ପ୍ରାୟ ଚାରି ଦଶନ୍ଧି ତଳେ ଆଧୁନିକ ଇତିହାସ ଅଧ୍ୟୟନ ପରିପ୍ରେକ୍ଷୀରେ ଓଡ଼ିଆ ଅସ୍ମିତା ଆନ୍ଦୋଳନକୁ ନେଇ ଆଗ୍ରହ ବଢ଼ିଲା। ସେତେବେଳେ ପ୍ରସଙ୍ଗଟିକୁ ନେଇ ଯେଉଁ ବୌଦ୍ଧିକ ବିଚାର ଥିଲା, ତା’ ଅନୁଯାୟୀ ଓଡ଼ିଆ ଜାତୀୟତା ଭାରତୀୟ ଜାତୀୟତାଠାରୁ ଭିନ୍ନ ବୋଲି ଧରା ହେବା ସହିତ ଉଭୟ ପରସ୍ପରର ପରିପନ୍ଥୀ ବୋଲି ମଧ୍ୟ ବିଚାର କରାଯାଉଥିଲା। ଅର୍ଥାତ୍ ଓଡ଼ିଆ ଅସ୍ମିତା ଓଡ଼ିଶାର ଆଞ୍ଚଳିକ ଉନ୍ନତି କଳ୍ପେ ଉଦ୍ଦିଷ୍ଟ ଏବଂ ଭାରତୀୟ ଜାତୀୟତା ରାଷ୍ଟ୍ରର ସ୍ବାର୍ଥ ରକ୍ଷା ପାଇଁ ଅଭିପ୍ରେତ। ସେହି ଅନୁସାରେ ରାଷ୍ଟ୍ରୀୟ ମହାସ୍ରୋତରେ ଆଞ୍ଚଳିକତା ଉପେକ୍ଷିତ ହେବା ସ୍ବାଭାବିକ ଥିଲା! ସେହି କାରଣରୁ ୧୮୮୫ ମସିହାରେ ଜାତୀୟ କଂଗ୍ରେସର ସ୍ଥାପନା ସତ୍ତ୍ବେ ଦୀର୍ଘ ୩୫ ବର୍ଷ କାଳ (୧୯୨୦ ମସିହା ପର୍ଯ୍ୟନ୍ତ) ଓଡ଼ିଶାରେ କଂଗ୍ରେସର ପ୍ରାଦେଶିକ ଶାଖା ଖୋଲି ପାରି ନଥିଲା! ଜାତୀୟ କଂଗ୍ରେସ ଭାଷାଭିତ୍ତିକ ପ୍ରଦେଶ ଗଠନ ଦାବିକୁ ଗ୍ରହଣ କରି ନ ଥିଲା ବୋଲି ୧୯୦୩ରେ ପ୍ରତିବାଦ ସ୍ବରୂପ କଟକ ଠାରେ ‘ଉତ୍କଳ ସମ୍ମିଳନୀ’ର ସ୍ଥାପନା କରାଯାଇଥିଲା! ସେତେବେଳେ କୁହାଯାଉଥିଲା ଯେ ଓଡ଼ିଶାର ତତ୍କାଳୀନ ଶୀର୍ଷ ନେତା ମଧୁସୂଦନ ଦାସ ଓଡ଼ିଶାକୁ ଜାତୀୟ କଂଗ୍ରେସଠାରୁ ଦୂରରେ ରଖିବାକୁ ଚାହୁଁଥିବାରୁ ଓଡ଼ିଶା ମାଟିରେ ମହାଭାରତୀୟ ଜାତୀୟତାର ସ୍ବର ଉଧେଇ ପାରୁ ନ ଥିଲା! କିନ୍ତୁ ଏ ସବୁ କଥା ନିର୍ଦ୍ଦିଷ୍ଟ କାଳ ଏବଂ ସ୍ଥାନର ଆଲୋକରେ ଆଲୋଚିତ ହେଉ ନ ଥିଲା। ଫଳରେ, ସତ୍ୟ ଓ ଅସତ୍ୟ ମଧ୍ୟରେ ବିଦ୍ୟମାନ ଅନେକ ଦିଗ (ଯେମିତି କଳା ଓ ଧଳା ମଧ୍ୟରେ ରହିଥିବା ବହୁବିଧ ରଙ୍ଗ) ପାଠକର ନଜରକୁ ଆସିପାରୁ ନ ଥିଲା।
ମାତ୍ର, ଆଧୁନିକ ଓଡ଼ିଶା ଇତିହାସର ଜଣେ ଛାତ୍ର ଭାବରେ ସମୟ କ୍ରେମ ଅବଗତ ହେଲି ଯେ ଓଡ଼ିଆ ଅସ୍ମିତା ଏବଂ ଭାରତୀୟ ଜାତୀୟତା ପରସ୍ପରର ପରିପୂରକ ବୋଲି ପ୍ରାୟ ଶହେ ବର୍ଷ ତଳେ ଅର୍ଥାତ୍ ୧୯୨୫ ମସିହାରେ ଗୋପବନ୍ଧୁ ଦାସ ଖୁବ୍ ସରଳ ଏବଂ ସ୍ପଷ୍ଟ ଶବ୍ଦରେ ଉଲ୍ଲେଖ କରିସାରିଥିଲେ। ପୁରୀ ଜିଲ୍ଲାର ବୋଲଗଡ଼ଠାରେ ଏକ ବକ୍ତବ୍ୟରେ ସେ କହିଥିଲେ, ‘ଉତ୍କଳ ଭାରତର ଅଙ୍ଗ। ଭାରତର ଉତ୍ଥାନ ପତନରେ ଏହାର ଉନ୍ନତି ଓ ଅଧୋଗତି। ଅବଶ୍ୟ ପ୍ରତ୍ୟେକ ପ୍ରଦେଶର ସ୍ବାତନ୍ତ୍ର୍ୟ ଅଛି, ସ୍ବତନ୍ତ୍ର ଅଭାବ ଅଭିଯୋଗ ଅଛି। ସେ ସ୍ବାତନ୍ତ୍ର୍ୟର ବିକାଶ ଓ ସେ ସବୁ ଅଭିଯୋଗର ସମାଧାନ ହେବା ଆବଶ୍ୟକ। ତାହା ଭାରତୀୟ ଉନ୍ନତିର ପ୍ରତିଦ୍ବନ୍ଦ୍ବୀ ନୁହେଁ, ଅନୁକୂଳ। ଭାରତୀୟ ସମସ୍ୟାର ସମାଧାନ ଏବଂ ଭାରତର ମହାଜାତୀୟ ଆକାଂକ୍ଷା ପୂରଣରେ ପ୍ରାଦେଶିକ ଉନ୍ନତି ଓ ବିକାଶ ସହାୟ।’ ଗୋପବନ୍ଧୁ ଦାସଙ୍କ ଢେର ପୂର୍ବରୁ ‘ଉତ୍କଳ ସମ୍ମିଳନୀ’ର ମୁଖ୍ୟ ଉଦ୍ୟୋକ୍ତା ମଧୁସୂଦନ ଦାସ ମଧ୍ୟ ଲେଖିଥିଲେ:
‘ଏ ଭାରତ ଭୂମି ଆମ୍ଭର ଜନନୀ, ପୁଣ୍ୟଭୂମି ନାହିଁ ସରି ଏହାର
ଅମୂଲ୍ୟ ଦୁର୍ଲଭ ରତନର ଖଣି, ସବୁ ଦେଶ ମଧ୍ୟ ଏ ଦେଶ ସାର।’
୧୮୮୬ ଏବଂ ୧୯୧୨ ମସିହା ମଧ୍ୟରେ ମଧୁସୂଦନ ଦାସ ଅନ୍ତତଃ ୧୭ଥର ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିଲେ। କଂଗ୍ରେସର ମହାଭାରତୀୟ ମନ୍ତ୍ରକୁ ଓଡ଼ିଶା ସ୍ତରରେ ପ୍ରସାରିତ କରିବାରେ ମଧୁବାବୁ ଏବଂ ଗୌରୀଶଙ୍କର ରାୟ ଆଦ୍ୟ କାଳରେ ଯେତେ କାମ କରିଥିଲେ, ତାହା ଅତୁଳନୀୟ। ସୁତରାଂ, ମଧୁବାବୁ ଭାରତୀୟ ଜାତୀୟତାର ପରିପନ୍ଥୀ ବୋଲି ଧାରଣା ଆଦୌ ତଥ୍ୟପୂରକ ନୁହେଁ।
ଓଡ଼ିଆ ଅସ୍ମିତାର ଆନ୍ଦୋଳନ ଏବଂ ଭାରତୀୟ ଜାତୀୟତାର ଉନ୍ମେଷ ସମକାଳୀନ, ଅର୍ଥାତ୍ ଊନବିଂଶ ଶତାବ୍ଦୀର ଉତ୍ତରାର୍ଧ। ଉଭୟ ବିଚାର ବିବର୍ତ୍ତନ ପ୍ରକ୍ରିୟା ଦେଇ ଗତି କରି ସମୟ କ୍ରମେ ନିର୍ଦ୍ଦିଷ୍ଟ ରୂପ ନେବାକୁ ଯତ୍ନ କରୁଥିଲା। ସେହି ଶୈଶବରେ ଜାତୀୟ କଂଗ୍ରେସରେ ବଙ୍ଗୀୟ ନେତୃତ୍ବର କର୍ତ୍ତୃତ୍ବ ରହିଥିଲା, ଯାହା ଓଡ଼ିଶାର ଭାଷା ଆନ୍ଦୋଳନ ଦୃଷ୍ଟିରୁ ଗ୍ରହଣୀୟ ନ ଥିଲା। ସେତେବେଳେ ଏକ ଆଶଙ୍କା ମଧ୍ୟ ରହିଥିଲା ଯେ ଜାତୀୟ କଂଗ୍ରେସର ମଞ୍ଚରେ ଯଦି ଆଞ୍ଚଳିକ ସମସ୍ୟାର ଆଲୋଚନା କରାଯାଏ, ତେବେ ହୁଏତ ବିଭିନ୍ନ ଅଞ୍ଚଳ ମଧ୍ୟରେ ବିବାଦ ଉପୁଜିବ। ଉଦାହରଣ ସ୍ବରୂପ, ସମସ୍ତ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରର ଏକତ୍ରୀକରଣ ଦ୍ବାରା ଓଡ଼ିଶା କ୍ଷେତ୍ର ବଙ୍ଗ ପ୍ରେସିଡେନ୍ସିର ଏବଂ ଗଞ୍ଜାମ ଅଞ୍ଚଳ ମାଡ୍ରାସ୍ ପ୍ରେସିଡେନ୍ସିର ହାତଛଡ଼ା ହେବ, ଯାହା ସେଠାକାର ଜାତୀୟ ନେତୃବର୍ଗଙ୍କର ପସନ୍ଦ ନ ଥିଲା। ଏହି କାରଣରୁ, ଆଞ୍ଚଳିକ ପ୍ରସଙ୍ଗରେ ଚର୍ଚ୍ଚା ନିମନ୍ତେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଭଳି ଏକ ସ୍ବତନ୍ତ୍ର ମଞ୍ଚ ଗଠନକୁ ଜାତୀୟ କଂଗ୍ରେସ ମଧ୍ୟ ବିରୋଧ କରି ନ ଥିଲା। ‘ଉତ୍କଳ ସମ୍ମିଳନୀ’ର ପ୍ରତିଷ୍ଠା ପରେ ସୁଦ୍ଧା ଓଡ଼ିଶାର ସଭ୍ୟମାନେ ଉଭୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ଏବଂ ‘ଉତ୍କଳ ସମ୍ମିଳନୀ’ର ବିଭିନ୍ନ କାର୍ଯ୍ୟକ୍ରମରେ ସମଭାବରେ ସଂପୃକ୍ତ ରହୁଥିଲେ। ଏହା ଜାତୀୟ କଂଗ୍ରେସ ଏବଂ ଓଡ଼ିଆ ଆନ୍ଦୋଳନ ମଧ୍ୟରେ ଥିବା ପରିପୂରକତାକୁ ସ୍ପଷ୍ଟ କରୁଥିଲା।
ବିଂଶ ଶତାବ୍ଦୀର ପ୍ରଥମ ଦଶକ ଉତ୍ତାରୁ ଭାରତୀୟ ରାଜନୀତିରେ ଦ୍ରୁତ ପରିବର୍ତ୍ତନ ଅନୁଭୂତ ହେଲା। ପ୍ରଥମ ବିଶ୍ବଯୁଦ୍ଧ (୧୯୧୪-୧୮), ମହାତ୍ମା ଗାନ୍ଧୀଙ୍କ ଭାରତୀୟ ରାଜନୀତିରେ ପ୍ରବେଶ (୧୯୧୫), ରୁଷରେ ଏକଛତ୍ରବାଦୀ ଜାର୍ ସାମ୍ରାଜ୍ୟର ପତନ (୧୯୧୯) ଏବଂ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ (୧୯୧୯) ଆଦି ଘଟଣା ଭାରତୀୟ ଜାତୀୟତା ଆନ୍ଦୋଳନକୁ ପ୍ରଭାବିତ କଲା। ଫଳରେ, ଜାତୀୟ କଂଗ୍ରେସରେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ତ୍ତୃତ୍ବ ବଦଳରେ ସର୍ବଭାରତୀୟ ନେତୃତ୍ବକୁ ବଳ ମିଳିଲା। ୧୯୨୦ରେ ଜାତୀୟ କଂଗ୍ରେସ ଭାଷାଭିତ୍ତିରେ ପ୍ରାଦେଶିକ ଶାଖା ଗଠନକୁ ସ୍ବାଗତ କଲା। ଏହାର ଅର୍ଥ ହେଲା ଭାଷାଭିତ୍ତିକ ଓଡ଼ିଶା ଗଠନକୁ କଂଗ୍ରେସର ପୂର୍ଣ୍ଣ ସ୍ବୀକୃତି ଏବଂ ସମର୍ଥନ ମିଳିଲା। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିର ମହାସ୍ରୋତରୁ କ’ଣ ଓଡ଼ିଶାକୁ ବିଚ୍ଛେଦ କରାଯାଇ ପାରନ୍ତା? ବ୍ୟକ୍ତିଗତ ଭାବରେ ମଧୁବାବୁ ତଥାପି ଭାବୁଥିଲେ ଯେ ସରକାରର ସହଯୋଗରେ ଅଞ୍ଚଳ ଏବଂ ରାଷ୍ଟ୍ରର ଉନ୍ନତି ସମ୍ଭବ। ସେଥିପାଇଁ ସେ ଅସହଯୋଗ ଆନ୍ଦୋଳନ ସମୟରେ ତାହା ବିରୋଧରେ ଯାଇ ବିହାର-ଓଡ଼ିଶା ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ତେଣୁ, ତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଓଡ଼ିଶା ଜାତୀୟତାର ମହାସ୍ରୋତରେ ସାମିଲ ହେଲା। ଏହା ସତ୍ତ୍ବେ, ମଧୁବାବୁଙ୍କ ଜାତୀୟତାକୁ ନେଇ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଗୋପବନ୍ଧୁ ଦାସଙ୍କ ପର୍ଯ୍ୟନ୍ତ କାହାରି ମନରେ କୌଣସି ସନ୍ଦେହ ନ ଥିଲା, ଯେମିତି ଉତ୍କଳୀୟ ଅସ୍ମିତା ଏବଂ ମହାଭାରତୀୟ ଜାତୀୟତା ମଧ୍ୟରେ ନିହିତ ଅନୁରୂପକତାକୁ ନେଇ ତତ୍କାଳୀନ ନେତୃବର୍ଗଙ୍କ ମନରେ କୌଣସି ସଂଶୟ ନ ଥିଲା!
[email protected]
ସାମାନ୍ୟ କଥନ: ମହାଜାତୀୟତା ଓ ଆଞ୍ଚଳିକ ଅସ୍ମିତା
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2024/04/sfhfshsfhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)