‘ସେବା ପକ୍ଷ’ର ଗୌରବମୟ ସମୟରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ପୁଣି ଓଡ଼ିଶା ଆଗମନ ଆମ ପାଇଁ ସମ୍ମାନ ଓ ସ୍ୱୀକୃତିର ଦିନ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ମୁଁ ଏହି ମହାନ ବିଭୂତିଙ୍କର ଜନ୍ମଦିନ ଅବସରରେ ସେବା ମାଧ୍ୟମରେ ପାଳନର ମହାନ ପରମ୍ପରାରେ ସାମିଲ ହୋଇଥିବା ଆପଣମାନଙ୍କ ତରଫରୁ ମୋଦୀଜୀଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଜଗନ୍ନାଥ, ମା’ ସମଲେଇ ତଥା ଓଡ଼ିଶାର ଏହି ପୁଣ୍ୟ ଭୂମିର ଆଶୀର୍ବାଦ ତାଙ୍କୁ ଦୀର୍ଘ, ନିରାମୟ ତଥା ଦେଶ ଓ ଦେଶବାସୀଙ୍କ ସେବା ପାଇଁ ଆହୁରି କର୍ମଠ କରୁ ଏହି ଦିନରେ ମୋର ଏତିକି ପ୍ରାର୍ଥନା। ରାଜ୍ୟରେ ବିଜେପି ସରକାର କାର୍ଯ୍ୟଭାର ଗ୍ରହଣ କରିବା ଅର୍ଥାତ୍ ନୂଆ ମନ୍ତ୍ରିମଣ୍ଡଳ ଶପଥ ଦିନ ଓଡ଼ିଶା ଗସ୍ତଠାରୁ ଆଜି ଝାରସୁଗୁଡ଼ା ଗସ୍ତକୁ ହିସାବ କଲେ ଏହା ତାଙ୍କର ସପ୍ତମ ଓଡ଼ିଶା ଗସ୍ତ। ଏହା ସତ ଯେ ଦେଶ ସ୍ବାଧୀନତାଠାରୁ ଦେଶରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ମିଶି ଓଡ଼ିଶାକୁ ଯେତେଥର ଆସିଛନ୍ତି ମୋଦୀ ତାଙ୍କର କାର୍ଯ୍ୟକାଳରେ ତା’ଠାରୁ ଅଧିକ ଥର ଆମ ରାଜ୍ୟ ଗସ୍ତ କରି ସାରିଲେଣି। ଏହା ଏହି ରାଜ୍ୟକୁ, ରାଜ୍ୟବାସୀଙ୍କୁ ତାଙ୍କ ହୃଦୟର ନିଭୃତତମ କୋଣରୁ ଭଲ ପାଇବା ବିନା ସମ୍ଭବ ନୁହେଁ। ଆଜି ମୋଦୀଜୀ ଝାରସୁଗୁଡ଼ାରେ ‘ଯୁବ ସମାବେଶ’କୁ ସମ୍ବୋଧିତ କରିବେ ଏବଂ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରାମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ଏତେ ଭଲ ପାଉଥିବା ଓଡ଼ିଶାର ଏହି ମହାନ୍ ଦରଦୀ ବନ୍ଧୁଙ୍କୁ ପୁଣି ଥରେ ହୃଦୟରୁ ସ୍ୱାଗତ କରୁଛି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୫ ଦିନ ପର୍ଯ୍ୟନ୍ତ ଆମେ ସେବା ପକ୍ଷ ପାଳନ କରିବା ପଛରେ ଭାରତୀୟ ଜନତା ପାର୍ଟିର ରାଜନୈତିକ ସିଦ୍ଧାନ୍ତର ପ୍ରତିଫଳନ, ମାତ୍ର ଆମେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ରାଜନୀତି କ୍ଷମତା କୈନ୍ଦ୍ରିକ ନୁହେଁ। ବିଜେପି ଏବଂ ଏହାର ମୂଳ ଦଳ ଜନସଂଘ ଲାଗି ଆରମ୍ଭରୁ ରାଜନୀତିର ପୃଷ୍ଠଭୂମି ଲୋକ କଲ୍ୟାଣ। ସେବା ପକ୍ଷ ମୋଦୀଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ସତ, ମାତ୍ର ବର୍ଷର ୩୬୫ ଦିନ ଆମ ପାଇଁ ରାଜନୀତି ସେବା ଓ ସମର୍ପଣର ଦିନ। ଏହି ୧୫ ଦିନରେ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ଭାଗୀଦାର କରିବା ମୂଳ ଉଦ୍ଦେଶ୍ୟ। ମୁଁ ଅତ୍ୟନ୍ତ ଆନନ୍ଦିତ ମୋଦୀଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରର ଅବ୍ୟବହିତ ପୂର୍ବରୁ ମା’ ପାଇଁ ଗଛଟିଏ ଅଭିଯାନରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ମୁଁ ଅନୁରୋଧ କରିଥିଲି। ମୋ ରାଜ୍ୟବାସୀ ଏହି ଦିନ ଦେଢ଼ କୋଟି ଗଛ ଲଗାଇଥିବା ନିର୍ଦ୍ଧାରିତ ଆପ୍ ମାଧ୍ୟମରେ ଅପଲୋଡ୍ କରିବା ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଆପ୍ରେ ଅପଲୋଡ୍ କରିବା ବାହାରେ ଆହୁରି ହଜାର ହଜାର ଓଡ଼ିଆ ଜନତା ବୃକ୍ଷରୋପଣ କରିଥିବାର ଖବର ମୋ ପାଖରେ ଅଛି। ଏହା ତ ଓଡ଼ିଶାବାସୀଙ୍କର ମୋଦୀଜୀଙ୍କ ପ୍ରତି ଥିବା ଅଖଣ୍ଡ ଭଲ ପାଇବାର ପ୍ରମାଣ। ଏହି ଭଲ ପାଇବା ଦୀର୍ଘସ୍ଥାୟୀ ହେଉ, ଆଜି ମୋଦୀଜୀଙ୍କ ଓଡ଼ିଶା ଆଗମନ ଦିନରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।
ମୋଦୀଜୀଙ୍କ ଦୃଢ଼ ନେତୃତ୍ୱ କାରଣରୁ ଓଡ଼ିଶାର ପ୍ରଗତି ଅଧିକ ଗତିଶୀଳ ହୋଇଛି। ୨୦୧୪ରୁ ୨୦୨୫ ମୋଦୀଜୀଙ୍କ ୧୧ ବର୍ଷର ଶାସନରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ମୋଦୀଜୀଙ୍କ ଦୁଆର ଖୋଲା। କେମିତି ଓ କ’ଣ କ’ଣ ଓଡ଼ିଶା ଲାଭ ପାଇଲା ଏହାର ବିବରଣୀ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ମୁଁ ଏହି ଆଲେଖ୍ୟ ଲେଖୁନାହିଁ। ଆପଣମାନଙ୍କ ଆଶୀର୍ବାଦରେ ରାଜ୍ୟରେ ବିଜେପି ସରକାର ଗଠନ ହେଲା ଓ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ବିଜେପିର କାର୍ଯ୍ୟକର୍ତ୍ତା ଓ ବିଧାୟକ ଭାବରେ ଅନେକ ଥର ମୋଦୀଜୀଙ୍କ ସାନ୍ନିଧ୍ୟ ଲାଭ କରିଥିଲି। ମାତ୍ର ମୁଖ୍ୟମନ୍ତ୍ରୀ ହେବା ପରେ ମୋଦୀଜୀଙ୍କ ସହ ସମ୍ପର୍କର ନିବିଡ଼ତା ସହ ସିଧାସଳଖ ତାଙ୍କରି ମାର୍ଗଦର୍ଶନ ଓ ରୋଡ୍ ମ୍ୟାପ୍ ଆଧାରରେ ଓଡ଼ିଶାର ବିକାଶ ରଥକୁ ଦ୍ରୁତ ଗତିରେ ଆଗେଇ ନେବାର ଭୂମିକା ମୋତେ ମୋଦୀଜୀଙ୍କ ବ୍ୟକ୍ତିତ୍ୱ ନେଇ ଅନେକ ସମୟରେ ଅନ୍ତର୍ମୁଖୀ କରିଛି। ମୋତେ ଓ ମୋ ସରକାରକୁ ସମୟ ଓ ବିକାଶର କଷଟି ପଥରରେ ମାପିବାକୁ ବାରମ୍ବାର ଚେଷ୍ଟା କରିଛି। ଯେତେଥର ଆତ୍ମସମୀକ୍ଷା କରିଛି, ମୋଦୀଜୀଙ୍କ ମାର୍ଗଦର୍ଶନକୁ ବ୍ୟାଖ୍ୟା କରିଛି ସେତେଥର ମୋତେ ଜନସେବାର ନୂଆ ନୂଆ ରାସ୍ତା ଦେଖା ଯାଇଛି। ଆହୁରି ଯୋଜନାବଦ୍ଧ ଉଦ୍ୟମ ଓ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ମିଳିଛି।
ମୋର ମନେ ଅଛି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଜୀ ଗୁଜରାଟର ନର୍ମଦା ନଦୀ କୂଳେ କେବଡ଼ିଆଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି କଲେ। ଦେଶର ଅନନ୍ୟ କିଷାନ ନେତା ସର୍ଦ୍ଦାର ପଟେଲଙ୍କର ବିଶାଳ ଲୌହ ଅବୟବ ନିର୍ମାଣ ପାଇଁ ସାରା ଦେଶକୁ ସାମିଲ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ଓ ଦେଶର ସାଧାରଣ ଜନତାଙ୍କୁ ଆହ୍ୱାନ ଦେଲେ। ସେ ଅନୁରୋଧ କଲେ ଦେଶର ପ୍ରତି ପରିବାରରୁ ଲୁହା ସଂଗ୍ରହ କରିବାକୁ। ବିଶେଷ ଭାବରେ ଚାଷ କାମରେ ବ୍ୟବହୃତ ହୋଇଥିବା ହଳ-ଲଙ୍ଗଳ ବା ଅନ୍ୟ ଲୁହା ଉପକରଣ ଦାନ କରିବାକୁ ଆହ୍ୱାନ ଜଣାଇଲେ। ବିଜେପିର କାର୍ଯ୍ୟକର୍ତ୍ତା ଭାବରେ ଆମେ ଆମ ଅଞ୍ଚଳ ବୁଲି ଲୁହା ଖଣ୍ଡ ସବୁ ସଂଗ୍ରହ କଲୁ। ଘରକୁ ଘର ବୁଲି ମୋଦୀଜୀଙ୍କ ଆହ୍ୱାନ, ସର୍ଦ୍ଦାର ପଟେଲଙ୍କର ଦେଶକୁ ଅଖଣ୍ଡ ରଖିବାର ଭାବନା ଏବଂ ଭବିଷ୍ୟତ ଭାରତ କଥା ଆଲୋଚନା କଲାବେଳେ ସାଧାରଣ ପରିବାରମାନଙ୍କର ଏକ ରାଷ୍ଟ୍ରୀୟ ଆନ୍ଦୋଳନରେ ସାମିଲ ହେବା ଖୁସିକୁ ସେତବେଳେ ମନେ ମନେ ଅନୁଭବ କରୁଥିଲୁ। ହୃଦୟଙ୍ଗମ ହେଉଥିଲା ମୋଦୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କେବଳ ସଫଳତାର ନାୟକ ନୁହନ୍ତି, ଜନ ଭାଗୀଦାରି ତାଙ୍କ କାର୍ଯ୍ୟ ପଦ୍ଧତିର ଅବିଚ୍ଛେଦ୍ୟ ଅଙ୍ଗ।
ଭାରତୀୟ ସମାଜ ଜୀବନରେ ଆଉ ଦୁଇ ବିଭୂତି ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ ଦର୍ଶନ ସହ ମୋଦୀଜୀଙ୍କ ବିଚାରରେ ସମାନତାକୁ ମୁଁ ଅନୁଭବ କରୁଛି। ଗାନ୍ଧୀଜୀ ଦେଶର ସ୍ୱାଧୀନତା ସଂଗ୍ରାମକୁ ଖାଲି ବ୍ରିଟିସ ସାଙ୍ଗରେ ଅସହଯୋଗରେ ସୀମିତ ରଖି ନଥିଲେ। ଅସହଯୋଗ ଆନ୍ଦୋଳନ ସଫଳତା ପଛରେ ତାଙ୍କର ଜନ ଭାଗୀଦାରି ପାଇଁ ସୁଦୂରପ୍ରସାରୀ ଚିନ୍ତା, ଯୋଜନା ଓ ସଫଳ କ୍ରିୟାନ୍ୱୟନ ସ୍ପଷ୍ଟ ଦେଖାଯାଉଛି। କୁଟି ଖାଅ-କାଟି ପିନ୍ଧ, ଲବଣ ସତ୍ୟାଗ୍ରହ ଆଦି ପଛରେ ଲୋକଙ୍କୁ ଆନ୍ଦୋଳନ ସହ ଯୋଡ଼ିବା ହିଁ ତ ଥିଲା ମୂଳ ଉଦ୍ଦେଶ୍ୟ। ଶାସ୍ତ୍ରୀଜୀଙ୍କ ନେତୃତ୍ୱରେ ଦେଶ ଲଢୁଥିଲା ବିଦେଶୀ ଶକ୍ତି ସହ ସାମରିକ ଓ କୂଟନୈତିକ ଯୁଦ୍ଧ। ମାତ୍ର ଦେଶର ଖାଦ୍ୟାନ୍ନ ଅଭାବକୁ ସାମନା କରିବା ପାଇଁ ସପ୍ତାହରେ ଗୋଟିଏ ଓଳିର ଆହାର ତ୍ୟାଗ କରି ଉପବାସ ରହିବା ପାଇଁ ଆହ୍ୱାନ ଦେଶରେ ନୂଆ ଜାଗରଣର ଲହରି ଆଣିଥିଲା।
ଆଜି ଯେତେବେଳେ ଆମେ ମୋଦୀଜୀଙ୍କ ୧୧ ବର୍ଷର କାର୍ଯ୍ୟକାଳକୁ ଦେଶର ସାଧାରଣ ଜନତା ଭାବରେ ସମୀକ୍ଷା କରୁଛୁ ସେତେବେଳେ ତାଙ୍କର ଜନ ଭାଗୀଦାରି ମାଧ୍ୟମରେ ଜନ ଆନ୍ଦୋଳନ ତିଆରି ବିକାଶକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବାରେ ମୂଳ ମନ୍ତ୍ର ହୋଇଛି।
ମୋଦୀଜୀ ନିଜ ପ୍ରଧାନମନ୍ତ୍ରିତ୍ୱର ପ୍ରାରମ୍ଭିକ ବର୍ଷରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କଲେ। ସେତେବେଳର ତାଙ୍କର ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କର ଅଳ୍ପ ଦିନ ତଳର ଏକ ଟିଭି ସାକ୍ଷାତ୍କାର ଦେଖିଥିଲି। ମୋଦୀଜୀଙ୍କର ଜନତାଙ୍କ ସମସ୍ୟାର ଅନୁଭବ ଓ ପ୍ରଶାସନିକ କଳକୁ ମାର୍ଗଦର୍ଶନର ପ୍ରସଙ୍ଗରେ ନୃପେନ୍ଦ୍ର ମିଶ୍ରଙ୍କ ବ୍ୟାଖ୍ୟା ଆମ ଭଳି ନୂଆ ପିଢ଼ିର ରାଜନେତାଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରୁଛି। ଲାଲକିଲ୍ଲାରୁ ଶୌଚାଳୟ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସାମିଲ ହେବା ପ୍ରଶାସନିକ ବ୍ୟବସ୍ଥାକୁ ନୂଆ ନୂଆ ଲାଗୁଥିଲା। କିନ୍ତୁ ଲାଲକିଲ୍ଲାରୁ ୨୦୧୪ ଅଗଷ୍ଟ ୧୫ ଭାଷଣରେ ମୋଦୀଜୀଙ୍କୁ ଏହା ସବୁଠୁ ବଡ଼ ଲାଗୁଥିଲା।
ମୋଦୀଜୀ ଯେତେବେଳେ ରାସ୍ତାରୁ କାଗଜ ଉଠାଇ ନିଜ ପକେଟରେ ରଖୁଛନ୍ତି ସ୍ୱଚ୍ଛତା ଜନଆନ୍ଦୋଳନରେ ନୂଆ ଉତ୍ସାହ ଯୋଡ଼ି ହେଉଛି। ଆଣ୍ଡାମାନର ସମୁଦ୍ର କୂଳରେ ଯେତେବେଳେ ନିଜେ ବୁଲି ଭାରତର ପର୍ଯ୍ୟଟନ ବିକାଶ ମାଧ୍ୟମରେ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ବାର୍ତ୍ତା ଦେଉଛନ୍ତି ତାହା ଜନଆନ୍ଦୋଳନ ହେଉଛି। ଯେତେବେଳେ ‘ଦେଖୋ ଅପନା ଦେଶ’ ସନ୍ଦେଶ ଦେଉଛନ୍ତି ସେତେବେଳେ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଭିଡ଼ ଲାଗି ଯାଉଛି। ଖଦି ପିନ୍ଧିବାର ଆହ୍ୱାନ, ଦେଶରେ ନୂଆ ବାତାବରଣ ସୃଷ୍ଟି କରୁଛି।
ସମୟ ମିଳିଲେ ୟୁଟ୍ୟୁବ୍ ଖୋଲି ମୋ ପସନ୍ଦର ବ୍ୟକ୍ତିମାନଙ୍କର ସାକ୍ଷାତ୍କାର ଦେଖିବାକୁ ମୋତେ ଭଲ ଲାଗେ। ନିକଟରେ ଏକ ଜାତୀୟ ଟିଭି ଚ୍ୟାନେଲର ୩ ଜଣ ଆଙ୍କର୍ ମୋଦୀଜୀଙ୍କ ସାକ୍ଷାତ୍କାର କରୁଥିଲେ। ସେମାନଙ୍କର ପ୍ରଶ୍ନ ଥିଲା ଆପଣ ଦେଶବାସୀଙ୍କ ମନ ଉପରେ କବଜା କରିଦେଇଛନ୍ତି। ମୋଦୀଜୀ ନମ୍ରତାର ସହ ଉତ୍ତର ଦେଇଥିଲେ ଜନମନକୁ ଯିଏ କବଜା କରିବାର ଦୁଃସାହସ କରିବ ସିଏ ଶେଷ ହୋଇଯିବ। ଜନମନକୁ ବୁଝିବା ଦରକାର, ଜନମନର ବିଚାର ଓ ଆମର ବିଚାର ମଧ୍ୟରେ ଥିବା ଦୂରତାକୁ ବୁଝିବା ଏବଂ ଏହି ଦୂରତାକୁ ଦୂର କରି ଜନମନର ଇଚ୍ଛାକୁ ସମ୍ମାନ ଦେଇ ସେମାନଙ୍କ ପାଖକୁ ଗଲେ ସେମାନେ ଖୋଲା ମନରେ ଖାଲି ସ୍ୱୀକାର କରନ୍ତିନି ବରଂ ଏଥିରେ ଖୁସିରେ ସାମିଲ ହୋଇଯାଆନ୍ତି। ଲାଲକିଲ୍ଲାରୁ ଶୌଚାଳୟ ଆନ୍ଦୋଳନର କଥା ହେଉ, କୁମ୍ଭ ମେଳାରେ ସଫେଇ କର୍ମଚାରୀଙ୍କ ପାଦ ଧୋଇବା ହେଉ, ଜନମାନସରେ ଏକ ସକାରାତ୍ମକ ଭାବନା ତିଆରି କରୁଛି। ଜନଧନ ବ୍ୟାଙ୍କ ଖାତା ଖୋଲିବା ହେଉ ଅଥବା ଦେଶର ମେହନତୀ ମଣିଷ ପାଇଁ ମୁଦ୍ରା ଲୋନ୍, ଏସବୁ ଦେଶର ଗରିବ ଓ ଉପେକ୍ଷିତ ଲୋକଙ୍କୁ ବିକାଶର କେନ୍ଦ୍ରକୁ ଆଣି ପାରିଛି।
ମୋଦୀଜୀ ଆମ ରାଜ୍ୟରେ ବିକାଶ ପାଇଁ ନୂଆ ସୁଯୋଗ ତିଆରି କରିଛନ୍ତି। ୟୁପିଏ ଶେଷ ୫ ବର୍ଷରେ ଆମ ରାଜ୍ୟର ରେଳବାଇ ପାଇଁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା। ଦେଶର ଶେଷ ରେଳ ବଜେଟରେ ମୋଦୀଜୀ ଓ ଅଶ୍ୱିନୀ ବୈଷ୍ଣବ ୧୦ ହଜାର ୫୯୯ କୋଟି ଅର୍ଥାତ୍ ୧୨.୬ ଗୁଣ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ରାଜ୍ୟରେ ଏବେ ୮୦ ହଜାର କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ଚାଲିଛି। ୧୨ ହଜାର କୋଟିରୁ ଅଧିକ ଟଙ୍କାର ସଡ଼କ ପ୍ରକଳ୍ପ ନିର୍ମାଣ ଚାଲିଛି। ରାଜ୍ୟରେ ଫିଜିକାଲ ଇନଫ୍ରାଷ୍ଟ୍ରକ୍ଚର୍ ହେଉ ବା ସୋସିଆଲ ଇନଫ୍ରାଷ୍ଟ୍ରକ୍ଚର୍, ମୋଦୀଜୀଙ୍କ ସମୟ ଓଡ଼ିଶା ପାଇଁ ସୁବର୍ଣ୍ଣ ଯୁଗ।
ମୋଦୀଜୀଙ୍କୁ ସ୍ୱାଗତ କରିବା ସମୟରେ ଗୋଟିଏ କଥା କହିବି, ଆମ ପାଖରେ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ଅଜସ୍ର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓ ବୁଦ୍ଧିମାନ ମାନବ ସମ୍ବଳ ଅଛନ୍ତି, ଯାହା ଭାରତର ଅନ୍ୟ କୌଣସି ରାଜ୍ୟ ପାଖରେ ନାହିଁ। ଓଡ଼ିଶା ଧନୀ ମାତ୍ର ଓଡ଼ିଆ ଗରିବ। ଆମକୁ ଏହି ଅପମାନଦାୟକ ପରିସ୍ଥିତିରୁ ବାହାରିବାକୁ ପଡ଼ିବ। ଖାଲି ଓଡ଼ିଶା ଧନୀ ନୁହେଁ ଓଡ଼ିଶାବାସୀ ବି ସମ୍ପନ୍ନ- ଏହା ୨୦୩୬ ମସିହା ସୁଦ୍ଧା ଆମେ ସମ୍ଭବ କରି ଦେଖାଇ ପାରିବା।
ମୋଦୀଜୀ ପ୍ରଧାନମନ୍ତ୍ରୀ ହେବାବେଳେ ଆମ ଦେଶ ବିଶ୍ୱର ୧୧ ନମ୍ବର ଅର୍ଥନୀତି ଥିଲା। ଏବେ ଆମେ ୪ ନମ୍ବରରେ। ଦେଶର ବିକାଶ ପଛରେ ରହିଛି ଦେଶବାସୀଙ୍କର ଦେଶର ନେତୃତ୍ୱ ଉପରେ ଅଖଣ୍ଡ ବିଶ୍ୱାସ ଓ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ। ମୋଦୀଜୀଙ୍କର ନେତୃତ୍ୱରେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଭାଗ୍ୟୋଦୟରେ ନିର୍ଣ୍ଣାୟକ ଭୂମିକା ନେବ। ଏହା ସମ୍ଭବ ହେବା ପଛରେ ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପୂର୍ବୋଦୟ ବିଚାର ସହାୟକ ହେବ। ମୋଦୀଜୀଙ୍କ ଆଜି ଓଡ଼ିଶା ଆଗମନ ଓ ବିକଶିତ ଓଡ଼ିଶା ଗଠନ ପାଇଁ ‘ଯୁବ ସମାବେଶ’ରେ ଯୋଗଦାନ ଅବସରରେ ତାଙ୍କୁ ସ୍ୱାଗତ କରିବା। ଏହା ସହ ଜନଭାଗୀଦାରି, ଗରିବ କଲ୍ୟାଣ ଓ ଦ୍ରୁତ ଆର୍ଥିକ ବିକାଶକୁ ସଫଳ କରିବା ପାଇଁ ଶପଥ ନେବା। ସାଢ଼େ ୪ କୋଟି ଓଡ଼ିଆଙ୍କ ଏହି ବିକାଶ ଯାତ୍ରାରେ ଡବଲ ଇଞ୍ଜିନ ସରକାର ଓ ମୁଁ ନିମିତ୍ତ ମାତ୍ର।
ଜୟ ଜଗନ୍ନାଥ।
(ମତାମତ ଲେଖକଙ୍କ ନିଜସ୍ବ)
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/10/sJM3E00TSt0ulW51hRgA.jpg)