୧୯୯୪ ମସିହାରେ ଗାଣିତିକ ସମୀକରଣ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପାଇଥିବା ଜନ୍ ନାଶ୍ଙ୍କ ଜୀବନ ଥିଲା ଅତ୍ୟନ୍ତ ବୈଚିତ୍ର୍ୟମୟ। ନାଶ୍ଙ୍କ ଜୀବନକୁ ଆଧାର କରି ୧୯୯୮ ମସିହାରେ ପ୍ରକାଶ ପାଇଥିବା ପୁସ୍ତକ, ଯାହାର ଶୀର୍ଷକ ଥିଲା ‘ଏ ବିଉଟିଫୁଲ ମାଇଣ୍ଡ୍’ ବା ‘ଏକ ମନୋରମ ମନ’। ସିଲଭିଆ ନାସର୍ଙ୍କ ଦ୍ବାରା ରଚିତ ଏହି ପୁସ୍ତକ ପରେ ଏକ ଚମତ୍କାର ଚଳଚ୍ଚିତ୍ରର ରୂପ ମଧ୍ୟ ନେଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଭର୍ଜିନିଆରେ ଜନ୍ ନାଶ୍ଙ୍କ ଜନ୍ମ। ଅତି କମ୍ ବୟସରେ ସେ ନିଜର ଅସାମାନ୍ୟ ଗାଣିତିକ ପ୍ରତିଭାର ପରିଚୟ ଦେଇ ବିଶ୍ବବିଶ୍ରୁତ ପ୍ରିନ୍ସଟନ ବିଶ୍ବବିଦ୍ୟଳୟରୁ ଗଣିତରେ ପିଏଚ୍.ଡି. ଲାଭ କରିଥିଲେ। କିନ୍ତୁ ମାନସିକ ରୋଗ ‘ସିଜୋଫ୍ରେନିଆ’ର ଲକ୍ଷଣମାନ ପ୍ରକାଶ ପାଇ ତାଙ୍କ ଆଚରଣକୁ ଭିନ୍ନ ପ୍ରକାରେ କରି ଦେଇଥିଲା। ‘ସିଜୋଫ୍ରେନିଆ’ ହେଉଛି ଏକ ଗୁରୁତର ମାନସିକ ବିକୃତି ଯହିଁରେ ଭାବନା ପ୍ରକ୍ରିୟା ବିପର୍ଯ୍ୟସ୍ତ ହୋଇଯାଏ ଏବଂ ଏଥିରେ ଆକ୍ରାନ୍ତ ଜଣେ ବ୍ୟକ୍ତି ବାସ୍ତବରେ ଘଟୁ ନ ଥିବା କାଳ୍ପନିକ ଶବ୍ଦମାନ ଶୁଣେ କିମ୍ବା ଦୃଶ୍ୟ ଆଦି ଦେଖେ। ହୁଏ’ତ ସେ ଏଭଳି ଶବ୍ଦ ଶୁଣିପାରେ ଯେ କିଛି ଲୋକ ତା’ ବିରୋଧରେ ଚକ୍ରାନ୍ତ କରୁଛନ୍ତି ବା ତା’ ବିଷୟରେ ଅପମାନସୂଚକ କଥାବାର୍ତ୍ତା କରୁଛନ୍ତି ଅଥବା ବାସ୍ତବତା ନ ଥାଇ ତା’ ଆଖି ଆଗରେ କିଛି ଲୋକ ତାକୁ ଆକ୍ରମଣ କରିବାକୁ ଆସୁଥିବା ଭଳି ଦୃଶ୍ୟ ନାଚି ଯାଇପାରେ। ସୁତରାଂ, ଏହା ଦ୍ବାରା ଆକ୍ରାନ୍ତ ଜଣେ ବ୍ୟକ୍ତି ସମସ୍ତଙ୍କୁ ସନ୍ଦେହ କରି ଜୀବନ କାଟେ, ଯହିଁରେ ଦୈନନ୍ଦିନ ଜୀବନ କଷ୍ଟକର ହୋଇଉଠେ। ଖାଦ୍ୟ, ପୋଷାକପତ୍ର ଓ ବ୍ୟବହାରରେ ସଂଗତି ରହେ ନାହିଁ। ଆଜିକାଲି ଏହି ରୋଗ ପାଇଁ ଔଷଧ ଉପଲବ୍ଧ ହେଉଥିଲେ ହେଁ ବହୁ କ୍ଷେତ୍ରରେ ବିଦ୍ୟୁତ୍ ସକ୍ ଦେଇ ଚିକିତ୍ସା କରିବାକୁ ହୋଇଥାଏ।
ଜ୍ଞାନର ଗଭୀରତା ସହିତ ତାଙ୍କ ଆଚରଣରେ ଏଭଳି ଅସଂଗତି ନାଶ୍ଙ୍କୁ ଏକ ବିଚିତ୍ର ସ୍ଥିତିରେ ପକାଇଥିଲା। ଅବାନ୍ତର କଥା, ଶାଳୀନତାର ଅଭାବ ଏବଂ ଅଜବ ବ୍ୟବହାର ତାଙ୍କୁ ସାଧାରଣ ଲୋକଙ୍କ ଠାରୁ କ୍ରମେ ଦୂରେଇ ନେଲା। ଫଳରେ ସେ ନିଃସଙ୍ଗ ହୋଇ ଉଠିଲେ। ତେବେ ପିଏଚ୍.ଡି. ପରେ ସେ ବିଶ୍ୱବିଖ୍ୟାତ ଆମେରିକୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଏମ୍.ଆଇ.ଟି.ରେ ଅଧ୍ୟାପକ ରୂପେ ନିଯୁକ୍ତ ହେଲେ। ଅଧ୍ୟାପକ ଜୀବନ ଆରମ୍ଭ କରିବା ସମୟରେ ଆଲିସିଆ ନାମକ ଜଣେ ପଦାର୍ଥବିଜ୍ଞାନ ଛାତ୍ରୀଙ୍କ ସହିତ ତାଙ୍କର ସଂପର୍କ ଗଢ଼ି ଉଠିଲା। ୧୯୫୭ ମସିହାରେ ସେ ଆଲିସିଆଙ୍କୁ ବିବାହ କଲେ। କିନ୍ତୁ, ୧୯୫୮ ମସିହାରେ ତାଙ୍କର ମାନସିକ ସ୍ଥିତି ଏଭଳି ଦାରୁଣ ଭାବେ ବିପର୍ଯ୍ୟସ୍ତ ହୋଇ ଉଠିଲା ଯେ ସେ ସଂପୂର୍ଣ୍ଣ ବାଚାଳ ହୋଇ ଉଠିଲେ; ବ୍ଲାକବୋର୍ଡରେ ମଧ୍ୟ ଦୁର୍ବୋଧ୍ୟ କଥାମାନ ଲେଖିବାକୁ ଆରମ୍ଭ କଲେ। ‘ସିେଜାଫ୍ରେନିଆ’ ତାଙ୍କୁ ସଂପୂର୍ଣ୍ଣ ଭାବେ କବଳିତ କରି ନେଲା। ସେହି ବର୍ଷ ତାଙ୍କୁ ମାସାଚ୍ୟୁସେଟ୍ସର ମାକଲିନ୍ ହସ୍ପିଟାଲରେ ଭର୍ତ୍ତି କରାଗଲା।
ପ୍ରାୟ ୫୦ ଦିନର ଚିକିତ୍ସା ପରେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ହେବାରୁ ସେ ଘରକୁ ଫେରିଲେ। କିନ୍ତୁ, ଦୁଇ ବର୍ଷ ପରେ ସ୍ଥିତି ପୁଣି ଖରାପ ହେବାରୁ ତାଙ୍କୁ ନ୍ୟୁଜର୍ସିର ଟ୍ରେଟନ୍ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରୁ ବାହାରିବା ପରେ ସେ ଇଉରୋପ ଯିବାକୁ ଚାହିଁଲେ। ତାଙ୍କର ପତ୍ନୀ ବାଳୁତ ସନ୍ତାନକୁ ନିଜ ପରିବାର ନିକଟରେ ଛାଡ଼ି ଦେଇ ତାଙ୍କୁ ଇଉରୋପ ନେଇଗଲେ। କିନ୍ତୁ ନାଶ୍ ହଠାତ୍ ପ୍ୟାରିସର ନିରୁଦ୍ଦିଷ୍ଟ ହୋଇଗଲେ। କିଛି ଦିନ ପରେ ତାଙ୍କର ସନ୍ଧାନ ମିଳିଲା। ତାଙ୍କୁ ଆମେରିକା ପଠାଇ ଦିଆଗଲା। ଏଭଳି ସ୍ଥିତିରେ ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା। ନାଶ୍ ଆମେରିକା ଫେରିବା ପରେ ପ୍ରିନ୍ସଟନ୍ରେ ଘୂରାଘୂରି କଲେ। ଏଭଳି ସ୍ଥଳେ ପାଗଳତୁଲ୍ୟ ବୁଲାବୁଲି କରୁଥିବା ଜନ୍ ନାଶ୍ଙ୍କୁ ଏକ ସମ୍ବେଦନଶୀଳ ପରିବେଶ ପ୍ରଦାନ କରିବାକୁ ଇଚ୍ଛା କରି ଆଲିସିଆ ତାଙ୍କୁ ପୁଣି ଥରେ ବିବାହ କଲେ। ପ୍ରିନ୍ସଟନ୍ର ବିଦ୍ବାନ ଗୋଷ୍ଠୀ ମଧ୍ୟ ନାଶ୍ଙ୍କ ପ୍ରତି ସମ୍ବେଦନଶୀଳ ଥିଲେ। ପ୍ରିନ୍ସଟନ୍ ବିଶ୍ବବିଦ୍ୟାଳୟ ମଧ୍ୟ ତାଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କଲେ। ମାତ୍ର ଅହେତୁକ ସନ୍ଦେହର ବଶବର୍ତ୍ତୀ ନାଶ୍ ‘ଟିକସ ଫର୍ମ୍’ରେ ସ୍ବାକ୍ଷର କରିବାକୁ ଅରାଜି ହୋଇ ଚାକିରି ପାଇ ପାରିଲେ ନାହିଁ। କାନ୍ଥରେ ଓ ବ୍ଲାକବୋର୍ଡରେ ସେ ଅବୋଧ୍ୟ ଗାଣିତିକ ଭାଷା ଲେଖି ଚାଲିଥିଲେ। ଗଣିତ ମାଧ୍ୟମରେ ଈଶ୍ବରଙ୍କ ଉପସ୍ଥିତି ପ୍ରମାଣ କରିବା ତାଙ୍କର ଆଭିମୁଖ୍ୟ ବୋଲି ସେ କହୁଥିଲେ। ତେବେ, ୧୯୯୪ ମସିହା ବେଳକୁ ତାଙ୍କ ମାନସିକ ସ୍ଥିତିରେ ଉନ୍ନତି ଘଟିଲା ଏବଂ ସେହି ବର୍ଷ ସେ ନୋବେଲ୍ ପୁରସ୍କାର ଲାଭ କଲେ। ଅର୍ଥଶାସ୍ତ୍ରର ‘ଗେମ୍ସ ଥିଓରି’ ସମ୍ପର୍କିତ ଗାଣିତିକ ସମୀକରଣ ଥିଲା ତାଙ୍କ ବିଚକ୍ଷଣ ମସ୍ତିଷ୍କ ପ୍ରସୂତ ଯାହା ତାଙ୍କୁ ନୋବେଲ ପୁରସ୍କାର ଆଣି ଦେଇଥିଲା। ଏଭଳି ସଫଳତା ଓ ତଜ୍ଜନିତ ଆନନ୍ଦ ସତ୍ତ୍ବେ ନାଶ୍ ଓ ତାଙ୍କ ପରିବାର ପାଇଁ ଦୁଃଖର ପଟୁଆର ତଥାପି ସରି ନ ଥିଲା। କାରଣ ତାଙ୍କର ପୁତ୍ର ମଧ୍ୟ ‘ସିଜୋଫ୍ରେନିଆ’ ଦ୍ବାରା କବଳିତ ବୋଲି ଜଣା ପଡ଼ିଥିଲା।
ମୋ: ୯୪୩୭୧୨୧୨୭୯