ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଦେଶର ବିଭିନ୍ନ ଔଷଧ କମ୍ପାନି ଦ୍ବାରା ପ୍ରାୟୋଜିତ ନୈଦାନିକ ପରୀକ୍ଷଣମାନଙ୍କରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଭାରତୀୟମାନଙ୍କୁ ବ୍ୟବହାର କରାଯାଉଛି, ଯାହା ଚିନ୍ତାଜନକ। ମାଙ୍ଗାଲୋର ସ୍ଥିତ ୟେନେପୋୟା ବିଶ୍ବବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ବା ୟୋଇନ୍ଫୋର୍ମେଟିକ୍ସ ଆଣ୍ଡ୍ ଆପ୍ଲାଏଡ୍ ବାୟୋଟେକ୍ନୋଲୋଜି ଏବଂ ସେଣ୍ଟର୍ ଫର୍ ଏଥିକ୍ସ ବିଭାଗର ମିଳିତ ଉଦ୍ୟମରେ ଏହି ଅଧ୍ୟୟନ କରାଯାଇଥିଲା। ଏଥିରୁ ଆବଷ୍କାର କରାଯାଇଛି ଯେ ୨୦୧୩ରୁ ୨୦୨୨ ମଧ୍ୟରେ ହୋଇଥିବା ୪୨୪ଟି ବହୁରାଷ୍ଟ୍ରୀୟ ନୈଦାନିକ ପରୀକ୍ଷଣ ମଧ୍ୟରୁ ୨୬ଟି ପରୀକ୍ଷଣରେ ନିଯୁକ୍ତ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ୬୦%ରୁ ଅଧିକ ଭାଗ ଭାରତୀୟ ଥିଲେ। ଏଥିରୁ ୧୮ଟି ପରୀକ୍ଷଣ ଏଭଳି ରୋଗ ସହ ସଂପୃକ୍ତ, ଯେଉଁଗୁଡ଼ିକ ଭାରତୀୟମାନଙ୍କ ଠାରେ ଅଧିକ ଦେଖାଦେଇ ନ ଥାଏ। ତା’ ମଧ୍ୟରୁ ୧୦ଟି ପରୀକ୍ଷଣ ପଛରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ଇଟାଲି, ସ୍ବିଜରଲାଣ୍ଡ୍ ଓ ଆମେରିକାର କମ୍ପାନିମାନେ ଥିବା ବେଳେ ଅତିରିକ୍ତ ୮ଟି ପରୀକ୍ଷଣ ବ୍ରାଜିଲ୍, ରୁଷିଆ ଓ ମାଲେସିଆ ଦ୍ବାରା ପ୍ରାୟୋଜିତ।
୨୦୧୩ରେ ଭାରତରେ ନିୟାମକ ପରିବର୍ତ୍ତନ ହେବା ପରେ ଦେଶରେ ନୈଦାନିକ ପରୀକ୍ଷଣର ସଂଖ୍ୟା ବୃଦ୍ଧି ପାଇଛି ବୋଲି ଆଉ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କୋଡ଼ିଏଟି ଶୀର୍ଷସ୍ତରୀୟ ଔଷଧ କମ୍ପାନି ଦ୍ବାରା ୨୦୧୪-୧୬ ମଧ୍ୟରେ ୧୭୫ଟି ନୈଦାନିକ ପରୀକ୍ଷଣ ହୋଇଥିବା ବେଳେ ୨୦୨୦-୨୨ ମଧ୍ୟରେ ଏହି ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, କୌଣସି ବହୁରାଷ୍ଟ୍ରୀୟ ପରୀକ୍ଷଣରେ ଗୋଟିଏ ଦେଶର ଅଂଶଗ୍ରହଣକାରୀଙ୍କ ଭାଗ ୫୦ ପ୍ରତିଶତରୁ ଅଧିକ ହେବା ଅନୁଚିତ; କାରଣ ନୂଆ ଔଷଧର ପରୀକ୍ଷଣରେ ଅନେକ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଓ ବିପଦର ଆଶଙ୍କା ରହିଥାଏ। ତେଣୁ ଅଂଶଗ୍ରହଣକାରୀ ଦେଶ ସଂଖ୍ୟା ଅନୁସାରେ ସ୍ବେଚ୍ଛାସେବୀଙ୍କ ସଂଖ୍ୟା ସମାନୁପାତିକ ଭାବେ ବଣ୍ଟାଯିବା ବିଧେୟ। କିନ୍ତୁ କେତେକ ବିଶ୍ବସ୍ତରୀୟ ପରୀକ୍ଷଣରେ ୬୦%ରୁ ଅଧିକ ଭାଗ ଭାରତୀୟଙ୍କୁ ବ୍ୟବହାର କରାଯିବା ସମ୍ପର୍କରେ ଭାରତୀୟ ଔଷଧ ନିୟାମକମାନେ ତଦନ୍ତ କରିବା ଆବଶ୍ୟକ ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି। ଏହା ଫଳରେ ଭାରତୀୟ ଅଂଶଗ୍ରହଣକାରୀଙ୍କ ଶୋଷଣର ଆଶଙ୍କାକୁ ଦୂର କରାଯାଇପାରିବ।