ପିଆର୍‌ଏସ୍‌ ଲେଜିସଲେଟିଭ ରିସର୍ଚ ଅନୁଷ୍ଠାନ ଦ୍ବାରା ନିକଟରେ ପ୍ରକାଶିତ ୨୦୨୪ ବିଧାନସଭା ସମୀକ୍ଷା ରିପୋର୍ଟରୁ ଅନେକ ରୋଚକ ତଥ୍ୟ ଜାଣିବାକୁ ମିଳିଛି। ଏହି ରିପୋର୍ଟ ଅନୁସାରେ ଗତ ବର୍ଷ ଦେଶର ସମସ୍ତ ବିଧାନସଭା ଅଧିବେଶନର ହାରାହାରି ଅବଧି ୨୦ ଦିନ ଥିଲା ଏବଂ ପ୍ରତିଟି ଅଧିବେଶନ ପ୍ରାୟ ପାଞ୍ଚ ଘଣ୍ଟା ପାଇଁ ବସିଥିଲା। ସବୁଠାରୁ ଉଲ୍ଲେଖନୀୟ ହେଉଛି ଦେଶର ସବୁ ରାଜ୍ୟ ମଧ୍ୟରୁ ଓଡ଼ିଶାର ବିଧାନସଭା ସର୍ବାଧିକ ୪୨ ଦିନ ପାଇଁ ବସିଥିଲା। ଓଡ଼ିଶା ପଛକୁ କେରଳରେ ୩୮ ଦିନ, ପଶ୍ଚିମବଙ୍ଗରେ ୩୬ ଦିନ ଓ କର୍ଣ୍ଣାଟକରେ ୨୯ ଦିନ ବିଧାନସଭା ଅଧିବେଶନ ବସିଥିଲା। ଜାମ୍ମୁ ଓ କାଶ୍ମୀର ବିଧାନସଭା ସର୍ବନିମ୍ନ ପାଞ୍ଚ ଦିନ ବସିଥିବା ବେଳେ ନାଗାଲାଣ୍ଡରେ ଛଅ ଦିନ, ସିକ୍କିମରେ ଆଠ ଦିନ ଏବଂ ଅରୁଣାଚଳ ପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ୧୦ ଦିନ ଲେଖାଏଁ ବିଧାନସଭା ଅଧିବେଶନ ବସିଥିଲା। ଉଦ୍‌ବେଗଜନକ କଥା ହେଉଛି ୨୦୧୭ରେ ଦେଶର ବିଧାନସଭାମାନଙ୍କ ହାରାହାରି ଅଧିବେଶନ ଅବଧି ୨୮ ଦିନ ଥିବା ବେଳେ ୨୦୨୪ରେ ଏହା ୨୦ ଦିନକୁ ଖସିଆସିଛି। 

Advertisment

ବିଧାନସଭା ଅଧିବେଶନକୁ ଘଣ୍ଟା ହାରରେ ଦେଖିଲେ ୨୦୨୪ରେ ହାରାହାରି ୧୦୦ ଘଣ୍ଟା ପାଇଁ ବିଧାନସଭା ବସିଥିଲା। କେରଳ ବିଧାନସଭା ସର୍ବାଧିକ ୨୨୮ ଘଣ୍ଟା ପାଇଁ ଚାଲିଥିବା ବେଳେ ଓଡ଼ିଶା ବିଧାନସଭା ୧୯୩ ଘଣ୍ଟା ଚାଲିଥିଲା। ପାଞ୍ଚଟି ରାଜ୍ୟର ବିଧାନସଭା ୨୫୦ ଘଣ୍ଟାରୁ ଅଧିକ ଚାଲିଥିବା ବେଳେ ଚାରିଟି ବିଧାନସଭା ୫୦ ଘଣ୍ଟାରୁ କମ୍ ଚାଲିଥିଲା। ୨୦୨୪ରେ ବିଧାନସଭାମାନଙ୍କରେ ସମୁଦାୟ ୫୦୦ଟି ବିଲ୍‌ ପାରିତ ହୋଇଥିଲା। ସେଥି ମଧ୍ୟରୁ ୫୧% ବା ୨୫୧ଟି ବିଲ୍‌ ଉପସ୍ଥାପିତ ହେବାର ଗୋଟିଏ ଦିନ ଭିତରେ କ୍ୟାବିନେଟ ଅନୁମୋଦନ ହାସଲ କରିଥିଲା। ସଂବିଧାନର ନିର୍ଦେଶ ଅନୁସାରେ ପ୍ରତ୍ୟେକ ରାଜ୍ୟର ବିଧାନସଭା ଛଅ ମାସରେ ଅନ୍ୟୂନ ଥରେ ବସିବା କଥା। ମାତ୍ର ୧୧ଟି ରାଜ୍ୟ ଏହାକୁ ଅନୁସରଣ କରିବାରେ ସଫଳ ହୋଇଛନ୍ତି। ସେହିପରି ସଂବିଧାନର ଅନୁଚ୍ଛେଦ ୧୭୮ ଅନୁସାରେ ଯଥାଶୀଘ୍ର ବାଚସ୍ପତି ଓ ଉପବାଚସ୍ପତି ବାଛିବା କଥା। କିନ୍ତୁ ଏପ୍ରିଲ ୨୦୨୫ ସୁଦ୍ଧା ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉପବାଚସ୍ପତି ନାହାନ୍ତି। ଝାଡ଼ଖଣ୍ଡରେ ୨୦ ବର୍ଷ ହେଲା ଉପବାଚସ୍ପତି ନିର୍ବାଚିତ ହୋଇନାହାନ୍ତି।