‘ଯେଉଁ ଶବ୍ଦ ହୃଦୟରୁ ବାହାରେ ତାହା ହୃଦୟରେ ପ୍ରବେଶ କରିଥାଏ’- ରୁମି
ଗତ ବର୍ଷ ମୁଁ ନିଜ ଘର ବୋଲି ମଣୁଥିବା ଭୂମିରେ ଶହେ ପଇଁଚାଳିଶ ଦିନ ପାଦରେ ଚାଲିଚାଲି ଯାତ୍ରା କରିଥିଲି। ସମୁଦ୍ର ତଟରୁ ମୁଁ ମୋ’ ଯାତ୍ରା ଆରମ୍ଭ କରିବା ପରେ ଖରା, ଧୂଳି ଓ ବର୍ଷା ଭିତରେ ଚାଲିବା ଅବ୍ୟାହତ ରଖିଥିଲି। ଜଙ୍ଗଲ, ସହର ଓ ପର୍ବତ ମଧ୍ୟ ଦେଇ ଯାତ୍ରା କରିବା ପରେ ଶେଷରେ ପ୍ରିୟ କାଶ୍ମୀରର ନରମ ତୁଷାର ଉପରେ ମୋ ପାଦ ପଡ଼ିଥିଲା।
ଏହି ଯାତ୍ରା ବେଳେ ଅନେକ ଲୋକ ପଚାରୁଥିଲେ: ତୁମେ କାହିଁକି ଏଭଳି ପଦଯାତ୍ରାଟିଏ କରୁଛ? ଆଜି ବି ସେମାନେ ପଚାରନ୍ତି ଯେ ତାହାର କାରଣ କ’ଣ ଥିଲା? ତୁମେ କ’ଣ ଖୋଜୁଥିଲ? କ’ଣ ପାଇଲ?
ମୁଁ ଯେଉଁସବୁ ଜିନିଷକୁ ଭଲ ପାଏ, ଯେଉଁ ସବୁ ପାଇଁ ମୁଁ ମୋର ସର୍ବସ୍ବ (ମୋ ଜୀବନ ମଧ୍ୟ) ବଳି ଦେବାକୁ ପ୍ରସ୍ତୁତ ଏବଂ ଯେଉଁଥି ପାଇଁ ବର୍ଷ ବର୍ଷ ଧରି କଷ୍ଟ ଓ ଗାଳିମନ୍ଦ ସହି ଆସୁଛି; ସେଗୁଡ଼ିକର ମର୍ମ ମୁଁ ଭଲ ଭାବେ ବୁଝିବାକୁ ଚାହୁଁଥିଲି।
ମୁଁ ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହୁଁଥିଲି ଯେ ମୁଁ ଭଲ ପାଉଥିବା ସାମଗ୍ରୀଟି ପ୍ରକୃତରେ କ’ଣ! ତାହା କ’ଣ ଏହି ମାଟି? ନା ପାହାଡ଼ପର୍ବତ? ନା ସମୁଦ୍ର? ନା କେହି ଜଣେ ବ୍ୟକ୍ତି ଅଥବା କୌଣସି ଆଦର୍ଶ ସମୂହ? ଏହା ଛଡ଼ା ଆଉ ଗୋଟିଏ କଥା ମଧ୍ୟ ମୁଁ ବୁଝିବାକୁ ଚାହୁଁଥିଲି। ମୁଁ କେଉଁ ପ୍ରକାର ହୃଦୟର ଅଧିକାରୀ ଯେ ତାହା ଏଭଳି ସାମଗ୍ରୀକୁ ନେଇ ଆପ୍ଳୁତ ହୋଇପାରିଲା?
ଅନେକ ବର୍ଷ ହେଲା ମୁଁ ପ୍ରତି ଦିନ ସନ୍ଧ୍ୟାରେ ଆଠରୁ ଦଶ କିଲୋମିଟର ଦୌଡୁଥିଲି। ତେଣୁ ମୁଁ ଭାବି ନେଇଥିଲି ଯେ ଦିନକୁ ପଚିଶ କିଲୋମିଟର ଚାଲିବା କେଉଁ ଅବା ବଡ଼ କଥା? ମୁଁ ସହଜରେ ତାହା କରିପାରିବି। ମୁଁ ନିଶ୍ଚିତ ଥିଲି ଯେ ‘ଭାରତ ଯୋଡ଼ୋ’ ଯାତ୍ରାରେ ଚାଲିବା କାମଟି ସହଜସାଧ୍ୟ।
ଯାତ୍ରାଟିର ପ୍ରାରମ୍ଭର କିଛି ଦିନ ପରେ ଗୋଡ଼ରେ କଷ୍ଟ ଆରମ୍ଭ ହୋଇଗଲା। ଆଣ୍ଠୁରେ ପୁରୁଣା ଆଘାତର ଯେଉଁ ଯନ୍ତ୍ରଣାକୁ ଘଣ୍ଟା ଘଣ୍ଟାର ‘ଫିଜିଓଥେରାପି’ ଦୂର କରି ଦେଇଥିଲା, ସେହି ଯନ୍ତ୍ରଣା ପୁଣି ଲେଉଟି ଆସିଲା। ଦିନେ ସକାଳେ ନିଦରୁ ଉଠିବା ପରେ ଏତେ କଷ୍ଟ ହେଲା ଯେ ଆଖିରୁ ଲୁହ ଝରି ଆସିଲା। ମୁଁ ଭାବିଲି ଆହୁରି ୩,୮୦୦ କିଲୋମିଟର ବାକି, ଚାଲିବି କେମିତି? ସେହି କ୍ଷଣି ମୋ ମନର ଅହଂକାର ଅପସରି ଗଲା।
ଆମେ ପ୍ରତିଦିନ ରାତି ପାହିବା ପୂର୍ବରୁ ଅନ୍ଧାରରେ ଚାଲିବା ଆରମ୍ଭ କରି ଦେଉଥିଲୁ। ଚାଲୁଚାଲୁ ଗୋଡ଼ରେ ତୀବ୍ର କଷ୍ଟ ଆରମ୍ଭ ହୋଇ ଯାଉଥିଲା। ସେହି କଷ୍ଟ ଏକ କ୍ଷୁଧାର୍ତ୍ତ ଗଧିଆ ପରି ମୋର ଅନୁଧାବନ କରୁଥିଲା; ସେ ହୁଏତ ଚାହୁଁଥିଲା ଯେ ମୁଁ ଅଟକି ଯାଏ, ଆଉ ସେ ମୋତେ ଶେଷ କରିଦେବ। କିଛି ଦିନ ଏପରି କଷ୍ଟରେ ଚାଲିବା ପରେ ମୋ’ ‘ଫିଜିଓଥେରାପିଷ୍ଟ୍’ ଆସିଲେ। ସେ ତାଙ୍କର ବିଜ୍ଞ ଉପଦେଶ ମଧ୍ୟ ଦେଲେ; କିନ୍ତୁ କଷ୍ଟ କମିଲା ନାହିଁ।
ସେହି ସମୟରେ ମୁଁ ଗୋଟିଏ କଥା ଅନୁଭବ କଲି। ତାହା ହେଲା, ଯେତେ ଥର ମୁଁ ଚାଲିବା ବନ୍ଦ କରିବା କଥା ଚିନ୍ତା କରୁଥିଲି ବା ହାର ମାନିଯିବା ନେଇ ଭାବୁଥିଲି, ଠିକ୍ ସେହି ସମୟରେ କେହି ନା କେହି ଆସି ମୋତେ ଚାଲିବାର ଶକ୍ତି ଉପହାର ଆକାରରେ ଦେଉଥିଲେ; କେତେବେଳେ ଏକ ଛୋଟ ଝିଅର ସୁନ୍ଦର ହାତଲେଖା ଚିଠି ତ ଆଉ କେତେବେଳେ ଜଣେ ବୃଦ୍ଧା ଦେଇଥିବା କଦଳୀ ଚିପ୍ସ ପ୍ୟାକେଟ୍। ସେହି ଜରିଆରେ ସେ ଶକ୍ତି ମୋ’ ପାଖକୁ ସଂଚରି ଆସୁଥିଲା। ମଝିରେ ମଝିରେ କେହି କେହି ଦୌଡ଼ି ଆସି ମୋତେ ଆଲିଙ୍ଗନ କରି ମୋ’ ମନୋବଳ ବଢ଼ାଇ ଦେଉଥିଲେ; ଏକ ନିରବ ଶକ୍ତି ଜାଗ୍ରତ ହୋଇ ଉଠୁଥିଲା। ଜଙ୍ଗଲର ଅନ୍ଧକାର ଭିତରେ ଜୁଳୁଜୁଳିଆ ପୋକମାନଙ୍କ ଆଲୁଅ ମାଳା ମୁଁ ଲୋଡୁଥିବା ବେଳେ ମୋତେ ବାଟ ଦେଖାଇବାକୁ ଲାଗିଥିଲା।
ଯାତ୍ରା ଆଗକୁ ବଢ଼ି ଚାଲିଲା। ପ୍ରଥମେ ମୁଁ ସଭିଙ୍କୁ ମୋର ବିଚାର ବିଷୟରେ କହିବାକୁ ଚାହୁଁଥିଲି। ମୁଁ ସେମାନଙ୍କୁ ଦେଖାଇବାକୁ ଚାହୁଁଥିଲି ଯେ ମୁଁ ସେମାନଙ୍କ ଅସୁବିଧା ବୁଝିପାରୁଛି। ସେମାନଙ୍କ ସମସ୍ୟାର ସମାଧାନ କିପରି ହେବ ସେ ବାବଦରେ ମୁଁ ସେମାନଙ୍କୁ କହୁଥିଲି। କିନ୍ତୁ ଦେଖୁ ଦେଖୁ ଲୋକଙ୍କ ସଂଖ୍ୟା ଏତେ ବଢ଼ିଗଲା, କଷ୍ଟ ଏତେ ଅସହ୍ୟ ହୋଇଗଲା ଯେ ମୁଁ କେବଳ ଦେଖିବା ଓ ଶୁଣିବାରେ ହିଁ ନିଜକୁ ସୀମିତ ରଖିଲି।
ଆମେ ଯେଉଁଠି ବି ଚାଲୁଥିଲୁ ସେଠାରେ କୋଳାହଳ ସୃଷ୍ଟି ହେଉଥିଲା। ସ୍ଲୋଗାନ୍ର ଡାକ, କ୍ୟାମେରାର ଶବ୍ଦ, ଲୋକଙ୍କ ଠେଲାପେଲା ମଧ୍ୟରେ କୋଳାହଳ ଅନବରତ ବିଦ୍ୟମାନ ରହୁଥିଲା। ଏମିତି ପ୍ରତି ଦିନ ଆଠରୁ ଦଶ ଘଣ୍ଟା ମୁଁ ଲୋକଙ୍କ କଥା ଶୁଣିବାକୁ ଚେଷ୍ଟା କରୁଥିଲି ଏବଂ ମୋ ଆଣ୍ଠୁର କଷ୍ଟରୁ ଧ୍ୟାନ ହଟାଇବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଥିଲି।
ଦିନେ, ସେହି କୋଳାହଳ ମଧ୍ୟରେ ମୁଁ ଏକ ବିରଳ ନିରବତା ଅନୁଭବ କଲି। ମୋ ହାତ ଧରି ଜଣେ ଲୋକ ମୋ’ ସହିତ କଥା ହେବା ବେଳେ ତାଙ୍କ ସ୍ବର ଛଡ଼ା ମୋତେ ଆଉ କିଛି ଶୁଭିଲା ନାହିଁ। ମୋ ପିଲା ବେଳୁ ମୋ ଅଭ୍ୟନ୍ତରରୁ ଯେଉଁ ସ୍ବର ମୋ’ ସହିତ କଥା ହୋଇ ଆସୁଥିଲା, ସତେ ଯେମିତି ତାହା ସେହି କ୍ଷଣି ଉଭେଇ ଯାଇଥିଲା। ଲାଗିଲା ସତେ ଯେମିତି ମୋ’ ଭିତରେ କିଛି ଗୋଟେ ମରିଗଲା।
ସେ ଜଣେ କୃଷକ ଥିଲେ ଏବଂ ତାଙ୍କ ଫସଲ ବାବଦରେ ସେ କହୁଥିଲେ। ସେ ଯେତେବେଳେ ପଚି ଶଢ଼ି ଯାଇଥିବା ତାଙ୍କ କପା ଫସଲ ମୋତେ ଦେଖାଉଥିଲେ, ସେତେବେଳକୁ ସେ କାନ୍ଦୁଥିଲେ। ସେ ଭୋଗିଥିବା ବର୍ଷ ବର୍ଷର କଷ୍ଟକୁ ମୁଁ ତାଙ୍କ ହାତରେ ଦେଖି ପାରୁଥିଲି। ନିଜ ପିଲାଙ୍କ ଭବିଷ୍ୟତ୍ ନେଇ ଯେଉଁ ଭୟ ତାଙ୍କୁ ଗ୍ରାସି ଯାଉଥିଲା, ତାହା ମୁଁ ସେଇ ଶଢ଼ା କପା ଫସଲରେ ଦେଖି ପାରୁଥିଲି। ଝାଉଁଳି ଯାଇଥିବା ତାଙ୍କ ଟାଆଁସା ମୁହଁରେ ସେ କାଟିଥିବା କ୍ଷୁଧାତୁର ରାତିଗୁଡ଼ିକ ମୁଁ ଦେଖିପାରୁଥିଲି। ନିଜ ପିତାଙ୍କ ମୃତ୍ୟୁକୁ ନିଜ ଆଖି ସମାନରେ ଦେଖୁଥିବା ବେଳେ କିଛି କରି ନ ପାରିବାର ଅସହାୟତା ବିଷୟରେ ସେ ମୋତେ କହିଥିଲେ। ପତ୍ନୀଙ୍କ ସମ୍ମୁଖରେ ଚରମ ନିଃସ୍ବତା ତାଙ୍କୁ କିପରି ଅପମାନିତ କରୁଥିଲା, ସେ କଥା ବି ସେ ମତେ କହିଥିଲେ। ଏ ଭଳି ସ୍ଥିତିରେ ତାଙ୍କୁ ଆଶ୍ବାସନା ଦେବା ଭଳି ମୋ’ ପାଖରେ କୌଣସି ଶବ୍ଦ ନ ଥିଲା; ଅଗତ୍ୟା ମୁଁ ଚାଲିବା ବନ୍ଦ କରି ତାଙ୍କୁ କୁଣ୍ଢାଇ ପକାଇଥିଲି।
ଏଭଳି ଘଟଣା ବାରମ୍ବାର ଘଟିବାକୁ ଲାଗିଥିଲା। କେତେବେଳେ ଶିଶୁମାନଙ୍କ ସହିତ ତ କେତେବେଳେ ମାଆମାନଙ୍କ ସହ ଓ କେତେବେଳେ ଛାତ୍ରଛାତ୍ରୀମାନଙ୍କ ସହିତ ଏଭଳି ଅନେକ ଅନୁଭୂତି ମିଳିଲା। ଦୋକାନୀ, ବଢ଼େଇ ଓ ଶ୍ରମିକମାନେ ମଧ୍ୟ ମୋ ଲାଗି ସେହିଭଳି କ୍ଷଣମାନ ସୃଷ୍ଟି କଲେ। ସୈନିକମାନଙ୍କ ସହିତ ମଧ୍ୟ ସେହିଭଳି ସମାନ ଅନୁଭୂତି ଲାଭ କଲି। ଏବେ ମୁଁ ପ୍ରାୟ ଭିଡ଼ର କୋଳାହଳକୁ ଶୁଣି ପାରୁ ନଥିଲି। ମୋ’ କାନରେ କହୁଥିବା ବ୍ୟକ୍ତିଙ୍କ କଥାରୁ ମୋର ଧ୍ୟାନ ହଟୁନଥିଲା। ମୋ’ ଭିତରେ ନିରନ୍ତର ଲାଗି ରହିଥିବା ଆଳାପ ଓ ବିଚାର କୁଆଡ଼େ ଚାଲିଗଲା! ଛାତ୍ରମାନେ କହୁଥିଲେ ଯେ ସେମାନେ ଅସଫଳ ହେବାକୁ ଡରୁଛନ୍ତି; ଏବଂ ମୁଁ ସେମାନଙ୍କୁ ଶୁଣୁଥିଲି। ଯେତେବେଳେ ଦିନେ ସକାଳେ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହେଉଥିବା ଦଳେ ଛୋଟ ପିଲା ମୋ’ ଆଗରେ ଶୀତରେ ଥରୁଥିବାର ମୁଁ ଦେଖିଲି, ସେତେବେଳେ ମୁଁ ସ୍ଥିର କଲି ଯେ ଆଉ କିଛି କରି ନ ପାରିଲା ପର୍ଯ୍ୟନ୍ତ ମୁଁ ମୋର ସେହି ଟି-ସାର୍ଟରେ ସେମିତି ଚାଲିବି।
ମୋ’ ଆଗରେ ଭଲ ପାଇବା ବା ସ୍ନେହଶ୍ରଦ୍ଧାର ପରିଭାଷାଟି ହଠାତ୍ ପ୍ରକଟିତ ହୋଇ ଉଠିଲା। ମୋର ପ୍ରିୟ ଭାରତମାତା କେବଳ ଏକ ଭୂମି ମାତ୍ର ନୁହେଁ; କିଛି ଧାରଣାର ତାଲିକା ନୁହେଁ; ଏହା କୌଣସି ନିର୍ଦ୍ଦିଷ୍ଟ ସଂସ୍କୃତି, ଇତିହାସ କି ଧର୍ମକୁ ନେଇ ନୁହେଁ; ଏହା କୌଣସି ଜାତିର ମଧ୍ୟ ନୁହେଁ। ଯେତେ ଦୁର୍ବଳ ବା ଶକ୍ତିଶାଳୀ ହୋଇଥାଆନ୍ତୁ ନା କାହିଁକି, ଏହା ପ୍ରତ୍ୟେକ ଭାରତୀୟଙ୍କର ଅଭିବ୍ୟକ୍ତିର ସ୍ବରୂପ। ଭାରତ ହେଉଛି ସେହି ଖୁସି, ସେହି ଭୟ ଓ ସେହି ଯନ୍ତ୍ରଣା, ଯାହା ପ୍ରତ୍ୟେକଙ୍କ ଅଭିବ୍ୟକ୍ତି ମଧ୍ୟରେ ଲୁଚି ରହିଛି।
ଭାରତକୁ ଶୁଣିବା ପାଇଁ ମୋ ନିଜ ଅଭିବ୍ୟକ୍ତି - ମୋ ଆକାଂକ୍ଷା - ମୋ ଅଭିଳାଷ ଇତ୍ୟାଦିକୁ ନିରବ ହୋଇଯିବାକୁ ପଡ଼ିଥିଲା। ମୁଁ ବୁଝି ପାରୁଥିଲି ଯେ ଯଦି କେବଳ ମୁଁ ସଂପୂର୍ଣ୍ଣ ନିରବ ଓ ବିନମ୍ର ହୋଇଯିବି, ତେବେ ଯାଇ ଭାରତ ମୋ’ ଠାରେ ତା’ର ଆପଣାର କାହାକୁ ପାଇବ ଓ କିଛି ହେଲେ କହିପାରିବ।
ସତରେ ଏହା କେତେ ସରଳ ଥିଲା, ତାହା ଜଣାପଡ଼ିଲା। ମୁଁ ଯାହା ନଦୀରେ ଖୋଜୁଥିଲି, ତାହା କେବଳ ସମୁଦ୍ରରେ ହିଁ ଉପଲବ୍ଧ ଥିଲା।
ଭାରତମାତା: ପ୍ରତି ଭାରତୀୟର ସ୍ବର
ରାହୁଳ ଗାନ୍ଧୀ, ଲୋକସଭା ସାଂସଦ