ଏମିତିରେ ଏବକାର ନିର୍ବାଚନ ବିଷୟକ କଥାରେ ଆମ ପୈତୃକ ନାକଟି ଜମା ପୂରାଇବୁ ନାହିଁ ବୋଲି ଠିକ୍ କରିଥିଲୁ। ହେଲେ ଆମ ବାଲ୍ୟବନ୍ଧୁ ସତ୍ୟେନ୍ଦୁ ସେଦିନ ଆସି ଆମ ପିଲାଦିନର ସାଙ୍ଗ ରାଜୁ କଥା ଉଠାଇ କହିଲା: ମନେ ପଡୁଚି ନା ରାଜୁ କଥା? ଏମିତି ଭୋଟ୍ ବେଳ ଆସିଲେ ସେ କେମିତି ଆମକୁ ବିଜୁ ପଟ୍ଟନାୟକ, ଇନ୍ଦିରା ଗାନ୍ଧୀ ଓ ଆଉ ଆଉ ନେତାମାନଙ୍କ ନାଁ କହି ବାହାଦୁରି ମାରୁଥିଲା! ପୁଣି ଆମ ଭଳିଆ ପିଲାଙ୍କ ଆଗରେ ଗାଈ-ବାଛୁରୀ, ଯୋଡ଼ି ବଳଦ, ଚଷା ଲଙ୍ଗଳ ଭଳି ଚିହ୍ନ କଥା କହି ଗଡ଼ ଜିଣିଲା ଭଳି ହେଉଥିବା ବେଳେ ଆମେ ଭକୁଆ ପ୍ରାୟ ଚାହିଁ ବସୁଥିଲୁ!
ତା’ କଥା ଶୁଣି ଆମେ କହିଲୁ: ହଁ ରେ। ସେ କଥା ଭୁଲି ହୁଏ?
ରାଜୁର ବାପା କୈଳାସ ମଉସା ଓ ଆମ ବାପା ଏକା ଅଫିସରେ କାମ କରୁଥିଲେ। ସେମାନେ ବି ଆମ ପଡ଼ିଶା କ୍ବାଟର୍ସରେ ରହୁଥିଲେ। ଆମ ବାପା କିନ୍ତୁ କୌଣସି ନା କୌଣସି ଆଳ କରି ଇଲେକ୍ସନ ଡ୍ୟୁଟିରୁ ଦୂରେଇ ରହୁଥିଲେ ସିନା କୈଳାସ ମଉସା କିନ୍ତୁ ସବୁବେଳେ ଇଲେକ୍ସନ ଦାୟିତ୍ୱ ହିଁ ସମ୍ଭାଳୁଥିଲେ। ତେଣୁ ରାଜୁ କଥା କଥାକେ ଇଲେକ୍ସନ ଆଉ ନେତାଙ୍କ କଥା ଗପୁଥିଲା। ସେମିତି ତା’ ମାଆ, ସୁମତୀ ମାଉସୀ ବି କଲୋନିର କୋଉ ଚଣ୍ଡୀ ଝିଅ କଥା ଉଠିଲେ କହୁଥିଲେ ‘ଓଃ, ତା’ କଥା ଛାଡ଼। ସିଏ ତ ପୂରା ଇନ୍ଦିରା ଗାନ୍ଧୀ!’ ସେମାନଙ୍କ ପଲିଟିକାଲ ଜ୍ଞାନରେ ଆମେମାନେ ତାଜୁବ ହୋଉଥିଲୁ।
ତେବେ ସତ୍ୟେନ୍ଦୁ ଏବେ ଏତେ ବର୍ଷ ପରେ ଅଚାନକ କିଆଁ ରାଜୁ କଥା ମନେ ପକାଇଲା?
ତ ଆମେ ପଚାରିଲୁ- କାହିଁକିରେ ସତ୍ୟେନ୍ଦୁ, ସେ କଥା ମନେ ପଡ଼ିଗଲା?
ସେ କହିଲା: କାହିଁକି ନା, ସେତେବେଳେ ଏଗାର ବା ବାର ବର୍ଷ ବୟସରେ ଆମେମାନେ ରାଜନୀତି ଜ୍ଞାନରେ କେମିତି ପୂରା ଶୂନ ଥିଲୁ, ତାହା ମନେ ପଡ଼ିଗଲା ସୁଇଟିର କାରବାର ଦେଖି! ସତରେ ଆଜିକାଲିକା ପିଲାଏ ଏ ଦିଗରେ ଭାରି ଆଗୁଆ!
ଏବେ ସୁଇଟି ସହିତ ପରିଚିତ କରାଇଦିଏ। ସେ ହେଉଛି ସବୁ ବେଳେ କାନରେ ଇଅର୍ଫୋନ୍ ଗୁଞ୍ଜି ରହୁଥିବା ସତ୍ୟେନ୍ଦୁର ସାନ ଝିଅ। ତାକୁ ଆମେ ନାଁ ଦେଇଛୁ ‘ଅନ୍ଲାଇନ୍ ବେଟା।’
ସତ୍ୟେନ୍ଦୁ କହିଲା- ‘ପଡ଼ିଶା ଦିବାକର ବାବୁଙ୍କ ବାପା ଗୋଲକ ମଉସାଙ୍କୁ ଜାଣିଛୁ ତ? ତାଙ୍କର ଗୋଟେ ବଡ଼ ସମସ୍ୟାକୁ ସୁଇଟି ବାଏଁବାଏଁ ସମାଧାନ କରିଦେଲା!
ଆମେ ଉତ୍ସୁକତାର ସହିତ ପଚାରିଲୁ- ହଁ, କି? କେମିତି କହ ତ!
ସତ୍ୟେନ୍ଦୁ କହିଲା- ଆରେ ଶୁଣ, ଗୋଲକ ମଉସାଙ୍କ ବୟସ ନବେ ଟପିଲାଣି। ଏଣେ ଆଣ୍ଠୁଗଣ୍ଠି ବେମାରିକୁ ସେ ପୁଣି ବହୁତ ମୋଟା। ଆଉ ଚାଲିବୁଲି ପାରୁ ନାହାନ୍ତି। କିନ୍ତୁ ତାଙ୍କ ଜିଦ୍ ଭୋଟ୍ ଦେବାକୁ ଯିବେ! ଘର ଲୋକେ ବୁଝେଇ ବୁଝେଇ ଥକି ଯାଇଥିଲେ। ହେଲେ, ସୁଇଟି ସେ ସମସ୍ୟାର ସମାଧାନ କରି ଦେଲା।
ଆମେ ଆଶ୍ଚର୍ଯ୍ୟ ହୋଇ କେବଳ ବୋକାଙ୍କ ଭଳି ଅନେଇ ରହିଲୁ। ଏଡ଼େ ବକଟେ ଝିଅ, ସେ ପୁଣି ଏ ସମସ୍ୟାର ସମାଧାନ କେମିତି କଲା?
ସତ୍ୟେନ୍ଦୁ କହିଲା- ଆରେ ଭାଇ ଗୋଲକ ମଉସାଙ୍କ ମୋବାଇଲ ନମ୍ବର, ଭୋଟର କାର୍ଡ ଓ ଡାକ୍ତରୀ ସାର୍ଟିଫିକେଟ୍ ଆଦି ନେଇ ତା’ ମୋବାଇଲ୍ ଫୋନ୍ରେ କ’ଣ ସବୁ କଲା, ଆଉ ତା’ ପରେ ହଠାତ୍ ହାତ ମୁଠା କରି ‘ୟା ହୁ’ ବୋଲି ଚିତ୍କାର କରି ଜଣାଇଦେଲା ଯେ ସେ ସଫଳ ହୋଇଛି। ତା’ ପରେ ସେ ଘୋଷଣା କଲା, ‘େଜଜେ ତୁମେ ଘରେ ରହି ପୋଷ୍ଟାଲ୍ ବାଲଟ୍ରେ ଭୋଟ୍ ଦବ। କୁଆଡ଼େ ଯିବା ଦରକାର ନାହିଁ।’
ଆମେ କହିଲୁ- ଭୋଟ ଦେବାକୁ ତ ସୁଇଟି ପାଇଁ ଆହୁରି ଚାରି ପାଞ୍ଚ ବର୍ଷ ଥିବ, ସେ ଏତେ କଥା ଜାଣିଲା କେମିତି?
ସତ୍ୟେନ୍ଦୁ କହିଲା- ଆରେ ସେଇ ତ କଥା। ତା’ ପଛରେ ପୁଣି ଗୋଟେ କାହାଣୀ ଅଛି। କଥା କ’ଣ କି ଝିଅ ମୋର ଇଂଲିସ ମିଡିଅମ୍ରେ ପଢୁଛି ବୋଲି ଦିନ ରାତି ଖାଲି ହିନ୍ଦୀ ଆଉ ଇଂଲିସ ଚୋବାଇଲା। ତେଣୁ ଦିନେ ଗୋଲକ ମଉସା ତାକୁ କୁଆଡ଼େ ଡାକି କହିଲେ- ଯେ ମା’ ତୁ ଏଣିକି ଘରେ ଓଡ଼ିଆରେ କଥା ହେବା ଶିଖ। ସେଥି ପାଇଁ ନିତି ରେଡିଓରେ ଆକାଶବାଣୀରୁ ଓଡ଼ିଆ ଖବର ଶୁଣ। ଜାଣିଛୁ କି ନାହଇଁ ଗୋଲକ ମଉସା ଥିଲେ ଓଡ଼ିଆ ଭାଷା ସାହିତ୍ୟର ପ୍ରଫେସର? ସୁଇଟି ତାଙ୍କ କଥା ମାନି ତା’ ମୋବାଇଲ୍ ଫୋନରେ ‘ଅଲ ଇଣ୍ଡିଆ ରେଡିଓ’ ଆପ୍ ଡାଉନ୍ଲୋଡ୍ କରି ସତକୁ ସତ ତା’ ପରୀକ୍ଷା ସରିବା ପରେ ଓଡ଼ିଆ ଖବର ଶୁଣିଲା। ସେଇଠାରୁ ଜାଣିଲା ଯେ ସରକାର ଏଥର ଏମିତି ବ୍ୟବସ୍ଥାଟିଏ କରିଛନ୍ତି ଯେ ବୟସ୍କ ଲୋକେ ଘରେ ରହି ଭୋଟ ଦେଇପାରିବେ! ତା’ ପରେ ତୁମ ‘ଅନ୍ଲାଇନ୍ ବେଟା’କୁ କିଏ ଆଉ ଅଟକାଇ ପାରନ୍ତା! ଗୋଲକ ମଉସାଙ୍କ ସମସ୍ୟାର ସମାଧାନ କରି ଦେଲା।
ସତ କହିଲୁ ରେ ସତ୍ୟେନ୍ଦୁ ତା’ ବୟସରେ ଆମେ କ’ଣ ଅବା ଜାଣିଥିଲେ? ଏବେ ତ ସେମାନେ ଜଗତ୍ ଜିଣା! ସେମାନଙ୍କ ଆଖି ଦୁଇଟି ସ୍ମାର୍ଟଫୋନ୍ ପରଦାରେ ବନ୍ଧା ଓ କାନରେ ଇଅର୍ଫୋନ୍ ଗୁଞ୍ଜା, କିନ୍ତୁ ସେମାନଙ୍କ ଆଗରେ ପୃଥିବୀ ଯେମିତି ଖୋଲି ଯାଇଛି! ଯିଏ ତା’ର ସଦ୍ ବ୍ୟବହାର କରିବ, ସତକୁ ସତ ସେ ଜଗତ୍ ଜିଣା ହୋଇଯିବ।
ମୋ ପାଟିରୁ ବାହାରି ପଡ଼ିଲା ବାଃ... ବାଃ।
ମୋ: ୯୪୩୭୯୦୯୬୭୫
ଭୋଟ ବେଳରେ ଆମେ ଓ ସୁଇଟି
ସତ୍ୟନାରାୟଣ ଗନ୍ତାୟତ