ନିଜ ସମୟକୁ ଯଥାଯଥ ଭାବରେ ଚିହ୍ନିଥିବା ସ୍ରଷ୍ଟାଙ୍କ ସୃଷ୍ଟିସମୂହ ସମୟୋତ୍ତୀର୍ଣ୍ଣ ହେବା ଅବଧାରିତ। ସମକାଳ ମଧ୍ୟରେ ଅତୀତର ଛାପ ଥାଏ, ଥାଏ ଭବିଷ୍ୟତର ସଙ୍କେତ। ସୁତରାଂ ସ୍ୱକାଳଦର୍ଶୀ ହିଁ ତ୍ରିକାଳଦର୍ଶୀ।
ଫକୀରମୋହନ ନିଜ ସମୟକୁ ବ୍ୟବଚ୍ଛେଦ କରି ତା’ର ଭିତର ବାହାର ସବୁକୁ ଭଲଭାବରେ ଦେଖିଥିଲେ, ଚିହ୍ନିଥିଲେ ଏବଂ ବୁଝିଥିଲେ। ତାଙ୍କ ସମୟ ବ୍ରିଟିସ୍‌ ଉପନିବେଶବାଦର ସୁବର୍ଣ୍ଣ ସମୟ। ଉପନିବେଶବାଦର ସୁଗୁଣକୁ ଗ୍ରହଣ କରିବା ଏପରିକି ବ୍ରିଟିସ୍‌ ଶାସନକୁ ପ୍ରଶଂସା କରିବାରେ କୁଣ୍ଠା ନ ଥିଲା ତାଙ୍କର, ଭୟ ନ ଥିଲା ବି ଔପନିବେଶିକ ଦୁର୍ଗୁଣକୁ ବିରୋଧ କରିବାରେ। ବାଲେଶ୍ୱରରେ ସେ ପ୍ରଥମେ ପ୍ରତିଷ୍ଠା କରିଥିଲେ ବାଳିକା ବିଦ୍ୟାଳୟ। ନାରୀ ଶିକ୍ଷାର ସେ ଆଦି କର୍ଣ୍ଣଧାର। ‘ରେବତୀ’ ଗଳ୍ପରେ ସେ ବାଳିକା ଶିକ୍ଷା ପ୍ରତି ଦରଦ ପ୍ରକଟ କରିଛନ୍ତି। କିନ୍ତୁ ତାଙ୍କ ‘ସଭ୍ୟ ଜମିଦାର’, ‘ପେଟେଣ୍ଟ ମେଡିସିନ୍’ ଓ ‘ଡାକମୁନ୍‌ସି’ ପରି ଗଳ୍ପରେ ରହିଛି ଇଂରେଜୀ ଶିକ୍ଷା ଓ ସଭ୍ୟତା ପ୍ରତି କଠୋର କଟାକ୍ଷ। ଜମିଦାରୀ ପ୍ରଥା ଉପନିବେଶବାଦର ଏକ ଉପଜାତ। ନିଜେ ଦେବାନ୍ ଥିଲେ ମଧ୍ୟ ଜମିଦାରୀ ପ୍ରଥା ପ୍ରତି ତାଙ୍କର ତାତ୍ସଲ୍ୟ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ସ୍ପଷ୍ଟ।
ତେବେ ଉପନିବେଶବାଦୀ ଶୋଷଣକୁ ବାଲେଶ୍ୱର ବାସିନ୍ଦା ଭାବରେ ପ୍ରତ୍ୟକ୍ଷ କରିଥିଲେ ଫକୀରମୋହନ। ପିଲାବେଳେ ଯେଉଁ ବାଲେଶ୍ୱର ସେ ଦେଖିଥିଲେ, ବୟସ୍କ ହେଲାବେଳକୁ ସେହି ବାଲେଶ୍ୱରକୁ ଆଉ ସେ ଖୋଜି ପାଉ ନ ଥିଲେ। ବାଲେଶ୍ୱର ବନ୍ଦର ମାଟିରେ ମିଶି ସାରିଥିଲା। ଅଝାଲ ସିଲେଇ ବେପାର ବୁଡ଼ିସାରିଥିଲା। ଲୁଣମରା ଆଉ ଉପକୂଳବାସୀଙ୍କର ଅଧିକାର ହୋଇ ରହି ନ ଥିଲା। ବ୍ରିଟିସ୍‌ ସରକାର ସମୁଦ୍ରରୁ ଲୁଣ ମାରିବାକୁ ବାରଣ କଲେ। କାରଣ ଲୋକମାନେ ସ୍ଥାନୀୟ ଲୁଣ ଖାଇଲେ ବ୍ରିଟିସ୍‌ ଜାତିର ବେପାର ବଢ଼ିବ କେମିତି? ଇଂରେଜମାନେ ଏକ ରାଜୁଡ଼ା ଜାତି ବୋଲି ଯାହା କୁହାଯାଏ, ତାହା ଏକ ଭ୍ରମ। ପ୍ରକୃତପକ୍ଷେ ସେମାନେ ଏକ ବେପାରୀ ଜାତି। ଇଂଲାଣ୍ଡ୍‌ର ଲିଭର୍‌ପୁଲରୁ ଲୁଣ ଆସି କିପରି ଭାରତର ହାଟବଜାରରେ ବିକ୍ରି ହେବ ଏବଂ ତଦ୍ଦ୍ୱାରା ବ୍ରିଟିସ୍‌ ଜାତି ଲାଭାନ୍ୱିତ ହେବ, ତାହା ଥିଲା ଉପନିବେଶବାଦୀ ଶାସନର ଲକ୍ଷ୍ୟ। ଏ କଥାଟିକୁ ଭଲରେ ସମଝିଥିଲେ ବାବୁ ଫକୀରମୋହନ। ତେଣୁ ସେ ଲେଖିଲେ: “ଓଳିତଳେ ଲୁଣ କୋଟିଏ ମହଣ ଆଉ ମୋହ କଥା ଶୁଣ, ବୋଇଲେ କି ହେବ ଖାଇବାକୁ ହେବ ଲିଭର୍‌ପୁଲ୍‌ରୁ ଲୁଣ।”
ଇଂଲାଣ୍ଡ୍‌ର ଦୁଇ ପ୍ରମୁଖ ସହର ‘ମାଞ୍ଚେଷ୍ଟର’ ଓ ‘ଲାଙ୍କାସାୟର’ ଭାରତୀୟମାନଙ୍କ ଜିହ୍ୱାଗ୍ରରେ ବସା ବାନ୍ଧିଥିଲା। କାରଣ ଭାରତବାସୀଙ୍କ ଲଜ୍ଜା ନିବାରଣର କେନ୍ଦ୍ର ଥିଲା ଲୁଗାକଳ ପାଇଁ ପ୍ରସିଦ୍ଧ ଏହି ଦୁଇ ଶିଳ୍ପନଗରୀ। ଆହା- ବ୍ୟାବସାୟିକ ବୁଦ୍ଧିରେ କିଏ ସରି ହେବ ଇଂରେଜମାନଙ୍କୁ! ଭାରତରୁ ସେମାନେ କଞ୍ଚାମାଲ ଅଳ୍ପ ଦରରେ କିଣୁଥିଲେ, ସେସବୁକୁ ଇଂଲାଣ୍ଡ୍‌ ପଠାଇ ଲୁଗା ବୁଣାଉଥିଲେ। ଲୁଗାକୁ ଚଢ଼ା ଦରରେ ଭାରତରେ ବିକ୍ରି କରୁଥିଲେ। ଏହାକୁ ଦୋହରା ଶୋଷଣ ବୋଲି କୁହାଯାଏ। ଭାରତବର୍ଷ କାଳେକାଳେ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା। କିନ୍ତୁ ବୁଣାକାରକୁଳ ବ୍ରିଟିସ୍‌ ଅମଳରେ ଉଜୁଡ଼ି ଗଲା। ତାହା ଲକ୍ଷ୍ୟ କରି ଫକୀରମୋହନ ଲେଖିଥିଲେ: “ମାଞ୍ଚେଷ୍ଟର ତନ୍ତି ଲୁଗା ବୁଣୁଛନ୍ତି ତୁମ୍ଭମାନଙ୍କ ସକାଶେ, ବୁଡୁ ତନ୍ତିବଂଶ ହେଉ ସର୍ବନାଶ ଯାଆନ୍ତୁ ସେ ବନବାସେ।” ବ୍ୟାସକବିଙ୍କ ବ୍ୟଙ୍ଗର କ’ଣ ତୁଳନା ଅଛି?
ସେମିତି କୃଷକମାନଙ୍କର ଦୁଃଖ। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ, ବାହାବ୍ରତ, ଦଶାକଷା ଓ ଯାନିଯୌତୁକ ପାଇଁ ଚାଷୀଟିଏ ଜମି ବିକିବିକି ନିଃସ୍ୱ ହୋଇଯାଏ। ପିଢ଼ିଟିଏ ପରେ ପାଲଟେ ମୂଲିଆ, ନ ହେଲେ ଦେଶାନ୍ତରୀ। ଚାଷ ଓ ଚାଷୀ କଥା ଫକୀରମୋହନଙ୍କ ଛଡ଼ା କିଏ ବା ରକ୍ତଢାଳି ବୁଝିଥିଲା? କିଏ ବା କାନଡେରି ଶୁଣି ପାରିଥିଲା କୃଷକର କୋହ? ‘ଉତ୍କଳ-କୃଷକ’ର ଦୀର୍ଘଶ୍ୱାସ ଏମିତି ବ୍ୟାସକବିଙ୍କ ସମ୍ବେଦନଶୀଳତାରେ ଦୀର୍ଘାୟିତ: “ସବୁଦିନେ ଟାଣଟୁଣ ଘରେ ନାହିଁ ଭାତ, ଜମି ଖଣ୍ଡ ବିକିବାକୁ ବଢ଼ାଇଲା ହାତ। ଗତ ଅଙ୍କ ପୁଅ ବାହା ବିକିଥିଲା ମାଣେ, ବାପ ଶୁଦ୍ଧି ବେଳେ କେତେ ବିକିଲା କେ ଜାଣେ।”
ସେନାପତି ଯାହା ବୁଝିଥିଲେ ତାଙ୍କ ସମୟରେ, ପରେ ତାହା ବୁଝିଲେ ଗାନ୍ଧୀ ମହାତ୍ମା। ଦକ୍ଷିଣ ଆଫ୍ରିକାରୁ ଫେରି ‘ଚମ୍ପାରଣ’ ଓ ‘ଖେଡ଼ା’ରେ ଚାଷୀମାନଙ୍କ ପାଇଁ ପହିଲେ ଲଢ଼ିଥିଲେ ମୋହନ ଦାସ। କାରଣ ଫକୀରମୋହନଙ୍କ ପରି ସେ ବୁଝିଥିଲେ ଯେ ଚାଷ ନାହିଁ ତ ବାସ ନାହିଁ ଭାରତରେ। ପରେ ପୁଣି ସେ ‘ଲୁଗା’ ଓ ‘ଲୁଣ’କୁ ସ୍ୱରାଜ୍ୟ ଯୁଦ୍ଧର ଆୟୁଧ କଲେ। ତାଙ୍କ ଅରଟର ଛୋଟ ଛୋଟ ଚକ (ଫକୀରମୋହନ ଅରଟ ପ୍ରବନ୍ଧ ବହୁ ପୂର୍ବରୁ ଲେଖିଥିଲେ) ମାଞ୍ଚେଷ୍ଟର ଓ ଲାଙ୍କାସାୟର ସ୍ଥିତ ବଡ଼ବଡ଼ ଲୁଗାକଳର ତହୁଁ ବଡ଼ ଚକ ସବୁକୁ ଧୀରେ ଧୀରେ ବନ୍ଦ କରିଦେଲା।
ଫକୀରମୋହନଙ୍କ ଚିନ୍ତନମୌଳିକତା ଯାହା ପ୍ରତିଫଳିତ ହୋଇଥିଲା ସାହିତ୍ୟରେ, ତା’କୁ ପରବର୍ତ୍ତୀ କାଳରେ ସତ୍ୟାଗ୍ରହର ରୂପ ଦେଇଥିଲେ ବାପୁଜୀ। ଫକୀରମୋହନଙ୍କୁ ଗାନ୍ଧୀ ଚେତନାର ଅଗ୍ରଦୂତ କହିଲେ ଅତିଶୟୋକ୍ତି ହେବ ନାହିଁ।

ମୋ: ୯୪୩୭୧୪୩୮୯୬