ମାତୃଭାଷା

ଗୌରହରି ଦାସ

କିଛିଦିନ ତଳେ ଭୁବନେଶ୍ବରର ଅଲ୍‌ଇଣ୍ତିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସେସ୍‌ କର୍ତ୍ତୃପକ୍ଷଙ୍କର ଏଠାକାର ଅଧିକା˚ଶ କାର୍ଯ୍ୟ ହିନ୍ଦୀରେ ହେବ ବୋଲି ଦେଇଥିବା ନିର୍ଦ୍ଦେଶକୁ ନେଇ ଭୁବନେଶ୍ବରରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମାତୃଭାଷାର ପ୍ରଶ୍ନ ସର୍ବଦା ଏକ ସ୍ପର୍ଶକାତର ପ୍ରସଙ୍ଗ, କାରଣ ମାତୃଭାଷାର ସ୍ଥାନ ସର୍ବଦା ସ୍ବତନ୍ତ୍ର।

ମାଆ ଆଗରେ ଯେମିତି ସବୁକଥା ସ୍ବଚ୍ଛନ୍ଦରେ କହିହୁଏ, ମାତୃଭାଷାରେ ସେମିତି ସବୁ ଅନୁଭବ ସ୍ବଚ୍ଛନ୍ଦରେ ପ୍ରକାଶ କରିହୁଏ। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ୍‌ ମାଣ୍ତେଲା ଥରେ କହିଲେ, ‘ତୁମେ ଯଦି ଜଣକୁ ସେ ବୁଝିପାରୁଥିବା କୌଣସି ଭାଷାରେ କିଛି କହିବ, ତାହାହେଲେ ସେକଥା ତା’ ମୁଣ୍ତରେ ପଶିବ, ମାତ୍ର ତୁମେ ଯଦି ତାକୁ ତା’ ମାତୃଭାଷାରେ କିଛି କହିବ ତାହାହେଲେ ତୁମର ସେ କଥା ସିଧାସଳଖ ତା’ ହୃଦୟ ପାଖରେ ଯାଇ ପହଞ୍ଚିବ।’ ମହାତ୍ମା ଗାନ୍ଧୀ ମାତୃଭାଷାର ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିଲେ। ସେ ଏକଥା ସୁଦ୍ଧା ଇ˚ରେଜୀ-ପଢୁଆ ଭାରତୀୟମାନଙ୍କୁ କହୁଥିଲେ ଯେ, ତୁମେମାନେ ଯଦି ମାତୃଭାଷା ପ୍ରତି ଅବହେଳା କରିଚାଲିବ, ତାହାହେଲେ ସମୟ ଆସିବ ଯେତେବେଳେ ଭାଷାଗତ ବିପର୍ଯ୍ୟୟ ମୁଣ୍ତ ଟେକିବ।

୧୯୯୯ ନଭେମ୍ବର ମାସ ୧୭ ତାରିଖରେ ୟୁନେସ୍କୋ ଘୋଷଣା ଅନୁସାରେ ପ୍ରତିବର୍ଷ ୨୧ ଫେବ୍ରୁଆରିକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ପାଳନ କରାଯାଇଆସୁଛି। କାରଣ ସେଇ ତାରିଖରେ ନିଜ ମାତୃଭାଷାର ସ୍ବୀକୃତି ଦାବି କରି ପୂର୍ବ ପାକିସ୍ତାନର ପାଞ୍ଚଜଣ ଛାତ୍ର ନିଜର ଜୀବନ ବଳି ଦେଇଥିଲେ। ୧୯୪୭ରେ ଭାରତ ବିଭାଜନ ପରେ ପାକିସ୍ତାନର ସୃଷ୍ଟି ହୋଇଥିଲା। ଏପଟେ ପଶ୍ଚିମ ପାକିସ୍ତାନ ଓ ସେପଟେ ପୂର୍ବ ପାକିସ୍ତାନ ଏଭଳି ଦୁଇ ଭାଗରେ ଗୋଟିଏ ଦେଶ ବିଭକ୍ତ ହୋଇଥିଲା। ପଶ୍ଚିମ ପାକିସ୍ତାନରେ ସରକାରୀ ଭାଷା ଉର୍ଦ୍ଦୁକୁ ଯେତେବେଳେ ପୂର୍ବ ପାକିସ୍ତାନ ଉପରେ ଲଦି ଦିଆଗଲା ସେତେବେଳେ ସେଠାକାର ଲୋକମାନେ ତାହାର ପ୍ରତିବାଦ କରିଥିଲେ। ଜଣକର ମୁହଁରୁ ତା’ ଭାଷାକୁ ଛଡ଼େଇନେବା ଅର୍ଥ ତା’ ଜିଭକୁ ଅବା କାଟିଦେବା! ପୂର୍ବ ପାକିସ୍ତାନର ଜନସାଧାରଣ ବା˚ଲାଭାଷୀ। ସେମାନେ ବଙ୍ଗଳା କହନ୍ତି। ତେଣୁ ସେମାନେ ଉର୍ଦ୍ଦୁ ସହ ବା˚ଲା ଭାଷାର ସରକାରୀ ମାନ୍ୟତା ଦାବି କରିଥିଲେ। ୧୯୪୮ ଫେବ୍ରୁଆରି ୨୩ ତାରିଖରେ ପ୍ରଥମେ ଏକଥା ଉଠେଇଥିଲେ ଧୀରେନ୍ଦ୍ରନାଥ ଦତ୍ତ। ମାତ୍ର ପାକିସ୍ତାନ ସରକାର ଏହି ଦାବି ପ୍ରତି ଆଦୌ ଧ୍ୟାନ ନ ଦେଇ ଦମନମୂଳକ ପନ୍ଥା ଗ୍ରହଣ କରିଥିଲେ। ମାତୃଭାଷାରେ କଥା କହିବାର ଅଧିକାର ସାବ୍ୟସ୍ତ ପାଇଁ ପୂର୍ବ ପାକିସ୍ତାନର ଲକ୍ଷ ଲକ୍ଷ ଛାତ୍ର, ଯୁବକ, ବୁଦ୍ଧିଜୀବୀ ସ୍ବର ଉତ୍ତୋଳନ କରିଥିଲେ। ସେହି କ୍ରମରେ ୧୯୫୨ ମସିହା ଫେବ୍ରୁଆରି ୨୧ ତାରିଖରେ ଢାକା ବିଶ୍ବବିଦ୍ୟାଳୟରେ ଆୟୋଜିତ ଛାତ୍ର ବିକ୍ଷୋଭରେ ଯୋଗ ଦେଇଥିଲେ ପାଞ୍ଚଜଣ ସ୍ବାଭିମାନୀ ଯୁବକ- ସଲାମ୍‌, ବରକତ୍‌, ରଫିକ୍‌, ଜବ୍ବାର ଏବ˚ ସଫିଉର। ନୃଶ˚ସ ପାକିସ୍ତାନୀ ପ୍ରଶାସନର ବନ୍ଧୁକ ଗୁଳିରେ ପାଞ୍ଚ ପାଞ୍ଚଜଣ ଛାତ୍ର ମରିଗଲେ। ସେମାନଙ୍କର ବଳିଦାନ ନିଷ୍ଫଳ ହେଲାନାହିଁ। ଏ ଘଟଣାର ଖବର ସାରା ପୃଥିବୀରେ ଖେଳିଗଲା, ଏହା ହିଁ ହେଲା ପଶ୍ଚିମ ପାକିସ୍ତାନରୁ ପୂର୍ବ ପାକିସ୍ତାନକୁ ମୁକ୍ତ କରିବାର ଅନ୍ୟତମ ମୁଖ୍ୟ କାରଣ। ଶେଷକୁ ୧୯୭୧ରେ ପୂର୍ବ ପାକିସ୍ତାନ ସ୍ବାଧୀନ ହେଲା ଏବ˚ ଏ ଦେଶର ନୂଆ ନାମ ହେଲା- ବା˚ଲାଦେଶ।

୧୯୯୯ ମସିହାରେ କାନାଡ଼ାରେ ରହୁଥିବା ବା˚ଲାଦେଶୀ ବୁଦ୍ଧିଜୀବୀ ରଫିକୁଲ ଇସ୍‌ଲାମ ଜାତିସ˚ଘର ସେକ୍ରେଟାରି ଜେନେରାଲ୍‌ କୋଫି ଆନନ୍‌ଙ୍କୁ ଏକ ପତ୍ର ଲେଖି, ପୃଥିବୀର ବିଭିନ୍ନ ଦେଶର ମାତୃଭାଷାଗୁଡ଼ିକୁ ଧ୍ବ˚ସମୁଖରୁ ବଞ୍ଚାଇବା ନିମନ୍ତେ ପଦକ୍ଷେପ ଦାବି କରିଥିଲେ। ତାଙ୍କର ପ୍ରସ୍ତାବ ଅନୁସାରେ ଜାତିସ˚ଘର ସା˚ସ୍କୃତିକ ଅନୁଷ୍ଠାନ ‘ୟୁନେସ୍କୋ’ ୨୧ ଫେବ୍ରୁଆରିକୁ ମାତୃଭାଷା ଦିବସ ଭାବେ ସାରା ପୃଥିବୀରେ ପାଳନ ଲାଗି ନିଷ୍ପତ୍ତି ନେଇଥିଲା।

ବହୁ ବିଖ୍ୟାତ ମନୋବିଜ୍ଞାନୀ କହିଛନ୍ତି, ଭାଷା ବିନା ଭୂମିର ଅର୍ଥ କିଛି ନାହିଁ। ସେଭଳି ଭୂମି ଭୌତିକ ଦୃଷ୍ଟିରୁ ଯେତେ ବିତ୍ତଶାଳୀ ହେଲେ ସୁଦ୍ଧା ବାସ୍ତବ ଦୃଷ୍ଟିରୁ ଦରିଦ୍ର। ଗୋଟିଏ ଭାଷା କେବଳମାତ୍ର ଭାଷା ନୁହେଁ କି ଶବ୍ଦ ସମୂହର ଅଭିଧାନ ନୁହେଁ। ଏହା ସହ ଗୋଟେ ସ୍ବତନ୍ତ୍ର ସ˚ସ୍କୃତି ଓତପ୍ରୋତ ଭାବେ ଜଡ଼ିତ- ଯାହା ଭିତରେ ଅଛି ପୁରାଣ, କିଂବଦନ୍ତି, ଲୋକସାହିତ୍ୟ, ସଙ୍ଗୀତ, ନୃତ୍ୟକଳା ଏବ˚ ଆହୁରି ଅନେକ କିଛି। ଗୋଟିଏ ଭାଷା ମରିଗଲେ ତା’ ସହ ଅନେକ କିଛି ମରିଯାଏ ଯାହା ଭିତରେ ଖାଲି ଗୀତଗପ ନୁହେଁ ଗଛ ଓ ଚଢ଼େଇ ପରି ବହୁକଥା ଅନ୍ତର୍ଭୁକ୍ତ। ଉଦାହରଣ ସ୍ବରୂପ ୧୯୯୬ରେ ଏହି ଲେଖକ ଆମେରିକାର ଏକ ସାହିତ୍ୟ ସଭାରେ ଭାଷଣ ଦେଲାବେଳେ ଓଡ଼ିଶାର ଉପକୂଳ ଜିଲ୍ଲାରେ ମିଳୁଥିବା ମୁଠିଶାଗ ସମ୍ବନ୍ଧରେ କହିଥିଲା। ଉପସ୍ଥିତ ଦି ତିନିଜଣ ପଚାରିଥିଲେ ଏଇ ମୁଠିଶାଗ କ’ଣ? ତାହା ଦେଖିବାକୁ କିପରି? ମୁଠିଶାଗକୁ କିଭଳି ସେଠାରେ ବୁଝାଇବ ଭାବି ଲେଖକ ବ୍ୟସ୍ତ ହୋଇପଡ଼ିଥିଲା। ଶେଷକୁ କହିଥିଲା- ତାହା ଏକପ୍ରକାର ଶାଗ ବା ଇ˚‌େରଜୀରେ ସ୍ପିନାଚ୍‌। ମାତ୍ର ସ୍ପିନାଚ୍‌ କି ଶାଗ କହିଲେ ତ ହଜାରେ ପ୍ରକାର ଶାଗ ସେଥିରେ ଅନ୍ତର୍ଭୁକ୍ତ। କଷାଳିଆ ଲାଗୁଥିବା, ଧାନକଟା ସରିଥିବା ଓଦାଳିଆ କ୍ଷେତରେ, ଶୀତୁଆ ମାଟି ଉପରେ କଅଁଳେଇ ଯାଉଥିବା ମୁଠିଶାଗ କଥା କିପରି ବୁଝାଯିବ? ଇଏ ମାତ୍ର ଗୋଟିଏ ଉଦାହରଣ। ଏମିତି ଫଳମୂଳ, ଗଛପତ୍ର, ଔଷଧ-ଚିକିତ୍ସାବିଧି, ସାହିତ୍ୟ, ସ˚ସ୍କୃତି ଅଜସ୍ର କଥା ଗୋଟେ ମାତୃଭାଷା ସାଙ୍ଗରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଏ। ଯେତେବେଳେ ସେହି ଭାଷା ଚାଲିଯିବ, ସେତେବେଳେ ତା’ ସହ ଅନେକ କିଛି ଚାଲିଯିବ, ହଜିଯିବ- ଯାହାର ଭରଣା ଅସମ୍ଭବ। ଅନ୍ୟପକ୍ଷରେ ମାତୃଭାଷାର ବିକାଶ ଅନନ୍ତ ସମ୍ଭାବନାର ଦିଗ୍‌ବଳୟ ଖୋଲିଦିଏ। ଏକଦା ଇ˚ରେଜମାନେ ଆମ ଦେଶକୁ ଶାସନ କରୁଥିଲେ ବୋଲି ଆଜି ବି ସ୍କୁଲ୍‌ କଲେଜରେ ତାଙ୍କ ଦେଶର ‘ସଲିଟାରି ରିପର‌୍‌’ ‘ଧାନକଟାଳି ଝିଅ’ର କବିତା ପଢ଼ାଯାଉଛି, ଯଦିଓ ସେ ଦେଶର ଧାନକଟା କବିତା ସହ ଆମ ଦେଶର ସେହି କାମର ପରିବେଶ ସମ୍ପୂର୍ଣ୍ଣ ଅଲଗା। ଵାର୍ଡସ୍‌ଵର୍ଥଙ୍କ ‘ସଲିଟାରି ରିପର‌୍‌’ କବିତା ପଢ଼ିବାବେଳେ ଯଦି କୌଣସି ଭାରତୀୟ ପିଲା ଭାବିବସିବ ଯେ ଧାନକଟା ଏକ ନିଃସଙ୍ଗ, ଏକୁଟିଆ କାମ ତାହାହେଲେ କ’ଣ ତାହା ଠିକ୍‌ ହେବ? କାରଣ ଆମ ଦେଶରେ ଧାନରୁଆ, ଧାନକଟା ଏସବୁ ସମଷ୍ଟିଗତ କାମ, ନିଃସଙ୍ଗ ନୁହେଁ। ଏହା ଅବଶ୍ୟ ଭିନ୍ନ ପ୍ରସଙ୍ଗ। ମାତ୍ର ଇ˚‌େରଜୀ ଭାଷା ଆଜି ବିଶ୍ବର ବିଭିନ୍ନ ଦେଶରେ ପ୍ରଚଳିତ ଥିବାର ମୂଳ କାରଣ ତାହା ଦୀର୍ଘ ବର୍ଷ ଧରି କ୍ଷମତାର ଭାଷା ହୋଇ ରହିଥିଲା। ତାହା ସାଙ୍ଗକୁ ସେ ଭାଷାର କ୍ଷମତା ମଧ୍ୟ ପ୍ରମାଣିତ।

ଏହି ପୃଷ୍ଠଭୂମିରେ ଆମକୁ ନିଜ ନିଜ ମାତୃଭାଷାର କ୍ଷମତା ପ୍ରମାଣିତ କରିବାକୁ ପଡ଼ିବ। ସେହି ଭାଷା ଯେ ଜ୍ଞାନବିଜ୍ଞାନ, ଆବେଗ ଓ ଭାବପ୍ରବଣତା, ପ୍ରାଚୀନ ଓ ଆଧୁନିକ ସବୁ ବିଭାଗ, ସବୁ ଭାବ ଓ ସବୁ ସମୟର କଥାକୁ ପ୍ରକାଶ କରିବାକୁ ସମର୍ଥ, ସେ ଦକ୍ଷତା ପ୍ରମାଣିତ କରିବାକୁ ପଡ଼ିବ।

ମାତୃଭାଷା ଆମର ପ୍ରଥମ ପରିଚୟ। କୌଣସି ଦେଶ କି ରାଜ୍ୟ ଯେତେବେଳେ ସ୍ବତନ୍ତ୍ର ହେବା ନିମନ୍ତେ ଦାବି ଉତ୍‌ଥାପନ କରନ୍ତି, ସେତେବେଳେ ପ୍ରଥମ ପ୍ରଶ୍ନ ଉଠେ ସେହି ରାଜ୍ୟର ମାତୃଭାଷା କ’ଣ ହେବ? ୧୯୩୬ ମସିହାରେ ଓଡ଼ିଆ ଭାଷାର ଆଧାରରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା। ଫ୍ରାନ୍‌ସ ତାହାର ଫରାସୀ ଭାଷାକୁ ନେଇ ଗର୍ବ କରେ, ଇ˚ଲଣ୍ତର ପାଖାପାଖି ହୋଇଥିଲେ ସୁଦ୍ଧା ଫ୍ରାନ୍‌ସର ଜନସାଧାରଣ ଇ˚‌େରଜୀ କହନ୍ତି ନାହିଁ, ଫରାସୀରେ ସବୁକଥା କହନ୍ତି। ବା˚ଲାଦେଶ କଥା ତ କୁହାସରିଛି। ବା˚ଲାବାସୀ କୁହେ ପଦ୍ମାନଦୀର ଇଲିଶି ମାଛକୁ ପଛେ ଛାଡ଼ିଦେବ, ବା˚ଲା ମାତୃଭାଷାକୁ ନୁହେଁ। ସେଇ ଭାଷାଟି ଥିଲା ବୋଲି ଆମେ ଦେଶଟିଏ ପାଇଲୁ। ଓଡ଼ିଶାର ବହୁ କବି ଓ ଲେଖକ ମାତୃଭାଷାର ବନ୍ଦନା ଗାଇଯାଇଛନ୍ତି ଏବ˚ ମାତୃଭାଷାକୁ ଆଦର କରୁ ନ ଥିବା ବ୍ୟକ୍ତି ଜ୍ଞାନୀଗଣରେ ଗଣା ହେବାକୁ ଅଯୋଗ୍ୟ ବୋଲି ସୁଦ୍ଧା ସେମାନେ ମତ ଦେଇଛନ୍ତି।

ମାତୃଭାଷା ପରମ୍ପରାର ପୋଥି, ବର୍ତ୍ତମାନର ସମ୍ବାଦପତ୍ର ଏବ˚ ଭବିଷ୍ୟତର ଇସ୍ତାହାର। ଏହା ଅନନ୍ତ ଆଶାର ଉଷା ଏବ˚ ସହସ୍ର ସମ୍ଭାବନାର ସୂର୍ଯ୍ୟାଲୋକ।

[email protected]

ସମ୍ବନ୍ଧିତ ଖବର