ଏକ ଜାତୀୟସ୍ତରର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ଦଶ ଜଣରୁ ସାତ ଜଣ ଲୋକ ଆଇନସମ୍ମତ ଗର୍ଭପାତକୁ ସମର୍ଥନ କରନ୍ତି। ଏହା ଏକ ସକାରାତ୍ମକ ଚିତ୍ର ପ୍ରଦାନ କରୁଥିବା ବେଳେ ଏହାର ଏକ ଉଦ୍‌ବେଗଜନକ ଦିଗ ହେଉଛି ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ଏକ-ତୃତୀୟାଂଶରୁ କମ୍‌ ଲୋକ ବିଶ୍ବାସ କରନ୍ତି ଯେ ମହିଳାମାନେ ଗର୍ଭପାତର ପ୍ରାଥମିକ ନିଷ୍ପତ୍ତିକର୍ତ୍ତା ହେବା ଉଚିତ। ମହିଳାଙ୍କୁ ଯୌନ ଓ ପ୍ରଜନନ ଅଧିକାର ପ୍ରଦାନ ସପକ୍ଷରେ କାର୍ଯ୍ୟ କରୁଥିବା ଅଣଲାଭକାରୀ ସଂଗଠନ ‘ଇପାସ୍‌ ଡେଭେଲୋପ୍‌ମେଣ୍ଟ ଫାଉଣ୍ଡେସନ୍‌’ ଦ୍ବାରା କରାଯାଇଥିବା ଏହି ସର୍ବେକ୍ଷଣରେ ୧୮ରୁ ୪୬ ବର୍ଷ ବୟସ୍କ ସମୁଦାୟ ୧୩,୨୫୫ ଜଣଙ୍କ ପ୍ରତିକ୍ରିୟା ନିଆଯାଇଥିଲା; ସେମାନଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ ହେଉଛନ୍ତି ଗ୍ରାମାଞ୍ଚଳର।

Advertisment

ଏହି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ୫୦ ବର୍ଷରୁ ଅଧିକ ସମୟ ହେଲା ଗର୍ଭପାତ ଆଇନର ସମର୍ଥନ ପାଇଆସିଥିଲେ ହେଁ ୩୦% ଲୋକ ଏବେ ବି ଭାବନ୍ତି ଯେ ଏହା ବେଆଇନ। ତେବେ ଏହି ଅଭିନବ ସର୍ବେକ୍ଷଣରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଦେଶର ୭୨% ଲୋକ ଗର୍ଭପାତର ଅଧିକାରକୁ ସମର୍ଥନ କରନ୍ତି। ଏକ-ତୃତୀୟାଂଶ ଲୋକ ଏହାକୁ ବିରୋଧ କରନ୍ତି ଓ ପ୍ରାୟ ୧୧% ଏ ନେଇ ଅନିଶ୍ଚିତ। ତେବେ ଅବିବାହିତ ମହିଳାଙ୍କ ଗର୍ଭପାତ ଅଧିକାରକୁ ୬୨% ଲୋକ ସମର୍ଥନ କରନ୍ତି। ସେହିପରି ୭୦% ଅଂଶଗ୍ରହଣକାରୀ ବନ୍ଧୁମାନଙ୍କ ସହିତ ଓ ୬୫% ପରିବାର ସଦସ୍ୟଙ୍କ ସହିତ ଗର୍ଭପାତ ସମ୍ପର୍କରେ ସହଜରେ କଥା ହୋଇପାରନ୍ତି ବୋଲି ପ୍ରକାଶ କରିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଓ ଗର୍ଭପାତ ପ୍ରତି ସମର୍ଥନ ମଧ୍ୟରେ ଏକ ସକାରାତ୍ମକ ସମ୍ପର୍କ ରହିଛି ବୋଲି ଉକ୍ତ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି।