ଚିକିତ୍ସା ବିଜ୍ଞାନରେ ଅଭୂତପୂର୍ବ ପ୍ରଗତି ତଥା ଶରୀର ବିଷୟରେ ଅଧିକ ଜ୍ଞାନ ବଳରେ ଯାହା ସମ୍ଭବ ହୋଇଛି, ତାହା ହେଲା ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କ ହାରାହାରି ଆୟୁଷରେ ବୃଦ୍ଧି। ଫଳରେ ବହୁ ପରିବାରରେ ତିନି ପିଢ଼ିର ସମାବେଶ ସମ୍ଭବପର ହେଉଛି। ଗୋଟିଏ ଯୁବ ଦଂପତିଙ୍କ ସହିତ ସେମାନଙ୍କର ଅଳ୍ପ ବୟସର ପୁତ୍ର ବା କନ୍ୟା ଏବଂ ବର୍ଷୀୟାନ ପିତାମାତା (କିମ୍ବା ଶାଶୂଶ୍ୱଶୁର) ଏକାଠି ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏହି ଯୁବ ଦଂପତିଙ୍କ ପିଢ଼ିକୁ ‘ସ୍ୟାଣ୍ଡ୍‌ଉଇଚ୍‌ଡ ପିଢ଼ି’ ବୋଲି ମଧ୍ୟ କୁହାଯାଇପାରେ; କାରଣ ସାଣ୍ଡୱିଚ୍‌ରେ ଦୁଇଟି ପାଉଁରୁଟି ମଧ୍ୟସ୍ଥ ପୁର ଭଳି ଏହି ମଧ୍ୟବର୍ତ୍ତୀ ପିଢ଼ିଟି ପ୍ରଥମ ପିଢ଼ି ଏବଂ ତୃତୀୟ ପିଢ଼ି ମଧ୍ୟରେ ଚାପି ହୋଇ ରହିଥାଏ। ଏହି ‘ସ୍ୟାଣ୍ଡ୍‌ଉଇଚ୍‌ଡ ପିଢ଼ି’ ଏକ ଅତି ବିଚିତ୍ର ପରିସ୍ଥିତି ଦେଇ ଗତି କରନ୍ତି, ଯାହାର ସାମାଜିକ ଦାୟିତ୍ୱ, ମାନସିକ ଦ୍ୱନ୍ଦ୍ୱ ଓ ମାନସିକ ଚାପକୁ ନେଇ ଏକ ଆଲୋଚନା କରାଯାଇପାରେ।

Advertisment

ଭାରତୀୟ ସମାଜରେ ‘ସ୍ୟାଣ୍ଡ୍‌ଉଇଚ୍‌ଡ ପିଢ଼ି’ର ଲୋକମାନଙ୍କର ସଂଖ୍ୟା କମ୍‌ ନୁହେଁ। ପାଶ୍ଚାତ୍ୟ ଦେଶମାନଙ୍କରେ ଏଭଳି ପିଢ଼ି ନ ଥାଆନ୍ତି; ବାହାଘର ପରେ ପିଲାମାନେ ବାପାମା’ଙ୍କୁ ଛାଡ଼ି ଅନ୍ୟତ୍ର ରହନ୍ତି। ଭାରତରେ ଏକାନ୍ନବର୍ତ୍ତୀ ପରିବାରର ବିଲୟ ଘଟିଥିଲେ ମଧ୍ୟ ବିବାହିତ ପୁତ୍ରକନ୍ୟାମାନେ ସେମାନଙ୍କ ବୟସ୍କ ପିତାମାତାଙ୍କ ସହିତ ଯୋଗାଯୋଗ ରକ୍ଷା କରନ୍ତି, ଅନେକ ସମୟରେ ଏକତ୍ର ରହନ୍ତି ମଧ୍ୟ। ପରିବାର ବିଶେଷଜ୍ଞମାନେ ଏପରି ବ୍ୟବସ୍ଥାକୁ କାର୍ଯ୍ୟତଃ ଯୌଥ (ଫଙ୍କସନାଲି ଜଏଣ୍ଟ) ପରିବାରର ଆଖ୍ୟା ଦେଇଛନ୍ତି। ଏଭଳି ପରିବାରରେ ବିବାହିତ ପୁତ୍ର ଓ ବଧୂ କିମ୍ବା ବିବାହିତା କନ୍ୟା ଏବଂ ଜାମାତାଙ୍କ ସମସ୍ୟା ଏକ ବିଚିତ୍ର ଧରଣର। ଗୋଟିଏ ପକ୍ଷରେ ସେମାନଙ୍କୁ ବୟସ୍କ ମାନଙ୍କ ଦାୟିତ୍ୱ ଓ ସେବାଯତ୍ନ ନେବାକୁ ପଡୁଥିବା ବେଳେ ଅନ୍ୟ ପକ୍ଷରେ ସନ୍ତାନମାନଙ୍କ ଉପରେ ଧ୍ୟାନ ରଖିବାକୁ ହୁଏ। ଏହା ଭିତରେ ପୁଣି ସେମାନଙ୍କୁ ନିଜ ବନ୍ଧୁବର୍ଗ, ଦପ୍ତର ଏବଂ ଅନ୍ୟାନ୍ୟ ବିଷୟ ଉପରେ ନଜର ରଖିବାକୁ ହୋଇଥାଏ। ଏହି କାରଣରୁ ସମୟର ଅଭାବ ଘଟିଥାଏ। ଗୋଟିଏ ପଟେ ବିଶେଷ ଯତ୍ନ ନିଆଗଲେ ଅନ୍ୟ ଦିଗଟି ଅବହେଳିତ ହୋଇଉଠେ। ଏ କ୍ଷେତ୍ରରେ ‘ସ୍ୟାଣ୍ଡ୍‌ଉଇଚ୍‌ଡ ପିଢ଼ି’ର ଯୁବକଯୁବତୀ ଗଭୀର ଦ୍ବନ୍ଦ୍ବ ଏବଂ ସଙ୍କଟର ସମ୍ମୁଖୀନ ହୁଅନ୍ତି।

କେବଳ ସେତିକି ନୁହେଁ, ଏଭଳି ମଧ୍ୟବିତ୍ତ ପରିବାରଟିଏ ସହରରେ ଯେଉଁ ଘରେ ବାସ କରନ୍ତି, ସେଥିରେ ଦୁଇଟି ବା ଅତି ବେଶୀରେ ତିନିଟି କୋଠରି ଥାଏ; ତେଣୁ ସେଥିରେ ରହିବା ବେଳେ ବ୍ୟକ୍ତିଗତ ଗୋପନୀୟତା ବା ବ୍ୟକ୍ତିଗତ ପରିସର ଦୁର୍ଲଭ ହୋଇପଡ଼େ, ଯାହା ମନ ଫଟାଫଟିର କାରଣ ହୋଇଥାଏ। ସେମିତି ବହୁ ସମୟରେ ଘରେ ଥିବା ବରିଷ୍ଠ ବ୍ୟକ୍ତିମାନେ ଟେଲିଭିଜନ ସାମ୍ନାରେ ସମୟ କାଟିବାକୁ ଭଲ ପାଉଥିବା ବେଳେ ତାହା ପିଲାମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ଅଭିଯୋଗ ଶୁଣାଯାଏ। ଏଭଳି ସ୍ଥଳେ ଯେଉଁ ଦ୍ବନ୍ଦ୍ବ ଉତ୍ପନ୍ନ ହୁଏ, ତାହା ହେଲା ଗତାୟୁମାନଙ୍କ ସେବାଯତ୍ନ ଉପରେ ଅଧିକ ଧ୍ୟାନ ରହିବା ଉଚିତ ନା ଭବିଷ୍ୟତ ପିଢ଼ିକୁ ଗଢ଼ିବାରେ ଅଧିକ ଦୃଷ୍ଟି ରଖାଯିବା ଦରକାର। ଗଭୀରତାର ସହିତ ବିଚାର କଲେ ଦେଖାଯିବ ଯେ ସମସ୍ୟାଟି ଜଟିଳ ଭଳି ଲାଗିଲେ ମଧ୍ୟ ସମାଧାନ ଅସମ୍ଭବ ନୁହେଁ। ଏହାର ସମାଧାନ ପାଇଁ ଚିନ୍ତା କରାଗଲା ବେଳେ ଗୋଟିଏ କଥା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଏ। ତାହା ହେଉଛି ପରିବାରର ପ୍ରଥମ ପିଢ଼ି ବା ବୟସ୍କ ଏବଂ ତୃତୀୟ ପିଢ଼ି ବା ଶିଶୁ ସନ୍ତାନମାନଙ୍କ ମଧ୍ୟରେ ଏକ ଶ୍ରଦ୍ଧାପୂର୍ଣ୍ଣ ସଂଯୋଗର ସେତୁ ବାନ୍ଧିବା। ସେହି ହିସାବରେ ପିଲାମାନେ ଜେଜେବାପା ଓ ଜେଜେମା କିମ୍ବା ଅଜା ଓ ଆଈଙ୍କ ଠାରେ ମନୋରଂଜନମୟ ସମୟ କାଟିବା ସହିତ ସେମାନଙ୍କ କେତେକ ଦାୟିତ୍ୱ ମଧ୍ୟ ନେଇ ପାରନ୍ତିି। ଉଦାହରଣ ସ୍ବରୂପ ପିଲାମାନେ ସେମାନଙ୍କ ଜେଜେବାପା ଓ ଜେଜେମା’ ବା ଅଜା ଓ ଆଈଙ୍କ ଶୋଇବା ପୂର୍ବରୁ ବିଛଣାଟିକୁ ଝାଡ଼ି ପରିଷ୍କାର କରିଦେବା ପରେ ସେମାନଙ୍କ ଠାରୁ ଗପ ଶୁଣିବାର ସ୍ବର୍ଗୀୟ ଆନନ୍ଦ ପାଇ ପାରନ୍ତି। ଏହା ସଂପର୍କକୁ ନିବିଡ଼ କରିବା ସହିତ ପିଲାମାନଙ୍କ ବ୍ୟକ୍ତିତ୍ବକୁ ବିକଶିତ ହେବାରେ ସହାୟକ ହୋଇଥାଏ। ଏଭଳି ଅନେକ ରୂପରେ ଉଭୟ ପିଢ଼ି ପରସ୍ପରର ନିକଟବର୍ତ୍ତୀ ହୋଇ ମଧ୍ୟବର୍ତ୍ତୀ ପିଢ଼ିର ଚାପରେ ହ୍ରାସ ଘଟାଇ ପାରନ୍ତି।
ସତ କହିଲେ ଏହା ଏକ ବିଚାରର କଥା। ଟିକିଏ ଧୈର୍ଯ୍ୟ ରଖିଲେ ଏବଂ ବିଚାରଶୀଳତା ଦେଖାଇଲେ ତିନି ପିଢ଼ିଙ୍କ ସହାବସ୍ଥାନରେ ଏକ ଛୋଟ ଘର ମଧ୍ୟ ସ୍ବର୍ଗ ଭଳି ହୋଇଯାଇପାରେ।
ମୋ: ୯୪୩୭୧୨୧୨୭୯