ସାଧାରଣତଃ ମହୁଲ ଫୁଲର ବ୍ୟବହାର ମଦ ତିଆରି ପାଇଁ ହୋଇଥାଏ। ମହୁଲ ଫୁଲର ସବୁଠାରୁ ବଡ଼ କ୍ରେତା ହେଉଛନ୍ତି ଭାଟି ମାଲିକ ଏବଂ ଚୋରା ମଦ ବେପାର କରୁଥିବା ମାଫିଆ ଗୋଷ୍ଠୀ। ନିକଟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦେଶୀ ମଦଭାଟିରୁ ବ୍ୟାପକ ମାତ୍ରାରେ ଜବତ କରାଯାଇଥିବା ଟଙ୍କା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଥିରୁ ଆଉ ଯାହା ଜଣା ପଡୁ ବା ନ ପଡୁ ମଦ ଭାବେ ମହୁଲୀର ଲୋକପ୍ରିୟତା କେତେ ଅଧିକ ହୋଇପାରେ, ତା’ର ଏକ ଧାରଣା ମିଳିଥିଲା।
ଓଡ଼ିଶାରେ ପ୍ରାୟ ୫୫୧ଟି ମଦଭାଟିକୁ ଲାଇସେନ୍ସ ଦିଆଯାଇଛି। ପ୍ରତି ଭାଟିରେ ଦୈନିକ ହାରାହାରି ୧ ଲକ୍ଷ ୭୨ ହଜାର ୬୧୨ ଏଲ୍ପିଏଲ୍ ମଦ ଉତ୍ପାଦନ ହୋଇଥାଏ। ଦୈନିକ ୬.୮୦ ଲକ୍ଷ ଲିଟର ମଦ କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ବିକ୍ରି ହୋଇଥାଏ। ସରକାରୀ ତଥ୍ୟ ହିସାବରେ ୨୦୨୨-୨୩ରେ ଓଡ଼ିଶାରେ ୬୪୪ ଲକ୍ଷ ଏଲ୍ପିଏଲ୍ ଲିଟର ମଦ ବିକ୍ରି ହୋଇଛି। ଗୋଟିଏ କ୍ବିଣ୍ଟାଲ୍ ମହୁଲ ଫୁଲ ଡିଷ୍ଟିଲେସନ୍ କଲେ ସେଥିରୁ ପାଖାପାଖି ୨୦୦ ଲିଟର ମଦ ତିଆରି ହୁଏ। ମଦ ଲିଟର ପିଛା ୧୫୦ ଟଙ୍କା ହିସାବରେ ୨୦୦ ଲିଟରକୁ ୩୦,୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ମାତ୍ର ରାଜ୍ୟ ସରକାର ୧ କ୍ବିଣ୍ଟାଲ୍ ମହୁଲ ଫୁଲ ଡିଷ୍ଟିଲେସନ୍ ପାଇଁ ଭାଟି ମାଲିକ ପାଖରୁ ୟୁଟିଲାଇଜେସନ୍ ଫି’ ଆକାରରେ ପାଇଥାନ୍ତି ମାତ୍ର ୧୪୫୦ ଟଙ୍କା। ପରିବହନ, ରକ୍ଷଣାବେକ୍ଷଣ ଏବଂ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ଯଦି ଆହୁରି ଏକ ହଜାର ଟଙ୍କା ଯୋଡ଼ାଯାଏ ତା’ ହେଲେ ଖର୍ଚ୍ଚ ପ୍ରାୟ ୨୫୦୦ ଟଙ୍କା ହେଲା ବେଳେ ଭାଟି ମାଲିକମାନେ ଲାଭ ପାଇଥାନ୍ତି କ୍ବିଣ୍ଟାଲ୍ ପିଛା ପ୍ରାୟ ୨୭,୫୦୦ ଟଙ୍କା।
ପଶ୍ଚିମ ଓଡ଼ିଶାରେ ପ୍ରଚୁର ମହୁଲ ଫୁଲ ଅମଳ ହୋଇଥାଏ। ଧାନ ଅମଳ ପରେ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କ ପାଇଁ ମହୁଲ ଫୁଲ ସଂଗ୍ରହ ଏକ ଅର୍ଥକରୀ କାମ। ଗୋଟିଏ ମହୁଲ ଗଛରୁ ପ୍ରାୟ ୧.୫ରୁ ୨ କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ମହୁଲ ଫୁଲ ସଂଗୃହୀତ ହୋଇଥାଏ। ମାତ୍ର ମହୁଲ ଫୁଲ ପାଇଁ କୌଣସି ମଣ୍ଡିର ବ୍ୟବସ୍ଥା କିମ୍ବା ସର୍ବନିମ୍ନ ମୂଲ୍ୟ ନଥିବାରୁ ସଂଗ୍ରହକାରୀମାନେ ସବୁବେଳେ ବେପାରୀମାନଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥାନ୍ତି। ମହୁଲ ଫୁଲର ଦର ପ୍ରାୟତଃ ସ୍ଥାନୀୟ ବେପାରୀମାନେ ନିର୍ଦ୍ଧାରଣ କରିଥାନ୍ତି। ଏହାର ମୂଲ୍ୟ ପ୍ରତିବର୍ଷ ଭିନ୍ନ ଭିନ୍ନ ହୋଇଥାଏ। ପୁନଶ୍ଚ ଅବକାରୀ ନିୟମ ଏବଂ ଜଙ୍ଗଲ ବିଭାଗ ନିୟମ ଅନୁସାରେ ଜଣେ ଚାଷୀ ୩ ରୁ ୫ କ୍ବିଣ୍ଟାଲ୍ ମଧ୍ୟରେ ମହୁଲ ଫୁଲ ମହଜୁଦ ରଖିପାରିବ। ଏହାର ନିର୍ଦ୍ଧାରିତ ସରକାରୀ ମୂଲ୍ୟ ନଥିବା କାରଣରୁ ମହୁଲ ଫୁଲ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବେପାରୀ କହୁଥିବା ଦରରେ ବିକ୍ରି କରିଦିଅନ୍ତି।
ସରକାରୀ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ କ୍ବିଣ୍ଟାଲ୍ ମହୁଲ ଫୁଲ ସଂଗୃହୀତ ହୋଇଥାଏ ଏବଂ ସେଥି ମଧ୍ୟରୁ ବରଗଡ଼ ଜିଲ୍ଲା ଅଣସେଚିତ ଅଞ୍ଚଳରେ ସବୁଠାରୁ ଅଧିକ ସଂଗ୍ରହ ହୋଇଥାଏ। ଏଥି ମଧ୍ୟରୁ ପାଖାପାଖି ୮୦% ମଦ ତିଆରି ପାଇଁ ବ୍ୟବହୃତ ହୋଇଥାଏ। କେନ୍ଦୁପତ୍ର ଭଳି ମହୁଲ ଫୁଲ ମଧ୍ୟ ଏକ ଲାଭଜନକ ଲଘୁ ବନଜାତ ଦ୍ରବ୍ୟ। ସରକାର କେନ୍ଦୁପତ୍ରକୁ କ୍ରୟ କରି ସରକାରୀ ଗୋଦାମରେ ମହଜୁଦ ରଖି, ବିକ୍ରି କରି ମୋଟା ରାଜସ୍ୱ ଆଦାୟ କରୁଛନ୍ତି। ମାତ୍ର ମହୁଲ ଫୁଲ, ଯାହାକି ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ଲାଭଦାୟକ ଦ୍ରବ୍ୟ, ତା’ ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି କି ସରକାରୀ ସ୍ତରରେ କ୍ରୟ ପାଇଁ କୌଣସି ନୀତି ନିର୍ଦ୍ଧାରଣ କରୁନାହାନ୍ତି।
ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼େ ଯେ ମହୁଲ ଫୁଲରେ ୬୮% ଶର୍କରା ମହଜୁଦ ଅଛି। ତାହା ସହିତ ଏଥିରେ ପୁଷ୍ଟିସାର, ମ୍ୟାଗ୍ନେସିଅମ ଭଳି ପୋଷକ ତତ୍ତ୍ବ ମଧ୍ୟ ରହିଛି। ଶର୍କରାରୁ ଇଥାନଲ୍ ଭଳି ଜୈବ ଇନ୍ଧନ ପ୍ରସ୍ତୁତ ହୋଇଥାଏ ଏବଂ ବର୍ତ୍ତମାନ ଏହାର ଚାହିଦା ବହୁ ପରିମାଣରେ ବଢ଼ିଯାଇଛି। ତେଣୁ ମହୁଲ ଫୁଲ ଏବଂ ନଡ଼ାରୁ ସହଜରେ ଜୈବ ଇନ୍ଧନ ପ୍ରସ୍ତୁତ ହୋଇପାରିବ। ଏହା କମ୍ ମୂଲ୍ୟରେ ସହଜ ଭାବରେ ପ୍ରସ୍ତୁତ ହେଉଥିବା ଯୋଗୁଁ ମାନବ ସମାଜ ପାଇଁ ବେଶ୍ ଲାଭଦାୟକ ହେବ। ପୁନଶ୍ଚ ପଦ୍ମପୁର ଉପଖଣ୍ଡ ଭଳି ଏକ ଶିଳ୍ପବିହୀନ ପଛୁଆ ଅଞ୍ଚଳରେ ମହୁଲ ଫୁଲ ଓ ନଡ଼ାରୁ ଜୈବ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଏକ କାରଖାନା ସ୍ଥାପନ କରାଗଲେ ଏହା ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ସହିତ ରୋଜଗାର ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ଦାଦନ ସମସ୍ୟାକୁ କିଛିଟା ଲାଘବ କରିପାରିବ। ଜୈବ ଇନ୍ଧନ କାରଖାନା ସ୍ଥାପନ ଦ୍ବାରା ଏହି ଅଞ୍ଚଳରେ ସଂଗୃହୀତ ହେଉଥିବା ମହୁଲ ଫୁଲର ଉଚିତ ମୂଲ୍ୟ ଚାଷୀଙ୍କୁ ମିଳିବା ସହିତ ଏଥିପାଇଁ ବଜାର ଓ ବିକ୍ରି ବ୍ୟବସ୍ଥା ନିୟନ୍ତ୍ରିତ ହୋଇପାରିବ ଯାହାଦ୍ୱାରା ଚାଷୀ କୁଳର ଆର୍ଥିକ ଅଭିବୃଦ୍ଧି ଘଟିବ ଓ ବେପାରୀମାନଙ୍କ ଶୋଷଣର ଶିକାର ହେବାକୁ ପଡ଼ିବ ନାହିଁ। ପରୋକ୍ଷରେ ମଦ ତିଆରି କମ୍ ହେବା ସହିତ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ପାଇବ।
‘ଚରକ ସଂହିତା’ରେ ମହୁଲ ଫୁଲର ଅନେକ ଔଷଧୀୟ ଗୁଣ ଥିବା ଉଲ୍ଲେଖ ଅଛି। ମହୁଲ ଫୁଲରେ ପୁଷ୍ଟିସାର, କ୍ୟାଲ୍ସିଅମ, ଲୌହ, ମ୍ୟାଗ୍ନେସିଅମ ପ୍ରଭୃତି ପୋଷକ ତତ୍ତ୍ୱ ମହଜୁଦ ରହିଛି। ମହୁଲ ଫୁଲର ପ୍ରକ୍ରିୟାକରଣ କରି ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ପୂର୍ବକ ତା’ର ବିକ୍ରୟ କରାଗଲେ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥାମାନ ସ୍ଥାପନ ହୋଇ ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ରୋଜଗାର ମିଳିପାରିବ ଏବଂ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସରକାର ‘ମିଲେଟ୍ ମିସନ’ ଅନୁରୂପ ‘ମହୁଲ ମିସନ’ ଆରମ୍ଭ କରି ଅନେକ ଲୋକଙ୍କୁ ରୋଜଗାରକ୍ଷମ କରିବା ସହିତ ମୁଖ୍ୟତଃ ମହିଳାଙ୍କର ଆର୍ଥିକ ସଶକ୍ତୀକରଣ କରିପାରିବେ।
ମୋ: ୯୪୩୭୨୫୪୮୭୪
‘ମହୁଲ ମିସନ’ ପାଇଁ କିଛି ଯୁକ୍ତି
ଅଜିତ୍ କୁମାର ଶତପଥୀ
/sambad/media/post_attachments/wp-content/uploads/2024/02/dgjgdjgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)