ଫକୀର ମୋହନ ସାହୁ

Advertisment

ଏ କଥା ହୁଏତ ଅନେକ ଲୋକ ଜାଣନ୍ତି ନାହିଁ ଯେ ଶରୀର ଉପରେ ପ୍ରେମର ଚମତ୍କାରୀ ପ୍ରଭାବ ବିଷୟଟି ବିଜ୍ଞାନସମ୍ମତ ଗବେଷଣା ମାଧ୍ୟମରେ ପ୍ରମାଣିତ। ଏ ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ ଆମେରିକାରେ ବସବାସ କରୁଥିବା ମୋରେଟିସ ନାମଧାରୀ ଜନୈକ ଗ୍ରୀକ୍‌ ବ୍ୟକ୍ତିଙ୍କ ଉଦାହରଣ ପ୍ରଣିଧାନଯୋଗ୍ୟ। ମୋରେଟିସ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ହେଲେ। ତତ୍‌କ୍ଷଣାତ୍‌ ଅତି ଉନ୍ନତ ଚିକିତ୍ସା ଆରମ୍ଭ ହୋଇଗଲା। କିନ୍ତୁ ଅବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହେଲା ନାହିଁ। ଚିକିତ୍ସକମାନେ ନିରାଶ ହେଲେ। ସେମାନେ କହିଲେ ଯେ ମୋରେଟିସଙ୍କ ଆୟୁଷ ଅତି ବେଶୀରେ ଆଉ ମାତ୍ର ନ’ ମାସ। ଏବେ ମୋରେଟିସ ନିଷ୍ପତ୍ତି ‌େନଲେ ଯେ ଚିକିତ୍ସା ପାଇଁ ଏଣିକି ସେ ବିପୁଳ ବ୍ୟୟ କରିବେ ନାହିଁ, ବରଂ ପତ୍ନୀଙ୍କ ସହିତ ଗ୍ରୀସ୍ ଫେରିଯିବେ ଏବଂ ସୁନୀଳ ଭୂମଧ୍ୟସାଗର ପରିବେଷ୍ଟିତ ଆଇକେରିଆ ଦ୍ୱୀପରେ ନିଜ ବୃଦ୍ଧ ପିତାମାତାଙ୍କ ସହିତ ରହିବେ। 
ମୋରେଟିସ ଥିଲେ ଖୁବ୍ ବନ୍ଧୁବତ୍ସଳ। ତାଙ୍କ ବନ୍ଧୁ-ବାନ୍ଧବୀ ତଥା ପରିଚିତ ଓ ସଂପର୍କୀୟ ଗଣ ମୋରେଟିସଙ୍କ ଘର ବାହୁଡ଼ା କଥା ଶୁଣି ତାଙ୍କୁ ‌େଭଟିବାକୁ ଆ‌ସିଲେ; ସାଙ୍ଗରେ ଆଣୁଥିଲେ ଭଲ ପୁସ୍ତକ, ପାନୀୟ ଓ ଘର ଭିତରେ ଖେଳା ଯାଇ ପାରୁଥିବା ଭଳି ଖେଳ ସାମଗ୍ରୀ। କହିବା ବାହୁଲ୍ୟ, ମୋରେଟିସଙ୍କ ଜୀବନ ଶୈଳୀ ପୂରା ବଦଳି ଯିବାରେ ଲାଗିଲା। ଘରର ପରିବେଶରେ ଯେମିତି ସକାରାତ୍ମକ ତରଙ୍ଗ ଖେଳି ବୁଲୁଥିଲା। ମନ ପ୍ରଫୁଲ୍ଲ ରହିଲା ଏବଂ ନୂଆ ଉର୍ଜା ଜାଗ୍ରତ ହେଲା। ସେ ଚର୍ଚ୍ଚ ଯିବା ଆରମ୍ଭ କଲେ, କୁନି ବଗିଚାରେ କିଛି କିଛି କାମ କଲେ। ଯେଉଁ କାମ ତାଙ୍କ ଦ୍ବାରା ସମ୍ଭବ, ସବୁ କିଛି କରିବା ଆରମ୍ଭ କଲେ। ଅବସର ସମୟରେ ବନ୍ଧୁମାନଙ୍କ ସହ ଗପସପର ଆସର ଜମିଲା। କ୍ରମେ ତାଙ୍କୁ ଭଲ ଲାଗିବା ଆରମ୍ଭ ହେଲା। ସେ ପ୍ରସନ୍ନ ଚିତ୍ତ ହୋଇ ରହିଲେ। ଭୂମଧ୍ୟ ସାଗରୀୟ ନାତିଶୀତୋଷ୍ମ ଜଳବାୟୁ ଓ କୋମଳ ସୂର୍ଯ୍ୟ କିରଣ ତାଙ୍କୁ ପୁଲକିତ କଲା। ଜୀବନ ଆଉ ପୂର୍ବ ଭଳି ବ୍ୟଥା, ବେଦନା ଓ ଅସ୍ବସ୍ତି ଭରା ହୋଇ ନ ଥିଲା। ଇତିମଧ୍ୟରେ ଯେ କେତେ ବର୍ଷ ବିତି ଯାଇଥିଲା, ତା’ର ହିସାବ ମଧ୍ୟ ସେ ରଖି ନ ଥିଲେ।
ହଠାତ୍ ଦିନେ ସ୍ମରଣକୁ ଆସିଲା ଚିକିତ୍ସକମାନଙ୍କ ହତାଶା ଭରା ବାଣୀ। ସେ ଠିକ୍‌ କଲେ ଯେ ପୁଣି ଆମେରିକାର ପୂର୍ବ ଡାକ୍ତରଖାନା ଯାଇ ସେହି ଡାକ୍ତରମାନଙ୍କୁ ଭେଟିବେ। ସେଠାରେ ପରୀକ୍ଷା ପରେ ଜଣା ପଡ଼ିଲା ଯେ ସ୍ବାସ୍ଥ୍ୟ ଅବସ୍ଥା ନେଇ ଆଉ ଚିନ୍ତାର କାରଣ ନାହିଁ। ସେଠାରେ ତାଙ୍କ ଅକାଳ ମୃତ୍ୟୁର ଆଶଙ୍କା ନେଇ ପୂର୍ବାନୁମାନ କରିଥିବା ଡାକ୍ତରମାନେ ବିସ୍ମିତ ହେଲେ। ଉଲ୍ଲେଖଯୋଗ୍ୟ ଯେ ମୋରେଟିସ ଶେଷ ନିଃଶ୍ବାସ ତ୍ୟାଗ କଲା ବେଳକୁ ସେହି ଡାକ୍ତରୀ ଦଳର କେହି ହେଲେ ଜୀବିତ ନ ଥିଲେ; କାରଣ ସେ ୧୦୨ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ। 
ଏଠାରେ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ ହେଲା, ସ୍ନେହ, ଶ୍ରଦ୍ଧା ଓ ପ୍ରେମର ଏଭଳି ଯାଦୁକରୀ ପ୍ରଭାବ ପଛରେ ଥିବା କାରଣଟି କ’ଣ? ଆସନ୍ତୁ ଜାଣିବା। ପ୍ରଥମ କଥା ହେଲା, ତିନିଟି ହରମୋନ ଆମ ଜୀବନକୁ ଗଭୀର ଭାବେ ନିୟନ୍ତ୍ରଣ କରିଥାଏ। ପ୍ରେମ ବା ଶ୍ରଦ୍ଧା ଭଳି ସକରାତ୍ମକ ଅନ୍ତରଙ୍ଗ ଭାବ ସହତି ଯେଉଁ ହର୍‌ମୋନ ଜଡ଼ିତ, ତା’ର ନାମ ‘ଅକ୍‌ସିଟୋସିନ’। ‘ଅକ୍‌ସିଟୋସିନ’ ଆମ ମାନସିକ ଚାପକୁ ଲାଘବ କରାଏ। ଶିଶୁକୁ ସ୍ତନ୍ୟପାନ କରାଇବାରେ ମା’ ଯେଉଁ ଗଭୀର ଓ ପରିପୂର୍ଣ୍ଣ ସନ୍ତୋଷ ଭାବ ଦ୍ବାରା ଆପ୍ଳୁତ ହୁଏ, ତା’ର କାରଣ ଅକ୍‌ସିଟୋସିନର ପ୍ରଭୂତ କ୍ଷରଣ। ଯେ କୌଣସି ପ୍ରକାର ପ୍ରେମ ସଂପର୍କ ହେଉ ନା କାହିଁକି; ତହିଁରୁ ଆନନ୍ଦର ଫଲ୍‌ଗୁ ଝରିବାର କାରଣ ହେଲା ‘ଅକ୍‌ସିଟୋସିନ’ର ପ୍ରଭାବ। ଦ୍ୱିତୀୟ ହର୍‌ମୋନଟି ହେଉଛି ଡୋପାମାଇନ। ଏହା ପାକସ୍ଥଳୀ, ହୃତ୍‌ପିଣ୍ଡ ଓ ମସ୍ତିଷ୍କରୁ କ୍ଷରିତ ହୁଏ। ଏହା ମୁଖ୍ୟତଃ ସୁଖାନୁଭୂତି ସହିତ ସମ୍ପୃକ୍ତ। କୌଣସି ସ୍ଥିତି ବା କାର୍ଯ୍ୟରୁ ଯଦି ଆନନ୍ଦ ମିଳିଥାଏ, ତାହା ହେଲେ ବୁଝିବାକୁ ହେବ ଯେ ତା’ ପଛରେ ରହିଛି ଡୋପାମାଇନର ଭୂମିକା। ଅଧିକ ପରିମାଣର ‌େଡାପାମାଇନର କ୍ଷରଣ ଘଟିଲେ ବ୍ୟକ୍ତି ଆଶାବାଦୀ, ବନ୍ଦୁବତ୍ସଳ ଓ ସକାରାତ୍ମକ ହୁଅନ୍ତି। ତୃତୀୟ ହର୍‌ମୋନ୍ ହେଉଛି ‘ସେରୋଟୋନିନ’। ଏହାର ଅଭାବ ବିଷାଦର କାରଣ ହୁଏ। ଏଥିରୁ ସ୍ପଷ୍ଟ ଯେ ଆମମାନଙ୍କ ଚିତ୍ତବୃତ୍ତି ଓ ବ୍ୟକ୍ତିତ୍ବ ଏବଂ ଆମ ବ୍ୟବହାର ଇତ୍ୟାଦି ପ୍ରକୃତରେ ଏଭଳି ହରମୋନଗୁଡ଼ିକ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଏଭଳି ହରମୋନର ଅଧିକ କ୍ଷରଣ ଘଟିଲେ ସକାରାତ୍ମକ ଓ ଆନନ୍ଦିତ ମନ ଜାତ ହୁଏ, ଯାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ।
ଚିକିତ୍ସକମାନେ ଏବେ ଏକମତ ଯେ ଶରୀରରେ ଦେଖାଯାଉଥିବା ପ୍ରାୟ ସମସ୍ତ ରୋଗ ବା ବ୍ୟାଧିର ମୂଳ ରହିଛି ମାନସିକ ସ୍ଥିତି‌ରେ। 
ସୁତରାଂ, ମନକୁ ଭଲ ରଖାଯାଇପାରିଲେ, ଶରୀର ବ୍ୟାଧିମୁକ୍ତ ହେବାର ସମ୍ଭାବନା ରହିଛି। 
ତେବେ କଥା ହେଲା, ମନକୁ କିଭଳି ଭଲ ରଖାଯାଇପାରିବ? ଏକ ବଡ଼ ଉପାୟ ହେଲା ନିଜକୁ ଉନ୍ମୁକ୍ତ କରିଦେବା ଓ ମନ ତଥା ହୃଦୟର ରୁଦ୍ଧ ବାତାୟନ ଖୋଲି ଦେବା। ଯେଉଁ କାର୍ଯ୍ୟ ମନକୁ ସନ୍ତୋଷ ଓ ଆନନ୍ଦ ‌େଦଉଛି, ତାହା କରିବାରେ ସମୟ ଦେବା। ଗୋଟିଏ ଦୃଷ୍ଟାନ୍ତରେ ଦେଖାଯାଇଛି ଯେ ଦୁରାରୋଗ୍ୟ ପାରକିନସନ ରୋଗରେ ପୀଡ଼ିତ ଜଣେ ଜାପାନୀ ଅଧ୍ୟାପକ ନୃତ୍ୟ ଶିକ୍ଷା କରିବାକୁ ସ୍ଥିର କଲେ। ଚିକିତ୍ସକଙ୍କ ପରାମର୍ଶ କ୍ରମେ ସେ ଏକ ନୃତ୍ୟ କ୍ଲାସରେ ଯୋଗ ଦେଇ ଅଭ୍ୟାସ କ‌ରିବାକୁ ଲାଗିଲେ। କହିବା ଅନାବଶ୍ୟକ ଯେ ପିଲା ଦିନୁ ସେ ନୃତ୍ୟ ପ୍ରତି ଆକର୍ଷିତ ଥି‌େଲ।
କ୍ରମେ ସେ ପାରକିନସନ କଥା ମଧ୍ୟ ଭୁଲିଗଲେ। କେମିତି ନୃତ୍ୟାଭ୍ୟାସ କରିବେ, ସର୍ବଦା ସେଥିରେ ମାତି ରହିଲେ। କ୍ରମେ ବ୍ୟାଧିର ଅଗ୍ରଗତି କମିଲା। ଅନେକ ବର୍ଷ ଯାଏ ସେ ଆରୋଗ୍ୟ ରହିଲେ। ଓଡ଼ିଆରେ କଥାଟିଏ ଅଛି ଯେ ‘ଚିନ୍ତା ଖାଏ ଗଣ୍ଡି’। ଏବେ ଏହାର ସକାରାତ୍ମକ ପାର୍ଶ୍ବ କଥା ମଧ୍ୟ କୁହାଯାଉଛି, ଯାହା ହେଲା ପ୍ରଫୁଲ୍ଲିତ ମନ ଦ୍ବାରା ଶରୀର ରୋଗମୁକ୍ତ ହୋଇପାରେ। 
(ମତାମତ ଲେଖକଙ୍କ ନିଜସ୍ବ) 
ମୋ: ୯୪୩୭୧୨୧୨୭୯