ଭବାନୀ ଶଙ୍କର ତ୍ରିପାଠୀ
କଟକ ମାଟିରେ ଛିଡ଼ା ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ‘ବିତର୍କ’ ପାଇଁ ଆହ୍ବାନ ଦେଇଛନ୍ତି। ଏହା ଉପରେ ଢେର୍ ଚର୍ଚ୍ଚା ହେଲାଣି। ନାମ ପରିବର୍ତ୍ତନ ବିପକ୍ଷରେ ଯେଉଁମାନେ ମତ ରଖୁଛନ୍ତି, ସେଥିରେ କିଛି ଯୁକ୍ତି, ଆଉ କିଛି ଆବେଗ ଫେଣ୍ଟାଫେଣ୍ଟି ହୋଇ ରହିଛି। ସପକ୍ଷରେ ଆସୁଥିବା ମତ ତଥାକଥିତ ‘ଅସ୍ମିତା’ ଆବରଣରେ ଆଚ୍ଛାଦିତ; ବିଶେଷ କରି ଧର୍ମେନ୍ଦ୍ରଙ୍କୁ ବା ବିଜେପିକୁ ଖୁସି କରିବା ପାଇଁ ଉର୍ଦ୍ଦିଷ୍ଟ।
ହେଲେ ଯେଉଁ କଥାଟି ଆଦୌ ଚର୍ଚ୍ଚା ହେଉନାହିଁ, ତାହା ହେଲା- ରେଭେନ୍ସା ବା ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବା ଲାଗି ଯେବେ ଓଡ଼ିଶାବାସୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କଠାରୁ ଅପେକ୍ଷା ରଖୁଛନ୍ତି, ଠିକ୍ ସେହି ସମୟରେ ସେ ଆକାଶରୁ ତୋଳି ଆଣିବା ଭଳି ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଲେ କାହିଁକି? ଏହାର ଯଥାର୍ଥତା ବର୍ତ୍ତମାନ ପରିପ୍ରେକ୍ଷୀରେ କ’ଣ ଥିଲା? ଏହା ମନ୍ତ୍ରୀଙ୍କର ବ୍ୟକ୍ତିଗତ ମତ ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି କରି ପ୍ରସଙ୍ଗକୁ ହାଲୁକା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର କେନ୍ଦ୍ରମନ୍ତ୍ରୀ ଯେଉଁ ବକ୍ତବ୍ୟ ରଖିବେ, ସେ ମଧ୍ୟରୁ ସରକାରୀ ଓ ବ୍ୟକ୍ତିଗତ ମତ କେଉଁଟା; ଏକଥା ଜାଣିବା ଲାଗି ମାପଦଣ୍ଡଟି କ’ଣ?
ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରତିଟି ସଚେତନ ନାଗରିକ ଆଶା କରନ୍ତି ଯେ ଉଭୟ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଯେଉଁଠି ଯାହା କୁହନ୍ତୁ, ଦାୟିତ୍ବର ସହିତ ମତ ରଖିଥିବେ। ତେବେ, ସେ ଯାହା ହେଉ, ଏ କ୍ଷେତ୍ରରେ କଥା ହେଲା ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନରେ ଥିବା କାରଣରୁ ରେଭେନ୍ସା ନାମ ପରିବର୍ତ୍ତନ ନିଷ୍ପତ୍ତିଟି ସରକାର ଗୋଟିଏ କ୍ଷଣରେ ନେଇ ପାରିଥାନ୍ତେ। ହେଲେ କେନ୍ଦ୍ରମନ୍ତ୍ରୀ ତାହା ନ କରି ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ସୁତରାଂ, ଗୋଟିଏ ନୂଆ ପରମ୍ପରା ଆରମ୍ଭ ହୋଇଛି, ଯାହା ସ୍ବାଗତଯୋଗ୍ୟ। ଅର୍ଥାତ୍ ଏହା ଅଗ୍ରାହ୍ୟ ହେଲେ ବି ତାଙ୍କର ଆପତ୍ତି ନାହିଁ। ଅତଏବ ଏହା ଉପରେ ରାଜ୍ୟ ସରକାର ସ୍ପଷ୍ଟ ମତ ରଖିବାରେ କିଛି ଅସୁବିଧା ନାହିଁ; ଯଦିଓ ମୋହନ ସରକାର ବିବାଦକୁ ଡରି ଏ ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି।
କେହି ଭୁଲି ନ ଥିବେ ଯେ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗଟି ପୂର୍ବରୁ ଦୁଇ ଥର ଝଡ଼ ଭଳି ଉଠିଛି, ପୁଣି ହଜି ଯାଇଛି। ଏବେ ଯିଏ ଯାହା ଯୁକ୍ତି ରଖୁଛନ୍ତି, ତାହା ଯେ ଶହେ ପ୍ରତିଶତ ଯଥାର୍ଥ, ଏ କଥା ମଧ୍ୟ କୁହାଯାଇପାରିବ ନାହିଁ। ଏହି ପ୍ରସଙ୍ଗ ଉପରେ ସର୍ବସମ୍ମତ ନିଷ୍ପତ୍ତି ବି ଅସମ୍ଭବ। ଏଣୁ ଏଭଳି ଏକ ପ୍ରସଙ୍ଗରେ ବିତର୍କ କରି ଓଡ଼ିଶା କେଉଁ ବାସ୍ତବ ଉଦ୍ଦେଶ୍ୟ ସାଧନ କରିବ?
ତେବେ, ହଁ, କେନ୍ଦ୍ରମନ୍ତ୍ରୀଙ୍କ ‘ବିତର୍କ’ର ଆହ୍ବାନରୁ ସୃଷ୍ଟ ପରଂପରା ଯଦି ଅନ୍ୟାନ୍ୟ ପ୍ରସଙ୍ଗର ପରିସରକୁ ପରିବ୍ୟାପ୍ତ ହୁଏ, ତେବେ ଲୋକକ୍ଷେତ୍ରରେ ତର୍କ ଓ ମାନସ ମନ୍ଥନ ସହିତ ବିଭିନ୍ନ ମତ ଓ ବିଚାରର ସଂଚାର ଲାଗି ଝରକା ଖୋଲିଯିବ। ଏହା ଜରୁରି ମଧ୍ୟ। କିନ୍ତୁ ପ୍ରଶ୍ନ ହେଲା ବିତର୍କର ସଂଦର୍ଭ କ’ଣ ହେବା ଉଚିତ? ବିକଶିତ ଓଡ଼ିଶା ଗଠନ ସକାଶେ ଅଧିକ ଜ୍ବଳନ୍ତ ଓ ଅଧିକ ଭାବଗମ୍ଭୀର ପ୍ରସଙ୍ଗଗୁଡ଼ିକ ଆଲୋଚନାର ପରିଧି ମଧ୍ୟକୁ ଆସନ୍ତୁ ବୋଲି ଆମେ ଆଶା କରୁ।
ଏଇ ଧରନ୍ତୁ ଯେମିତି ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଗୋଟିଏ ବଳକା ରାଜ୍ୟ ବୋଲି ସରକାରମାନେ ଦାବି କରିଆସୁଛନ୍ତି। ପୂର୍ବ ସରକାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇ ସାରିଛନ୍ତି ଯେ ଓଡ଼ିଶାରେ କେହି ଜଣେ ହେଲେ କ୍ଷୁଧା ବା ଅନାହାରରେ ପ୍ରାଣ ହରାଉନାହାନ୍ତି। ଯଦି ଏସବୁ ସତ୍ୟ, ତେବେ ଦାରିଦ୍ର୍ୟ କବଳରୁ ଓଡ଼ିଶା ମୁକ୍ତ ହୋଇପାରୁନାହିଁ କାହିଁକି? ଏ ପ୍ରଶ୍ନ ଆଜି ବିତର୍କ ପାଇଁ ଅପେକ୍ଷା କରିଛି।
ସମସ୍ତେ ଜାଣିରଖିବା ଦରକାର ଯେ ଦାରିଦ୍ର୍ୟ ବା ଗରିବୀ ମାପିବାର ଫର୍ମୁଲା ଇତିମଧ୍ୟରେ ବଦଳିଯାଇଛି। ‘ନିତି’ ଆୟୋଗ ଭାଷାରେ ଦାରିଦ୍ର୍ୟର ଅର୍ଥ ଏବେ କ୍ଷୁଧା, ଭୋକ ବା ଅନାହାର ନୁହେଁ। ବରଂ ଦାରିଦ୍ର୍ୟ ହେଉଛି ଶିକ୍ଷା, ସ୍ବାସ୍ଥ୍ୟ ଭଳି ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକର ଅଭାବ। ପୁଷ୍ଟିହୀନତା, ଶିଶୁ-କିଶୋର ମୃତ୍ୟୁ, ମାତୃ ସ୍ବାସ୍ଥ୍ୟ, ଶିକ୍ଷାର ପ୍ରଭାବ, ବିଦ୍ୟାଳୟରେ ଉପସ୍ଥାନ, ନିରାପଦ ଇନ୍ଧନ ବ୍ୟବହାର, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଛାତ ଘର, ସଂପତ୍ତି ମାଲିକାନା (ଘରେ ରେଡିଓ, ଟିଭି, କମ୍ପ୍ୟୁଟର, ସାଇକେଲ୍, ମୋଟର ସାଇକେଲ୍, ରେଫ୍ରିଜିରେଟର୍, କାର୍ ଆଦି ଯାନ ଅଛି କି ନାହିଁ) ଏବଂ ସର୍ବୋପରି ବ୍ୟାଙ୍କ ବା ପୋଷ୍ଟ ଅଫିସ ଜମା ଖାତା ଇତ୍ୟାଦିକୁ ଦାରିଦ୍ର୍ୟ ମାପିବା ଲାଗି ଗୋଟିଏ ଗୋଟିଏ ମାନକ ଭାବେ ବ୍ୟବହାର କରାଯାଉଛି। ୨୦୧୯-୨୧ ଆକଳନ ଅନୁସାରେ, ରାଜ୍ୟରେ ଏବେ ପ୍ରତି ଶହେ ଜଣରେ ୧୬ ଜଣ (୧୫.୬୮%) ଏଭଳି ବହୁମୁଖୀ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଆହୁରି ସରଳ ଭାବେ କହିଲେ, ଆମ ଭିତରୁ ପ୍ରତି ଛଅ ଜଣରେ ଜଣେ ଏବେ ଗରିବ। ୨୫ ବର୍ଷ ତଳର ପରିସଂଖ୍ୟାନ ଓ ଏବେର ତଥ୍ୟରେ ମେଳକ କଲେ, ଯେ କେହି କହିପାରନ୍ତି ଯେ ଓଡ଼ିଶାରେ ଦାରିଦ୍ର୍ୟ ହାର ଆଖି ଖୋସିବା ଭଳି କମିଛି।
ହେଲେ ଏ ପରିସଂଖ୍ୟାନକୁ ବିଶ୍ବାସ କରିବା କେମିତି?
ରାଜ୍ୟର ପାଖାପାଖି ୩ କୋଟିରୁ ଅଧିକ ଲୋକଙ୍କର ନାମ ସରକାରଙ୍କ ହାତ ଟେକା ଟଙ୍କିକିଆ ଚାଉଳ ତାଲିକାରେ ରହିଛି। ଆଉ ୧୦ ଲକ୍ଷ ଲୋକ ରାସନ୍ କାର୍ଡ ପାଇଁ ଅପେକ୍ଷାରେ ଥିବା କଥା ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ଅର୍ଥାତ୍ ‘ନିତି’ ଆୟୋଗର ରିପୋର୍ଟ ମିଛ ନା ଆମ ଭିତରୁ ଅନେକ ମିଥ୍ୟା ତଥ୍ୟର ଆଶ୍ରୟ ନେଇ ନିଜକୁ ଗରିବ ବୋଲି ଦାବି କରୁଛନ୍ତି ଏବଂ ସରକାରୀ ରାଜକୋଷ ଉପରେ ବୋଝ ସାଜିଛନ୍ତି?
ଠିକ୍ ସେହିଭଳି ପୂର୍ବ ସରକାର ଦୁଇ ଦଶନ୍ଧି ଧରି ମହିଳା ସଶକ୍ତୀକରଣ ବାନା ଉଡ଼ାଇଲେ। ପାଣି ଭଳି ଟଙ୍କା ଉଡ଼ିଲା। ତତ୍କାଳୀନ ସରକାରଙ୍କ କଥା ଅନୁସାରେ ଯଦି ମହିଳା ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇଛନ୍ତି, ତେବେ ନୂଆ ସରକାରଙ୍କ ‘ସୁଭଦ୍ରା’ ଯୋଜନା କାହାପାଇଁ? ଏହି ସହାୟତା ପାଇବା ପାଇଁ ଏତେ ଭିଡ଼ ବା ଚାପ କାହିଁକି?
ଅତଏବ ରାଜନେତା, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଏବେ ରେଭେନ୍ସା ନାମ ପରିବର୍ତ୍ତନ ନୁହେଁ ବରଂ ଏ ପ୍ରସଙ୍ଗ ଆଲୋଚନା କରନ୍ତୁ ଯେ ଅର୍ଧାହାର ଓ ଅପପୁଷ୍ଟି କବଳରୁ ରାଜ୍ୟକୁ କିଭଳି ରକ୍ଷା କରାଯାଇପାରିବ? କାରଣ, ଗର୍ଭବତୀ ମହିଳାର ଆବଶ୍ୟକ ଯତ୍ନ ନିଆ ନଯିବା ଅର୍ଥ ତା’ର ସନ୍ତାନ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ମୋଦୀଙ୍କ ପୂର୍ବୋଦୋୟ ବିକାଶ ସ୍ବପ୍ନ ବି ନିଷ୍ଫଳ ଯାଇପାରେ। ମୋହନ ସରକାରଙ୍କ ବିକଶିତ ଓଡ଼ିଶାର ସ୍ବପ୍ନ ଅଧପନ୍ତରିଆ ରହିବ ହିଁ ରହିବ।
ଏଭଳି ଭୟ ଅମୂଳକ ନୁହେଁ। କାରଣ ଆଞ୍ଚଳିକ ବୈଷମ୍ୟ ବଢ଼ି ବଢ଼ି ଚାଲିଛି। ବିକାଶର ସୁଷମ ବଣ୍ଟନ ହୋଇପାରୁନାହିଁ। ଉଦାହରଣ ଦେଲେ ସେ ତାଲିକା ଲମ୍ବୁଥିବ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାର ପଶ୍ଚିମ ଭାଗରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ ନେଇ ଆନ୍ଦୋଳନ ଚାଲିଛି। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା କଥାଟି ବି ସେମିତି ଦୀର୍ଘ ଦିନର। ଭାଷଣ ଦେବାରେ ମାହିର ଆମ ନେତାମାନେ କଥା କଥାରେ ଓଡ଼ିଶାର ପ୍ରାଚୀନ ବାଣିଜ୍ୟିକ ପରମ୍ପରା ଓ ଜାଭା, ସୁମାତ୍ରାରେ ବେପାର ସଂପର୍କରେ ଉଦାହରଣ ଦେଉଛନ୍ତି। ହେଲେ କେଉଁ କାରଣ ପାଇଁ ଓଡ଼ିଶା ଆଜି ପଛରେ, ସେ ସଂକ୍ରାନ୍ତରେ ଗୋଟିଏ ଅନାସକ୍ତ ଆଲୋଚନା କରିବା ଲାଗି କୁନ୍ଥକୁନ୍ଥ। ଏଭଳି ଗୋଟିଏ ରିପୋର୍ଟ ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତୁତ କରି ଟେବୁଲ୍ ଉପରେ ରଖିଲେଣି କି?
ଜଳଜଳ ହୋଇ ଦିଶୁଛି ଯେ ଖଣିଖାଦାନରେ ଭର୍ତ୍ତି ଥିବା ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲାରେ ଗୋଟିଏ ବଡ଼ ଭାଗର ଲୋକ ପେଟକୁ ଦାନା ଟିକକ ପାଇଁ ଯୁଝୁଛନ୍ତି। ଏହାର ଅର୍ଥ ହେଲା, ଜିଲ୍ଲାର ଅର୍ଥନୈତିକ କାର୍ଯ୍ୟକଳାପର ଲାଭ ସେମାନଙ୍କ ଯାଏ ପହଞ୍ଚୁନାହିଁ। ଏଥିରେ କେଉଁମାନେ ବାଧକ ସାଜିଛନ୍ତି ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ନିକଟରେ ନିଜେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପରିସଂଖ୍ୟାନ ରଖି କହିଛନ୍ତି ଯେ ଭିଜିଲାନ୍ସ ଧରପଗଡ଼ରେ ୮୦ ଦିନରେ ୫୦ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି। ଏହାର ମୂଳ ଉତ୍ସ ଖୋଜିବାକୁ ସରକାର ଚାହୁଁନାହାନ୍ତି କାହିଁକି? ସରକାର ବଦଳି ଥାଇପାରେ; ହେଲେ ଏଭଳି କରିତ୍କର୍ମାଙ୍କ ପଛରେ ଥିବା ‘ଗଡ୍ ଫାଦର’ମାନେ ଆଜି ମଧ୍ୟ କ୍ଷମତା ଅଳିନ୍ଦରେ ନିର୍ଭୟରେ ବୁଲୁଛନ୍ତି। ଭ୍ରଷ୍ଟାଚାରୀ ଯଦି ବ୍ୟବସ୍ଥାକୁ ଏଭଳି କୋରି ଖାଆନ୍ତି, ତେବେ ରାଜ୍ୟରେ ହାତଗଣତି କେତେଜଣ ପୁଞ୍ଜିପତି ହେବେ ଓ ଓଡ଼ିଶାର ଅବଶିଷ୍ଟ ଲୋକଙ୍କ ନାମ ଗରିବ ତାଲିକାରେ ଗଡୁଥିବ। ଏ ପରିପ୍ରେକ୍ଷୀରେ ସରକାରଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ନେଇ ସନ୍ଦେହ ସୃଷ୍ଟି ହେବ ନା ନାହିଁ?
ଓଡ଼ିଶାରେ ଜମି ମହଙ୍ଗା ନୁହେଁ। ମାନବ ସମ୍ବଳ କମ୍ ନାହିଁ। ବିସ୍ତୀର୍ଣ୍ଣ ଉପକୂଳ, ମାଳମାଳ ନଦୀ, ଜଙ୍ଗଲ ସଂପଦରେ ରାଜ୍ୟ ପରିପୂର୍ଣ୍ଣ। ଅଥଚ ୩୫% ଜମିକୁ ଜଳସେଚନ ବାବଦରେ ଆଲୋଚନାଟି ଆଜିକୁ ୧୮ ବର୍ଷ ଧରି ଚାଲିଛି। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ବଳକା ବୋଲି ଢେର୍ ଦିନ ଧରି ପୂର୍ବ ସରକାର ଦାବି କରି ଆସୁଥିଲେ। ନୂଆ ସରକାର ମଧ୍ୟ ଏହାକୁ ଅସ୍ବୀକାର କରିନାହାନ୍ତି। ହେଲେ ରାଜ୍ୟର ଅଧାରୁ ଅଧିକ ଲୋକଙ୍କ ଘରେ ଦିନରେ ଅଧା ସମୟ ବିଜୁଳି ରହେ ନାହିଁ। ସନ୍ଧ୍ୟାରେ ମିଞ୍ଜିମିଞ୍ଜି ହୋଇ ଆଲୁଅ ଜଳେ। ସବୁଠୁ ବଡ଼ କଥା ହେଲା, ଓଡ଼ିଶାର ଉପଭୋକ୍ତାଙ୍କ ପାଇଁ ବିଜୁଳି ମହଙ୍ଗା। ଏ ପ୍ରସଙ୍ଗରେ କେବେ ବିତର୍କ ହେବ ଓ କିଏ କରିବ?
ରାଜ୍ୟରେ ଥିବା ୪୨ଟି ବିଭାଗ ଅଧୀନରେ ୫ ଲକ୍ଷ ୯୬ ହଜାର ୬୪୭ କର୍ମଚାରୀ ରହିବା କଥା। ଏତିକି ସଂଖ୍ୟକ ପଦକୁ ସରକାର ଅନୁମୋଦନ ଦେଇଛନ୍ତି। ହେଲେ ୨ ଲକ୍ଷ ୫ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅଥଚ ଯୁବଶକ୍ତି ବାଟବଣା। ଓଡ଼ିଶାର ଶିକ୍ଷିତ ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଛି। ବୃହତ୍ ଶିଳ୍ପ କଥା ଦୂରେ ଥାଉ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପ୍ରଗତି ବୟାନ କରୁଛି ଯେ ସରକାରଙ୍କ କଥା ଓ କାମ ଭିତରେ ଯୋଜନଯୋଜନ ଦୂରତା ରହିଛି। ତେରଟି ବନ୍ଦର ପ୍ରତିଷ୍ଠା ପ୍ରତିଶ୍ରୁତି ସ୍ବପ୍ନରେ। କୃଷି କ୍ଷେତ୍ରରେ ସ୍ଥିତି ତଦ୍ରୂପ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମାରେ ଗା଼ଡ଼ି ଅଟକାଇଦେଲେ ଓଡ଼ିଶା ବଜାର ଓ ହାଣ୍ଡିଶାଳରେ କମ୍ପନ ସୃଷ୍ଟି ହେଉଛି। ଆନ୍ଧ୍ର, ମହାରାଷ୍ଟ୍ର ଆଦି ସରକାର ଯଦି କଠୋର ହେବେ, ସେବେ ସ୍ଥିତି କ’ଣ ହେବ? ଏ ନେଇ ଓଡ଼ିଶା ବିତର୍କ ଅପେକ୍ଷା କରୁଛି।
ସରକାର ଗୋଟିଏ ନିୟମିତ ଓ ନିରନ୍ତର ପ୍ରକ୍ରିୟା। ନେତୃତ୍ବ ବଦଳିଲେ, ଶାସନ କରିବାର ପଦ୍ଧତି ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେବା ସ୍ବାଭାବିକ; କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଥିଲେ, ଗୋଟିଏ ନିଷ୍ପତ୍ତି ବି ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ। ସେଥିପାଇଁ ନେତୃତ୍ବ ଚିରାଚରିତ ଧାରା ଓ ଦଳୀୟ ଆଦର୍ଶରୁ ଉପରକୁ ଉଠିବା ଉଚିତ। ନାମ ପରିବର୍ତ୍ତନ ବଦଳରେ ଶାସନର ସ୍ବରୂପରେ ପରିବର୍ତ୍ତନ ପାଇଁ ପ୍ରୟାସ କରନ୍ତୁ। ସେଥିପାଇଁ ଖୋଲା ବିତର୍କ ସମ୍ମାନ ପାଉ। ବିତର୍କର ବିଷୟବସ୍ତୁ ମଧ୍ୟ ମହତ୍ତ୍ବପୂର୍ଣ୍ଣ। ହଁ, ଯଦି ବିତର୍କ ଆରମ୍ଭ ହେବ, ତେବେ, ‘ବିତର୍କର ମନ୍ଦିର’ (ବିଧାନସଭା ଓ ଲୋକସଭା)ରେ ଲୋକପ୍ରତିନିଧିଙ୍କ ଭୂମିକାକୁ ନେଇ ପ୍ରଥମ ବିତର୍କ ଆରମ୍ଭ ହେଉ।
ମୋ: ୯୯୩୭୪୭୪୨୭୪