ବର୍ଷା ଦିନ ଆସିଲେ ଅଧିକାଂଶ ଲୋକଙ୍କ ଠାରେ ଆଣ୍ଠୁଗଣ୍ଠି ଦରଜ ହେବା ଦେଖାଯାଏ। ବିଶେଷଜ୍ଞଙ୍କ କହିବା କଥା, ପାଣିପାଗରେ ହଠାତ୍ ପରିବର୍ତ୍ତନ ହେଲେ ବା ପ୍ରବଳ ବର୍ଷା ହେଲେ ବାୟୁମଣ୍ଡଳୀୟ ଚାପରେ ଉଲ୍ଲେଖନୀୟ ହ୍ରାସ ଘଟିଥାଏ। ଆମ ଶରୀର ଏହି ପରିବର୍ତ୍ତନ ସହ ଖାପ ଖାଇବା ଲାଗି ପ୍ରୟାସ କରେ, ଯେଉଁ କାରଣରୁ କୋମଳ ତନ୍ତୁଗୁଡ଼ିକ ଫୁଲିଯାଏ। ଫଳରେ ଗଣ୍ଠିମାନଙ୍କରେ ରହିଥିବା ତରଳ ପଦାର୍ଥ ସମ୍ପ୍ରସାରିତ ହୋଇ ଯନ୍ତ୍ରଣା ହୁଏ।
ପ୍ରତିକାର ସ୍ବରୂପ, ପାଣିପାଗରେ ହଠାତ୍ ପରିବର୍ତ୍ତନ ଲକ୍ଷ୍ୟ କଲେ ଶରୀରକୁ ଉଷ୍ମ ରଖିବା ବାଞ୍ଛନୀୟ। ସେଥିପାଇଁ ଫୁଲ୍ ପ୍ୟାଣ୍ଟସାର୍ଟ, ଗ୍ଳୋଭ୍ସ ଓ ମୋଜା ଆଦି ପିନ୍ଧି ଶରୀରକୁ ସଂପୂର୍ଣ୍ଣ ଆବୃତ କରି ରଖିଲେ ଭଲ। ବର୍ଷା ଦିନେ ଉଷୁମ ପାଣିରେ ଗାଧୋଇବା ମଧ୍ୟ ଉପାଦେୟ। ଦିନସାରା ଶରୀରକୁ ମାନ୍ଦା ରଖିଲେ ତାହା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ପ୍ରୋତ୍ସାହିତ କରିଥାଏ। ତେଣୁ ଚଲାବୁଲା, ଯୋଗ, ଦୌଡ଼, ସନ୍ତରଣ ବା ସାଇକେଲ ଚଳାଇ ଶରୀରକୁ ସର୍ବଦା ଚଳଚଞ୍ଚଳ କରି ରଖିବା ବିଧେୟ। ଭିଟାମିନ ଇ ଓ ଆଣ୍ଟିଅକ୍ସିଡାଣ୍ଟ୍ରେ ଭରି ରହିଥିବା ଫଳମୂଳ ଓ ପନିପରିବା ଖାଇବା ଦରକାର। ଅପରପକ୍ଷେ, ବର୍ଷାଦିନେ ଆଣ୍ଠୁଗଣ୍ଠି ବିନ୍ଧାକୁ ଅନେକ ସ୍ବାଭାବିକ ଭାବି ଅଣଦେଖା କରିଦେଇଥା’ନ୍ତି। ମାତ୍ର ବେଳେ ବେଳେ ତାହା ଗୁରୁତର ହେବାର ଆଶଙ୍କା ଥାଏ। ତେଣୁ ଯନ୍ତ୍ରଣା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରି।