ଦେହରେ ଗୈରିକ ବସନ, ମୁହଁରେ ‘ଅଲେଖ ନିରଞ୍ଜନ’ ହାତରେ ତାଳ ବରଡ଼ାର ଛତା- ଏମନ୍ତ ବେଶଭୂଷାରେ ଖାଲି ପାଦରେ ଧୂଳି ଧୂସରିତ ଗ୍ରାମପଥ ଡେଇଁ କତିପୟ ସନ୍ନ୍ୟାସୀ ଗୋଧୂଳିର ମହଳ ଆଲୋକରେ ହଜିଯାଉଥିବା ଦୃଶ୍ୟ ଅସାଧାରଣ ନୁହେଁ ଓଡ଼ିଶାରେ। କିଏ ଏହି ସନ୍ନ୍ୟାସୀମାନେ? କାହିଁକି ତାଙ୍କର ଏପରି ଗ୍ରାମାନ୍ତର ଗମନ? କିଏବା ନ ଜାଣେ ଏମାନେ ମହିମା ସନ୍ନ୍ୟାସୀ ବୋଲି! ଗୋଟିଏ ଘରୁ ମାତ୍ର ଥରଟିଏ ଭୋଜନ ଗ୍ରହଣ କରନ୍ତି ଏମାନେ, ପୁଣି ଗୋଟିଏ ଗ୍ରାମରେ ଦିନଟିଏ ରହନ୍ତି ଯାହା। ମାଟିର ମୋହ ଲାଗିଯିବାର ଆଶଙ୍କା ଥାଏ କି ଏହି ସନ୍ନ୍ୟାସୀମାନଙ୍କର? ହଁ, ଏଥିପାଇଁ ବୋଧେ ମୁହଁସଞ୍ଜବେଳେ ମୁହଁ ଫେରାଇନିଅନ୍ତି ଏମାନେ ଚିହ୍ନା ଦିଗ୍ବଳୟରୁ। ଏମାନେ ବୈରାଗୀ, ଅଘରୀ। ନାହିଁ ଘରଦ୍ୱାର, ଦୌଲତ କି ଔରତ। ପଦ୍ମପତ୍ରରେ ଜୀବନ।
ଏହି ବିଶୁଦ୍ଧ ଆଚାର ପଛରେ ରହିଛି ଏକ ମହତ ବିଚାର। ଏ ବିଚାର ମହିମା ଧର୍ମର ଜୀବନ-ସଂହିତା। ମହିମା କ’ଣ, କ’ଣ ତା’ର ବିଚାର? ମହିମାର ଅର୍ଥ ଗୌରବ। କାହାର ଗୌରବ? ବ୍ରହ୍ମପୁରୁଷଙ୍କ ଗୌରବ। କିଏ ସେହି ବ୍ରହ୍ମପୁରୁଷ? ସେ ଅଲେଖ, ସେ ନିରଞ୍ଜନ। ମହିମା ଧର୍ମର ଦର୍ଶନ ଅନୁସାରେ ବ୍ରହ୍ମ ଏକ, ଦ୍ୱିତୀୟ ନାସ୍ତି। ଅର୍ଥାତ୍ ମହିମା ଧର୍ମାବଲମ୍ବୀମାନେ ଏକେଶ୍ୱରବାଦୀ। ବ୍ରହ୍ମଙ୍କର ଏକ ଓ ଅଭିନ୍ନ ବିବେଚନାକୁ ଭାରତୀୟ ଦର୍ଶନରେ ଅଦ୍ୱୈତବାଦ ବୋଲି କହାଯାଏ। ଆଦି ଶଙ୍କରାଚାର୍ଯ୍ୟ ଏହି ଦର୍ଶନର ଆଦି ପ୍ରବର୍ତ୍ତକ। ତାଙ୍କ ପରେ ରାମାନୁଜାଚାର୍ଯ୍ୟ ମଧ୍ୟ ଥିଲେ ଏହି ପନ୍ଥାର ଅନୁଗାମୀ। ତେବେ ଶଙ୍କରଙ୍କ ଅଦ୍ୱୈତବାଦ ‘ନିର୍ବିଶେଷ ଅଦ୍ୱୈତବାଦ’ ଭାବରେ ପ୍ରସିଦ୍ଧ ତ ରାମାନୁଜଙ୍କ ଅଦ୍ୱୈତବାଦ ସୁପ୍ରସିଦ୍ଧ ‘ବିଶିଷ୍ଟ ଅଦ୍ୱୈତବାଦ’ ଭାବରେ। ମହିମା ଗୋସାଇଁଙ୍କ ଅଦ୍ୱୈତବାଦ ‘ବିଶୁଦ୍ଧ ଅଦ୍ୱୈତବାଦ’ ନାମରେ ବିଖ୍ୟାତ। ଶଙ୍କରଙ୍କ ଦୃଷ୍ଟିରେ ଜଗତ ‘ମାୟା’ କିନ୍ତୁ ମହିମା ବିଚାରରେ ଜଗତ ବ୍ରହ୍ମଙ୍କ ‘ମହିମା’। ମହିମା ଶବ୍ଦ ଯେପରି କାବ୍ୟିକ, ମହିମା ଦର୍ଶନ ସେହିପରି ସକାରାତ୍ମକ।
ପୁନଶ୍ଚ ମହିମା ଦର୍ଶନରେ ବ୍ରହ୍ମପୁରୁଷ କେବଳ ଏକ ଓ ଅଭିନ୍ନ ନୁହନ୍ତି, ସେ ମଧ୍ୟ ଶୂନ୍ୟପୁରୁଷ। ସେହି ଶୂନ୍ୟପୁରୁଷଙ୍କର ରହିଛି ଅନେକ ନାମ ଯେମିତି ନିରାକାର, ନିରଞ୍ଜନ, ଅଲେଖ, ଅରୂପ ଓ ଅନାଦି। ଶୂନ୍ୟପୁରୁଷ କେଉଁଠାରେ ନ ଥାଆନ୍ତି, ତେଣୁ ସବୁଠାରେ ଥାଆନ୍ତି। ସନ୍ଥକବି ଭୀମଭୋଇଙ୍କ ରଚନାରେ ଶୂନ୍ୟପୁରୁଷଙ୍କ ପୌରୁଷ ଏହିପରି: “ଅରୂପ ବ୍ରହ୍ମ ସେ ରୂପବର୍ଣ୍ଣ ନାହିଁ ନ ଦିଶଇ ବର୍ଣ୍ଣକାନ୍ତି, ଅକଳ ସାଗର ବ୍ରହ୍ମ ଅଟେ ସେହି ମହିମା ତା’ ଅଣଶ୍ରୁତି।” ଏହି ଅରୂପ-ଅଲେଖ ପୁଣି ସର୍ବବିଦ୍ୟମାନ: “ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ ଅନୁସରି, ସକଳ ଘଟରେ ପୂରି ସମାନରେ ନୋହେ ସାନବଡ଼ କରି।” ବ୍ରହ୍ମ ନିରାକାର ହୋଇଥିବାରୁ ତାଙ୍କୁ ସ୍ଥୂଳ ରୂପରେ ଉପାସନାର ବିଧି ମହିମା ମାର୍ଗରେ ଗ୍ରହଣୀୟ ନୁହେଁ। ସେ ସକଳଘଟରେ ସମାନ ଭାବରେ ପୂରି ରହିଥିବାରୁ ସମାଜରେ ଜାତିଧର୍ମର ଭେଦ ଏହି ବିଚାରର ପରିପନ୍ଥୀ। ମହିମା ଧର୍ମ ମାନବ ସମାଜରେ ସମାନତାର କଥା କେବଳ କହେ ନାହିଁ, କହେ ମଧ୍ୟ ଜୀବ ଓ ନିର୍ଜୀବ ମଧ୍ୟରେ ଭେଦ ନାହିଁ ବୋଲି। ନରପଶୁପକ୍ଷୀ କୀଟତରୁଲତା- ସବୁଠି ବିରାଜିତ ଶୂନ୍ୟବ୍ରହ୍ମ। ସୁତରାଂ ପ୍ରକୃତି ଅନୁକୂଳ ଜୀବନଶୈଳୀ ଏହି ମାର୍ଗର ମହତ୍ତ୍ୱ ପ୍ରତିପାଦନ କରେ। ପ୍ରକୃତିର ସୁରକ୍ଷା ମାଧ୍ୟମରେ ଜୀବନରକ୍ଷାର ମନ୍ତ୍ର ଉଚ୍ଚାରିତ ହେଉଥିବା ସମୟରେ କେଡ଼େ ପ୍ରାସଙ୍ଗିକ ମନେ ନ ହୁଏ ସତେ ମହିମା ଗୋସାଇଁଙ୍କ ବାଣୀ!
ସତ୍ୟ, ସାମ୍ୟ, ମୈତ୍ରୀ, କରୁଣା, ଅହିଂସା ଓ ଅପରିଗ୍ରହ ଆଦି ସଦ୍ଗୁଣ ଉପରେ ପର୍ଯ୍ୟବସିତ ମହିମା ପନ୍ଥା। ଅର୍ଥାତ୍ ଚରାଚର ହିତ ମହିମା ମାର୍ଗର ମାହାତ୍ମ୍ୟ। ମହିମା ମାର୍ଗର ଏହି ଗୂଢ଼ତା ଭୀମଭୋଇଙ୍କ କବିତାରେ ସ୍ପଷ୍ଟ: “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।” ନିଜକୁ ନର୍କଗାମୀ କରି ଜଗତ ଉଦ୍ଧାରର ପରିକଳ୍ପନା ବିଶ୍ୱ ସାହିତ୍ୟରେ ବିରଳ, ଅନନ୍ୟ ପୃଥିବୀର ଯେ କୌଣସି ବାଦ ଓ ସଂବାଦରେ। ପର ଦୁଃଖରେ ଦୁଃଖୀ ହେବାକୁ ବୈଷ୍ଣବଭାବ ବୋଲି ବିଚାର କରାଯାଏ। ସେଥିପାଇଁ ତ ଗୁଜରାଟୀ ସନ୍ଥକବି ନରସିଂହ ମେହେଟ୍ଟାଙ୍କ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ ଯେ ପୀଡ଼ ପରାଇ ଜାଣେ ରେ” ଥିଲା ଗାନ୍ଧୀଜୀଙ୍କ ଜୀବନାଦର୍ଶ। ନରସିଂହ ମେହେଟ୍ଟା ଓ ଭୀମଭୋଇଙ୍କ ଦୃଷ୍ଟିଭଙ୍ଗୀରେ କି ଅପୂର୍ବ ସାମଞ୍ଜସ୍ୟ! ଭୀମଭୋଇଙ୍କ ଅମର ସଙ୍ଗୀତ “ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ପରା ବାଧେ” ହିଁ ବୈଷ୍ଣବଭାବ, ପ୍ରକାରାନ୍ତରରେ ମହିମାଭାବ। ବାହ୍ୟ ଦୃଷ୍ଟିରୁ ନ ହେଲେ ବି ଅନ୍ତଃକରଣରେ ଉଭୟ ତତ୍ତ୍ୱର ସାରକଥା ଅବିଚ୍ଛେଦ୍ୟ ମନେ ହୁଏ।
ମହିମା ମାର୍ଗକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପଣ୍ଡିତମାନେ। କେତେକଙ୍କ ମତରେ ମହିମା ଧର୍ମରେ ଜୈନଧର୍ମର ସାରାଂଶ ନିହିତ। ଅହିଂସା ଆଚରଣ ଓ ରାତ୍ରୀକାଳୀନ ଭୋଜନ ବାରଣ ହେତୁ ମହିମାଧର୍ମ ଜୈନଧର୍ମର ନିକଟବର୍ତ୍ତୀ ବୋଲି ସେମାନଙ୍କ ମତ। ଅନ୍ୟ କେତେକଙ୍କ ମତରେ ବୌଦ୍ଧ ଶୂନ୍ୟତତ୍ତ୍ୱ ବା ‘ଥିଓରି ଅଫ୍ ଭଏଡ୍’ ମହିମା ଧର୍ମର ଆଧାର। ଆଉ କେତେକଙ୍କ ଦୃଷ୍ଟିରେ ମହିମା ଧର୍ମ ସହିତ ବୌଦ୍ଧ ମହାଯାନ, ସହଜଯାନ ଓ ତନ୍ତ୍ରଯାନର ସମ୍ପର୍କ ନିବିଡ଼। ତେବେ ତୁଳନାତ୍ମକ ଧର୍ମ ଅଧ୍ୟୟନର ଜଣେ ଜଣେ ବିଦେଶୀ ଗବେଷକ ଡକ୍ଟର ଏ.ଏଚ୍. ମାନ୍ଙ୍କ ମତରେ ମହିମା ବାହ୍ୟ ପ୍ରଭାବମୁକ୍ତ ଏକ ଦେଶୀୟ ଧର୍ମ। ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ବର୍ଣ୍ଣିତ ଶୂନ୍ୟ ତତ୍ତ୍ୱ ଏହି ଧର୍ମ ପାଇଁ ପ୍ରେରଣାର ଉତ୍ସ ହୋଇଥିବା ଯୁକ୍ତିଯୁକ୍ତ। ଆଦିକବି ସାରଳା ଦାସ ‘ମହାଭାରତ’ର ଆଦିପର୍ବରେ ‘ପୁରୁଷ ଅଣାକାର’ ଓ ‘ଶୂନ୍ୟପୁରୁଷ’ ଆଦି ଶବ୍ଦ ପ୍ରୟୋଗ କରିଥିବାବେଳେ କୃପାସିଦ୍ଧା ବଳରାମ ଦାସଙ୍କ ‘ବ୍ରହ୍ମାଣ୍ଡ ଭୂଗୋଳ’ରେ ‘ଶୂନ୍ୟପୁରୁଷ ଶୂନ୍ୟଦେହୀ’ ବର୍ଣ୍ଣନା ଦେଖିବାକୁ ମିଳେ। ଓଡ଼ିଆ ଭାଗବତ୍କାର ଅତିବଡ଼ୀ ଜଗନ୍ନାଥ ଦାସ, ‘ଶୂନ୍ୟ ସଂହିତା’ର ମହାବିନ୍ଧାଣୀ ସନ୍ଥ ବଳରାମ ଦାସ ଓ ଭକ୍ତକବି ଦୀନକୃଷ୍ଣ ଦାସଙ୍କ କାବ୍ୟକବିତାରେ ଶୂନ୍ୟଜ୍ୟୋତିଃ, ଅନାମ ଓ ଅଣାକାର ଆଦିର ଉଲ୍ଲେଖ ରହିଛି। ସୁତରାଂ ମହିମା ଧର୍ମକୁ ଉତ୍କଳୀୟ ଶୂନ୍ୟ ଦର୍ଶନର ପରିବର୍ଦ୍ଧିତ, ପ୍ରାଞ୍ଜଳ ଓ ପ୍ରାୟୋଗିକ ରୂପ ବୋଲି କହାଯାଇପାରେ।
ଆଜି ମଧ୍ୟ, ପୂର୍ବ-ଭାରତର ଏକ ବିପୁଳାଂଶ ଓଡ଼ିଶାର ମହତୀ ମାଟି ସମ୍ଭୂତ ଏହି ମହାନ ଧର୍ମର ଧ୍ୱଜାଧାରୀ। ମୌଳିକତା ଓ ମାନବିକତା ହେତୁ ଏହା ଏକ ନିତ୍ୟ ପ୍ରବାହର ରୂପ ନେଇଛି। ଏହାକୁ ‘ସତ୍ୟ ସନାତନ ମହିମା ଧର୍ମ’ ଆଖ୍ୟା ଦିଆଯିବା ଯଥାର୍ଥ ମନେ ହୁଏ।
ମୋ: ୯୪୩୭୧୪ ୩୮୯୬
ବହୁବଚନ: ମହିମା ମାହାତ୍ମ୍ୟ
ବିଜୟ ନାୟକ
/sambad/media/post_attachments/wp-content/uploads/2024/08/mahima.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)