ଭାବେ ଅଣକୁଶଳୀ ଶ୍ରମିକଙ୍କ ଉପଲବ୍ଧତାରେ ଅଭାବ ନ ଥିବାରୁ ଏଭଳି କାରଖାନା ଲାଗି ଅସୁବିଧାର କୌଣସି କାରଣ ନାହିଁ। ଦ୍ବିତୀୟ କଥା ହେଲା ବିଦେଶୀ କଂପାନି ଲାଗି ଦ୍ରବ୍ୟ ତିଆରି କରିବାକୁ ଚୁକ୍ତିବଦ୍ଧ ହେଲେ ସେଥି ଲାଗି ଆବଶ୍ୟକ ସେହି କଂପାନିଗୁଡ଼ିକ ଦ୍ବାରା ଅନୁମୋଦିତ ଉନ୍ନତ ଗୁଣମାନର କଞ୍ଚା ମାଲ ବିଦେଶରୁ ଆମଦାନି କରାଯାଇଥାଏ। ତେଣୁ କଞ୍ଚା ମାଲ ଲାଗି ମଧ୍ୟ କିଛି ଅସୁବିଧା ନାହିଁ। ତେଣୁ ଏ ସୁଯୋଗକୁ ହାତେଇ ନେବାରେ ଆମ ରାଜ୍ୟ ଲାଗି ଅସୁବିଧା କେଉଁଠି?
ସ୍ବଦେଶୀ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ମଧୁବାବୁ ୧୯୦୫ ମସିହାରେ ଉତ୍କଳ ଟାନେରି ଗଢ଼ିଥିଲେ। ରାଜ୍ୟ ପାଇଁ ଆବଶ୍ୟକ ଜୋତା ଇଂଲାଣ୍ଡରୁ କିଣା ନ ଯାଉ ବୋଲି ମଧୁବାବୁ ଅଣ୍ଟା ଭିଡ଼ିଥିଲେ। ପରିଣାମରେ ମଧୁବାବୁଙ୍କୁ ଏଥିପାଇଁ ବହୁତ କଷ୍ଟ ଉଠାଇବାକୁ ପଡ଼ିଥିଲା। ଏବେ ଅନ୍ତତଃ ତା’ର ସ୍ମୃତି ଚାରଣ କରି ରାଜ୍ୟ ସରକାର ଓ ରାଜ୍ୟର ପୁଞ୍ଜିପତିମାନେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ରାଜ୍ୟ ଦକ୍ଷତା ବିକାଶ ବିଭାଗ ଏ ଦିଗରେ ଧ୍ୟାନ ଦେବା ଦରକାର। ଏଭଳି ଟ୍ରେନିଂ ସେଣ୍ଟର ଜରିଆରେ କୁଶଳୀ ଶ୍ରମ ବଳ ସୃଷ୍ଟି କରାଗଲେ ସେମାନେ ଅଧିକ ପାରିଶ୍ରମିକରେ ନିଯୁକ୍ତିର ସୁଯୋଗ ଆମ ରାଜ୍ୟ ଅଥବା ବାହାର ରାଜ୍ୟରେ ପାଆନ୍ତେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮