କିଛି ବର୍ଷ ହେଲା ଭାରତ ଓ ପଡ଼ୋଶୀ ଦେଶ ଚୀନ ମଧ୍ୟରେ ସୀମା ଅନୁପ୍ରବେଶ ଓ ସଂଘର୍ଷ ପ୍ରସଙ୍ଗ ନେଇ ପାରସ୍ପରିକ ସମ୍ପର୍କ ତିକ୍ତ ରୂପ ଧାରଣ କରିଆସିଛି। ୨୦୨୦ ମସିହାରେ ଏହି ତିକ୍ତତା ଶୀର୍ଷ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ଚୀନା ସାମଗ୍ରୀ ନିଷେଧ ଓ ବର୍ଜନର ଏକପ୍ରକାର ଅଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସକ୍ରିୟ ଭୂମିକା ଗ୍ରହଣ କରି ଦେଶରେ ଶତାଧିକ ଚୀନା ଆପ୍ ନିଷେଧ କରିଥିଲେ। ଲକ୍ଷ୍ୟ ଥିଲା ଚୀନ ଉପରୁ ନିର୍ଭରଶୀଳତା ହ୍ରାସ କରିବା ତଥା ଭାରତରୁ ଚୀନକୁ ସର୍ବନିମ୍ନ ଆର୍ଥିକ ଲାଭ ପ୍ରଦାନ କରିବା। କିନ୍ତୁ ୨୦୨୧ ଓ ସଦ୍ୟ ପ୍ରକାଶିତ ୨୦୨୨ର ପ୍ରଥମାର୍ଦ୍ଧର ଚୀନ-ଭାରତ ଦ୍ବି-ପାକ୍ଷିକ ବାଣିଜ୍ୟ ରିପୋର୍ଟରୁ ଚୀନା ସାମଗ୍ରୀ ବର୍ଜନର ଆହ୍ବାନ ଏକପ୍ରକାର ବିଫଳ ହୋଇଥିବାର ଚିତ୍ର ମିଳୁଛି। ଏ ବର୍ଷ ପ୍ରଥମାର୍ଦ୍ଧରେ ଭାରତ-ଚୀନ ବ୍ୟାପାର ପରିମାଣ ୬୭.୦୮ ବିଲିଅନ୍ ଡଲାର୍ ଛୁଇଁଛି।
ଏହାର ଅର୍ଥ ହେଉଛି ଏହି ଧାରା ଦ୍ବିତୀୟାର୍ଦ୍ଧରେ ବଳବତ୍ତର ରହିଲେ ଚଳିତ ବର୍ଷ ଭାରତ-ଚୀନ ଦ୍ବି-ପାକ୍ଷିକ ବାଣିଜ୍ୟର ପରିମାଣ ୨୦୨୧ ମସିହାର ରେକର୍ଡ ୧୨୫ ବିଲିଅନ୍ ଡଲାର୍କୁ ଅତିକ୍ରମ କରିଯିବାର ସମ୍ଭାବନା ରହିଛି। ତେବେ ଚିନ୍ତାଜନକ ବିଷୟ ହେଉଛି ଏହି ଦ୍ବିପାକ୍ଷିକ ବାଣିଜ୍ୟର ସିଂହ ଭାଗ ହେଉଛି ଚୀନରୁ ଭାରତକୁ ଆମଦାନି ହେଉଥିବା ଦ୍ରବ୍ୟ, ଯାହା ପର୍ଯ୍ୟାୟ କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ତୁଳନାରେ ଏ ବର୍ଷ ଚୀନରୁ ଆମଦାନିରେ ୩୪.୫ ପ୍ରତିଶତ ବୃଦ୍ଧି ଘଟି ଏହା ୫୭.୫୧ ବିଲିଅନ୍ ଡଲାର୍ରେ ପହଞ୍ଚିଛି। ଅପରପକ୍ଷେ ଭାରତରୁ ଚୀନକୁ ରପ୍ତାନିର ପରିମାଣ ୩୫.୩ ପ୍ରତିଶତ ହ୍ରାସ ପାଇ ଏ ବର୍ଷ ୯.୫୭ ବିଲିଅନ୍ ଡଲାର୍ ହୋଇଛି। ତେଣୁ ଅଧା ବର୍ଷରେ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ହେଉଛି ୪୭.୯୪ ବିଲିଅନ୍ ଡଲାର୍। ଗତ ମେ ମାସରେ ଚୀନ ଦାବି କରିଥିଲା ଯେ ୨୦୨୧-୨୨ ଆର୍ଥିକ ବର୍ଷର ତଥ୍ୟ ଅନୁଯାୟୀ ଭାରତ ହେଉଛି ଏହାର ବୃହତ୍ତମ ବାଣିଜ୍ୟ ଭାଗୀଦାର। ଆମଦାନି ହୋଇଥିବା ଚୀନା ସାମଗ୍ରୀ ମଧ୍ୟରେ ପ୍ରମୁଖ ହେଉଛନ୍ତି ବିଦ୍ୟୁତ୍ ଓ ଯାନ୍ତ୍ରିକ ଉପକରଣ, ଉତ୍ପାଦନ କ୍ଷେତ୍ରରେ ବ୍ୟବହୃତ ରାସାୟନିକ, ଔଷଧ ପ୍ରସ୍ତୁତି ଲାଗି ଆବଶ୍ୟକ ଉପାଦାନ ଓ ଗାଡ଼ି ଯନ୍ତ୍ରାଂଶ ଆଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/10-12.jpg)