ମହାତ୍ମା ଗାନ୍ଧୀଙ୍କ ଛୋଟିଆ ବାଣୀଟିଏ ତରୁଣ ଭର୍ଗିଜ କୁରିଏନଙ୍କୁ ଉଦ୍‌ବୁଦ୍ଧ କରିଥିଲା। ଗାନ୍ଧୀ କହିଥିଲେ, “ଯନ୍ତ୍ର ଦ୍ବାରା ‘ମାସ୍‌ ପ୍ରଡକ୍‌ସନ’ ବା ବିପୁଳ ଉତ୍ପାଦନ ନୁହେଁ, ବରଂ ବହୁ ଲୋକ (ମାସ୍‌)ଙ୍କ ଦ୍ୱାରା ଉତ୍ପାଦନ ହିଁ ପୃଥିବୀ ଲାଗି ଅଧିକ ଆବଶ୍ୟକ।’’ ଏହ ପରେ କୁରିଏନ ସମବାୟ ମଡେଲରେ ଦୁଗ୍‌ଧ ବ୍ୟବସାୟର ପରିକଳ୍ପନା କଲେ, ଯାହା ତାଙ୍କୁ ଭାରତରେ ସମ୍ଭବ ହୋଇଥିବା ‘ଦୁଗ୍‌ଧ ବନ୍ୟା’ ବା ‘ଶ୍ବେତ ବିପ୍ଳବ’ର ଜନକ ଭାବେ ପରିଚିତି ଦେବା ସହିତ ତାଙ୍କ ମଡେଲକୁ ସାରା ବିଶ୍ବରେ ସ୍ବୀକୃତି ଦେଲା। ତାଙ୍କର ଏହି ମଡେଲ ଆଧାରରେ ଭାରତର ବିଭିନ୍ନ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ଏବଂ ବିପଣନରେ ଖୁବ୍‌ ବୃଦ୍ଧି ଘଟିଛି। କିନ୍ତୁ, ପରିତାପର ବିଷୟ ଆମ ରାଜ୍ୟ ଓଡ଼ିଶା ଏଥିରେ ବିଶେଷ ଭଲ ପ୍ରଦର୍ଶନ କରି ପାରିନାହିଁ। ଏହାର ଗୋଟିଏ ବଡ଼ କାରଣ ହେଲା ଦୁଗ୍‌ଧ ଉତ୍ପାଦନରେ ଆମ ରାଜ୍ୟର ପଛୁଆପଣ।
ଆମ ଦେଶରେ ୪୦ ପ୍ରକାର ‌େଗା ଜାତିକୁ ‘ନେସନାଲ ବ୍ୟୁରୋ ଅଫ୍ ଏନିମଲ ଜେନେଟିକ୍‌ ରିସୋର୍ସେସ୍‌’ ବା ‘ଏନ୍‌.ବି.ଏ.ଜି.ଆର.’ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଗିର, ରେଡ୍‌ ସିନ୍ଧ୍ରୀ ସହିୱାଲ୍ ଓ ହରିୟାଣା ଜାତିର ଗାଈ ଅଧିକ କ୍ଷୀର ଦିଅନ୍ତି। ଏହା ବ୍ୟତୀତ ଗୁଜରାଟର ଗିର ମଇଁଷି ଓ ପଞ୍ଜାବରେ ଦେଖା ଦେଉଥିବା ମୋଡ଼ା ମଇଁଷି ମଧ୍ୟ ଅଧିକ କ୍ଷୀର ଦେଇଥାନ୍ତି। ଆମ ଓଡ଼ିଶାରେ ବିଂଝାରପୁରୀ, ଘୁମସରୀ, ମୋଟୁ ଓ ଖରିଆର ସହିତ ଚିଲିକା ଓ କଳାହାଣ୍ଡି ମଇଁଷିଗୁଡ଼ିକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଆମ ବିଞ୍ଝାରପୁରୀ ଗାଈ ସର୍ବାଧିକ ହାରାହାରି ପ୍ରାୟ ମାତ୍ର ୪ ଲିଟର କ୍ଷୀର ଦେଉଛନ୍ତି। ଭାରତର ଅଧିକାଂଶ ରାଜ୍ୟ ଜର୍ସି, ବିଦେଶୀ ଜର୍ସି, ହଲଷ୍ଟିନ ବା ଅଧିକ ଅମଳକ୍ଷମ ସଙ୍କର ପ୍ରଜାତିର ଗାଈ ଦ୍ବାରା ହାରାହାରି ଗାଈ ପିଛା ୪୫ ଲିଟରରୁ ଅଧିକ କ୍ଷୀର ପାଉଥିବା ବେଳେ ଆମ ରାଜ୍ୟ ଏଥିରେ ଅନେକ ପଛରେ ପଡ଼ିଛି।
ସାରା ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ଯେ ଆମ ରାଜ୍ୟରେ କୃତ୍ରିମ ପ୍ରଜନନ ବ୍ୟବସ୍ଥା ଶୃଙ୍ଖଳିତ ନୁହେଁ, ଗାଈ ଗର୍ଭଧାରଣ କରିବା ଲାଗି ଠିକ୍‌ ସମୟରେ ଏବଂ ଉଚ୍ଚ ଗୁଣମାନର ଇଂଜେକ୍‌ସନ ମିଳୁନାହିଁ। ତେଣୁ ଗାଈ ଅନେକ ସମୟରେ ଗର୍ଭଧାରଣ କରି ପାରୁ ନାହାନ୍ତି ବା ଅଧିକ ଅଣ୍ଡିରା ବାଛୁରୀ ଜନ୍ମ ହେଉଛନ୍ତି। ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ‌େର ‘ମଲ୍‌ଟିପୁଲ ଓଭୁଲେସନ ଏମ୍ବ୍ରିୟୋ ଟ୍ରାନ୍‌ସଫର’ ବା ‘ଏମ୍‌.ଓ.ଇ.ଟି’ ଓ ‘ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ’ ବା ‘ଅାଇ.ଭି.ଏଫ୍‌’ ଭଳି ପଦ୍ଧତି ଆପଣାଇ ୨୦ରୁ ୨୫ ଲିଟରିଆ ଗାଈ ସମ୍ଭବ କରାଇ ପାରୁଛନ୍ତି। ଏଣେ, ଆମ ରାଜ୍ୟରେ ୭ ଲିଟରରୁ ୧୦ ଲିଟରିଆ ଗାଈ ମିଳିବା କଷ୍ଟକର ହେଉଛି।
ଆଉ ରାଜ୍ୟର ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ସମୟରେ ଗାଈମାନଙ୍କ ପାଇଁ ଗୋ-ଖାଦ୍ୟ ଏକ ସମସ୍ୟା ହୋଇ ଉଠେ; କାରଣ ଘାସ ମିଳେ ନାହିଁ। ପୁଣି ସମୁଦ୍ରକୂଳିଆ ଅଞ୍ଚଳରେ ଲୁଣି ଘାସ ଛଡ଼ା ବିକଳ୍ପ ଖାଦ୍ୟର ଅଭାବ। ଆମ ରାଜ୍ୟରେ ନଡ଼ା ହେଉଛି ଗାଈମାନଙ୍କ ଲାଗି ସର୍ବାଧିକ ସହଜ ଉପଲବ୍‌ଧ ଖାଦ୍ୟ। ତା’ ଛଡ଼ା ପାରଂପରିକ ଗୋ-ଖାଦ୍ୟ ହେଲା ଘର ଶଙ୍ଖୁଡ଼ି, ପେଜ, ଧାନକୁଣ୍ଡା ଇତ୍ୟାଦି। ଏ ସବୁ ଖାଇଲେ ଗାଈ ଠାରୁ ଅଧିକ କ୍ଷୀର ଆଶା କରିବା ବୃଥା। ତେଣୁ ଉତ୍ତମ ଗୋ-ଖାଦ୍ୟ ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ସବୁଜ ଘାସ ସକାଶେ ନିର୍ଦ୍ଦିଷ୍ଟ ଭାବେ ଘାସ ଚାଷକୁ ପ୍ରୋତ୍ସାହନ କରାଯିବା ଉଚିତ ଏବଂ ତା’ ସହିତ ଗୋ-ଖାଦ୍ୟରେ ମକା, ଗହମ, ବାଜରା, ସାଇଲେଜ (ମକା ଆଚାର), ବାଦାମ ପିଡ଼ିଆ, ସୋରିଷ ପିଡ଼ିଆ, ମୁଗ ଚୁନି ଇତ୍ୟାଦି ଅନ୍ତର୍ଭୁକ୍ତ ହେବା ଜରୁରୀ। ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମକା ଗଜା କାରଖାନା ବସାଇବା ଦିଗରେ ମଧ୍ୟ ଉଦ୍ୟମ କରାଯିବା ଦରକାର। ଏ ସବୁ ବ୍ୟବସ୍ଥା ଅଧିକ ଦୁଗ୍‌ଧ ଉତ୍ପାଦନରେ ସାହାଯ୍ୟ କରିବ।
କେବଳ ସେତିକି ନୁହେଁ, ଗୋ ଚିକିତ୍ସାକୁ ଅଧିକ ସୁଲଭ କରିବାକୁ ହେବ, ଯେମିତିକି ଗାଁ ମୁଣ୍ଡରେ ବା ଚାଷୀର ଘର ପାଖରେ ତାହା ମିଳିପାରିବ। ପିଡିଏସ୍‌ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦିଆଯାଉଥିବା ଭଳି ଗହମ, ବାଜରା, ସାଇଲେଜ (ମକା ଆଚାର) ଭଳି ଗୋ-ଖାଦ୍ୟକୁ ଅତି ସୁବିଧା ଦରରେ ଯୋଗାଇ ଦିଆଯିବା ଉଚିତ। ମକା ଗଜା କାରଖାନା ବସାଇବାକୁ ବା ଘାସ ଚାଷ କରିବାରେ ସବ୍‌ସିଡିର ବ୍ୟବସ୍ଥା ମିଳିବା ଆବଶ୍ୟକ। ଅନେକ ସ୍ଥାନରେ ଦୁଗ୍‌ଧ ସମବାୟ ସମିତିଗୁଡ଼ିକ ଖୁବ୍‌ କମ୍‌ ଦରରେ କ୍ଷୀର କିଣିଥାଆନ୍ତି। ଏ ପ୍ରକାର ଆଭିମୁଖ୍ୟକୁ ନିରୁତ୍ସାହିତ କରାଯିବା ଆବଶ୍ୟକ। ଚିଙ୍ଗୁଡ଼ି ମାଛ ଓ ଅଣ୍ଡାର ଦାମ୍ ଭଳି କ୍ଷୀର ଦର ପ୍ରତିଦିନ ସ୍ଥିର କରାଯିବା ଉପରେ ସରକାର ବିଚାର କରିବା ଉଚିତ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏକ ସରକାରୀ ଯୋଜନା ଭାବେ କ୍ଷୀର, ମୂତ୍ର ଓ ଗୋବରକୁ ଉଚ୍ଚ ଦାମ୍‌ରେ କିଣାଯାଉଛି। ଆମ ରାଜ୍ୟ ସରକାର ମଧ୍ୟ ସେଭଳି କିଛି ପଦକ୍ଷେପ ନେଲେ ଚାଷୀ ଅଧିକ ଲାଭ ପାଆନ୍ତା।
ଆମ ରାଜ୍ୟରେ ଦୈନିକ ହାରାହାରି ଏକ ଲକ୍ଷ ଲିଟର କ୍ଷୀର ଉତ୍ପାଦିତ ହୋଇପାରିବ। ଆମ ରାଜ୍ୟରେ ମଧ୍ୟ ଦୁଗ୍‌ଧ ବନ୍ୟା ସୃଷ୍ଟି ହେବ। କିନ୍ତୁ ସେଥି ଲାଗି ଆଧୁନିକ ପଦ୍ଧତିକୁ ଆପଣାଇବାକୁ ହେବ ଏବଂ କ୍ଷୀର ଉତ୍ପାଦନକୁ ଏକ ‘ମିସନ’ ରୂପେ ଗ୍ରହଣ କରିବାକୁ ହେବ। ଏଭଳି ହେଲେ ରାଜ୍ୟରେ ଗୋ ସଂପଦର ଅଭିବୃଦ୍ଧି ହେବ। ଲୋକେ ଗୋ-ପାଳନରୁ ବିମୁଖ ହେବେ ନାହିଁ ବରଂ ଏହା ଲାଭପ୍ରଦ ରୋଜଗାର ଲାଗି ଦ୍ବାର ଉନ୍ମୁକ୍ତ କରିବ।
ମୋ: ୯୪୩୭୮୧୮୨୩୩