ମୋଦୀଙ୍କ ନେତୃତ୍ୱ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ

ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ,
ଭାରତ ସରକାର

ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡ଼ିଆ ଅସ୍ମିତାର ପ୍ରତୀକ ପାଲଟି ଯାଇଛନ୍ତି। ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଆଦିବାସୀ ମହିଳା ଯିଏ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ କେବଳ ଗୌରବର ବିଷୟ ନୁହେଁ, ଭାରତର ବଞ୍ଚିତ, ଅବହେଳିତ ଓ ଅନଗ୍ରସର ବର୍ଗଙ୍କ ପାଇଁ ଗରିମାର କଥା। ଓଡ଼ିଶାର ଏକ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀର ସୁକନ୍ୟା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରର ପ୍ରଥମ ନାଗରିକର ମର୍ଯ୍ୟାଦା ପ୍ରଦାନ କରିବାରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ବନଫୁଲର ମହକରେ ସମଗ୍ର ଭାରତବର୍ଷକୁ ମହକିତ କରିବା କଥା କେବଳ ମୋଦୀଜୀ ହିଁ ଚିନ୍ତା କରିପାରନ୍ତି ଏବଂ ତା’ର ବାସ୍ତବ ରୂପାୟନ ମଧ୍ୟ କରିପାରନ୍ତି।

ସାଧାରଣ ଲୋକମାନେ କାଳେକାଳେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥା’ନ୍ତି। ଶେଷ ପାହାଚରେ ଥିବା ଅନେକଙ୍କ ପାଖରେ ଥାଏ ଅସୀମ ଶକ୍ତି ଓ ସାମର୍ଥ୍ୟ। କିନ୍ତୁ ଏପରି ପ୍ରତିଭାମାନେ ବଣମଲ୍ଲୀ ପରି ବଣରେ ଫୁଟି ମଉଳି ଯାଆନ୍ତି। ରହି ଯାଆନ୍ତି ଜନ ସମାଜର ଆଢ଼ୁଆଳରେ। ଲୋକହିତ ପାଇଁ ସେମାନଙ୍କ ଶକ୍ତି ମଧ୍ୟ ବିନିଯୋଗ କରାଯାଇପାରେ ନାହିଁ। ତେଣୁ ଏପରି ବଣମଲ୍ଲୀମାନଙ୍କୁ ଖୋଜିବା ଏବଂ ଚିହ୍ନଟ କରିବା ସମାଜ ଆଗରେ ସବୁବେଳେ ଏକ ବଡ଼ ଆହ୍ୱାନ। ଭାରତବର୍ଷ ଅନାଦି କାଳରୁ ବିବିଧ ଜାତି, ବର୍ଣ୍ଣ ଓ ଗୋଷ୍ଠୀର ବାସସ୍ଥାନ। ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶୈକ୍ଷିକ ଅନଗ୍ରସର ଜାତି ତଥା ଅସ୍ୱଚ୍ଛଳ ବର୍ଗ ଭାରତବର୍ଷର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ। ପୁଣି ଅବସ୍ଥିତି ଭିତ୍ତିରେ କେତେକ ଅଞ୍ଚଳ ମଧ୍ୟ ପଛୁଆ ରାଜ୍ୟ ଭାବରେ ପରିଗଣିତ। ଆମ ସମାଜରେ ପଛରେ ପଡ଼ିଥିବା ପଛୁଆ ବର୍ଗ ଏବଂ ପଛୁଆ ରାଜ୍ୟକୁ ଆଗକୁ ନ ଆଣିଲେ ଦେଶର ସନ୍ତୁଳିତ ବିକାଶ ଅସମ୍ଭବ।

livemint.com

ଭାରତର ସର୍ବାଙ୍ଗୀନ ବିକାଶ ପଛରେ ଥିବା ଏହି ସହଜ ସତ୍ୟକୁ ଅନେକ ଶାସକ ବୁଝି ମଧ୍ୟ ବୁଝିପାରନ୍ତି ନାହିଁ। ସେମାନେ ସାମାଜିକ ନ୍ୟାୟ ବିଷୟରେ ଦୀର୍ଘ ସମୟ ଭାଷଣ ଦିଅନ୍ତି କିନ୍ତୁ କାର୍ଯ୍ୟରେ କରି ଦେଖାନ୍ତି ନାହିଁ। ଆଦିବାସୀମାନଙ୍କ ପାରମ୍ପରିକ ନୃତ୍ୟରେ ଭାଗ ନିଅନ୍ତି କିନ୍ତୁ ସେମାନଙ୍କ ବିକାଶକୁ ତ୍ୱରାନ୍ୱିତ କରନ୍ତି ନାହିଁ। କିନ୍ତୁ ଗତ ଆଠ ବର୍ଷ ହେବ, ଏପରି ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ନ୍ୟାୟ ଓ ସନ୍ତୁଳିତ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି। ଭୌଗୋଳିକ ଦୃଷ୍ଟିରୁ ଭାରତର ପୂର୍ବ ଭାଗ ବିକାଶ କ୍ଷେତ୍ରରେ ପଛରେ ପଡ଼ିଛି। ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ଆଦି ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅନଗ୍ରସର। ମାନ୍ୟବର ମୋଦୀଜୀ ଭାରତର ସନ୍ତୁଳିତ ବିକାଶକୁ ଆଖି ଆଗରେ ରଖି ପୂର୍ବ ଭାରତର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପୁଣି ପୂର୍ବ ଭାରତରେ ଓଡ଼ିଶା ତାଙ୍କର ଏକ ପ୍ରିୟ ରାଜ୍ୟ। କେବଳ​ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି, ପ୍ରାକୃତିକ ଓ ଖଣିଜ ସମ୍ପଦ ପାଇଁ ଯେ ଓଡ଼ିଶା ତାଙ୍କର ଦୃଷ୍ଟି ଆକର୍ଷଣ କରିଛି, ତା’ ନୁହେଁ, ବରଂ ଓଡ଼ିଶାର ବିକାଶ ପ୍ରତି ସେ ସର୍ବଦା ସମ୍ବେଦନଶୀଳ। ପ୍ରାଚୁର୍ଯ୍ୟ ଓ ସମ୍ଭାବନାରେ ପରିପୂର୍ଣ୍ଣ ଓଡ଼ିଶାର ବିକାଶ କରିବା ପାଇଁ ମୋଦୀଜୀଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ। ଓଡ଼ିଶାର ପ୍ରତିଭାମାନଙ୍କୁ ସ୍ୱୀକୃତି ଦେବାରେ ତାଙ୍କର କାର୍ପଣ୍ୟ ନାହିଁ। ଓଡ଼ିଶାବାସୀଙ୍କ ଆଶା-ଆକାଂକ୍ଷା ପୂରଣ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ତତ୍ପରତାର ପଟାନ୍ତର ନାହିଁ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ୨୦୧୩ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ୨୦୧୬ ମସିହା ଫେବ୍ରୁଆରି ମାସରେ ପୁରୀ ଆସି ଦିଅଁ ଦର୍ଶନ କରିଥିଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମହୋଦୟ ନବକଳେବର ସ୍ମାରକୀ ମୁଦ୍ରାକୁ ଅନୁମୋଦନ ମଧ୍ୟ କରାଇଥିଲେ। ଓଡ଼ିଶାର ପର୍ବପର୍ବାଣି ପ୍ରତି ତାଙ୍କର ଅପ୍ରମିତ ଶ୍ରଦ୍ଧା ରହିଛି। ମହାବିଷୁବ ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ରଥଯାତ୍ରା ଓ ନୂଆଁଖାଇ ଆଦି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଓଡ଼ିଶା ପ୍ରୀତିର ପରିଚୟ ଦେଇ ଆସିଛନ୍ତି। ଓଡ଼ିଶା ଯେ କଳା ଓ ସଂସ୍କୃତିର ଉତ୍କର୍ଷ ଭୂମି, ଏହା ତାଙ୍କୁ ଭଲ ଭାବରେ ଜଣା। ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ସୂକ୍ଷ୍ମ ଐତିହ୍ୟ (ଇନଟେଞ୍ଜିବୁଲ ହେରିଟେଜ୍)ର ମାନ୍ୟତା ତାଙ୍କର ହିଁ ଅବଦାନ। ୨୦୧୮ ମସିହାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ‘ବାଲିଯାତ୍ରା’ ବିଷୟରେ ଆଲୋଚନା କରି ସେ ଓଡ଼ିଶାର ଏହି ଐତିହାସିକ ପର୍ବ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି।

ଦିଲ୍ଲୀରେ ଓଡ଼ିଆମାନଙ୍କୁ ସ୍ୱୀକୃତି ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଅବଦାନ ଯେ ସବା ଉପରେ, ଏହା ଅବିସମ୍ବାଦିତ। ପୂର୍ବରୁ ଓଡ଼ିଶାରୁ ଜଣେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ପଦ ପ୍ରାପ୍ତ ହୋଇଥିଲେ। ତାହା ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ। ୨୦୧୪ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର ସ୍ଥାନ ଥିଲା ନଗଣ୍ୟ। କିନ୍ତୁ ମୋଦୀଜୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଜୁଏଲ ଓରାମଙ୍କ ଠାରୁ ଅଶ୍ୱିନୀ ବୈଷ୍ଣବଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ନେତା କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ନେତା ବିଶେଶ୍ୱର ଟୁଡ଼ୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି। ତା’ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ମୋଦୀଜୀ ଦ୍ରୌପଦୀ ମୁର୍ମୁ, ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦବିରେ ଅଧିଷ୍ଠିତ କରାଇଛନ୍ତି। ସେହିପରି ପୂର୍ବରୁ ପଦ୍ମ ପୁରସ୍କାର ତାଲିକାରେ ଓଡ଼ିଆ ଲୋକଙ୍କର ନାଁ ଖୋଜି ନିରାଶ ହେବାକୁ ପଡ଼ୁଥିଲା। କେବେ କେମିତି ଗୋଟେ ନାଁ ଆଖିରେ ପଡ଼ୁଥିଲା। କିନ୍ତୁ ୨୦୧୫ ମସିହା ପର ଠାରୁ ଲଗାତାର ଓଡ଼ିଶାର ପ୍ରତିଭାମାନେ ପଦ୍ମ ସମ୍ମାନ ପାଇ ଆସୁଛନ୍ତି। ମନୋଜ ଦାସ, ପ୍ରତିଭା ରାୟଙ୍କ ପରି ସାହିତ୍ୟିକମାନେ ପଦ୍ମଭୂଷଣ ସମ୍ମାନ ପାଇଥିବା ବେଳେ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମବିଭୂଷଣ ସମ୍ମାନ ପାଇଛନ୍ତି। ପଦ୍ମ ସମ୍ମାନ ପାଇଥିବା ଅନେକ ଖ୍ୟାତନାମା କବି, ଲେଖକ, ନୃତ୍ୟାଙ୍ଗନା, କଣ୍ଠଶିଳ୍ପୀ, ସ୍ଥପତିଙ୍କର ଏକ ଲମ୍ବା ତାଲିକା ଏଠାରେ ପ୍ରଦାନ କରିବା ଅନାବଶ୍ୟକ। କିନ୍ତୁ ସମାଜ ପାଇଁ, ଜନସେବା ପାଇଁ ତଥା କିଛି ନୂଆ କାମ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିବା ଅଥଚ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିଛନ୍ତି କେନ୍ଦ୍ରର ମୋଦୀ ସରକାର। ହଳଧର ନାଗ୍, ମିତ୍ରଭାନୁ ଗୌନ୍ତିଆଙ୍କ ଠାରୁ ଆରମ୍ଭ କରି ଦୈତାରୀ ନାୟକ ଓ ପୂର୍ଣ୍ଣମାସୀ ଜାନିଙ୍କ ପର୍ଯ୍ୟନ୍ତ ଅନେକ ଏକନିଷ୍ଠ ନିରବ ସାଧକଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି ଏବେର କେନ୍ଦ୍ର ସରକାର। ଗୁଣ ଚିହ୍ନିବାରେ ମୋଦୀ ସରକାର ସଦା ଅଗ୍ରଣୀ।

ଓଡ଼ିଶା କେବଳ କଳା କାରିଗରିର ଭୂଖଣ୍ଡ ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ଯଥା ବଢ଼ି, ଝଡ଼ି ଓ ମରୁଡ଼ିର ଚରାଭୂଇଁ ମଧ୍ୟ। ସମ୍ରାଟ ଖାରବେଳଙ୍କ ରାଜତ୍ୱର ପ୍ରଥମ ବର୍ଷ ଓଡ଼ିଶାରେ ଭୟଙ୍କର ମହାବାତ୍ୟା ସଂଘଟିତ ହୋଇଥିଲା ବୋଲି ଗବେଷକମାନେ ମତ ଦିଅନ୍ତି। ମୋଦୀଜୀ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଦା ସହାନୁଭୂତିଶୀଳ। ଓଡ଼ିଶାର ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସେ କେବଳ ଆଗୁଆ ସମୀକ୍ଷା କରନ୍ତି ନାହିଁ, ଆବଶ୍ୟକ ଅର୍ଥର ବନ୍ଦୋବସ୍ତ ମଧ୍ୟ କରନ୍ତି। ୨୦୧୯ ମସିହାରେ ‘ଫନୀ’ ବାତ୍ୟା ସମୟରେ ସେ ଏକ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଥିଲେ ଏବଂ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଗ୍ରୀମ ୩୪୧ କୋଟି ଟଙ୍କା ସହାୟତା ମଞ୍ଜୁର କରାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ଅତିରିକ୍ତ ୩,୩୩୮ କୋଟି ଅର୍ଥାତ୍ ମୋଟ ୪,୬୭୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୋଦୀ ସରକାର ପ୍ରଦାନ କରିଥିଲେ। ପୁନଶ୍ଚ ୨୦୨୧ ‘ୟସ୍’ ବାତ୍ୟା ବେଳେ ମୋଦୀଜୀ ଭୁବନେଶ୍ୱର ଆସି ଓଡ଼ିଶାରେ ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଥିଲେ। ସରକାର ଦାବି କରିବା ପୂର୍ବରୁ ସେ ପାଞ୍ଚ ଶହ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଥିଲେ। ବିଶ୍ୱ ମହାମାରୀ କୋଭିଡ୍-୧୯ ସମୟରେ ପ୍ରଧାନମନ୍ତ୍ରୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ସମାଜସେବୀ ନନ୍ଦକିଶୋର ସାହୁ, ବୃନ୍ଦାବନ କଳସ ଏବଂ କିଷାନ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଊନବିଂଶ ଶତାବ୍ଦୀରେ ସଂଗଠିତ ବ୍ରିଟିସ୍‌ ବିରୋଧୀ ଆନ୍ଦୋଳନ ମଧ୍ୟରୁ ପାଇକ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ମୁକ୍ତି ସଂଗ୍ରାମ। ଏହି ଅଦ୍ୱିତୀୟ ସଂଗ୍ରାମକୁ ଦେଶବ୍ୟାପୀ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୮ ମସିହା ସେପ୍‌ଟେମ୍ବର ମାସରେ ରାଉରକେଲା ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ପାଇକ ଇତିହାସର ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ୍ ଲୋକାର୍ପଣ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ଚେୟାର ସ୍ଥାପନ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ୨୦୧୯ ମସିହା ଡିସେମ୍ବର ମାସରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରିଥିଲେ। ଓଡ଼ିଆ ଜାତିର ବୀରତ୍ୱର ଗାଥାକୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ଦେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରଶଂସନୀୟ ଭୂମିକା ରହିଆସିଛି।
କଳା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ଏକ ସାମ୍ବିଧାନିକ ବ୍ୟବସ୍ଥା। ପ୍ରଥମ ଥର ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ବିଶିଷ୍ଟ ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ର ଏବଂ ଖ୍ୟାତନାମା ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ଓଡ଼ିଶା ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ମାନସିକତାର ଏହା ଉଜ୍ଜ୍ୱଳ ଦୃଷ୍ଟାନ୍ତ।

‘ମନ୍ କି ବାତ୍’ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏକ ଜନାଦୃତ କାର୍ଯ୍ୟକ୍ରମ। ସେହି କ୍ରମରେ ସେ ଓଡ଼ିଶାର ଅନେକ ନିଷ୍ଠାପର ତଥା ସୃଜନଶୀଳ ପ୍ରତିଭାଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି। ନୀଳଗିରିର ଆଶାକର୍ମୀ ଯମୁନା ମଣି ସିଂ, ଗରିବ ପିଲାମାନଙ୍କୁ ପାଠ ପଢ଼ାଉଥିବା କଟକର ଚା’ ଦୋକାନୀ ସ୍ୱର୍ଗତ ଡି. ପ୍ରକାଶ ରାଓ, ନର୍ଦ୍ଦମା ନିଷ୍କାସନ ସମ୍ପର୍କରେ ମୌଳିକ ପରାମର୍ଶ ଦେଇଥିବା ଭୁବନେଶ୍ୱରର ଶୀତାଂଶୁ ମୋହନ ପରିଡ଼ା, ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ, ଚିଙ୍ଗାରି ଆପ୍‌ର ସହ ପ୍ରତିଷ୍ଠାତା ବିଶ୍ୱାତ୍ମା ନାୟକ, ସାମରିକ ଓ ଅର୍ଦ୍ଧ ସାମରିକ ତାଲିମଦାତା ସିଲୁ ନାୟକ, କୋଭିଡ୍‌ ଟିକାକରଣ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ପୁଷ୍ପା ଶୁକ୍ଳା, କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିଥିବା ଅମରେଶ ସାମନ୍ତ, ହେନ୍ତାଳ ବନ ସୃଷ୍ଟି କରିଥିବା ବିଜୟ କୁମାର କବି, ୟୁଟ୍ୟୁବ୍‌ର ଚର୍ଚ୍ଚିତ ଚେହେରା ଇସାକ୍ ମୁଣ୍ଡା ଏବଂ ପୁରୀକୁ ପ୍ଲାଷ୍ଟିକ ମୁକ୍ତ କରୁଥିବା ରାହୁଲ ମହାରଣାଙ୍କ ସମ୍ପର୍କରେ ମୋଦୀଜୀ ‘ମନ କି ବାତ’ରେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଏତେ ସଂଖ୍ୟକ ଲୋକଙ୍କ ସହିତ ଭାବ ବିନିମୟ କରିବା ତାଙ୍କ ଓଡ଼ିଶା ପ୍ରୀତିର ପରିଚାୟକ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ୨୦୧୫ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶରେ ଛଅ ଗୋଟି ନୂଆ ଆଇଆଇଏମ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ଭାଗରେ ପଡ଼ିଥିଲା ଗୋଟିଏ, ସମ୍ବଲପୁର ଆଇଆଇଏମ୍‌। କେବଳ ଆଇଆଇଏମ୍‌ ନୁହେଁ, ବ୍ରହ୍ମପୁରରେ ଆଇଜର (ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା) ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ମୋଦୀ ସରକାର। ସର୍ବୋପରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ଦେଶରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠିତ ହୋଇଛି। ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡ଼ିଆ ଝିଅ, ଆଦିବାସୀ ମହିଳା। ଏହା ଭାରତବର୍ଷର ନେତୃତ୍ୱର ଅଭୂତପୂର୍ବ ପରାକାଷ୍ଠା ନୁହେଁ କି?

ସମ୍ବନ୍ଧିତ ଖବର