‘ଏପିଡେମିଓଲୋଜି ଇଣ୍ଟର୍‌ନେସ୍‌ନାଲ୍‌’ ପତ୍ରିକାର ସଦ୍ୟ ସଂଖ୍ୟାରେ ପ୍ରକାଶିତ ‘ଵାର୍କପ୍ଲେସ୍‌ ସେଫ୍‌ଟି ଆଣ୍ଡ୍‌ ସିକ୍ୟୁରିଟି ଇନ୍‌ ଇଣ୍ଡିଆନ୍‌ ହେଲ୍‌ଥକେଆର୍ ସେଟିଂ: ଏ କ୍ରସ୍‌-ସେକ୍‌ସନାଲ୍‌ ସର୍ଭେ’ ଶୀର୍ଷକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ଅର୍ଦ୍ଧାଧିକ କର୍ମଚାରୀ ନିଜକୁ ଅସୁରକ୍ଷିତ ଅନୁଭବ କରନ୍ତି। ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାର ଅଧୀନସ୍ଥ ମେଡିକାଲ୍‌ କଲେଜର କର୍ମଚାରୀଙ୍କ ମଧ୍ୟରେ ଏହି ଅସୁରକ୍ଷା ଭାବନା ଅଧିକ। 

Advertisment

ଏହି ସର୍ବେକ୍ଷଣରେ ଭାରତର ବିଭିନ୍ନ ମେଡିକାଲ୍‌ ଅନୁଷ୍ଠାନରେ କାର୍ଯ୍ୟରତ ୧,୫୯୯ କର୍ମଚାରୀଙ୍କ ମତାମତ ଗ୍ରହଣ କରାଯାଇଥିଲା। ଏଥିରେ ୮୬୯ (୫୫.୫%) ମହିଳା ଓ ୬୯୭ (୪୪.୫%) ପୁରୁଷ ଅଂଶଗ୍ରହଣ କରି ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ରେସିଡେଣ୍ଟ ଡାକ୍ତର ହୋଇଥିବା ବେଳେ ଅବଶିଷ୍ଟ ହେଉଛନ୍ତି ଅଣ୍ଡର୍‌ଗ୍ରାଜୁଏଟ୍‌ ମେଡିକାଲ୍‌ ଛାତ୍ର, ଇଣ୍ଟର୍ନ, ଅଧ୍ୟାପକ, ମେଡିକାଲ୍‌ ଅଧିକାରୀ, ନର୍ସିଂ କର୍ମଚାରୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ। ସର୍ବେକ୍ଷଣ ଫଳାଫଳରୁ ଜଣାପଡ଼ିଛି ଯେ ୫୮.୨% ସ୍ବାସ୍ଥ୍ୟସେବା କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଅସୁରକ୍ଷିତ ଅନୁଭବ କରନ୍ତି। ଉଦ୍‌ବେଗର ବିଷୟ ହେଲା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୭୮.୪% କାର୍ଯ୍ୟରତ ଅବସ୍ଥାରେ ଧମକପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହୋଇଛନ୍ତି। ୭୦% ଅଧିକ କର୍ମଚାରୀ ଅନୁଭବ କରନ୍ତି ଯେ ସୁରକ୍ଷା କର୍ମଚାରୀମାନେ ପ୍ରଭାବହୀନ ଏବଂ ୬୨% ଅନୁଭବ କରନ୍ତି ଯେ ଜରୁରୀକାଳୀନ ଆଲାର୍ମ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଅପରପକ୍ଷେ ପାଖାପାଖି ଅର୍ଦ୍ଧେକ ସ୍ବାସ୍ଥ୍ୟ କର୍ମଚାରୀ ଦୀର୍ଘ କାଳ ଧରି ଅଥବା ରାତିରେ କାର୍ଯ୍ୟ କରୁଥିବା ବେଳେ ବିଶ୍ରାମ ଗୃହର ସୁବିଧା ପାଇନଥାନ୍ତି ବୋଲି ପ୍ରକାଶ କରିଛନ୍ତି।