ଦର୍ପଣ: ଉତ୍ପୀଡ଼ିତ ସାମ୍ବାଦିକ

୨୦୨୨ ମସିହାରେ ଅନ୍ୟୂନ ୧୯୪ ଜଣ ଭାରତୀୟ ସାମ୍ବାଦିକ ସରକାରୀ ସଂସ୍ଥା, ବେସରକାରୀ ରାଜନୈତିକ କର୍ମୀ, ଅପରାଧୀ ଓ ମାରଣାସ୍ତ୍ରଧାରୀ ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ‘ରାଇଟ୍‌ସ ଆଣ୍ଡ୍ ରିସ୍‌କସ୍‌ ଆନାଲିସିଲ୍ ଗ୍ରୁପ୍’ ନାମକ ଥିଙ୍କ୍‌ ଟ୍ୟାଙ୍କ୍‌ ପ୍ରକାଶ କରିଛି। ସେମାନଙ୍କ ଭିତରୁ ସର୍ବାଧିକ ୧୦୩ ଜଣ ସାମ୍ବାଦିକ ସରକାରୀ ଅଧିକାରୀଙ୍କ ନିଶାଣରେ ଥିବା ବେଳେ ଅତିରିକ୍ତ ୯୧ ଜଣ ବେସରକାରୀ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପୀଡ଼ନର ଶିକାର ହୋଇଥିଲେ। ଜାମ୍ମୁ ଓ କାଶ୍ମୀରରେ ସର୍ବାଧିକ ୪୮ ଜଣ ସାମ୍ବାଦିକ ଗିରଫଦାରି, ଅଟକ, କୋର୍ଟ ମାମଲା ଓ ଶାରୀରିକ ନିର୍ଯାତନା ଭୋଗିଥିଲେ। ଏହା ପଛକୁ ତେଲେଙ୍ଗାନାର ୪୦ ଜଣ ସାମ୍ବାଦିକଙ୍କୁ ନିଶାଣ କରାଯାଇଥିଲା। ଓଡ଼ିଶାର ୧୪ ଜଣ, ଉତ୍ତର ପ୍ରଦେଶରେ ୧୩ ଜଣ, ଦିଲ୍ଲୀରେ ୧୨ ଜଣ ଓ ପଶ୍ଚିମବଙ୍ଗରେ ୧୧ ଜଣ ସାମ୍ବାଦିକ ସମଦଶା ଭୋଗିଥିଲେ। ଗତ ବର୍ଷ ଅନ୍ୟୂନ ୭୦ ଜଣ ସାମ୍ବାଦିକ ପୁଲିସ ଦ୍ବାରା ଗିରଫ ହୋଇଥିଲେ ବା ଅଟକ ରହିଥିଲେ। ଏ ଭିତରୁ ସର୍ବାଧିକ ୪୦ ଜଣ ଗିରଫ ହୋଇଥିଲେ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ସରକାର ଅଧୀନରେ। ଉତ୍ତର ପ୍ରଦେଶର ୬ ଜଣ, ଜାମ୍ମୁ ଓ କାଶ୍ମୀରରେ ୪ ଜଣ ଓ ମଧ୍ୟ ପ୍ରଦେଶରେ ୩ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା। ୨୦୨୨ରେ ଆଠ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟୂନ ଜଣଙ୍କ ହତ୍ୟା ସାମ୍ବାଦିକତା ସହିତ ସିଧାସଳଖ ଜଡ଼ିତ ଥିଲା। ସେହିପରି ସରକାରୀ ଅଧିକାରୀମାନେ ୧୫ ଜଣ ସାମ୍ବାଦିକଙ୍କୁ ଆକ୍ରମଣ, ଉତ୍ପୀଡ଼ନ, ଧମକ ଓ ହଇରାଣ କରିଥିଲେ। ସେ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୪ ଜଣ ସାମ୍ବାଦିକଙ୍କୁ ପୁଲିସ ମାଡ଼ ମାରିଥିବା ଉକ୍ତ ସଂସ୍ଥାର ରିପୋର୍ଟରେ ପ୍ରକାଶ ପାଇଛି। ଅପରପକ୍ଷେ ଅତି କମ୍‌ରେ ତିନି ଜଣ ସାମ୍ବାଦିକଙ୍କୁ ସରକାର ବିଦେଶ ଯିବାରୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର