୧୯୩୬ ମସିହା ଏପ୍ରିଲ୍ ପହିଲାରେ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଥିଲା। ଓଡ଼ିଶାକୁ ଆଜିଠାରୁ ୮୮ ପୂରି ୮୯ ବର୍ଷ ଚାଲିଲା। ଏହି ବୟସରେ ପଦାର୍ପଣ କରିଥିବା ଯେ କୌଣସି ସକ୍ରିୟ ବ୍ୟକ୍ତି ବା ରାଷ୍ଟ୍ର ତା’ର ପରିପକ୍ବତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ। ଆମ ପରମ୍ପରାରେ ପିଲାମାନଙ୍କର ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ବୃଦ୍ଧ କାଳରେ ଜନ୍ମଦିନ ପାଳନର ଗୁରୁତ୍ବ ଆଉ କିଛି କାରଣରୁ ସ୍ବତନ୍ତ୍ର ବୋଲି କୁହାଯାଇପାରେ। ଏଇଥିପାଇଁ ଯେ ଜଣେ ବୟସ୍କ ବ୍ୟକ୍ତିର ଜନ୍ମଦିନ ତା’ର ଅସ୍ତିତ୍ବର ପରିପ୍ରକାଶ କରିଥାଏ। ଏହା ତା’ର ଅତୀତ ଓ ସାମର୍ଥ୍ୟର ସ୍ମୃତି ରୋମନ୍ଥନ ଲାଗି ସୁଯୋଗ ସୃଷ୍ଟି କରେ ଏବଂ ଅବଶିଷ୍ଟ ସମୟ ଲାଗି ଆତ୍ମସମୀକ୍ଷାର ଅବକାଶ ପ୍ରଦାନ କରେ।

Advertisment

ଏଣୁ ଆଜି ଓଡ଼ିଶାର ଜନ୍ମଦିନ ଅର୍ଥାତ୍ ଉତ୍କଳ ଦିବସକୁ ସମସ୍ତେ ଧୁମଧାମରେ ପାଳନ କରିବା ଉଚିତ। ଏହି ଆଳରେ ଅନ୍ତତଃ ରାଜ୍ୟର ସମୃଦ୍ଧ ଓ ଗୌରବମୟ ପରମ୍ପରା, ଏବଂ ତତ୍କାଳୀନ ନେତୃତ୍ବର ସ୍ମୃତିଚାରଣ ହେବ। ତା’ ସହିତ ବୀର ଓଡ଼ିଆ ଜାତିର ସାହସ ଓ ତ୍ୟାଗ ସଂପର୍କରେ ଆଲୋଚନା ହୋଇପାରିବ।
ଅସଲରେ ଯେଉଁ କଥାଟି ଏହି ଆଲେଖ୍ୟ ମାଧ୍ୟମରେ ଉତ୍‌ଥାପନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରୁଛୁ, ତାହା ହେଲା- ଜନ୍ମଦିନ ପାଳନ ଅବସରରେ ପ୍ରତିଟି ସଚେତନ ଓ ଶିକ୍ଷିତ ଓଡ଼ିଆ ଆଜି ଆତ୍ମଚିନ୍ତନ କରିବାର ସମୟ ଉପନୀତ। ସମସ୍ତେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ଯେଉଁ ଅସ୍ମିତା ଓ ସମ୍ମାନର ମୁକୁଟ ଏ ଜାତିର ମସ୍ତକରେ ଶୋଭା ପାଇଥିଲା ବୋଲି ଆଜି ସମସ୍ତେ କହୁଛନ୍ତି, ତାହାର ସ୍ଥିତି କ’ଣ? ଏ ଜାତିର ସାହାସ, ସ୍ବାଭିମାନ କୁଆଡ଼େ ଗଲା? ଓଡ଼ିଆଙ୍କ ସ୍ବରରେ ଆଜି କାହିଁକି ଆଉ ଦାମ୍ଭୀକତା ପ୍ରତିଧ୍ବନିତ ହେଉନାହିଁ? ଏଥିପାଇଁ ନେତୃତ୍ବ ଦାୟୀ ନା ଆମେ ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କର କିଛି ଭୁଲ୍‌ ରହିଛି? କାହିଁକି ସମସ୍ତଙ୍କ ଆଖିରେ ଡର ଜଳଜଳ ହୋଇ ଦିଶୁଛି?

ସାରା ରାଜ୍ୟରେ ଆଜି ଯେତେବେଳେ ଆମେ ଉତ୍କଳ ଦିବସ ପାଳନ କରୁଛେ, ଠିକ୍ ସେହି ସମୟରେ ଓଡ଼ିଶା ପ୍ରଦେଶକୁ ଆସନ୍ତା ପାଞ୍ଚବର୍ଷ ଲାଗି କିଏ ଶାସନ କରିବ, ସେଥିପାଇଁ ପ୍ରତିନିଧି ଚୟନ ପ୍ରକ୍ରିୟା ଜାରି ରହିଛି। ପୂରା ରାଜ୍ୟ ଏବେ ନିର୍ବାଚନମନସ୍କ। ଏଣୁ ସମ୍ଭବତଃ ଏହା ହିଁ ଠିକଣା ବେଳ, ଯେତେବେଳେ ଆମ ସାମ୍ନାରେ ଥିବା ସବୁ ପ୍ରଶ୍ନ, ରାଜ୍ୟର ମୁଖ୍ୟ ପ୍ରସଙ୍ଗ ଏବଂ ନେତୃତ୍ବର ଭୂମିକା ତଥା ରାଜ୍ୟ କେଉଁଠୁ ଆସି କେଉଁଠି ପହଞ୍ଚିଛି ସେ ସଂପର୍କରେ ଗୋଟିଏ ଅନାସକ୍ତ ଆଲୋଚନା କରାଯିବା ଆବଶ୍ୟକ। ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁସୂଦନ ଦାସଙ୍କ ଭଳି ଜାତିପ୍ରୀତି ଆଜି ଦୁଷ୍ପ୍ରାପ୍ୟ। ଗୋପବନ୍ଧୁ ଦାସଙ୍କ ଭଳି ତ୍ୟାଗ ରାଜ୍ୟର ନେତୃତ୍ବ ବା ତଥାକଥିତ ସମାଜସେବୀ ଓ ବୁଦ୍ଧିଜୀବୀଙ୍କ ପାଖରେ ନିଅଣ୍ଟ। ବ୍ୟବସ୍ଥାକୁ ନିରେଖି ଦେଖିଲେ ଆହୁରି ସହଜରେ ବୁଝିହେଉଛି, ଜନସେବାର ପରିଭାଷା ଇତିମଧ୍ୟରେ ବଦଳିଯାଇଛି। କର୍ମଚାରୀଙ୍କ ଭଳି ଦରମା ଓ ଭତ୍ତା ପାଉଥିବା ନେତୃତ୍ବ ଲୋକସେବାର ମଙ୍ଗ ଧରିଛନ୍ତି। କ୍ଷମତା ରାଜନୀତି ମୋହରେ ବିଭୋର ଥିବା କାରଣରୁ ଯେ କୌଣସି ମୂଲ୍ୟ ବିନିୟମରେ ଗଣତନ୍ତ୍ରର ମନ୍ଦିରକୁ ପ୍ରବେଶ ଚିନ୍ତା ଏବେ ସେମାନଙ୍କୁ ଘାରିଛି। ସବୁ ଅନୀତିକୁ ନୀତି କରିବା ପ୍ରକ୍ରିୟାରେ ପ୍ରଶାସନକୁ ଭାଗୀଦାର କରୁଥିବା କାରଣରୁ କାର୍ଯ୍ୟପାଳିକା ମୁହଁ ପାଇ ଧୀରେ ଧୀରେ ବ୍ୟବସ୍ଥାପିକାକୁ ସଙ୍କୁଚିତ କରିବା ଆରମ୍ଭ କଲେଣି ଏବଂ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ଲଢ଼େଇ ବି ଗୋଟିଏ ସାଧାରଣ ପ୍ରସଙ୍ଗ ହୋଇଗଲାଣି। ଉଭୟଙ୍କ ଚାପରେ ରାଜନୈତିକ ନେତୃତ୍ବ ବା ଲୋକ ପ୍ରତିନିଧି ଅଣନିଶ୍ବାସୀ। ଏଣୁ ଯେ କୌଣସି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଛି ଏବଂ ରାଜନୈତିକ ଅଧିକାର ହାସଲ କ୍ଷେତ୍ରରେ ମଧ୍ୟ ନେତୃତ୍ବର ସ୍ବରରେ ସେଭଳି ପ୍ରତିବଦ୍ଧତା ବା ଦୃଢ଼ତା ଆଉ ନାହିଁ। ସୁତରାଂ ମାଟି, ମାଆ ଓ ମାତୃଭାଷା ପ୍ରତି ବିପଦ ଘୋଟି ଆସିଲାଣି।

ଯେ କୌଣସି ରାଷ୍ଟ୍ର ପାଇଁ ତା’ର ଭୂଖଣ୍ଡର ସୁରକ୍ଷା ସବୁଠାରୁ ଅଧିକ ମହତ୍ତ୍ବ ରଖେ। କାରଣ ଏହା ସହିତ ତା’ର ପରିଚୟ ଯୋଡ଼ି ହୋଇରହିଛି। ହେଲେ ଉଦ୍‌ବେଗର ବିଷୟ ହେଲା ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ପଡ଼ୋଶୀ ରାଜ୍ୟ ସହ ୯୬ଟି ଗାଁର ଅଧିକାରକୁ ନେଇ ଓଡ଼ିଶାର ବିବାଦ ଏଯାଏ ତୁଟିପାରିନାହିଁ। କୋଟିଆ କାହାର? ଏ ଦ୍ବନ୍ଦ୍ବ ସ୍ବାଧୀନତାର ସାତ ଦଶନ୍ଧି ପରେ ଦୂର ହୋଇପାରିନାହିଁ। ଏହା ଗୋଟିଏ ସାମାନ୍ୟ କଥା ନୁହେଁ। ନେତୃତ୍ବର ସ୍ବର ଏତେ ଦୁର୍ବଳ ଯେ ଅବଶିଷ୍ଟ ଭାରତ ଓଡ଼ିଶାର ଏହି ଦାବି ସଂପର୍କରେ ସଚେତନ କି ନା, ତାହା ଜାଣିବା କଷ୍ଟ। ରାଜ୍ୟ ସ୍ବାର୍ଥ ସୁରକ୍ଷାର ଦ୍ବାହି ଦେଇ ରାଜନୈତିକ ଦଳ ଅନେକ ପ୍ରସଙ୍ଗରେ ବୁଝାମଣା କରିଛନ୍ତି। ହେଲେ ଓଡ଼ିଶାର ଭୂଖଣ୍ଡର ସୁରକ୍ଷା ସେଥିରେ ସ୍ଥାନ ପାଇପାରିନାହିଁ। ଅଦାଲତର କାଠଗଡ଼ା ଭିତରେ ସୀମା ବିବାଦକୁ ଫିଙ୍ଗି ଦେଇ ଉଭୟ ଶାସକ ଓ ବିରୋଧୀ ଦଳ ନିଶ୍ଚିନ୍ତ ଅଛନ୍ତି। ସରକାରୀ କାର୍ଯ୍ୟାଳୟ ତଥା ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାରକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି ସତ, ହେଲେ ଆମ ମାତୃଭାଷା ସୁରକ୍ଷିତ ନୁହେଁ। ନାମଫଳକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ଆଇନ ପ୍ରଣୟନ କରାଯାଇଛି। ହେଲେ ଲୋକସେବା ଭବନ ଠାରୁ ଆରମ୍ଭ କରି ରାଜଧାନୀ, ସବୁ ଜିଲ୍ଲା ମୁଖ୍ୟାଳୟରେ ଏହାର ଉଲ୍ଲଂଘନ ଦେଖାଯାଉଛି। ନିକଟରେ ରାଜ୍ୟ ସରକାର ବିଶ୍ବ ଭାଷା ସମ୍ମିଳନୀ କରି ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଓଡ଼ିଆ ଭାଷା ସୀମାନ୍ତ ଜିଲ୍ଲାରେ ବଞ୍ଚିବାକୁ ସଂଘର୍ଷ କରୁଛି। ବିଚ୍ଛିନ୍ନାଞ୍ଚଳ କଥା ନ କହିବା ଭଲ।

ଅଧା ଜନସଂଖ୍ୟାର ଭାଗୀଦାରି ବିନା କୌଣସି ରାଷ୍ଟ୍ର ନିଜକୁ ବିକଶିତ ବୋଲି ଦାବି କରିପାରିବ ନାହିଁ। ଅତଏବ ମହିଳାମାନଙ୍କ ବିକାଶ, ସାମାଜିକ ନିରାପତ୍ତା, ଆର୍ଥିକ ସ୍ୱାବଲମ୍ବନ, ରାଜନୈତିକ ସ୍ୱୀକୃତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ଗୋଟିଏ ପଟେ ସରକାର ୮୦ ଲକ୍ଷ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତ କରୁଥିବା ବେଳେ ଅନ୍ୟପଟରେ ମହିଳାଙ୍କ ପ୍ରତି ଅପରାଧ ବି ବଢ଼ିଚାଲିଛି। ପିପିଲି ଅର୍ଜୁନଗୋଦାର ବେବିନା ମୃତ୍ୟୁ ଠାରୁ ଆରମ୍ଭ କରି ବ୍ରହ୍ମଗିରିର ଆୟୁର୍ବେଦ ଡାକ୍ତର ମାଧବୀଲତା, ବଲାଙ୍ଗୀରର ମମିତା ମେହେର, ଯାଜପୁରର ସ୍ମିତାରାଣୀ, ରାୟଗଡ଼ା ଟିକିରିର ଇତିଶ୍ରୀ, କୋରାପୁଟର କୁନ୍ଦୁଲି ମୃତ୍ୟୁ ଘଟଣା ଆମ ରାଜ୍ୟକୁ ଢେର୍ ବଦନାମ କରିଛି। ସେହିପରି ଆରକ୍ଷଣ ପରେ ବି ଜଣେ ଶିକ୍ଷିତ ମହିଳାଙ୍କର ଯେବେ ରାଜନୈତିକ ଅଧିକାରକୁ ହଡ଼ପ ଲାଗି ଷଡ୍‌ଯନ୍ତ୍ର ହେଉଛି, ସେ କ୍ଷେତ୍ରରେ ସମସ୍ତେ ନିରବ ଦର୍ଶକ ପାଲଟିବା କୌଣସି ସଭ୍ୟ ସମାଜ ପାଇଁ ସ୍ପୃହଣୀୟ ନୁହେଁ। ମହିଳାଙ୍କ କୁପୋଷଣ, କନ୍ୟା ଭ୍ରୂଣ ହତ୍ୟା ଏବଂ ଲିଙ୍ଗଗତ ବୈଷମ୍ୟତା ରାଜ୍ୟର ଅନ୍ୟ ସବୁ ସଫଳତାକୁ ଫିକା କରିଦେଉଛି।

ସେହିପରି ଓଡ଼ିଆଙ୍କ ସ୍ବର ଓଡ଼ିଶା ବାହାରେ ନିଷ୍ପ୍ରଭ ହେବାରେ ଲାଗିଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟକୁ ନ୍ୟାୟ ମିଳିପାରିଲା ନାହିଁ। ରାଜ୍ୟର ୧୬ଟି ଜିଲ୍ଲାର ଲୋକଙ୍କ ଭାଗ୍ୟ ସହିତ ଖେଳ ଚାଲିଛି। ଅଥଚ ନେତୃତ୍ବର ସ୍ବର ଏ ନେଇ ଅତ୍ୟନ୍ତ କ୍ଷୀଣ। ସୀମା ବିବାଦ ଭଳି ଏ ପ୍ରସଙ୍ଗକୁ ମଧ୍ୟ ନ୍ୟାୟିକ ବ୍ୟବସ୍ଥା ଉପରେ ଛାଡ଼ିଦେଇ ସମସ୍ତେ ଲାହିରେ ତେଲ ଦେଇ ଶୋଇଯାଇଛନ୍ତି। ବିଶେଷଜ୍ଞମାନେ ସତର୍କ କରାଇଦେଲେଣି ଯେ ଖୁବ୍ ଶୀଘ୍ର ଓଡ଼ିଶା ଭୀଷଣ ଜଳସଙ୍କଟ ଭିତରକୁ ଠେଲି ହୋଇଯିବ ଏବଂ ଜୀବଜନ୍ତୁ ଠାରୁ ଆରମ୍ଭ କରି ଜୈବବିବିଧତା ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ ହେବ। ଏକଥା ଜାଣି ବି ସମସ୍ତେ ନିରବ।
ଓଡ଼ିଶାର ଅସ୍ମିତା ସହିତ ଯୋଡ଼ି ହୋଇଥିବା ଅନ୍ୟ ସମ୍ବେଦନଶୀଳ ପ୍ରସଙ୍ଗଟି ହେଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଆ ବିଚାରପତି ନିଯୁକ୍ତି। ସଂପ୍ରତି ଗୋଟିଏ ଗୋଟିଏ ରାଜ୍ୟରୁ ଏକାଧିକ ବିଚାରପତି ସୁପ୍ରିମ୍‌ କୋର୍ଟରେ ଅଛନ୍ତି। ଅଥଚ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଦୀପକ ମିଶ୍ର ଅବସର ନେବା ପରଠାରୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆଉ କେହି ଜଣେ ବି ଓଡ଼ିଆ ବିଚାରପତି ଉନ୍ନୀତ ହୋଇପାରୁନାହାନ୍ତି। ଏକଥା ସତ ଯେ ପ୍ରତି ରାଜ୍ୟରୁ ନିଶ୍ଚିତ ଜଣେ ବିଚାରପତି ରହିବେ, ସେଭଳି କିଛି ଠୋସ୍ ନିୟମ ନାହିଁ। ବିଚାରପତି ନିଯୁକ୍ତିର ଗୋଟିଏ ବ୍ୟବସ୍ଥା ରହିଛି। କିନ୍ତୁ ପ୍ରତି ରାଜ୍ୟର ଉପସ୍ଥିତି ଅତ୍ୟନ୍ତ ପ୍ରାସଙ୍ଗିକ। ଏହାଦ୍ବାରା ସେସବୁ ରାଜ୍ୟର ହାଇକୋର୍ଟ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟି ରହିବ ଏବଂ ସାଧାରଣ ଲୋକଟିଏ ତା’ର ନିଜ ଭାଷାରେ ପୋଷ୍ଟକାର୍ଡଟିଏ ଲେଖିଲେ ବି ତାକୁ ନ୍ୟାୟ ମିଳିବାର ରାସ୍ତା ସୁଗମ ହୋଇପାରିବ। ଏଣୁ ଓଡ଼ିଆ ବିଚାରପତି ସୁପ୍ରିମ୍‌ କୋର୍ଟରେ ନିଯୁକ୍ତି ନ ପାଇବା ଦୁଇଟି ଭିନ୍ନ ସଙ୍କେତ ଦେଉଛି। ବାସ୍ତବରେ ଦକ୍ଷତା ଓ ଅଭିଜ୍ଞତାରେ ଓଡ଼ିଆ ପଛରେ ନା ଓଡ଼ିଶାର ଦୁର୍ବଳ ସ୍ବରକୁ ଏଥିପାଇଁ ଦାୟୀ? କୌତୂହଳର କଥା ହେଲା, ନା ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସ୍ବର ଉଠାଉଛନ୍ତି ନା ଓଡ଼ିଶାର ମନ୍ତ୍ରୀମାନଙ୍କର ମୁହଁ ଖୋଲୁଛି। ରାଜ୍ୟ ଭିତରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିତର୍କ ହେଉନାହିଁ।

ଆମେ ସମସ୍ତେ ଜାଣୁ ଯେ ‘ନିର୍ବାଚନ’କୁ ଗଣତନ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଭାବେ ବିବେଚନା କରାଯାଏ। ଗୋଟିଏ ପରିପକ୍ବ ଗଣତନ୍ତ୍ରର ହଲ୍‌ମାର୍କ ହେଉଛି, ଦଳମତରୁ ଊର୍ଦ୍ଧ୍ବକୁ ଯାଇ ନିର୍ବାଚିତ ସରକାର ଲୋକଙ୍କ ପାଇଁ କାମ କରିବା। ଆଜି କିନ୍ତୁ ରାଜନୈତିକ ଦଳମାନଙ୍କୁ ନିର୍ବାଚନୀ ଅତ୍ୟୁତ୍ସାହ ଓ କ୍ଷମତା ଆହରଣର ନିଶା ଘାରିଛି। ତେଣୁ ନେତାମାନେ ଜଣେ ଜଣେ ଅଭିନେତା ପାଲଟିଯାଇଛନ୍ତି ଏବଂ ରାଜ୍ୟର ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ଅପେକ୍ଷା ବ୍ୟକ୍ତି ସ୍ବାର୍ଥ ବା ଭୋଟର୍‌ ତୁଷ୍ଟୀକରଣ ସରକାରର ପ୍ରାଥମିକତା ପାଲଟିଛି। ଅବଶ୍ୟ ଏସବୁ ସରକାରଙ୍କୁ ବାରମ୍ବାର କ୍ଷମତାସୀନ କରିପାରେ, କିନ୍ତୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିରେ ଏହା ସହାୟକ ହେବ ନାହିଁ।
ମୋ: ୯୯୩୭୪୭୪୨୭୪