ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ବୈଧାନିକ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ସାଂସଦ କହିଛନ୍ତି ଯେ ଓଡ଼ିଶାରେ ଜଣେ ନିର୍ଦ୍ଦିଷ୍ଟ ନିମ୍ନ ପଦସ୍ଥ ପ୍ରଶାସନିକ ଅଧିକାରୀ ରାଜନୈତିକ ଜନମତକୁ ଚଞ୍ଚକତା ସହ ହରଣ କରିବାକୁ ଉଦ୍ୟମ କରୁଛନ୍ତି ଓ ରାଜନେତାଙ୍କ ଭଳି ସଭାସମିତିରେ ଯୋଗ ଦେବା ସହିତ ସରକାର ବା ମନ୍ତ୍ରୀମାନଙ୍କ ଭଳି ଘୋଷଣା କରୁଛନ୍ତି। ଲାଗୁଛି, ମୁଖ୍ୟମନ୍ତ୍ରୀ ନୁହେଁ ବରଂ ନିର୍ଦ୍ଦିଷ୍ଟ ସରକାରୀ ବାବୁ ହିଁ ରାଜ୍ୟରେ ଶାସନକର୍ତ୍ତା। ଏହି ଘଟଣାରେ ସାମ୍ବିଧାନିକ ପ୍ରାଥମିକତା କ୍ରମ (ଅର୍ଡର ଅଫ୍ ପ୍ରିସିଡେନ୍‌ସ), ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳୀ (ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍‌ସ)ର ଖୋଲା ଉଲ୍ଲଂଘନ ହୋଇଛି।
ଅପରାଜିତାଙ୍କ ଏହି ଅଭିଯୋଗ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କଲାଣି। କଂଗ୍ରେସ ବି ଏଥିରେ ସ୍ବର ମିଳାଇଛି। ଗତ ଚାରି ବର୍ଷ ଭିତରେ ସରକାର ବିରୋଧରେ ଏହା ସବୁଠାରୁ ବଡ଼ ଅଭିଯୋଗ। ବିଜେଡି କିମ୍ବା ସରକାର କେହି ବି ଏହି ଅଭିଯୋଗକୁ ଖଣ୍ଡନ କରିବା ଭଳି ଉତ୍ତରଟିଏ ଏଯାଏ ଦେଇନାହାନ୍ତି।
କିନ୍ତୁ ଏହା ମଧ୍ୟ ସତ ଯେ କିଛି ବର୍ଷ ହେଲା ଏ ସଂପର୍କରେ ଚର୍ଚ୍ଚା ହୋଇ ଆ‌ସୁଛି ଯେ ମନ୍ତ୍ରୀ, ବିଧାୟକଙ୍କ କ୍ଷମତା ପ୍ରଶାସନିକ ଅଧିକାରୀଙ୍କ ପ୍ରଭାବ ଆଗରେ ନିଷ୍ପ୍ରଭ ହୋଇଯାଇଛି। ଏହି ଅଭିଯୋଗଟି ଆଦୌ ଅମୂଳକ ନୁହେଁ। କେବଳ ଓଡ଼ିଶାରେ ଯେ ଏମିତି ହେଉଛି ତା’ ମଧ୍ୟ ନୁହେଁ। କେନ୍ଦ୍ର ସରକାରରେ ଏବଂ ଭାରତବର୍ଷର ଅନ୍ୟ ରାଜ୍ୟରେ ବି ଏହାର ଅନେକ ଉଦାହରଣ ଅଛି। ଓଡ଼ିଶାରେ କ୍ୟାବିନେଟ୍ ବୈଠକ, ମନ୍ତ୍ରୀମାନଙ୍କ ଦୈନନ୍ଦିନ କାର୍ଯ୍ୟ ଓ ମନ୍ତବ୍ୟରୁ ଏକଥା ବୁଝି ହୁଏ। ଏଭଳି ଘଟଣା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।
ସେହି ଦୃଷ୍ଟିରୁ ଅଧିକ ଚିନ୍ତାର ବିଷୟ ହେଲା ତୃଣମୂଳ ସ୍ତରରେ ଗଣତନ୍ତ୍ର ଏହା ଠାରୁ ଢେର୍ ଅଧିକ ବିପଦରେ ରହିଛି। ଆମ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜିଲ୍ଲା ପରିଷଦର ଭୂମିକା ଅତ୍ୟନ୍ତ ଗୌଣ ଏବଂ ଜିଲ୍ଲାପାଳ ସର୍ବେସର୍ବା। ଜିଲ୍ଲା ପରିଷଦ ସଭାପତିଙ୍କୁ ନେଇ ସେତିକି ଚର୍ଚ୍ଚା ହେଉନି, ଯେତିକି ଚର୍ଚ୍ଚାରେ ଜିଲ୍ଲାପାଳ ଅଛନ୍ତି। ଠିକ୍ ସେମିତି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅପେକ୍ଷା ବିଡିଓଙ୍କୁ ସବୁଠି ଅଧିକ ଲୋଡ଼ାଯାଉଛି।
ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସଂପର୍କିତ ମତ ସ୍ମରଣଯୋଗ୍ୟ। ଅତି ସରଳ ଭାବେ ମହାତ୍ମାଗାନ୍ଧୀ ବୁଝାଇଛନ୍ତି ଯେ କ୍ଷମତାର କେନ୍ଦ୍ରୀକରଣ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିକୃତ କରିଥାଏ। ଏହା ଲୋକଙ୍କୁ ଅନ୍ଧ ଏବଂ ବଧିର କରେ; ସେମାନେ ନାକ ତଳେ ଥିବା ଜିନିଷ ମଧ୍ୟ ଅନେକ ସମୟରେ ଦେଖି ପାରନ୍ତି ନାହିଁ।
ଏଣୁ ବହୁ ବିଚାରବିମର୍ଶ ପରେ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ଗ୍ରାମ ସ୍ୱରାଜକୁ ବିଧାନ ଭିତରକୁ ଆଣିବାକୁ ସ୍ଥିର କରାଗଲା। ୧୯୯୩ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ସହିତ କ୍ଷମତା ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ଦେଶରେ ସାମ୍ବିଧାନିକ ମର୍ଯ୍ୟାଦା ମିଳିଲା। କେନ୍ଦ୍ର ସରକାର ୨୯ଟି ବିଭାଗର ଅଧୀନସ୍ଥ ଅର୍ଥରାଶି, ଅଧିକାରୀ ଓ କାର୍ଯ୍ୟକ୍ରମ ଶତ ପ୍ରତିଶତ ପଞ୍ଚାୟତକୁ ହସ୍ତାନ୍ତର କରିବା ଲାଗି ରାସ୍ତା ଖୋଲିଲେ।
ବ୍ୟବସ୍ଥାକୁ ଆହୁରି ପାରଦର୍ଶୀ କରିବା ଲାଗି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଲେ, ତାହା ହେଲା ତୃଣମୂଳ ସ୍ତରରେ ଅନୁସୂଚିତ ଜନଜାତି ବର୍ଗଙ୍କ ସ୍ବାର୍ଥର ସୁରକ୍ଷା। ୧୯୯୬ ମସିହାରେ ‘ପେସା’ ଆଇନ ପ୍ରଣୟନ କରାଗଲା। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ, ଏଥିରେ ଏ ବ୍ୟବସ୍ଥା ବି ଅଛି ଯେ ଜନଜାତି ବର୍ଗର ଲୋକଙ୍କ ସ୍ବାର୍ଥ ପାଇଁ ରାଜ୍ୟପାଳ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିପାରିବେ।
ଉଦ୍‌ବେଗର ବିଷୟ ହେଲା, ଓଡ଼ିଶାରେ ଉଭୟ ବ୍ୟବସ୍ଥାର ସ୍ଥିତି ଶୋଚନୀୟ। କ୍ଷମତା ବିକେନ୍ଦ୍ରୀକରଣର ନୂଆ ବ୍ୟବସ୍ଥାଟି ଓଡ଼ିଶାରେ କାର୍ଯ୍ୟକାରୀ କରିବା ଲାଗି ୨୦୦୩ ମସିହାରେ ତତ୍କାଳୀନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ମଣିଶଙ୍କର ଅୟର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିବଦ୍ଧ ହେଲେ। ଗତିବିଧି ମାନଚିତ୍ର ବା ଆକ୍ଟିଭିଟି ମ୍ୟାପିଂ କରାଗଲା। ସେବେ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ। ୨୦୦୫ ଅକ୍‌ଟୋବରରେ ପଞ୍ଚାୟତିରାଜ ବିଭାଗକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଗଲା। ସ୍ଥିରୀକୃତ ୨୯ଟି ବିଷୟରୁ ଗୋଟିଏ ଦୁଇଟିକୁ ବାଦ୍ ଦେଲେ ଅନ୍ୟସବୁ ପଞ୍ଚାୟତକୁ ଦିଆ ସରିଛି ବୋଲି ପଞ୍ଚାୟତିରାଜ ବିଭାଗ ଏବେ ଦାବି କରୁଛନ୍ତି।
ହେଲେ ପ୍ରଥମ ଦିନରୁ ତୃଣମୂଳ ସରକାରଙ୍କ କଣ୍ଠରୋଧ ଉପକ୍ରମ ଆରମ୍ଭ ହୋଇଛି। ସରକାରର ମନ୍ତ୍ରୀମାନେ ଏହାକୁ ବିରୋଧ କରି ଆସିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି ଯେ ପଞ୍ଚାୟତକୁ ଅର୍ଥ, ଅଧିକାରୀ ଓ କାର୍ଯ୍ୟକ୍ରମ ଦିଆଯିବା ପରେ ସେମାନେ କାହିଁକି ମନ୍ତ୍ରୀ ହେବେ? ଏଣୁ ସରକାରର ମନ୍ତ୍ରୀ ସଂଖ୍ୟା ବି ହ୍ରାସ କରିଦିଆଯାଉ! ଆଇଏଏସ ବାବୁମାନେ ଏହାକୁ ନିରବ ସମର୍ଥନ କରିଛନ୍ତି। ଏଣୁ ଏହି ଜଟିଳତା ଉପରୁ ପରଦା ଉଠାଇବା ପାଇଁ କେହି କେବେ ଆଗ୍ରହ ଦେଖାଉନାହାନ୍ତି। ବିଧାୟକମାନେ ବି ଚାହୁଁନାହାନ୍ତି ଯେ ସେମାନଙ୍କ ଠାରୁ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ବା ସରପଞ୍ଚ କ୍ଷମତାଶାଳୀ ହୁଅନ୍ତୁ। ଏଣୁ ପ୍ରଣୀତ ବିଧାନକୁ କେବଳ ସମ୍ମାନ ଦେବା ଛଳରେ ଆମ ସରକାର ସବୁ କ୍ଷମତା ପଞ୍ଚାୟତକୁ ହସ୍ତାନ୍ତର ହୋଇଛି ବୋଲି ଦାବି କରୁଥିଲେ ହେଁ ସିଂହଭାଗ ଅାଜି ମଧ୍ୟ କାଗଜପତ୍ରରେ, ଲୋକସେବା ଭବନର ଚାରିକାନ୍ଥ ଭିତରେ ଅଟକି ରହିଛି। ଅତି ସଂକ୍ଷେପରେ କହିଲେ, ଯୋଜନାବଦ୍ଧ ଭାବେ ଜିଲ୍ଲା ପରିଷଦ ସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଠାରୁ ଅାରମ୍ଭ କରି ସରପଞ୍ଚ ଓ ଵାର୍ଡ ମେମ୍ବରଙ୍କ କ୍ଷମତାକୁ ସଙ୍କୁଚିତ କରିଦିଆଯାଇଛି।
ନିକଟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବା ‘ଡିଆରଡିଏ’କୁ ଉଚ୍ଛେଦ କରିଛନ୍ତି। ସେଠାରେ ଥିବା କର୍ମଚାରୀଙ୍କୁ ଜିଲ୍ଲା ପରିଷଦକୁ ହସ୍ତାନ୍ତର କରିଦିଆଯାଇଛି। ଏହା ନୂଆ ବୋତଲରେ ପୁରୁଣା ମଦ ଭଳି। ପଞ୍ଚାୟତକୁ ହସ୍ତାନ୍ତରିତ ଅନେକ ବିଭାଗ ଅଧୀନସ୍ଥ କର୍ମଚାରୀ ବ୍ଲକ ଅଧ୍ୟକ୍ଷଙ୍କ ଅଧୀନରେ ନାହାନ୍ତି, ବା ଥିଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ ରିପୋର୍ଟ କରନ୍ତି ନାହିଁ। ପ୍ରତି ବ୍ଲକରେ ଗୋଟିଏ ଛାତ ତଳେ ହସ୍ତାନ୍ତରିତ ବିଭାଗକୁ ରଖି ସାମୂହିକ ଶାସନ ଓ ସାମୂହିକ ବିକାଶ ହାସଲ ପାଇଁ ଏ ପର୍ଯ୍ୟନ୍ତ ଉଦ୍ୟମ ହୋଇନାହିଁ।
ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୁକିଛି। ସରପଞ୍ଚ ଦସ୍ତଖତ କରୁଥିବା ଫାଇଲ ସଂଖ୍ୟା ବଢ଼ିଛି, ଅଥଚ ନିଷ୍ପତ୍ତି ନେବାର କ୍ଷମତା ଅନେକ ଦୃଷ୍ଟିରୁ ସୁନିୟନ୍ତ୍ରିତ। ପଞ୍ଚାୟତରେ ବର୍ଷ ବର୍ଷ ଧରି ଯେଉଁ ସ୍ଥାୟୀ ସଂପତ୍ତି ସୃଷ୍ଟି କରାଯାଇଛି, ତା’ର ପୂରା ହିସାବ ପଞ୍ଚାୟତିରାଜ ବିଭାଗରେ ନାହିଁ। ଏଥିରୁ ବୁଝନ୍ତୁ, ବିକାଶ କେଉଁ ବାଟରେ ଓ କେମିତି ଆଗକୁ ବଢୁଛି।
ଏବେ ‘ପେସା’ ଆଇନର ସ୍ଥିତି ପରଖିବା। ଆଇନକୁ ୨୭ ବର୍ଷ ପୂରିଲାଣି ତଥାପି ଏହି ଆଇନ ଅନ୍ତର୍ଗତ ନିୟମ କରାଯାଇପାରୁନାହିଁ। ଅଥଚ ଅନୁସୂଚିତ ଜନଜାତି ବର୍ଗ ସରକାରଙ୍କ ଫୋକସରେ ଥିବା କଥା କୁହାଯାଉଛି। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ କରି ଓଡ଼ିଶା ଆସିବା ବେଳେ କିଛି ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଯାଇ ସମୀକ୍ଷା କରିବା ସହିତ ଗଣମାଧ୍ୟମ ଶିରୋନାମାକୁ ଆସିଥିଲେ। ଆଜି ଦିନରେ ସେ ଉଦାହରଣ ମଧ୍ୟ ଆଉ ନାହିଁ।
ଏସବୁର ଅର୍ଥ ଏୟା ନୁହେଁ ଯେ ତୃଣମୂଳ ସ୍ତରରେ ଗଣତନ୍ତ୍ରର ସ୍ବରୂପ ବିକୃତ ହେଉଥିବା ବିଷୟ ଆଜି ପ୍ରଥମ କରି କୁହାଯାଉଛି। ଯଥେଷ୍ଟ ପୂର୍ବରୁ ରାଜ୍ୟ ଅର୍ଥ କମିସନମାନେ ବ୍ୟବସ୍ଥାର ଅସଙ୍ଗତି ସଂପର୍କରେ ଜଣାଇଛନ୍ତି। ଖୋଦ୍ ସିଏଜିଙ୍କ ଅଡିଟ୍ ରିପୋର୍ଟରେ ଏହା ସାର୍ବଜନୀନ ହୋଇଛି।
ଆମେ ଜାଣୁ ଯେ ସଂସଦ ଓ ବିଧାନସଭା ଭଳି ପଞ୍ଚାୟତିରାଜ ବ୍ୟବସ୍ଥା ଆମ ଗଣତନ୍ତ୍ରର ଗୋଟିଏ ମୁଖ୍ୟ ଅଙ୍ଗ ବା ମୂଳ ପିଣ୍ଡ। ଏହି ତୃଣମୂଳ ସରକାରର ସମସ୍ତ ନିଷ୍ପତ୍ତି ଚୂଡ଼ାନ୍ତ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସମ୍ବିଧାନ ସଂଶୋଧନ ଆଧାରରେ ଆଇନରେ ସ୍ପଷ୍ଟ ଭାବେ କୁହାଯାଇଛି। ଓଡ଼ିଶାର ବହୁଚର୍ଚ୍ଚିତ ନିୟମଗିରି ପ୍ରସଙ୍ଗଟିକୁ ଉଦାହରଣ ଭାବେ ନିଆଗଲେ ଯେ କେହି ଗ୍ରାମସଭାର କ୍ଷମତା ବୁଝିପାରିବେ। ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡ଼ ବକ୍ସାଇଟ୍ ଲିଜ୍‌କୁ ଗ୍ରାମସଭା ବିରୋଧ କରିଥିଲେ। ତା’ ଆଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସୁପ୍ରିମ୍‌ କୋର୍ଟରେ କାଟ୍ ଖାଇଲା। ତଥାପି ଗ୍ରାମସଭାର ମୌଳିକତାର ସୁରକ୍ଷା ପାଇଁ ବି କେହି ଉଦ୍ୟମ କରୁ ନାହାନ୍ତି; ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ?
ଶେଷରେ ଏତିକି କୁହାଯାଇପାରେ, ଓଡ଼ିଶାରେ ରାଜନୈତିକ ଶକ୍ତିକୁ ଦଳିଚକଟି ଦେବା ଲାଗି ଗୋଟିଏ ଗୋଷ୍ଠୀ ବରାବର ଉଦ୍ୟମ ଅବ୍ୟାହତ ରଖିଛି। ସେମାନଙ୍କ ବଳ ହେଉଛନ୍ତି ସ୍ବାର୍ଥନ୍ବେଷୀ ଏବଂ କ୍ଷମତାଲିପ୍‌ସୁ ରାଜନେତାଙ୍କ ନିରବତା। ଏହା ସତ୍ତ୍ବେ ଅଧିକରୁ ଅଧିକ ଶିକ୍ଷିତ ଓ ମେଧାବୀ ବ୍ୟକ୍ତିବିଶେଷ ରାଜନୀତି ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଆକୃଷ୍ଟ ହେବା ଗୋଟିଏ ଭଲ ଲକ୍ଷଣ। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ମହିଳା ପ୍ରତିନିଧିତ୍ବ ଘୋଷଣା କରି ଏ କ୍ଷେତ୍ରରେ ଗୋଟିଏ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଆମ ବ୍ୟବସ୍ଥାରେ ପଞ୍ଚାୟତ ସମିତି, ସରପଞ୍ଚ, ଵାର୍ଡ ମେମ୍ବର ପଦକୁ ରାଜନୈତିକ ଦଳର ପ୍ରଭାବରୁ ମୁକ୍ତ ରଖାଯାଇଛି। ଅତଏବ ଏମାନଙ୍କୁ ନେଇ ଗୋଟିଏ ସଶକ୍ତ ଗଣତନ୍ତ୍ର ସମ୍ଭବ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ରଖି ଗୋଟିଏ ସଶକ୍ତ ରାଷ୍ଟ୍ର ଗଠନ ଅସମ୍ଭବ, ଠିକ୍ ଯେମିତି ଦୁର୍ବଳ କାନ୍ଥ ଉପରେ ଗୋଟିଏ ଛାତ ଆଦୌ ଦୀର୍ଘସ୍ଥାୟୀ ହୁଏ ନାହିଁ।
ମୋ: ୯୯୩୭୪ ୭୪୨୭୪