ଗୋଟିଏ ଦେଶର ଶିକ୍ଷା, ସ୍ବାସ୍ଥ୍ୟ ଓ ଆବାସ ଭିତ୍ତିଭୂମି ଉପରେ ଦୃଷ୍ଟି ନିକ୍ଷେପ କରି ସେ ଦେଶର ନାଗରିକଙ୍କ ଜୀବନର ମାନ ଓ ଭବିଷ୍ୟତ ନେଇ ଏକ ଧାରଣା ସୃଷ୍ଟି କରାଯାଇପାରେ। ଆମ ଦେଶରେ ଶିକ୍ଷାନୁଷ୍ଠାନ ସଂଖ୍ୟାକୁ ବିଚାରକୁ ନେଲେ ୨୦୧୫ରେ ଵାର୍ଲଡ୍ ଗଲ୍ଡ କାଉନ୍ସିଲ୍ କରିଥିବା ଆକଳନରୁ ଆମେ ଜାଣିବାକୁ ପାଉ ଯେ ଦେଶରେ ସ୍କୁଲ ଓ କଲେଜ ପାଇଁ ସଂରକ୍ଷିତ ବିଲଡିଂ ସଂଖ୍ୟା ହେଉଛି ୨୧ ଲକ୍ଷ। ସ୍ବାସ୍ଥ୍ୟ କଥା ବିଚାର କରାଯାଉ। ଦେଶରେ ପ୍ରାୟ ୪୩ ହଜାର ବେସରକାରୀ ଓ ୨୫ ହଜାର ସାତ ଶହ ସରକାରୀ ଡାକ୍ତରଖାନା ଅଛି। ୨୦୨୦ର ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୧୨ ଲକ୍ଷ ଡାକ୍ତର ଥିଲେ ଏବଂ ବିଭିନ୍ନ ମେଡିକାଲ୍ ଶିକ୍ଷାନୁଷ୍ଠାନରେ ସମୁଦାୟ ୮୧,୨୭୫ଟି ମେଡିକାଲ୍ ଆସନ ଥିଲା। ଆଲୋପାଥି, ୟୁନାନି, ଆୟୁର୍ବେଦ, ହୋମିଓପାଥି ଆଦି ବିଭିନ୍ନ ଚିକିତ୍ସାବିଦ୍ୟାକୁ ମିଶାଇଲେ ବି ଭାରତରେ ଜନସଂଖ୍ୟା-ଡାକ୍ତର ହାର ଅତି ନିରାଶାଜନକ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିକାଶ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିକଟରେ ରାଜ୍ୟସଭାରେ ଦେଇଥିବା ଉତ୍ତର ଅନୁଯାୟୀ ଆମ ଦେଶରେ ପ୍ରତି ୮୩୪ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି। ଦେଶର ଆବାସ ଭିତ୍ତିଭୂମି ଉପରେ ନଜର ପକାଇଲେ ବି ନିରାଶ ହେବାକୁ ପଡ଼େ। ଭାରତର ଜନସଂଖ୍ୟା ୧୩୦ କୋଟି ଅତିକ୍ରମ କରିସାରିଥିବା ବେଳେ ଦେଶରେ ଅଛି ମାତ୍ର ୨୧ କୋଟି ୬୦ ଲକ୍ଷ ବାସଗୃହ। ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟ ଦର୍ଶାଏ ଯେ ସହରୀ ଜନସଂଖ୍ୟାର ପ୍ରାୟ ୩୫ ପ୍ରତିଶତ ବସ୍ତିରେ ଜୀବନଯାପନ କରୁଛନ୍ତି।
ଅଥଚ ଏକ ଆକଳନ ଅନୁଯାୟୀ ସମଗ୍ର ଭାରତରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଉପାସନା ସ୍ଥଳୀ ବା ମନ୍ଦିର ସଂଖ୍ୟା ହେଉଛି ପାଖାପାଖି ୨୦ ଲକ୍ଷ। ସେହିପରି ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ମସଜିଦ ସଂଖ୍ୟା ହେଉଛି ୩ ଲକ୍ଷ। ଭାରତରେ ସର୍ବମୋଟ ୩୧ ଲକ୍ଷଟି ବିଲଡିଂ ଉପାସନା ସ୍ଥଳୀ ଭାବେ ତାଲିକାଭୁକ୍ତ ହୋଇଛି, ଯାହା ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସାଳୟ ତୁଳନାରେ ଅନେକ ଅଧିକ।