ପ୍ରତ୍ୟେକ ବ୍ୟକ୍ତି ଆକର୍ଷଣୀୟ ହେବାକୁ ଇଚ୍ଛା କରନ୍ତି। ସେଥି ଲାଗି ଉପାୟ ମଧ୍ୟ କରନ୍ତି। କିଏ ଜ୍ଞାନ ଅର୍ଜନ କରି ତ କିଏ ଯଶ ଲାଭ ପାଇଁ ପ୍ରଚେଷ୍ଟା କରି ତ କେହି କେହି ଅଧିକ ବିତ୍ତଶାଳୀ ହେବାକୁ ଉଦ୍ୟମ କରି ଅନ୍ୟମାନଙ୍କୁ ଆକୃଷ୍ଟ କରିବାକୁ ଚାହିଁଥାନ୍ତି। କିନ୍ତୁ ଆମମାନଙ୍କ ମଧ୍ୟରେ ଏଭଳି କେତେକ ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳେ ଯେଉଁମାନେ ଏଭଳି କୌଣସି ପ୍ରଚେଷ୍ଟା ନ କରି ସ୍ବଭାବସୁଲଭ ଭାବେ ଚୁମ୍ବକୀୟ ଆକର୍ଷଣର ଅଧିକାରୀ ହୋଇଥାଆନ୍ତି। ସେମାନେ ଯେଉଁଠାକୁ ଯାଆନ୍ତି, ଯାହା କରନ୍ତି, ଯାହା କହନ୍ତି; ସବୁ କିଛି କେନ୍ଦ୍ରରେ ରହେ ଓ ଅନ୍ୟମାନେ ତାହାକୁ ବେଢ଼ି ରହନ୍ତି। ଏଭଳି ଆକର୍ଷଣୀୟ ବ୍ୟକ୍ତିତ୍ବ ଲାଭ କରିବାକୁ ସମସ୍ତେ ଅଭିଳାଷୀ ହୁଅନ୍ତି ସତ, କିନ୍ତୁ ତାହା ସମ୍ଭବ ହୋଇ ନ ଥାଏ। କେତେକ ସହଜାତ ଗୁଣ ସେମାନଙ୍କୁ ଏଭଳି ଚମକ ଦେଇଥାଏ, ଯାହା ଉପେର ନିମ୍ନରେ କିଞ୍ଚିତ ଆଲୋଚନା କରିବା।
ପ୍ରଥମ କଥା ହେଲା ଏଭଳି ଲୋକେ ସ୍ବଭାବଗତ ଭାବେ ଖୁସ ମିଜାଜର ହୁଅନ୍ତି। ସେମାନଙ୍କ ମୁହଁରେ ସର୍ବଦା ପ୍ରଫୁଲ୍ଲତା ଝଲସୁ ଥାଏ। ସେମାନଙ୍କ ମନ ମଧ୍ୟ ପ୍ରସନ୍ନତାରେ ଭରପୂର ଥାଏ। ଦ୍ବିତୀୟରେ ସେମାନଙ୍କ ଦୃଷ୍ଟିଭଙ୍ଗୀ ସର୍ବଦା ସକାରାତ୍ମକ ହୋଇଥାଏ। ସେମାନେ ସ୍ବଭାବଗତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହିତ ଅନ୍ୟମାନଙ୍କ ବ୍ୟକ୍ତିତ୍ବରେ ଛିଦ୍ର ନ େଖାଜି କେବଳ ଉଜ୍ଜ୍ବଳ ଦିଗଗୁଡ଼ିକୁ ଦେଖନ୍ତି। ତୃତୀୟରେ ସେମାନେ ସ୍ନେହୀ ବା ଶ୍ରଦ୍ଧାଶୀଳ ତଥା ଦୟାବାନ ହୁଅନ୍ତି, ଯେଉଁ କାରଣରୁ ସେମାନଙ୍କ ସଂସର୍ଗ ଅନ୍ୟମାନଙ୍କ ଠାରେ ଏକ ପ୍ରୀତିପଦ ଭାବ ସୃଷ୍ଟି କରିଥାଏ। ଏଭଳି ଲୋକଙ୍କ ସାନ୍ନିଧ୍ୟ ଲାଭ କଲେ ମନରୁ ହତାଶା ଦୂର ହୋଇ ନୂଆ ଦିଗନ୍ତ ଉନ୍ମୋଚିତ ହୁଏ ବୋଲି ଅନେକ ଲୋକ ସେମାନଙ୍କ ନିକଟକୁ ଯାଉଥିବା ଦେଖିବାକୁ ମିଳେ; ସେମାନଙ୍କ ଠାରୁ ପଦଟିଏ କଥା ଶୁଣିବା ଲାଗି ସେମାନେ ଉଦ୍ଗ୍ରୀବ ହୋଇ ଉଠନ୍ତି।
ଅନ୍ୟକୁ ସ୍ବାଗତ କଲା ବେଳେ ସାଧାରଣତଃ ମୁହଁରେ ସ୍ମିତ ହସ ଧାରଣ କରିବାକୁ ହୋଇଥାଏ। ବିମାନର ପରିଚାରିକାମାନଙ୍କ ଓଠରେ ସର୍ବଦା ସ୍ମିତ ହସ ଝୁଲି ରହିଥାଏ, ଯଦିଓ ସ୍ଥଳ ବିଶେଷରେ ମନରେ ଆନନ୍ଦ ନ ଥାଏ ବା ବାଧ୍ୟ ହୋଇ ସେଭଳି ଅଭିନୟ କରିବାକୁ ପଡ଼ିଥାଏ। ଏହାର କାରଣ ହସ ହେଉଛି ସଂକ୍ରାମକ ଏବଂ ଏହା ଦ୍ବାରା ଅନ୍ୟମାନଙ୍କ ମନରେ ମଧ୍ୟ ଖୁସି ଅଣାଯାଇପାରେ। ସୁତରାଂ ହସହସ ମୁହଁ ସର୍ବଦା ଆକର୍ଷଣୀୟ ଲାଗିଥାଏ। ଦଳେ କଲେଜ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଏ ନେଇ ହୋଇଥିବା ଗୋଟିଏ ମନସ୍ତାତ୍ତ୍ବିକ ଅଧ୍ୟୟନରୁ ଦେଖିବାକୁ ମିଳିଥିଲା ଯେ ଯେଉଁ ଛାତ୍ରଛାତ୍ରୀମାନେ ଅଧିକାଂଶ ସମୟ ସ୍ମିତ ହସର ଅଭିନୟ କରୁଛନ୍ତି, ସେମାନେ ଅଧିକ ସଂଖ୍ୟକ ବନ୍ଧୁ ସୃଷ୍ଟି କରି ପାରିବା ସହିତ ସେମାନଙ୍କ କଲେଜରେ ଅଧିକ ଲୋକପ୍ରିୟ ହେଉଛନ୍ତି।
ଆକର୍ଷଣୀୟ ବ୍ୟକ୍ତିମାନଙ୍କ ଆଉ ଏକ ବିଭାବ ହେଉଛି ସେମାନଙ୍କ ସ୍ଫୂର୍ତ୍ତି। ସେମାନେ ଯେଉଁ କାର୍ଯ୍ୟ କରନ୍ତି, ତହିଁରେ ନୂତନ ଶକ୍ତି ଓ ପ୍ରାଣ ସଂଚାର କରନ୍ତି। ସେମାନେ ସାଧାରଣତଃ ନିଜ କାର୍ଯ୍ୟରେ ଏକ ପ୍ରକାର ତଲ୍ଲୀନ ବା ନିମଗ୍ନ ହୋଇ ପାରନ୍ତି ଏବଂ ତଦ୍ଦ୍ବାରା ସେମାନଙ୍କ କାର୍ଯ୍ୟ ଏବଂ ସେମାନଙ୍କ ବ୍ୟକ୍ତିତ୍ବ ପ୍ରଗାଢ଼ତା ଲାଭ କରିବା ସହିତ ଆକର୍ଷଣୀୟ ହୋଇଥାଏ। ତେବେ ଏହା ସତ ଯେ ନିଜ କାର୍ଯ୍ୟରେ ତଲ୍ଲୀନତା ଲାଭ କରିବା ପ୍ରାୟତଃ କଳାକାରମାନଙ୍କ ଠାରେ ଦେଖିବାକୁ ମିଳିଥାଏ। ନୃତ୍ୟଶିଳ୍ପୀ ବା ଗାୟକ-ଗାୟିକା ବା ଚିତ୍ରକର ବା ସ୍ଥପତି ଅଥବା ଲେଖକ-ଲେଖିକାମାନେ ସେମାନଙ୍କ କାର୍ଯ୍ୟରେ ସଂପୂର୍ଣ୍ଣ ଆତ୍ମ ବିସ୍ମୃତ ହୋଇପାରନ୍ତି। ଏହା ସେମାନଙ୍କ ବ୍ୟକ୍ତିତ୍ବକୁ ଆକର୍ଷଣୀୟ କରିଥାଏ। ଅବଶ୍ୟ, ଏହା ମଧ୍ୟ ସତ ଯେ ଯେକୌଣସି କାର୍ଯ୍ୟକୁ ଉଚ୍ଚାଙ୍ଗ କଳା ସ୍ତରକୁ ଉତ୍ତୀର୍ଣ୍ଣ କରାଯାଇପାରେ। ବିଖ୍ୟାତ ଲେଖକ ରିଚାର୍ଡ ବାକ୍ କହିଥିଲେ ଯେ କାର୍ ପୋଛାପୋଛି କରିବା ଭଳି ଇତର କାର୍ଯ୍ୟଟିକୁ ମଧ୍ୟ କେହି କେହି ଚାରୁକଳା ସ୍ତରକୁ ନେଇ ଯାଇପାରନ୍ତି। କିନ୍ତୁ ଏଥି ଲାଗି ଯାହା ଲୋଡ଼ା, ତାହା ହେଲା କୌଣସି କାର୍ଯ୍ୟ କରିବାକୁ ‘ପ୍ୟାସନ’ ବା ଆଗ୍ରହ ବା ଆବେଗର ସ୍ଫୂରଣ। କୌଣସି କାର୍ଯ୍ୟ ଯଦି ଅତ୍ୟାଗ୍ରହ ସହିତ ସଂପାଦିତ କରାଗଲା, ତେବେ, ତାହା କାର୍ଯ୍ୟ ଏବଂ କାରକ ଉଭୟଙ୍କୁ ଆକର୍ଷଣୀୟ କରିବ।
ସୁତରାଂ, କେତେକ ଲୋକ ସ୍ବଭାବଗତ ଭାବେ ଆକର୍ଷଣୀୟ ହୋଇଥିଲେ ମଧ୍ୟ କେହି କେହି ଉଦ୍ୟମ କରି ନିଜ ବ୍ୟକ୍ତିତ୍ବକୁ କିଛି ପରିମାଣରେ ଚୁମ୍ବକୀୟ କରି ପାରନ୍ତି। ଯେଉଁମାନେ ନିଜକୁ ଆକର୍ଷଣୀୟ କରିବା ଲାଗି ଦୃଷ୍ଟିଭଙ୍ଗୀେର ପରିବର୍ତ୍ତନ ଘଟାଇ ପାରନ୍ତି, ସେମାନେ ସହଜାତ ଭାବେ ଆକର୍ଷଣୀୟ ହୋଇ ନ ଥିଲେ ସୁଦ୍ଧା ଅନ୍ୟଙ୍କୁ ଆକୃଷ୍ଟ କରିବାରେ ସଫଳ ହୁଅନ୍ତି।
ମୋ: ୯୪୩୭୧୨୧୨୭୯
ମନ ପରିଭାଷା: ଚୁମ୍ବକୀୟ ବ୍ୟକ୍ତିତ୍ବର ରହସ୍ୟ
ଫକୀର ମୋହନ ସାହୁ
/sambad/media/post_attachments/wp-content/uploads/2023/09/sfhsfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)