ଚିନ୍ମୟ ହୋତା

ଓଡ଼ିଶାରେ ଗଣତି କାମଟିର ବଡ଼ ଖାତିର। ସବୁବେଳେ କିଛି ନା କିଛି ଗଣତି କାମରେ ଆମେ ବ୍ୟସ୍ତ ଥାଉ। ଜନ ଗଣନା ଆଉ ଭୋଟ ଗଣନା ତ ପୁରୁଣା ହେଲେଣି, ଏବେ ନାନା ନୂଆ ବିଷୟ ଗଣତିର ପରିସରକୁ ଆସିଛନ୍ତି। ହାତୀ ଗଣତି, ବାଘ ଗଣତି, କୁମ୍ଭୀର ଗଣତି, ଏ ସବୁ କଥା ଆଗରୁ କିଏ ଶୁଣିଥିଲା ଭଲା? ଏବେ ଫି ବର୍ଷ ଚିଲିକା ଓ ଭିତରକନିକାରେ ସ୍ଥାନୀୟ ପକ୍ଷୀ ଓ ବିଦେଶରୁ ଆସିଥିବା ଅତିଥି ପକ୍ଷୀଙ୍କର ମୁଣ୍ଡ ଗଣତି ବି ହେଉଛି। ସେମିତି ବିଦେଶୀ କଇଁଛ ଆଉ ତାଙ୍କ ଅଣ୍ଡାର ଗଣତି ମଧ୍ୟ। ପୁଣି ଶାଗୁଣାଙ୍କ ଗଣତି କଥା ମଧ୍ୟ କାନ ଶୁଣିଲା। ଅବଶ୍ୟ, ଶାଗୁଣା ଗଣତି ବାଲାଙ୍କୁ କିଛି ମେହନତ କରିବାକୁ ପଡ଼ିଲା ନାହିଁ, କାରଣ ଓଡ଼ିଶାରେ ଶାଗୁଣା ସଂଖ୍ୟା ଶୂନ, ଯାହା ଅଛନ୍ତି ସବୁ ନନ୍ଦନକାନନର କୃତ୍ରିମ ପ୍ରଜନନ କେନ୍ଦ୍ରରେ।
ଏଇ ନୂଆ-ପୁରୁଣା କିସମର ଗଣତି ସବୁକୁ କିନ୍ତୁ ପଛରେ ପକାଇଦେଲା ଆମ ବଡ଼ ଠାକୁରଙ୍କ ରତ୍ନ ଓ ଅଳଙ୍କାର ଗଣନା କଥା। କେଳେଙ୍କାରିଟି ଅନେକ ବର୍ଷ ଧରି ଦୋଷ ଦିଆନିଆ, ଗୁଜବ ପ୍ରଚାର ଆଉ ଟଣାଘୋଷରା ଭିତର ଦେଇ ଚାଲିଲା। ଶେଷକୁ ତ ରତ୍ନଭଣ୍ଡାରର ଚାବି ରାଜ୍ୟ ବାହାରକୁ ଚାଲିଗଲାଣି ବୋଲି ରାଜନୀତିର ମୁଖିଆମାନେ ଖୋଲାରେ ଘୋଷଣା କଲେ। ଏଇ ରତ୍ନଭଣ୍ଡାର ଅବ୍ୟବସ୍ଥା ଭିତରେ ରାଜ୍ୟବାସୀ ଗଣତିର ଯାଆଁଳା ଭାଇ ମଣତିକୁ ଚିହ୍ନିଲେ। ଯେଉଁଠି ଦେଖ ଗଣତି ଓ ମଣତି ଏକା ସାଙ୍ଗରେ ହାତ ଧରାଧରି ହୋଇ ଉଭା ହେଲେ। ଗଣତିର ଅର୍ଥ ଗଣିବା, ତେବେ ମଣତିଟି ପୁଣି କ’ଣ? ଲୋକେ ଅଭିଧାନ ଖୋଜିଲେ, ହେଲେ ସେଠି ବି ଏ ଶବ୍ଦ ପାଇଲେ ନାହିଁ। ଅନେକେ ଭାବିଲେ ଏହା ହେଉଛି କଥାର ନଥା: ଯେମିତି ଲୁଗାପଟା, ଆବଡ଼ାଖାବଡ଼ା ସେମିତି ଗଣତିମଣତି। ଅନ୍ୟମାନେ କହିଲେ ମଣତିର ଅର୍ଥ ହେଲା ଆଗରୁ ଯେତେ ଥିଲା, ସେତିକି ଅଛି କି ନାହିଁ ମିଳେଇ ଦେଖିବା। ସେ ଯାହା ବି ହେଉ ଏଇ ‘ମଣତି’ ଦ୍ୱାରା ଆମ ଶବ୍ଦ ଭଣ୍ଡାର ଟିକେ ସମୃଦ୍ଧ ତ ହେଲା!
ଯାହା କୁହନ୍ତୁ ପଛେ ଏଇ ଗଣତି କାମଟା ସବୁବେଳେ କିଟିମିଟିଆ; ନ ହେଲେ କ’ଣ ୪୭ ବର୍ଷ ଧରି କାମଟି ବାକି ପଡ଼ିଥାନ୍ତା? ଠାକୁରଙ୍କ ରତ୍ନ ଗଣିବା ବେଳକୁ ସିନା ଏତେ ଉଛୁର, ମଣିଷର ରତ୍ନ, ସୁନା ଆଉ ଟଙ୍କାବିଡ଼ା ଗଣିବାରେ କିନ୍ତୁ ସରକାର କେବେ ହେଳା କରନ୍ତିନି। ମୁଁ ଏଇ ଭିଜିଲାନ୍‌ସ ଚଢ଼ାଉବାଲା ଗଣତି କଥା କହୁଛି। ଏହି ନୂଆ ପ୍ରକାର ଗଣତିଟି ଆମ ଓଡ଼ିଶାରେ ଏବେ ନିତିଦିନିଆ ଘଟଣା। ଚଢ଼ାଉ ଦଳ ଗଣି ଗଣି ହାଲିଆ ହୋଇପଡୁଛନ୍ତି ଓ ଟଙ୍କାଗଣା ଯନ୍ତ୍ର ମଗାଉଛନ୍ତି। ଯନ୍ତ୍ର ବି ବେଳେବେଳେ ଥକି ଯାଉଛି ଗଣତି କାମରେ। 
ସବୁ ଗଣତି ଚାଲିଛି ଯେତେବେଳେ, ବୁଲା କୁକୁରଙ୍କ ଗଣତି ନ ହେବ କାହିଁକି? ଆମ ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କରାଜ କଥା କାହାକୁ ବା ଅଜଣା? ଆଗରୁ କେବେ କେମିତି ନିରୀହ ବାଟୋଇକୁ କାମୁଡ଼ି ପକାଉଥିଲେ, କିନ୍ତୁ ଆଜିକାଲି ଏମାନେ ସାଇକଲ, ବାଇକ ଓ ଏମିତିକି କାର୍‌ବାଲାଙ୍କୁ ବି ଗୋଡ଼ାଉଛନ୍ତି। କାର୍‌ବାଲା ସିନା ଖସି ଯାଉଛି, ହେଲେ ବାଇକ ବାଲାଏଁ ଛାନିଆ ହୋଇ ଏଣେତେଣେ ଦୁର୍ଘଟଣା କରି ପକାଉଛନ୍ତି କିମ୍ବା ଡ୍ରେନ ଭିତରେ ଯାଇ ପଡୁଛନ୍ତି। ଏ ସବୁ ବିଚାର କରି ଭୁବନେଶ୍ୱର ମହାନଗର ନିଗମ ପ୍ରଥମେ କୁକୁରଙ୍କୁ ଗଣି ତା’ ପରେ ଉଚିତ ପଦକ୍ଷେପ ନେବେ ବୋଲି ଠିକ୍ କରିଛନ୍ତି। ପଶୁଗୁଡ଼ିକ ଭୋର ବେଳକୁ ନିଜ ଅଞ୍ଚଳରେ ଶୋଇଥିବେ ଭାବି ସେଇ ସମୟରେ ଗଣତି ବାଲାଙ୍କୁ ପଠାଯାଉଛି। ସେମାନଙ୍କୁ କୁକୁର ଗଣନାର ସ୍ୱତନ୍ତ୍ର ଟ୍ରେନିଂ ଦେଇ ବହୁତ ଖର୍ଚ୍ଚ ବି କରାଯାଇଛି। ହେଲେ ବହୁ ଆଡ଼ମ୍ବରେ ଲଘୁ କ୍ରିୟା। କେତେକ ସ୍ଥାନରେ ଗଣିବାକୁ ଗୋଟିଏ ବି କୁକୁର ପାଉନାହାନ୍ତି ଗଣତି ଦଳ। ବିଜ୍ଞ ନଗରବାସୀ କହୁଛନ୍ତି ଗଣତି ଦଳ ଯଦି କୁକୁର ଖାଦ୍ୟ ଧରି ଆସନ୍ତେ, କୁକୁରମାନେ ଖାଦ୍ୟ ଲୋଭରେ ମାଡ଼ି ଆସନ୍ତେ। କିନ୍ତୁ ଏମାନଙ୍କ ହାତରେ ଖାଦ୍ୟ ବଦଳରେ ଭିଡିଓ କ୍ୟାମେରା ଦେଖି କୁକୁରମାନେ ଡରି ଯାଉଛନ୍ତି ଓ ଲୁଚି ରହୁଛନ୍ତି। ହେଲେ ସରକାରୀ ପ୍ରକଳ୍ପ ମାନେ ଶେଷକୁ ନିଶ୍ଚେ ଏଣୁତେଣୁ କରି ଗୋଟିଏ ସଂଖ୍ୟା ବାହାରିବ, ତା’ର ବାସ୍ତବିକତା ସହ କିଛି ସମ୍ପର୍କ ଥାଉ କି ନ ଥାଉ!
ଗଣତିର ପରିଣାମ ଏମିତି ହେବା କିଛି ନୂଆ କଥା ନୁହେଁ। ଥରେ ଜଣେ ରାଜାଙ୍କ ମୁଣ୍ଡକୁ ଅଦ୍ଭୁତ ଖିଆଲଟିଏ ଜୁଟିଲା, ସେ ନିଜ ରାଜ୍ୟର କାଉ ସଂଖ୍ୟା ନିର୍ଭୁଲ୍‌ ଜାଣିବା ଦରକାର। କାଉ ଗଣତି କରିବାକୁ ବିଶାରଦମାନେ ବି ପଛଘୁଞ୍ଚା ଦେଲେ। ରାଜା ତାଙ୍କ ବିଦୂଷକକୁ କଥାଟି କହିଲାରୁ ବିଦୂଷକ କହିଲେ, ‘‘ଓ ଏଇ କଥା। କାଲି ସୁଦ୍ଧା ରାଜ୍ୟରେ ଥିବା କାଉଙ୍କ ସଂଖ୍ୟା ଗଣତି କରି ମୁଁ ଜଣାଇ ଦେବି।’’ ତହିଁ ଆରଦିନ ବିଦୂଷକ ରାଜାଙ୍କୁ ଗୋଟିଏ ସଂଖ୍ୟା ଜଣାଇଲେ ଯାହା କୋଟିରୁ ଆରମ୍ଭ ହୋଇ ଏକ ନିର୍ଦ୍ଦିଷ୍ଟ ଏକକ ସଂଖ୍ୟାରେ ସରିଥିଲା। ରାଜା କାଉଙ୍କ ଏତେ ସୂକ୍ଷ୍ମ ଗଣନା ଦେଖି ଆଚମ୍ବିତ ହୋଇଗଲେ ଓ ଭାବିଲେ ଯେ ବିଦୂଷକ ତାଙ୍କୁ ଠକି ଦେଇଛନ୍ତି। ସେ ଗମ୍ଭୀର ସ୍ୱରରେ କହିଲେ, ‘‘ଦେଖ, ମୁଁ ପୁଣି ଥରେ ସବୁ ଉପାୟ ଲଗାଇ କାଉ ଗଣତି କରାଇବି। ତୁମେ ଦେଇଥିବା ସଂଖ୍ୟାରୁ ଯଦି କିଛି କମ୍-ବେଶୀ ବାହାରେ, ଜାଣ ସେଦିନ ତୁମର ମୁଣ୍ଡ କାଟ ହେବ।’’ ବିଦୂଷକ ଜମା ବିଚଳିତ ନ ହୋଇ କହିଲେ, ‘‘ମଣିମା, ମୋର କାଉ ଗଣନା ସମ୍ପୂର୍ଣ୍ଣ ନିର୍ଭୁଲ୍‌। ଆଉ ନୂଆ ଗଣନାରେ କମ୍-ବେଶୀ ହେବା ତ ନିଶ୍ଚିତ। ଯଦି ନୂଆ ଗଣନାରେ କାଉ କମ୍ ବାହାରିଲେ, ତେବେ ଧରି ନେବାକୁ ହେବ ଯେ ଆମ ଦେଶର କିଛି କାଉ ପଡ଼ୋଶୀ ରାଜ୍ୟରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲି ଯାଇଛନ୍ତି; ଆଉ ଯଦି ଅଧିକ ସଂଖ୍ୟା ବାହାରେ, ଜାଣିବେ ଯେ ଅନ୍ୟ ରାଜ୍ୟରୁ ଅତିଥି କାଉମାନେ ଏଠାକୁ ବୁଲି ଆସିଛନ୍ତି।’’
ବାସ୍ତବିକ ଗଣତି ସବୁବେଳେ ଏକ ଦୁଃସାଧ୍ୟ ପ୍ରକ୍ରିୟା। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Advertisment