ବଜାର ହାଲଚାଲ, ଲାଖ ଗୃହରୁ ବର୍ତ୍ତିବାର ପଥ

ଓମ୍‌ ପ୍ରକାଶ ଜଗତି

ଅଳ୍ପ କିଛି ଦିନ ତଳେ ଭୁବନେଶ୍ବରରେ ରହୁଥିବା ବେରା ସାର‌୍‌ଙ୍କୁ ଫୋନ୍‌ କରି ‘ଲକ୍‌ଡାଉନ୍‌’ ସମୟ କିପରି କଟୁଛି ତାହା ଜାଣିବାକୁ ଚେଷ୍ଟା କରିଥିଲି। କେନ୍ଦ୍ରାପଡ଼ା କଲେଜରେ ପଢ଼ିଲା ବେଳେ ମୁଁ ସାର‌୍‌ଙ୍କ ଛାତ୍ର ଥିଲି। ସେବା ନିବୃତ୍ତି ପରେ ସାର‌୍‌ ଅବସର ସମୟରେ ସାଙ୍ଗସାଥୀଙ୍କ ସହିତ କ୍ୟାରମ, ବ୍ରିଜ୍‌ ଇତ୍ୟାଦି ଖେଳି ସମୟ କଟାଇଥାନ୍ତି। ନିୟମିତ ବ୍ୟବଧାନରେ ବିଦେଶରେ ରହୁଥିବା ପୁଅ, ଝିଅଙ୍କ ପାଖକୁ ବୁଲି ଯାଇଥାନ୍ତି। ଆଶଙ୍କା ଥିଲା ଯେ ‘ଲକ୍‌ଡାଉନ୍‌’ ବୋଧହୁଏ ତାଙ୍କ ଭିତରେ ବିରକ୍ତି ଭାବ ସୃଷ୍ଟି କରୁଥିବ। ସାର‌୍‌ ପ୍ରତ୍ୟୁତ୍ତରରେ କହିଥିଲେ ଯେ ସେ ଖୁବ୍‌ ଫୂର୍ତ୍ତି ଅଛନ୍ତି। ଗୀତ ଶୁଣିବା, ବଗିଚାକୁ ଆକର୍ଷଣୀୟ କରିବା, ଦୂରଦର୍ଶନରେ ପୁନଃ ପ୍ରସାରିତ ମହାଭାରତ, ଚାଣକ୍ୟ ଭଳି ଲୋକପ୍ରିୟ ସିରିଏଲ ଦେଖିବା ଇତ୍ୟାଦିରେ ସମୟ କଟିଯାଉଛି। ବେଳେ ବେଳେ ରନ୍ଧନ ବିଦ୍ୟାରେ ନିଜର ଦକ୍ଷତାକୁ ପରଖି ନେବାକୁ ଚେଷ୍ଟା କରୁଛନ୍ତି। କଥା ଛଳରେ ସାର‌୍‌ ପଚାରିଥିଲେ ଯେ କୋଭିଡ୍‌-୧୯ ଭାରତୀୟ ଅର୍ଥନୀତିକୁ କିଭଳି ପ୍ରଭାବିତ କରିବ? ଉତ୍ତରରେ ମୁଁ କହିଥିଲି ଯେ ମହାଭାରତରେ ପାଣ୍ତବମାନଙ୍କୁ ମୂଳପୋଛ କରିବା ପାଇଁ ପାଷାଣ୍ଡ ଶକୁନି ସର୍ଜନା କରିଥିବା ଲାଖଗୃହ ଭଳି କୋଭିଡ୍‌-୧୯ ଭାରତର ଅର୍ଥନୀତି ପାଇଁ ଚରମ ବିପଦ ସୃଷ୍ଟି କରିଛି।

ଯଦିଓ ଏ ଯାବତ୍‌ କୋଭିଡ୍‌-୧୯ ମହାମାରୀକୁ ରୋକିବାରେ ବିଶ୍ବର ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତ ଅଧିକ ପ୍ରଭାବଶାଳୀ ହୋଇପାରିଛି, ତଥାପି ଏହି ମହାମାରୀ ଦେଶର ସ୍ବାସ୍ଥ୍ୟ ଓ ସାମାଜିକସ୍ଥିତିକୁ ଅସ୍ତବ୍ୟସ୍ତ କରିବା ସହିତ ଅର୍ଥନୀତିକୁ କ୍ରମଶଃ ଗଭୀର ସଙ୍କଟ ମଧୢକୁ ଟାଣି ନେଉଛି। କେବେ ଏହି ଭୂତାଣୁକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରି ହେବ, ତାହା କହିବା ସମ୍ଭବ ହୋଇପାରୁନାହିଁ। ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରିବାକୁ ଲାଗିଲେଣି ଯେ କରୋନା ଭାଇରସ୍‌ ନିୟନ୍ତ୍ରଣ ହେଲା ପରେ ମଧୢ ଦେଶର ସାମାଜିକ ଓ ଆର୍ଥିକ ସ୍ଥିତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନିଶ୍ଚିତତା ମଧୢରେ ଗତି କରିବ। ଭାରତରେ ଜିଡିପିର ପ୍ରାୟ ୫୫% ସେବା କ୍ଷେତ୍ରରୁ ଆସିଥାଏ, ଯାହା ଏହି ମହାମାରୀ ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଆଇ.ଟି. ଠାରୁ ଆରମ୍ଭ କରି ବିମାନ ସେବା, ପରିବହନ, ପର୍ଯ୍ୟଟନ, ହୋଟେଲ, ରିଟେଲ, ମନୋରଞ୍ଜନ ଇତ୍ୟାଦି ଅନ୍ତର୍ଭୁକ୍ତ। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ‘ସପ୍ଲାଏ ଚେନ୍‌’ ବା ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଯୋଗୁଁ ଶିଳ୍ପ ଉତ୍ପାଦନ ଓ ରପ୍ତାନି ବାଣିଜ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ଯଦିଓ କୋଭିଡ୍‌-୧୯ ସଙ୍କଟ ପୂର୍ବରୁ ମଧୢ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧୢରେ ଗତି କରୁଥିଲା, ଏହି ମହାମାରୀ ସମସ୍ୟାକୁ ଅତ୍ୟନ୍ତ ଗୁରୁତର କରି ଦେଇଛି। ‘ସେଣ୍ଟର ଫର ମନିଟରି˚ ଇଣ୍ତିଆନ୍‌ ଇକୋନମି’ (ସିଏମ୍‌ଆଇଇ) ଅନୁସାରେ ଦେଶର ବେରୋଜଗାରି ହାର ଗତ ଦୁଇ ମାସ ମଧୢରେ ୮%ରୁ ୨୪%କୁ ବୃଦ୍ଧି ପାଇଛି। ଦେଶର ମୋଟ ଜିଡିପିର ପ୍ରାୟ ୩୦% ଏମ୍‌ଏସ୍‌ଏମ୍‌ଇ (ଅଣୁ, କ୍ଷୁଦ୍ର ଓ ମଧୢମ ବର୍ଗ) ସ˚ସ୍ଥାଗୁଡ଼ିକରୁ ଆସିଥାଏ, ଯେଉଁଥିରେ ପ୍ରାୟ ୧୨ କୋଟି କର୍ମଚାରୀ କାର୍ଯ୍ୟ କରିଥାନ୍ତି। ତେଣୁ ବୃହତ୍‌ ଶିଳ୍ପ ସ˚ସ୍ଥା ଗୁଡ଼ିକର ବ୍ୟବସାୟ ବାଧାପ୍ରାପ୍ତ ହେଲେ, ଏମ୍‌ଏସ୍‌ଏମ୍‌ଇ ସ˚ସ୍ଥାଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହିତ ଏଥିରେ କାମ କରୁଥିବା ଅନେକ କର୍ମଚାରୀ ଜୀବିକା ହରେଇବାର ସମ୍ଭାବନା ଅଛି। ବେରୋଜଗାରି ଓ ଛଟେଇ ଆଗାମୀ ଦିନରେ ଅର୍ଥନୀତିରେ ଚାହିଦା ବୃଦ୍ଧି କରିବାରେ ପ୍ରତିବନ୍ଧ ସୃଷ୍ଟି କରିବ।

ଶକୁନିର ଲାଖଗୃହ ଭଳି ମନ୍ଦ ଉଦ୍ୟମ ସତ୍ତ୍ବେ ବିଦ୍ବାନ ମହାମନ୍ତ୍ରୀ ବିଦୁରଙ୍କ ଦୂରଦର୍ଶୀ ଯୋଜନା ଯୋଗୁଁ ପାଣ୍ତବମାନେ ମୃତ୍ୟୁ ମୁଖରୁ ବଞ୍ଚିବା ସହିତ ପରବର୍ତ୍ତୀ ସମୟରେ ସୁରମ୍ୟ ଇନ୍ଦ୍ରପ୍ରସ୍ଥ ସ୍ଥାପନ କରିପାରିଥିଲେ। ସେହିଭଳି ଆମ ଦେଶର ସରକାର, ନୀତି ନିର୍ଦ୍ଧାରକ, ପ୍ରଶାସକ ଓ ଶିଳ୍ପପତିମାନେ ଚାହିଁଲେ ଭାରତର ଅର୍ଥନୀତିକୁ କୋଭିଡ୍-୧୯ ଜନିତ ସଙ୍କଟରୁ ରକ୍ଷା କରିବା ସହିତ ଆଗାମୀ ଦିନରେ ଏହାକୁ ଅଧିକ ସମୃଦ୍ଧିଶାଳୀ କରିପାରିବେ। ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଅନେକ ସମୃଦ୍ଧ ରାଷ୍ଟ୍ର ଚୀନ ଉପରେ ବ୍ୟାପାରିକ ନିର୍ଭରତା ହ୍ରାସ କରିବା ପାଇଁ ଗମ୍ଭୀରତା ସହିତ ବିଚାର ବିମର୍ଶ ଆରମ୍ଭ କଲେଣି। ରାଷ୍ଟ୍ରପତି ଟ୍ରମ୍ପ୍‌ ଯେଭଳି ଭାବରେ କରୋନା ଭାଇରସ ସ˚କ୍ରମଣ ପାଇଁ ଚୀନକୁ ତୀବ୍ର ଦୋଷାରୋପ କରୁଛନ୍ତି, ମନେ ହୁଏ ଆମେରିକା ଓ ଚୀନ ମଧୢରେ ଉଭୟ ବ୍ୟାପାର ଓ କୂଟନୈତିକ ସମ୍ପର୍କ ଦ୍ରୁତ ଗତିରେ ଅବନତି ହେବାକୁ ଯାଉଛି। ଆମେରିକୀୟ କମ୍ପାନିମାନେ ଆମଦାନି ଚାହିଦା ମେଣ୍ଟାଇବା ପାଇଁ ବିକଳ୍ପ ରାଷ୍ଟ୍ରର ସନ୍ଧାନ କରିବେ। ଭ‌ାରତ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ଏଠାରେ ତାଲିମପ୍ରାପ୍ତ ଶ୍ରମିକ, ପେସାଦାର ଯୋଗ୍ୟତା ସମ୍ପନ୍ନ ମାନବ ସମ୍ବଳ, କଞ୍ଚାମାଲ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍‌ଧ। ସଂପ୍ରତି ଦେଶରେ ସ୍ଥିର ସରକାର ଅଛି। ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଷ୍ଟ୍ରମାନଙ୍କ ସହିତ ନିୟମିତ ଯୋଗାଯୋଗ ଜରିଆରେ ଉତ୍ତମ ବୁଝାମଣା ସୃଷ୍ଟି କରିବାକୁ ସଫଳ ହୋଇପାରିଛନ୍ତି। ବିଦେଶୀ କମ୍ପାନିମାନଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାରଙ୍କୁ ଜମି ଅଧିଗ୍ରହଣ, ଶ୍ରମ ଆଇନ ଗୁଡ଼ିକରେ ସ˚ସ୍କାର ଆଣିବା ସହିତ ଟିକସ ଆଇନଗୁଡ଼ିକୁ ସରଳ, ସ୍ବଚ୍ଛ ଓ ବିଶ୍ବସନୀୟ କରିବାକୁ ପଡ଼ିବ। ଭିତ୍ତିଭୂମି ବିକାଶକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଜମି ଅଧିଗ୍ରହଣ ଓ ଶ୍ରମ ସ˚ଶ୍ଳିଷ୍ଟ ବ୍ୟାପାର ସମ୍ବିଧାନର ‘କନ୍‌କରେଣ୍ଟ ଲିଷ୍ଟ୍’ ଅର୍ଥାତ୍‌ ଉଭୟ ରାଷ୍ଟ୍ର ଓ ରାଜ୍ୟ ଅଧିକାର ତାଲିକାରେ ଥିବାରୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧୢରେ ମତ ପାର୍ଥକ୍ୟ ଦେଖା ଯାଇଥାଏ, ଯଦ୍ଦ୍ବାରା ସ˚ସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହୋଇଥାଏ। ଏଥିପାଇଁ ପ୍ରଥମେ ସାମ୍ବିଧାନିକ ସ˚ଶୋଧନ ବିବେଚନା କରାଯାଇପାରେ। ଦେଶର ସ୍ବାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା, ବସ୍ତି ବାସିନ୍ଦାଙ୍କ ପାଇଁ ଉପଯୁକ୍ତ ଆବାସ ଯୋଜନାକୁ ଅଗ୍ରାଧିକାର ଦେବାକୁ ପଡ଼ିବ। ମୁମ୍ବାଇସ୍ଥିତ ଧରାବିର ସମ୍ପ୍ରତି ସଙ୍କଟ ସୂଚାଇ ଦେଇଛି ଯେ ଜନାକୀର୍ଣ୍ଣ ବସ୍ତିଗୁଡ଼ିକରେ ରହୁଥିବା ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରି ସୁସ୍ଥ ପରିବେଶରେ ରଖିବାର ବ୍ୟବସ୍ଥା କରା ନ ଗଲେ, ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟଗତ ଓ ସାମାଜିକ ସମସ୍ୟା ସୃଷ୍ଟି ହେବାର ଭୟ ଅଛି। ‘ଅର୍ବାନ ମାଇଗ୍ରେସନ୍‌’ ଅର୍ଥାତ୍‌ ସହର ଗମନକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମାଞ୍ଚଳରେ କୃଷି ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ।

ଛଟେଇ ତଥା ବେରୋଜଗାରି ସମସ୍ୟାକୁ ପ୍ରତିହତ କରିବାକୁ ବଡ଼ ବଡ଼ କମ୍ପାନି ତଥା ସରକାରଙ୍କ ଗୁରୁ ଦାୟିତ୍ବ ଅଛି। କାର୍ଯ୍ୟରତ କର୍ମଚାରୀମାନଙ୍କୁ ଛଟେଇ ନ କରି ବର˚ ସେମାନଙ୍କ ଦରମାକୁ ଆବଶ୍ୟକ ମୁତାବକ ହ୍ରାସ କରିବା ଅଧିକ ଗ୍ରହଣୀୟ ହେବ। ବୃହତ୍‌ କମ୍ପାନିଗୁଡ଼ିକ ସଦ୍ୟ ଯୋଗ୍ୟତା ହାସଲ କରିଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ଅସ୍ଥାୟୀ କର୍ମନିଯୁକ୍ତି ଦେଲେ, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ। ଏହି ଅସ୍ଥାୟୀ ନିଯୁକ୍ତି ଅବଧିକୁ ଦୁଇ ବର୍ଷ ରଖାଯାଇପାରେ। କେନ୍ଦ୍ର ସରକାର କମ୍ପାନି ଆଇନରେ ସ˚ଶୋଧନ ଆଣି ଏହି ଅସ୍ଥାୟୀ କର୍ମନିଯୁକ୍ତି ସମୟରେ ପୈଠ ଦରମାକୁ କର୍ପୋରେଟ ‘ସାମାଜିକ ଦାୟିତ୍ବବୋଧ’ ଖର୍ଚ୍ଚ ହିସାବରେ ଗ୍ରହଣ କରିବା ଉଚିତ ହେବ। ରାଜ୍ୟ ସରକାରମାନେ ଯଥାସମ୍ଭବ ଅସ୍ଥାୟୀ ଚାକିରି ସୃଷ୍ଟି କରି ବେକାରି ସମସ୍ୟାକୁ ଲାଘବ କରିବା ଉଚିତ ହେବ। ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ହେବାକୁ ଥିବା ବିଧାନସଭା, ପୌର ଏବ˚ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖାଯାଇ, ଏହି ବାବଦରେ ବ୍ୟୟ ହେବାକୁ ଥିବା ବିପୁଳ ପାଣ୍ଠିକୁ ଆର୍ଥିକ ବିକାଶ କାର୍ଯ୍ୟରେ ବିନିଯୋଗ କରିବା ସମୀଚୀନ ହେବ।

କୋଭିଡ୍ ରୋକିବା ପାଇଁ ପ‌ାଳନ କରାଯାଉଥିବା ସାମାଜିକ ଦୂରତା ସୂଚନା ଦେଉଛି ଯେ ହୁଏତ ଆଗାମୀ ଦିନରେ ବେପାର ବଣିଜ ପରିଚାଳନା ଢାଞ୍ଚାରେ ପରିବର୍ତ୍ତନ ଆସିପାରେ। କାରଖାନା ଗୁଡ଼ିକରେ ରୋବଟ ଓ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ’ (କମ୍ପ୍ୟୁଟର ପ୍ରୟୋଗ) ବ୍ୟବହାର ବୃଦ୍ଧି ପାଇବ, ଯଦ୍ଦ୍ବାରା ପାରମ୍ପରିକ ଶ୍ରମିକଙ୍କ ଚାହିଦା ହ୍ରାସ ପାଇବ। ଅପେକ୍ଷାକୃତ କମ୍‌ ଦରମାରେ ଘରେ ରହି କାମ କରିବାକୁ ବୃହତ୍ ଘରୋଇ କମ୍ପାନିମାନେ ପ୍ରୋତ୍ସାହିତ କରିପାରନ୍ତି। ଯେଉଁମାନେ ପେସାଦାର ଯୋଗ୍ୟତା ସମ୍ପନ୍ନ, ଟେକ୍ନୋଲଜିକୁ ସୁଚାରୁ ରୂପେ ପ୍ରୟୋଗ କରି ଆପଣା ଦାୟିତ୍ବ ନିର୍ବାହ କରିବାକୁ ସମର୍ଥ, ସ୍ବାଧୀନ ଭାବରେ ସଠିକ ନିଷ୍ପତ୍ତି ନେବାକୁ ପାରଙ୍ଗମ, ସେହିମାନେ ହିଁ ଏପରି ପରିସ୍ଥିତିରେ ତିଷ୍ଠି ପାରିବେ। ଏଣିକି ‘ଆଉଟ୍ ସୋର୍ସିଙ୍ଗ୍’ ଜରିଆରେ କାର୍ଯ୍ୟ ନିଷ୍ପାଦନ ପ୍ରୟାସ ବୃଦ୍ଧି ପାଇବ। ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଭଳି ଶିଳ୍ପ ସମୃଦ୍ଧ ରାଜ୍ୟଗୁଡ଼ିକ ବାହାର ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରତା ହ୍ରାସ କରିବାକୁ ଚେଷ୍ଟା କରିବେ। ଅପର ପକ୍ଷରେ ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା ଭଳି ଅପେକ୍ଷାକୃତ କମ୍ ଶିଳ୍ପ ସମୃଦ୍ଧ ପ୍ରଦେଶଗୁଡ଼ିକର ରାଜ୍ୟ ସରକାରମାନେ ନିଜର ବଳକା ଶ୍ରମିକଙ୍କୁ ଥଇଥାନ କରିବାକୁ ରାଜନୈତିକ ଚାପର ସମ୍ମୁଖୀନ ହେବାର ସମ୍ଭାବନା ଅଛି। ଭୋଟ୍ ବ୍ୟାଙ୍କ୍ ରାଜନୀତିକୁ ନଜରରେ ରଖି ଆରମ୍ଭ ହୋଇଥିବା ଅନେକ ସାମାଜିକ ଯୋଜନା ଗୁଡ଼ିକରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ହୁଏତ ବାଧ୍ୟ ହୋଇପାରନ୍ତି।

କୋଭିଡ୍‌-୧୯ ପାଇଁ ଆମେରିକା ଓ ଅନ୍ୟାନ୍ୟ ସମୃଦ୍ଧ ରାଷ୍ଟ୍ରମାନେ ଯେଭଳି ଦୋଷାରୋପ କରିବାରେ ମାତିଛନ୍ତି, ତାହା ହୁଏତ ତୃତୀୟ ବିଶ୍ବଯୁଦ୍ଧ ପାଇଁ ଖୋରାକ ଯୋଗାଇ ପାରେ। ଯେତେବେଳେ ଅର୍ଥନୀତିରେ ଚରମ ମାନ୍ଦାବସ୍ଥା ସୃଷ୍ଟି ହୁଏ, ଜନ ଅସନ୍ତୋଷ ବଢ଼ିବାକୁ ଲାଗେ, ସେଭଳି ପରିସ୍ଥିତିରେ ବୃହତ୍‌ ରାଷ୍ଟ୍ରର ନେତାମାନେ ଯୁଦ୍ଧ ଜରିଆରେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ପ୍ରୟାସ କରିଥାନ୍ତି, କାରଣ ଶାସନ ଗାଦିକୁ ହରାଇବାର ଆଶଙ୍କା ସେମାନଙ୍କୁ ଚିନ୍ତିତ କରିଥାଏ। ୧୯୨୯ର ଚରମ ମାନ୍ଦାବସ୍ଥା ଯାହାକୁ ଗ୍ରେଟ୍‌ ଡିପ୍ରେସନ୍‌ କୁହାଯାଏ, ଦ୍ବିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହୋଇଥିଲା। ଯଦିଓ କୋଭିଡ୍‌-୧୯ ଦୁଇ ଶହରୁ ଅଧିକ ରାଷ୍ଟ୍ରଙ୍କ ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିଛି, ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଯଦି କୋଭିଡ୍‌-୧୯ ସ˚କ୍ରମଣ ପଛରେ ଚୀନ୍‌ର ମନ୍ଦ ଉଦ୍ୟମ ପ୍ରମାଣିତ ହୁଏ ତେବେ ରାଷ୍ଟ୍ରପତି ଟ୍ରମ୍ପ୍‌ ଚୀନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ କରିପାରନ୍ତି। ଏଥିରେ ଅନେକ ବୃହତ୍‌ ରାଷ୍ଟ୍ରଙ୍କ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଟ୍ରମ୍ପ୍‌ ଚୀନକୁ ଦୋଷୀ ପ୍ରମାଣିତ କରିବା ସହିତ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ କରନ୍ତି, ତେବେ ନିର୍ବାଚନରେ ଜିଣିବା ତାଙ୍କ ପକ୍ଷରେ କଷ୍ଟସାଧୢ ହୋଇପଡ଼ିବ। ସାଂପ୍ରତିକ ବାଦାନୁବାଦରେ ଭାରତ କୌଣସି ପକ୍ଷଭୁକ୍ତ ନ ହୋଇ ବର˚ ସମସ୍ୟାର ମୁକାବିଲା କରିବା ପାଇଁ ଯେଭଳି ଉଦ୍ୟମ କରୁଛି, ତାହା ଅତ୍ୟନ୍ତ ପ୍ରଶ˚ସନୀୟ। କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ମୋଦୀ ସରକାର ଦେଶର ଅର୍ଥନୀତିକୁ କିପରି ସଜାଡ଼ିବେ ଏବ˚ ଶତ୍ରୁତାପୂର୍ଣ୍ଣ ‘ଜିଓ-ପଲିଟିକାଲ’ ପରିସ୍ଥିତିରେ ଭାରତକୁ କିଭଳି ପ୍ରସ୍ତୁତ କରାଇବେ, ତାହାକୁ ସମଗ୍ର ବିଶ୍ବ ଆଗ୍ରହର ସହିତ ଅନୁଧୢାନ କରିବ।
ମୋ-୯୮୮୬୨୧୧୭୭୨
[email protected]

ସମ୍ବନ୍ଧିତ ଖବର