୨୦୨୩ ମସିହାର ପ୍ରଥମାର୍ଧରେ ଭାରତରେ ସାଇବର୍‌ ଆକ୍ରମଣର ସଂଖ୍ୟା ଗତ ବର୍ଷର ପ୍ରଥମାର୍ଧ ତୁଳନାରେ ଦ୍ବିଗୁଣିତ ହୋଇଛି। ବିଶେଷକରି ‘ରାନସମୱେର୍‌’ ଓ ‘ଆଇଓଟି’ (ଇଣ୍ଟର୍‌ନେଟ୍ ଅଫ୍ ଥିଙ୍ଗସ୍‌) କ୍ଷେତ୍ରରେ ସାଇବର୍‌ ଆକ୍ରମଣର ସଂଖ୍ୟା ବଢ଼ିଛି। ‘ସୋନିକ୍ଵାଲ୍’ ଦ୍ବାରା ପ୍ରକାଶିତ ୨୦୨୩ର ‘ମିଡ୍‌ ଇଅର ସାଇବର୍ ଥ୍ରେଟ୍ ରିପୋର୍ଟ’ରୁ ଏହା ଜଣାପଡ଼ିଛି। କମ୍ପ୍ୟୁଟର୍‌ ବ୍ୟବହାରକାରୀଙ୍କ ଡେଟା ଓ ଫାଇଲ୍‌ଗୁଡ଼ିକୁ ଲକ୍ କରିଦେବାର ଭୟ ଦେଖାଇ ବା ବଡ଼ କଂପ୍ୟୁଟର ନେଟ୍‌ୱର୍କକୁ ଅଚଳ କରି ଦେବାର ଧମକ ଦେଇ ତା’ ବଦଳରେ ଟଙ୍କା ଦାବି କରିବା ପାଇଁ ସାଇବର୍‌ ଅପରାଧୀମାନେ ‘ରାନ୍‌ସମ୍‌ୱେର୍’ ବ୍ୟବହାର କରିଥାନ୍ତି। ଏଭଳି ଅପରାଧ ଭାରତରେ ୧୩୩ ପ୍ରତିଶତ ଓ ଜର୍ମାନିରେ ୫୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁନାଇଟେଡ୍ କିଂଡମ୍‌ ଭଳି ଦେଶରେ ଏଭଳି ଅପରାଧ ହ୍ରାସ ପାଇଛି। ବିଶ୍ବ ସ୍ତରରେ ‘ରାନ୍‌ସମ୍‌ୱେର୍’ ଆକ୍ରମଣ ସଂଖ୍ୟା ୪୧ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ବିଶ୍ବରେ ଅନ୍ୟ ରକମର ସାଇବର୍‌ ଆକ୍ରମଣ ବୃଦ୍ଧି ପାଇଛି, ଯେପରିକି ‘କ୍ରିପ୍ଟୋଜାକିଙ୍ଗ୍‌’ ୩୯୯ ପ୍ରତିଶତ, ‘ଆଇଓଟି ମାଲ୍‌ୱେର୍’ ୩୭ ପ୍ରତିଶତ, ‘ଏନ୍‌କ୍ରିପ୍‌ଟେଡ୍‌ ଥ୍ରେଟ୍‌ସ’ ୨୨ ପ୍ରତିଶତ ବଢ଼ିଛି। ‘ସୋନିକ୍‌ଵାଲ୍‌’ ଏହି ରିପୋର୍ଟରେ ଦର୍ଶାଇଛି ଯେ ଅପରାଧୀମାନେ କମ୍ ବ୍ୟୟବହୁଳ, କମ୍ ବିପଦପୂର୍ଣ୍ଣ ତଥା ଅଧିକ ଆୟକାରୀ ଆକ୍ରମଣ ଉପାୟ ଅବଲମ୍ବନ କରୁଛନ୍ତି। ସମ୍ପ୍ରତି ଲାଟିନ୍‌ ଆମେରିକା ଓ ଏସିଆରେ ସର୍ବାଧିକ ସାଇବର୍‌ ଅପରାଧ ଦେଖିବାକୁ ମିଳୁଛି। କାରଣ ଏହି ଦେଶମାନଙ୍କରେ ସବୁଠାରୁ କମ୍ ସାଇବର୍ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଥାଏ। ସାଇବର୍‌ ଅପରାଧୀମାନେ ଏବେ ସ୍କୁଲ୍, ପ୍ରଶାସନିକ ଦପ୍ତର, ଉଦ୍ୟୋଗ, ଏଆର୍‌ଲାଇନ୍‌ ଆଦି ଉପରେ ଆକ୍ରମଣ କରି ସେମାନଙ୍କ କାର୍ଯ୍ୟକୁ ଅଚଳ କରିଦେଉଛନ୍ତି, ଯାହା କମ୍ପାନିମାନଙ୍କ ପ୍ରସିଦ୍ଧିକୁ କ୍ଷତି ପହଞ୍ଚାଉଛି ଏବଂ ଆର୍ଥିକ କ୍ଷତି ମଧ୍ୟ ସାଧନ କରୁଛି। ଭାରତରେ ନିର୍ମାଣ ଉଦ୍ୟୋଗରୁ ଆରମ୍ଭ କରି ଫାର୍ମାସ୍ୟୁଟିକାଲ୍‌ସ ଶିଳ୍ପ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଡିଜିଟାଇଜେସନ୍‌ ଜାରି ରହିଥିବାରୁ ସାଇବର୍‌ ଆକ୍ରମଣ ସଂଖ୍ୟାରେ ବୃଦ୍ଧି ପାଉଛି, ଯାହା ଭାରତର ଅର୍ଥନୈତିକ ଲକ୍ଷ୍ୟ ହାସଲକୁ ବିପନ୍ନ କରିପାରେ ବୋଲି ଏହି ରିପୋର୍ଟରୁ ହୃଦ୍‌ବୋଧ କରି ହେଉଛି।