ମନ ପରିଭାଷା: ଅର୍ଥନୀତି‌ରେ ମନସ୍ତତ୍ତ୍ବ

ଫକୀର ମୋହନ ସାହୁ

କିଛି ସପ୍ତାହ ତଳେ ବ୍ୟବହାରଧର୍ମୀ ଅର୍ଥଶାସ୍ତ୍ରର ଜନକ ଡାନିଏଲ୍ କାନେମ୍ୟାନ୍‌ଙ୍କ ଦେହାନ୍ତ ହୋଇଗଲା। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୯୦ ବର୍ଷ ବୟସ। ଏହା ଏକ ବିସ୍ମୟର କଥା ଯେ କାନେମ୍ୟାନ୍ ତାଙ୍କ ଜୀବନରେ ଶ୍ରେଣୀଗୃହରେ ବସି ଅର୍ଥଶାସ୍ତ୍ର ଅଧ୍ୟୟନ କରି ନ ଥିଲେ, ଅଥଚ ୨୦୦୨ ମସିହାରେ ସେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। ସେ ମନସ୍ତତ୍ତ୍ବର ନିୟମକୁ ଅର୍ଥଶାସ୍ତ୍ର ସହିତ ସୁନ୍ଦର ଭାବରେ ଖଞ୍ଜିଦେଇ ବ୍ୟବହାରଧର୍ମୀ ଅର୍ଥନୀତିରେ ମୂଳଦୁଆ ପକାଇଲେ, ଯାହା ଫଳରେ ସେ ବ୍ୟବହାରଧର୍ମୀ ଅର୍ଥନୀତିର ଜନକ ଭାବେ ପ୍ରସିଦ୍ଧ ହୋଇଛନ୍ତି।

ଏହା ଏକ ବଦ୍ଧମୂଳ ଧାରଣା ଯେ ଅର୍ଥନୀତିଜ୍ଞମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଲାଗି ମୁଖ୍ୟତଃ ଯୁକ୍ତି ବା ତର୍କ ସମ୍ମତ ବିଚାରକୁ ଉପଜୀବ୍ୟ କରନ୍ତି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବରେ ଲୋକେ ନିଷ୍ପତ୍ତି ନିଅନ୍ତି, ଉପସଂହାରରେ ପହଞ୍ଚନ୍ତି। ମାତ୍ର, କାନେମ୍ୟାନ୍ ମନସ୍ତାତ୍ତ୍ୱିକ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଦର୍ଶାଇଲେ ଯେ ବ୍ୟବସାୟ କ୍ଷେତ୍ରରେ ବହୁ ନିଷ୍ପତ୍ତିକୁ ମନର ଅଭ୍ୟନ୍ତରରେ ଜମାଟ ବାନ୍ଧି ରହିଥିବା ବଦ୍ଧମୂଳ ଧାରଣା ପ୍ରଭାବିତ କରନ୍ତି। ତାଙ୍କ ଦ୍ବାରା ରଚିତ ଏକ କାଳଜୟୀ ପୁସ୍ତକର ନାମ ହେଉଛି, ‘କ୍ଷିପ୍ର ଚିନ୍ତନ ଓ ମନ୍ଥର ଚିନ୍ତନ’। ସେଥିରେ ଏହି ଦୁଇ ପ୍ରକାର ଚିନ୍ତନ ଉପରେ ଅନୁଧ୍ୟାନ କରିଛନ୍ତି। ତାଙ୍କ ମତରେ କ୍ଷିପ୍ର ଚିନ୍ତନ ବହୁ ମାତ୍ରାରେ ଅବଚେତନ ଦ୍ବାରା ପ୍ରଭାବିତ ହୋଇଥାଏ। ଉଦାହରଣ ସ୍ବରୂପ ଦାନ୍ତ ଘଷିବା ବେଳେ କିମ୍ବା ପାହାଚରେ ଓହ୍ଲାଇବା ବେଳେ ଆମେ ସଚେତ ମନର ବ୍ୟବହାର କରି ନ ଥାଉ ଏବଂ ତାହା ସ୍ୱତଃସ୍ଫୂର୍ତ୍ତ ଭାବରେ ବେଶ୍‌ ସାବଲୀଳ ଭାବେ ହୋଇଯାଏ। କାନେମ୍ୟାନ୍‌ଙ୍କ ମତରେ ଅର୍ଥ କାରବାର କ୍ଷେତ୍ରରେ ଅ‌େନକ କାର୍ଯ୍ୟ ସେହିଭଳି ଘଟିଥାଏ। ଅନେକ ଅତୀତ ଘଟଣା ଆମ ଅବଚେତନରେ ରହି ଆମକୁ ସହଜିଆ ରାସ୍ତା ଆଡ଼କୁ ଇଙ୍ଗିତ କରିଥାଏ। କାେନମ୍ୟାନ୍ ଅନୁଧ୍ୟାନ କଲେ ଯେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଲାଭ କଲେ, ଯେଉଁ ପରିମାଣର ଖୁସି ‌େହଉଛି, ସମାନ ପରିମାଣର ଅର୍ଥ ହରାଇଲେ ତା’ଠାରୁ ଅଧିକ ଦୁଃଖୀ ହେଉଛି। ଏହି ଭାବାବେଗ ଅନେକ ବ୍ୟାବସାୟିକ ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ। କାନେମ୍ୟାନ୍‌ଙ୍କ ଅନୁଶୀଳନର ଅନନ୍ୟତା ହେଉଛି ମାନବୀୟ ଚିନ୍ତନରେ ଅନ୍ତଃବୋଧର ପ୍ରାଧାନ୍ୟ। ପାରମ୍ପରିକ ଅର୍ଥନୀତିରେ ବିଶ୍ୱାସ କରାଯାଏ ଯେ ମନୁଷ୍ୟ ବୁଦ୍ଧିଗାମୀ ହୋଇଥିବାରୁ ତାହାର ନିଷ୍ପତ୍ତିମାନ ତର୍କ ଆଶ୍ରୟୀ, ଏପରିକି ଗାଣିତିକ ରୀତିରେ ହୋଇଥାଏ। ମାତ୍ର କାନେମ୍ୟାନ୍‌ ଦର୍ଶାଇଲେ ଯେ ଉଭୟ ତର୍କ-ପ୍ରବଣତା ଓ ଭାବ-ପ୍ରବଣତା ହେଉଛି ମନୁଷ୍ୟର ସହଜାତ ଗୁଣ। ତେଣୁ କେବଳ ଗାଣିତିକ ପ୍ରୟୋଗ ଦ୍ବାରା ନିଷ୍ପତ୍ତି ନିଆଯିବା ବା ସିଦ୍ଧାନ୍ତର ପୂର୍ବାନୁମାନ କରିବା ସମ୍ଭବ ନୁହେଁ ଏବଂ ତାହା ତ୍ରୁଟି ମୁକ୍ତ ମଧ୍ୟ ହେବ ନାହିଁ। ତେଣୁ ସିଦ୍ଧାନ୍ତ ଗ୍ରହଣ କ୍ଷେତ୍ରରେ ଭାବାବେଗ ମଧ୍ୟ ସ୍ଥାନ ପା‌ଏ।

କାନେମ୍ୟାନ୍‌ ତାଙ୍କର ମନସ୍ତାତ୍ତ୍ୱିକ ଗବେଷଣା ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ଅର୍ଥଶାସ୍ତ୍ରରେ ମନସ୍ତତ୍ତ୍ବର ପ୍ରୟୋଗ ସଂଦର୍ଭଟି ମନୋବିଜ୍ଞାନର ସୁଖାନୁଭୂତିର ଗବେଷଣା ସହିତ ସଂଶ୍ଳିଷ୍ଟ। କାନେମ୍ୟାନ୍ ଦର୍ଶାଇଛନ୍ତି ଯେ ସୁଖାନୁଭୂତିର ଅନ୍ୱେଷଣ କରୁଥିବା ମଣିଷକୁ ପ୍ରତି ‘ସମ୍ବଳ ମୁହୂର୍ତ୍ତ’ ପ୍ରତି ସଜାଗ ରହିବାକୁ ହେବ। କାନେମ୍ୟାନ୍‌ଙ୍କ ପରିଭାଷା ଅନୁସାରେ ପ୍ରତି ତିନି ସେକେଣ୍ଡର ଭାବନା ହେଉଛି ଗୋଟିଏ ‘ସମ୍ବଳ ମୁହୂର୍ତ୍ତ’। ତାଙ୍କ ବିଚାରରେ ମନୁଷ୍ୟ ଦିନର ୨୪ ଘଣ୍ଟା ମଧ୍ୟରୁ ନିଦ୍ରା ଓ ବିଶ୍ରାମରେ କାଟୁଥିବା ୮ ଘଣ୍ଟାକୁ ବାଦ୍‌ ଦେଲେ ୧୬ ଘଣ୍ଟା ସମୟ ଭୌତିକ ସ୍ତରରେ ଖୋଲା ରହିଥାଏ। ଏହି ସମୟ ମଧ୍ୟରେ ମନୁଷ୍ୟର ଚିନ୍ତା ରାଜ୍ୟକୁ ୬୦,୦୦୦ ସେକେଣ୍ଡର ଭାବନା ପ୍ରବେଶ କରୁଥିବାରୁ ସେ ୨୦,୦୦୦ ସମ୍ବଳ ମୁହୂର୍ତ୍ତ ପାଇଥାଏ। ପ୍ରତି ‘ସମ୍ବଳ ମୁହୂର୍ତ୍ତ’ରେ ସମ୍ଭାବନା ଠୁଳ ହୋଇଥାଏ। ଏହାର ଯଥାର୍ଥ ଉପଯୋଗ ହିଁ ନିରନ୍ତର ସୁଖାନୁଭୂତିର ମୂଳମନ୍ତ୍ର। ଏହି ସୁଖାନୁଭୂତି ପ୍ରତି ଆଗ୍ରହ ଯେ କୌଣସି ଦେଶର ବ୍ୟବସାୟ ଓ ଅର୍ଥନୀତିକୁ ଗତି ପ୍ରଦାନ କରିଥାଏ।
ମୋ: ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର