ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେଵାଲାଙ୍କ ହତ୍ୟା ଅଭିଯୁକ୍ତ ତଥା ଦୁଇ ଗ୍ୟାଙ୍ଗଷ୍ଟର୍ଙ୍କୁ ପଞ୍ଜାବ ପୁଲିସର ଏକ ଗ୍ୟାଙ୍ଗଷ୍ଟର୍-ବିରୋଧୀ ଟାସ୍କ ଫୋର୍ସ କିଛି ଦିନ ତଳେ ଏନ୍କାଉଣ୍ଟର୍ କରି ହତ୍ୟା କରିଥିଲା। ଭାରତରେ ପୁଲିସ ଦ୍ବାରା ଏହିଭଳି ଏନ୍କାଉଣ୍ଟର୍ ହତ୍ୟା ବା ବିଚାର ବହିର୍ଭୂତ ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ‘ଫ୍ୟାକ୍ଟଚେକର୍’ ନାମକ ୱେବ୍ସାଇଟ୍ ଦ୍ବାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଗତ ଛଅ ବର୍ଷରେ ଏନ୍କାଉଣ୍ଟର୍ ହତ୍ୟାଜନିତ ବିଚାରାଧୀନ ମାମଲା ସଂଖ୍ୟା ପାଞ୍ଚ ଗୁଣା ବୃଦ୍ଧି ପାଇଛି। ୨୦୧୬-୧୭ ଓ ୨୦୨୧-୨୨ ମଧ୍ୟରେ ଭାରତରେ ୮୧୩ଟି ଏନ୍କାଉଣ୍ଟର୍ ମାମଲା ରୁଜୁ ହୋଇଥିଲା।
ଅର୍ଥାତ୍ ପ୍ରତି ତିନି ଦିନରେ ଗୋଟାଏ ଲେଖାଏଁ ଏନ୍କାଉଣ୍ଟର୍ ଘଟଣା ଦେଖିବାକୁ ମିଳିଆସିଛି। କୋଭିଡ୍-୧୯ ମହାମାରୀ କାଳରେ ଏନ୍କାଉଣ୍ଟର୍ ମାମଲାରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇ ୨୦୧୯-୨୦ରେ ମାମଲା ସଂଖ୍ୟା ୮୨କୁ ହ୍ରାସ ପାଇଥିଲେ ହେଁ ୨୦୨୦-୨୧ରେ ପୁଣି ଏନ୍କାଉଣ୍ଟର୍ ସଂଖ୍ୟା ୬୯.୫% ବୃଦ୍ଧି ପାଇ ୧୩୯ରେ ପହଞ୍ଚିଥିଲା। ଏହି ଛଅ ବର୍ଷ କାଳ ମଧ୍ୟରେ ଛତିଶଗଡ଼ରେ ସର୍ବାଧିକ ୨୫୯ଟି ବିଚାର ବହିର୍ଭୂତ ହତ୍ୟାକାଣ୍ଡ ଘଟିଛି। ଏହା ପଛକୁ ଅଛନ୍ତି ଉତ୍ତର ପ୍ରଦେଶ (୧୧୦ ଏନ୍କାଉଣ୍ଟର୍) ଓ ଆସାମ (୭୯ ଏନ୍କାଉଣ୍ଟର୍)। ତଥାପି ସମାନ ଅବଧି ମଧ୍ୟରେ ଏନ୍କାଉଣ୍ଟର୍ ସଂଖ୍ୟା ଛତିଶଗଡ଼ରେ ୬୨.୬% ଓ ଆସାମରେ ୪୫% ହ୍ରାସ ପାଇଛି। ତେବେ ଉତ୍ତର ପ୍ରଦେଶରେ ଗତ ଛଅ ବର୍ଷରେ ଏନ୍କାଉଣ୍ଟର୍ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ଗତ ବର୍ଷକ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଦେଶର ସର୍ବାଧିକ ୩୮ଟି ଏନ୍କାଉଣ୍ଟର୍ ମାମଲା ରୁଜୁ ହୋଇଛି।
ସମାନ ଅବଧିରେ ଛତିଶଗଡ଼ରେ ୨୮, ଆସାମରେ ୧୭, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡରେ ନଅଟି ଲେଖାଏଁ ବିଚାର ବହିର୍ଭୂତ ହତ୍ୟାକାଣ୍ଡ ହୋଇଛି। ଏନ୍କାଉଣ୍ଟର୍ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଓ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ମଧ୍ୟରେ ତଥ୍ୟଗତ ଅସଙ୍ଗତି ଦେଖିବାକୁ ମିଳେ। ଉଦାହରଣ ସ୍ବରୂପ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୨୦ରେ ଦେଶରେ ମାତ୍ର ତିନିଟି ଏନ୍କାଉଣ୍ଟର୍ ହତ୍ୟା ହୋଇଥିଲା କିନ୍ତୁ ଏନ୍ଏଚ୍ଆର୍ସି ତଥ୍ୟ କହୁଛି ଯେ ୨୦୧୯-୨୦ରେ ୧୧୨ଟି ଓ ୨୦୨୦-୨୧ରେ ୮୨ଟି ଏନ୍କାଉଣ୍ଟର୍ ହତ୍ୟା ହୋଇଛି। ସବୁଠାରୁ ଉଦ୍ବେଗଜନକ କଥା ହେଉଛି ଗତ ଛଅ ବର୍ଷରେ ପୁଲିସ ଦ୍ବାରା ହୋଇଥିବା ଗୋଟିଏ ହେଲେ ଏନ୍କାଉଣ୍ଟର୍ ମାମଲାରେ ଦୋଷ ସିଦ୍ଧ ହୋଇନାହିଁ କି ଦଣ୍ଡାଦେଶ ହୋଇନାହିଁ।