ଭାରତରେ ବାସ କରୁଥିବା ମୁସଲମାନମାନଙ୍କ ପୂର୍ବଜମାନଙ୍କ ଭାରତର ସ୍ବାଧୀନତା ସଂଗ୍ରାମରେ ଭୂମିକା ‌ନେଇ ଅନେକ ଲୋକ ଏବେ ପ୍ରଶ୍ନ ଉଠାଇଥାଆନ୍ତି, ଯଦିଓ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିବା ଅହିଂସ ଅାନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଅନେକ ମୁସଲମାନ ସଂଗ୍ରାମୀଙ୍କ କଥା ବେଶ୍ ଜଣାଶୁଣା। ଏବେ ଦେଖିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଗଢ଼ା ‘ଅାଜାଦ ହିନ୍ଦ୍ ଫୌଜ’ରେ ମୁସଲମାନମାନଙ୍କ ଭୂମିକା କିଭଳି ଥିଲା!
ଏଭଳି ସଂଗ୍ରାମୀଙ୍କ ମଧ୍ୟରେ ଜଣେ ପ୍ରମୁଖ ହେଲେ ‘ଜୟ ହିନ୍ଦ୍’ ସ୍ଲୋଗାନ୍‌ର ରଚୟିତା ଅାବିଦ ହାସନ୍ ସଫରାନୀ। ସେ ଜର୍ମାନୀର ରାଜଧାନୀ ବର୍ଲିନ ସହରକୁ ଇଞ୍ଜିନିୟରିଂ ପଢ଼ିବା ପାଇଁ ଯାଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଅାରମ୍ଭ ହୋଇଗଲା। ସୁଭାଷ ଚନ୍ଦ୍ର ବୋଷ ହିଟଲରଙ୍କ ଠାରୁ ସାହାଯ୍ୟ ଲୋଡ଼ି ପହଞ୍ଚିଲେ ଜର୍ମାନୀରେ। ଅବିଦ ନେତାଜୀଙ୍କ ସଂସ୍ପର୍ଶରେ ଅାସି ଶୀଘ୍ର ଉଦ୍‌ବୁଦ୍ଧ ହୋଇଗଲେ।
ସେ ନେତାଜୀଙ୍କ ସହିତ ଜର୍ମାନୀରୁ ଜାପାନକୁ ବୁଡ଼ାଜାହାଜରେ ଗଲେ। ସେ ହୋଇଗଲେ ‘ଅାଜାଦ ହିନ୍ଦ୍ ଫୌଜ’ର ସାମରିକ ପରାମର୍ଶଦାତା। ପ୍ରକାଶ ଥାଉ କି ବର୍ମା (ଏବର ମ୍ୟାନ୍‌ମାର) ଯୁଦ୍ଧରେ ସେ ଫୌଜର ସେନାପତି ହୋଇଥିଲେ।
ସେମିତି ଅାଉ ଜଣେ ହେଲେ ହବିବୁର ରହମନ। ଜେନେରାଲ ମୋହନ ସିଂହଙ୍କ ସହିତ ସେ ଥିଲେ ‘ଅାଜାଦ ହିନ୍ଦ ଫୌଜ’ର ମୂଳ ସ୍ଥପତିଙ୍କ ଭିତରେ ଅନ୍ୟତମ। ଆଜାଦ ହିନ୍ଦ ବାହିନୀ ଗଢ଼ା ହେବା ପରେ ସେ ସୈନିକମାନଙ୍କର ତାଲିମ ଶିବିରର ମୁଖ୍ୟ ହୋଇଥିଲେ। ନେତାଜୀଙ୍କର ଅନ୍ତିମ ବିମାନ ଯାତ୍ରାରେ ସେ ଥିଲେ ସହଯାତ୍ରୀ।
ସେମିତି ଫୌଜର ମୂଳ ବିନ୍ଧାଣିମାନଙ୍କ ମଧ୍ୟରେ ଥିଲେ ଜେନେରାଲ ମହମ୍ମଦ ଜମାନ ଖାଁ କୟାନି। ସେ ପ୍ରଥମ ସେନା ବଳ ଡିଭିଜନର ଦାୟିତ୍ୱରେ ମଧ୍ୟ ରହିଥିଲେ। ଆଜାଦ ହିନ୍ଦ ଫୌଜରେ କେତେକ ରେଜିମେଣ୍ଟକୁ ଗାନ୍ଧୀ ବା ନେହରୁ ବା ଆଜାଦଙ୍କ ନାମାନୁସାରେ କରାଯାଇଥିଲା। ଜେନେରାଲ କୟାନିଙ୍କ ନେତୃତ୍ବରେ ଗାନ୍ଧୀ, ନେହେରୁ ଏବଂ ଅାଜାଦ ରେଜିମେଣ୍ଟ କାର୍ଯ୍ୟ କରୁଥିଲା। ନେତାଜୀ ସିଙ୍ଗାପୁର ଅଭିମୁ‌େଖ ପ୍ରସ୍ଥାନ କରିବା ପୂର୍ବରୁ କୟାନିଙ୍କୁ ସୈନ୍ୟ ଦଳର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରିଥି‌ଲେ।
କର୍ନେଲ ଇନାୟାତୁଲା ହାସନ ଥିଲେ ‘ଅାଜାଦ ହିନ୍ଦ ଫୌଜ’ର ବେତାର ବିଭାଗର ମୁଖ୍ୟ। ତାଙ୍କ ପରିଚାଳନାରେ ଅନେକ ଦେଶପ୍ରେମ ଓ ବଳିଦାନ କାହାଣୀ ସମ୍ବଳିତ ନାଟକମାନ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଥିଲା। କେବଳ ସେତିକି ନୁହେଁ, ଯୁଦ୍ଧ ଲାଗି ତାଲିମ ପାଇ ନ ଥିବା ସାଧାରଣ ମହିଳା ଓ କିଶୋରମାନଙ୍କୁ ଅସ୍ତ୍ର ଚାଳନା ପ୍ରଶିକ୍ଷଣର ଦାୟିତ୍ବ ସେ ନେଇଥିଲେ।
ଭାରତର ଉତ୍ତର ପୂର୍ବୀୟ ସୀମାନ୍ତରେ ବ୍ରିଟିସ ସେନା ସହିତ ଆଜାଦ ହିନ୍ଦ ଫୌଜ ସାମନାସାମନି ହୋଇଥିଲା। ସେତିକି ବେଳେ ଫୌଜର ସେନାପତି ଥିଲେ ମେଜର ଜେନେରାଲ ସହନୱାଜ। ତାଙ୍କର ଦକ୍ଷତା ଉପରେ ନେତାଜୀଙ୍କ ଗଭୀର ଆସ୍ଥା ଥିଲା। ଯୁଦ୍ଧ ବେଳେ ସେ ଗିରଫ ହେଲେ। ତାଙ୍କୁ ମୃତ୍ୟୁ ଦଣ୍ଡ ଦେବା ଲାଗି ବ୍ରିଟିସ ସରକାର ଚାହୁଁଥିଲେ। କିନ୍ତୁ ଏହା ବିରୋଧରେ ଜନମତ ପ୍ରବଳ ହେଲା। ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଲେ। ‘ଲାଲକିଲ୍ଲା ସେ ଅାୟେ ଆୱାଜ, ଧିଲୋଁ, ସେହେଗଲ ସହନୱାଜ’ ଧ୍ବନ‌ିରେ ଦିଲ୍ଲୀ ପ୍ରକଂପିତ ହେଲା। ତେଣୁ ତାଙ୍କୁ ଜେଲରୁ ମୁକ୍ତ କରାଗଲା। ପରେ ସେ ଗାନ୍ଧୀଜୀଙ୍କ ଅହିଂସ ଅାନ୍ଦୋଳନରେ ଯୋଗ ଦେଇଥିଲେ। କୁହାଯାଏ ଯେ ଏଭଳି କରିବାକୁ ତାଙ୍କୁ ସ୍ବୟଂ ସୁଭାଷ ଚନ୍ଦ୍ର ବୋଷ ନିର୍ଦ୍ଦେଶ ଦେଇଥିଲେ।
୧୯୪୪ ମସିହା ଏପ୍ରିଲ ୧୪ ତାରିଖ ଦିନ ବ୍ରିଟିସ ମୁକ୍ତ ଭୂଖଣ୍ଡ ମଣିପୁରର ମୋଇରାଂଗ ଠାରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ିଲା। ପତାକା ଉତ୍ତୋଳନକାରୀ ଥିଲେ କର୍ନେଲ ସୌକତ ଅଲ୍ଲୀ ମଲ୍ଲିକ। ନେତାଜୀଙ୍କ ଦ୍ବାରା ତାଙ୍କୁ ଅାଜାଦ ହିନ୍ଦ୍ ଫୌଜର ସର୍ବଶ୍ରେଷ୍ଠ ସମ୍ମାନ ଦ୍ବାରା ଭୂଷିତ କରାଯାଇଥିଲା। ପ୍ରଥମେ ବର୍ମା ଓ ପରେ ମଣିପୁରରେ ବ୍ରିଟିସ ମୁକ୍ତ ଅଞ୍ଚଳରେ ଆଜାଦ ହିନ୍ଦ ସରକାର ଗଠିତ ହୋଇଥିଲା। ସେତିକି ବେଳେ କର୍ନେଲ ମେହେମୁଦ ଅହମ୍ମଦ ଥିଲେ ଅାଜାଦ ହିନ୍ଦ୍ ସରକାର ଏବଂ ଅାଜାଦ ହିନ୍ଦ୍ ଫୌଜ ମଧ୍ୟରେ ଯୋଗସୂତ୍ର ଅଧିକାରୀ।
ଜର୍ମାନୀରୁ ନେତାଜୀ ଯାଇ ଜାପାନରେ ପହଞ୍ଚିଲେ। ସେତିକି ବେଳେ ଅାଜାଦ ହିନ୍ଦ ଫୌଜର ପରାମର୍ଶଦାତା ଭାବରେ କାର୍ଯ୍ୟ କଲେ ସା‌ମ୍ବାଦିକ କରିମ ଘନୀ। ତାଙ୍କ ସହିତ ଡି. ଏମ. ଖାଁ ମଧ୍ୟ ଯୋଗ ଦେ‌ଲେ। ନେତାଜୀଙ୍କ ଓଜସ୍ବିନୀ ଭାଷଣ ଦ୍ବାରା ଅନୁପ୍ରାଣିତ ହୋଇ ରେଙ୍ଗୁନ ନିବାସୀ ଗୁଜୁରାଟୀ ବ୍ୟବସାୟୀ ଅବଦୁଲ ହବିବ ୟୁସୁଫ ମରଫାନୀ ୧୯୪୪ ଜୁଲାଇ ୯ ତାରିଖରେ ତାଙ୍କର ସଂପତ୍ତି ଅାଜାଦ ହିନ୍ଦ୍ ଫୌଜକୁ ଦାନ କରି ଦେଇଥିଲେ ଏବଂ ଅାଜାଦ ହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ।
ଅନେକ ମୁସଲମାନ ଯୁବକ ସେତେବେଳେ ଆଜାଦ ହିନ୍ଦ ଫୌଜରେ ମିଶିବା ସହିତ ଯୁଦ୍ଧ ଭୂମିରେ ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ଯେଉଁ କାରଣରୁ ସେମାନଙ୍କୁ ଫୌଜର ବିଭିନ୍ନ ସମ୍ମାନରେ ଭୂଷିତ କରାଯାଇଥିଲା। ଉପରେ ଦିଆଯାଇଥିବା କତିପୟ ନାମ ଥିଲେ ସେମାନଙ୍କ ଭିତରେ ପ୍ରମୁଖ। ତେବେ, ସ୍ବାଧୀନତା ସଂଗ୍ରାମରେ ଅବଦାନ ହେତୁ ଏମାନେ ସମସ୍ତେ ଆମମାନଙ୍କ ଲାଗି ପ୍ରାତଃ ସ୍ମରଣୀୟ ହେବା ଉଚିତ।
ମୋ: ୯୯୩୭୮୬୩୫୨୮