ଊନବିଂଶ ଶତାବ୍ଦୀରେ ଇଂରେଜ ଉପନିବେଶବାଦ ବିରୋଧରେ ଯେତେ ଯାହା ସଂଗ୍ରାମ, ତନ୍ମଧ୍ୟରେ ଅନ୍ୟତମ ପ୍ରମୁଖ ହେବ ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ! ସୁରେନ୍ଦ୍ର ସାଏ (୧୮୦୯-୧୮୮୪) ରାଜଗାଦି ପାଇଁ ଲଢୁଥିଲେ। ମାତ୍ର ଇଂରେଜ ପ୍ରଶାସନିକ ବ୍ୟବସ୍ଥା ଏବଂ ରାଜ୍ୟ ଦଖଲ ନୀତି ବିରୋଧରେ ପ୍ରଗାଢ଼ ଜନଅସନ୍ତୋଷ ଥିବାରୁ ସେ ତା’ର ପ୍ରତୀକ ପାଲଟିଲେ। ଦୀର୍ଘ ୩୭ ବର୍ଷର କାରାବାସ ହେଲା ତାଙ୍କ ସଂଗ୍ରାମ ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପରିଚାୟକ। ୧୮୫୭ର ମହାସଂଗ୍ରାମ ସମୟରେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଚରମୋତ୍କର୍ଷ ଲାଭ କରିଥିଲା ଏବଂ ମହାସଂଗ୍ରାମର ଦମନ ପରେ ସୁଦ୍ଧା କିଛି ବର୍ଷ ଅବ୍ୟାହତ ରହିଥିଲା। ଆଜି ସୁରେନ୍ଦ୍ର ସାଏଙ୍କ ନାମରେ ଓଡ଼ିଶାରେ ଏବଂ ବିଶେଷ କରି ତାଙ୍କ କର୍ମଭୂମି ପଶ୍ଚିମ ଓଡ଼ିଶାରେ ଏକାଧିକ ଶିକ୍ଷାନୁଷ୍ଠାନ, ଯୁବକ ସଂଘ ଏବଂ ରାସ୍ତାଘାଟ! ତାଙ୍କ ସଂଗ୍ରାମକୁ ଆଧାର କରି ଅନେକ ଗୀତ, ନାଟକ ଏବଂ ଅନ୍ୟାନ୍ୟ ସାହିତ୍ୟ କୃତି। ଖୁବ୍ ଖୁସିର କଥା।

Advertisment

ତାଙ୍କ ଭଳି ଜଣେ ମହାସଂଗ୍ରାମୀ ନିଜ ଜୀବନାବଧିରେ ତ କଷ୍ଟ ଭୋଗିଥିଲେ; ମୃତ୍ୟୁ ପରେ ମଧ୍ୟ ଅନ୍ତତଃ ଦେଶର ସ୍ବାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ କୌଣସି ସମ୍ମାନ ଲାଭ କରି ନ ଥିଲେ। ବ୍ରିଟିସ୍ ସରକାର ତାଙ୍କୁ ‘ଡକାୟତ’ ବୋଲି ଚିତ୍ରଣ କରିଥିଲେ ଏବଂ ତାହାକୁ ‘ଅନ୍ୟମାନେ’ ମଧ୍ୟ ନିରବରେ ମାନି ନେଇଥିଲେ। ମାତ୍ର ଲୌକିକ ସ୍ତରରେ କେବେ ବି ସୁରେନ୍ଦ୍ର ସାଏଙ୍କର ଛବି ମଳିନ ପଡ଼ି ନ ଥିଲା। ଯେଉଁ ସମୟରେ ସରକାରୀ ଭାଷାରେ ସେ ଡକାୟତ, ସେହି ସମୟରେ ତାଙ୍କୁ ନେଇ ଅନେକ ଲୋକୋକ୍ତି ଏବଂ ଲୋକକାହାଣୀର ପ୍ରସାର ଘଟିଥିଲା। ଓଡ଼ିଶା ବାହାରେ ଅସୀରଗଡ଼ ଜେଲ୍‌‌େର ସୁରେନ୍ଦ୍ର ସାଏଙ୍କ ମୃତ୍ୟୁ ହେଲା ୧୮୮୪ ମସିହା ଫେବ୍ରୁଆରି ୪ ତାରିଖରେ। ସେତେବେଳକୁ ଭାରତବର୍ଷରେ ଏବଂ ଓଡ଼ିଶାରେ ମଧ୍ୟ ଏକ ଆଧୁନିକ ବୁଦ୍ଧିଜୀବୀ ବର୍ଗର ଉନ୍ମେଷ ହୋଇ ସାରିଥିଲା। ‘ଉତ୍କଳ ଦୀପିକା’, ‘ସମ୍ବାଦ ବାହିକା’, ‘ଉତ୍କଳ ପତ୍ର’ ଆଦି ଏକାଧିକ ପତ୍ରପତ୍ରିକା ଓଡ଼ିଶାରେ ପ୍ରକାଶିତ ହେଉଥିଲା। ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ତାଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ୧୮୮୯ରେ ପ୍ରକାଶିତ ହେଲା। ଏହିସବୁ ଓଡ଼ିଆ ପତ୍ରପତ୍ରିକାରେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ କିମ୍ବା ତାଙ୍କୁ ନେଇ କୌଣସି ଚର୍ଚ୍ଚାର ସୂଚନା ମିଳେ ନାହିଁ। ପ୍ୟାରୀମୋହନ ପଟ୍ଟନାୟକଙ୍କ ‘ଓଡ଼ିଶା ଇତିହାସ’ (୧୮୭୯), ଫକୀରମୋହନଙ୍କ ‘ଉତ୍କଳ ଭ୍ରମଣଂ’ (୧୮୯୪)ରେ ଓଡ଼ିଶାର ତତ୍କାଳୀନ ଅନେକ ଘଟଣା ଏବଂ ବ୍ୟକ୍ତିଙ୍କର ଉଲ୍ଲେଖ ରହିଛି; ମାତ୍ର ସୁରେନ୍ଦ୍ର ସାଏଙ୍କ ନାମର ଉଲ୍ଲେଖ ନାହିଁ। (ଊନବିଂଶ ଶତାବ୍ଦୀର ଅନ୍ୟ ସଂଗ୍ରାମୀ- ଜୟୀ ରାଜଗୁରୁ, ବକ୍‌ସି ଜଗବନ୍ଧୁ, ଚକରା ବିଶୋଇଙ୍କର ମଧ୍ୟ ଉଲ୍ଲେଖ ନାହିଁ)।

ଏହା ପଛରେ କାରଣ କ’ଣ ହୋଇପାରେ? ସ୍ବାଧୀନତା ସଂଗ୍ରାମର ବୌଦ୍ଧିକ ପରମ୍ପରାରେ ସୁରେନ୍ଦ୍ର ସାଏଙ୍କ ଭଳି ବିଦ୍ରୋହକୁ ପରିହାର୍ଯ୍ୟ ବୋଲି ମନେ କରାଯାଉଥିଲା କି? ସରକାରଙ୍କ ନଜରରେ ସୁରେନ୍ଦ୍ରଙ୍କ ଯେଉଁ ଚିତ୍ରଣ, ତାକୁ ଆଧୁନିକ ବୌଦ୍ଧିକ ବର୍ଗ ମାନି ନେଇଥିଲେ କି? ଇଂରେଜ ପ୍ରଶାସନର ବିରୋଧ କରୁଥିବା ବୁଦ୍ଧିଜୀବୀମାନଙ୍କ ପାଇଁ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ ଅସହ୍ୟ ଥିଲା କି? ସରକାର ପ୍ରତି ଭୟ କାରଣରୁ ଗଙ୍ଗାଧର ମେହେରଙ୍କ ଭଳି ସ୍ପଷ୍ଟବାଦୀ ପଶ୍ଚିମ ଓଡ଼ିଶାର କବି ମଧ୍ୟ ସୁରେନ୍ଦ୍ରଙ୍କୁ ନେଇ ଚୁପ୍ ରହିବାକୁ ସ୍ଥିର କରିଥିଲେ କି? ସୁରେନ୍ଦ୍ର ସାଏଙ୍କୁ (କିମ୍ବା ଅନ୍ୟ ସଂଗ୍ରାମୀ) ନେଇ ଚର୍ଚ୍ଚା ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜାଯିବା କଥା। ମୋ ବିଚାରରେ ଯଦି ସରକାରୀ ମତ ସହ ଜାତୀୟତାବାଦୀ ବୁଦ୍ଧିଜୀବୀ ପୂର୍ଣ୍ଣତଃ ସହମତ ହୋଇଥାନ୍ତେ, ତେବେ ସେମାନେ ମଧ୍ୟ ସୁରେନ୍ଦ୍ର ସାଏଙ୍କ ଉପରେ ‘ଡାକୁ’ ହୋଇଥିବାର ଲାଞ୍ଛନା ଲଗାଇଥାନ୍ତେ। ଅନ୍ୟ ଏକ କାରଣ ହେବ, ଏହି ବୌଦ୍ଧିକ ବର୍ଗଙ୍କ ମନରେ ହିଂସାତ୍ମକ ପନ୍ଥା ପ୍ରତି ବିମୁଖ ଭାବ। ୧୮୫୭ ମହାସଂଗ୍ରାମର ତୀବ୍ର ଦମନ ପରେ ଆଧୁନିକ ଶିକ୍ଷିତ ଗୋଷ୍ଠୀ ବୁଝିପାରିଲେ ଯେ ହିଂସାତ୍ମକ ବିଦ୍ରୋହ କରି ଭାରତରୁ ଉପନିବେଶବାଦକୁ ପରାଜିତ କରାଯାଇ ପାରିବ ନାହିଁ। ପୁଣି, ଉପନିବେଶବାଦର ବିକଳ୍ପ ଗଠନ ନିମନ୍ତେ ହିଂସାତ୍ମକତା କଦାପି ଆଧାର ହୋଇ ନ ପାରେ।

ସୁରେନ୍ଦ୍ର ସାଏଙ୍କ ପ୍ରତି ଜାତୀୟତାବାଦୀଙ୍କ ମନୋଭାବର ଏକ ସ୍ପଷ୍ଟ ପ୍ରମାଣ ମିଳେ ସମ୍ବଲପୁରର ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପଦକ୍ଷେପରୁ। ସର୍ବପ୍ରଥମେ ସେ, ଦୟାନନ୍ଦ ଶତପଥୀଙ୍କ ସହିତ ମେ’ ମାସ ୧୯୩୭ରେ ଝାରସୁଗୁଡ଼ାରେ ଅନୁଷ୍ଠିତ ଏକ କଂଗ୍ରେସ ସଭାରେ ଦାବି କଲେ ‌େଯ ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସକୁ (୪ ଫେବ୍ରୁଆରି) ଭଲ ଭାବେ ପାଳନ କରାଯିବା ଉଚିତ। ସଭାରେ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାସ ଏବଂ ପ୍ରମୁଖ କଂଗ୍ରେସ ନେତା ହରେକୃଷ୍ଣ ମହତାବ ଉପସ୍ଥିତ ଥିଲେ ଏବଂ ମନ୍ତ୍ରୀ ବୋଧରାମ ଦୁବେ ସଭାପତିତ୍ବ କରୁଥିଲେ। ୧୯୩୬ରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶର ଗଠନ ଉତ୍ତାରୁ ହୋଇଥିବା ପ୍ରାଦେଶିକ ନିର୍ବାଚନରେ ଜୟଲାଭ କରି କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଢ଼ିଥିଲା। ଏହି କାରଣରୁ ଇଂରେଜଙ୍କ ପ୍ରତି ଲୋକଙ୍କ ମନରୁ ଯଥେଷ୍ଟ ଭୟ ଊଣା ହୋଇ ପାରିଥିଲା। ତା’ର ନିଦର୍ଶନ ଦେଖିବାକୁ ମିଳିଥିଲା ଲକ୍ଷ୍ମୀନାରାୟଣ ମିଶ୍ର ଏବଂ ଦୟାନନ୍ଦ ଶତପଥୀଙ୍କ ଦାବିରୁ। ମାତ୍ର ଅନ୍ୟ ନେତୃବର୍ଗ ଏହି ଦାବି ସହ ଏକମତ ନ ହେବା କାରଣରୁ ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇପାରି ନ ଥିଲା। ସ୍ବାଧୀନତା ପରେ ଯାଇ ତାଙ୍କ ଜୟନ୍ତୀ ପାଳନ ଆରମ୍ଭ ହେଲା। ଲକ୍ଷ୍ମୀନାରାୟଣ ମିଶ୍ର ଜାଣିଥିଲେ ଯେ ଇଂରେଜ ସରକାର ସିନା ସୁରେନ୍ଦ୍ର ସାଏଙ୍କୁ ଡକାୟତ ବୋଲି ଚିତ୍ରଣ କରିଛନ୍ତି, ଲୋକଙ୍କ ମନରେ କେବଳ ସୁରେନ୍ଦ୍ର କାହିଁକି, ତାଙ୍କ ସମସ୍ତ ସହଯୋଗୀଙ୍କ ପ୍ରତି ଆଦର ରହିଛି। ନୋହିଲେ, ସେମାନଙ୍କୁ ନେଇ ଏତେ ସଂଖ୍ୟକ ଲୋକ କଥା, ଲୋକ କାହାଣୀମାନ ସୃଷ୍ଟି ହୋଇ ନଥାନ୍ତା- କେଉଁ ଗାଁରେ ସୁରେନ୍ଦ୍ର ଘୋଡ଼ା ବାନ୍ଧୁ ଥିଲେ, ତ ଆଉ କେଉଁ ଗାଁରେ ଯାଇ ଭୋଜନ କରୁଥିଲେ, ଜାଣି, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ସହ ଓତପ୍ରୋତ ହେବା ଲାଗି ଲୋକସମାଜ କାହାଣୀମାନ ଗଢ଼ିଥିଲେ! ଆଜି ସୁରେନ୍ଦ୍ର ସାଏ ଏବଂ ତାଙ୍କ ସହଯୋଗୀମାନଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚା ବହୁମୁଖୀ ତଥା ତଥ୍ୟନିଷ୍ଠ ହେଲେ, ସୁରେନ୍ଦ୍ର ସାଏ ଏବଂ ଊନବିଂଶ ଶତାବ୍ଦୀର ଇଂରେଜ ବିରୋଧୀ ସଂଗ୍ରାମଗୁଡ଼ିକର ପ୍ରାସଙ୍ଗିକତା ବୃଦ୍ଧି ପାଇବ- ଏହା କହିବା ବାହୁଲ୍ୟ।
[email protected]