ନିର୍ମାଣ କ୍ଷେତ୍ରରେ ଚମକ, କିନ୍ତୁ…

ଦୃଷ୍ଟିପାତ

ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମୟରେ ଦେଶର ନିର୍ମାଣ ଉଦ୍ୟୋଗରେ ଲଗାତାର ଅଗ୍ରଗତି ପରିଲକ୍ଷିତ ହେଉଛି। ଏହାକୁ ପୁଷ୍ଟ କରିଛି ‘ଆଇଏଚ୍‍ଏସ୍ ମାର୍କିଟ୍ ଇଣ୍ଡିଆ’ ଦ୍ବାରା ପ୍ରସ୍ତୁତ ‘ପରଚେଜିଂ ମ୍ୟାନେଜର୍‌ସ ଇଣ୍ଡେକ୍‌ସ’ ବା ‘ପିଏମ୍ଆଇ’।

ଏଥିରୁ ଜଣାପଡ଼ିଛି ଯେ ଗତ ଜାନୁଆରି ମାସରେ ଦେଶର ନିର୍ମାଣ ଉଦ୍ୟୋଗ ‘ପିଏମ୍‍ଆଇ’ ସୂଚକାଙ୍କ ୫୫.୩ ଅଙ୍କ ଛୁଇଁଛି, ଯାହା ୨୦୧୨ ମସିହା ଫେବ୍ରୁଆରି ମାସ ପରେ ସର୍ବାଧିକ। ଏହି ସୂଚକାଙ୍କରେ ୫୦ରୁ ଅଧିକ ଅଙ୍କ ଅଭିବୃଦ୍ଧିକୁ ଦର୍ଶାଇଥାଏ। ସେହି ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ୩୦ ମାସରେ ଏହା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮ ନଭେମ୍ବର ପରଠାରୁ ରପ୍ତାନି ଚାହିଦା ବଢ଼ି ଚାଲିଥିବା ଦୃଷ୍ଟିରୁ ଶିଳ୍ପଗୁଡ଼ିକ ଉତ୍ପାଦନ ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି। ଏହି ଅବଧି ମଧ୍ୟରେ ଏସିଆ, ୟୁରୋପ ଓ ଉତ୍ତର ଆମେରିକା ଆଦି ମହାଦେଶର ନୂଆ ଗ୍ରାହକ ରାଷ୍ଟ୍ରଙ୍କୁ ଦେଶର ନିର୍ମାଣ ଶିଳ୍ପ କମ୍ପାନିମାନେ ଅଧିକରୁ ଅଧିକ ଉତ୍ପାଦ ବିକ୍ରି କରି ପାରିଛନ୍ତି। କିନ୍ତୁ ତଥାପି ଚୀନ ଭଳି ଦେଶ ସହିତ ତାଳ ଦେବା ଲାଗି ଆମ ଦେଶ ଅସମର୍ଥ।

ଏହା ସହିତ ଆଉ ଏକ ଅସଙ୍ଗତି ହେଲା ଆମ ଦେଶରେ ଏହି ଉତ୍ପା‌ଦର ଏକ ବିଶାଳ ବଜାର ଥିବା ସତ୍ତ୍ବେ ଆର୍ଥିକ ମାନ୍ଦାବସ୍ଥା ହେତୁ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି ଏବଂ ଏ ସବୁର ବିକ୍ରି ଆଶାନୁରୂପକ ହୋଇପାରୁନାହିଁ। ଏଣୁ ଅନେକ ନିର୍ମାଣ କଂପାନି (ଯାନବାହନ କ୍ଷେତ୍ରରେ) ସେମାନଙ୍କ ଉତ୍ପାଦନ ସାମୟିକ ଭାବେ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି। ନିର୍ମାଣ ଶିଳ୍ପରେ ଅଭିବୃଦ୍ଧି ସହିତ ତାଳ ଦେଇ ଭାରତୀୟଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଲେ ଦେଶର ଆର୍ଥିକ ବିକାଶ ଦ୍ରୁତତର ହେବ।

ସମ୍ବନ୍ଧିତ ଖବର