ବାହାବର୍ଷା ଗୋଟେ ଖରାପ ପାଗ। “ଆଃ! କି ସୁନ୍ଦର ବର୍ଷା ପାଗ!” ଏମିତି କିଏ କେବେ କହେନି। ବର୍ଷା ପାଗରେ ଜୀବନଯାତ୍ରା ସ୍ଥିର ହୋଇଯାଏ। ଆଜିର ପାଗଟା ଠିକ୍ ସେମିତି। ରେ ବର୍ଷା ଛେଚୁଛି। ଆମେ ବାଲକୋନିରେ ବସି ଚା’ ଓ ପକୁଡ଼ିର ମଜା ନେଇ ନେଇ ପଢୁଛୁ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ବେଜ୍ଙ୍କର ମ୍ୟାଜିକାଲ୍ ରିଏଲିଜିମ୍ ଉପନ୍ୟାସ ‘ଵାନ୍ ହଣ୍ଡ୍ରେଡ୍ ଇୟର୍ସ ଅଫ୍ ସଲିଚ୍ୟୁଡ୍’। ସ୍ତମ୍ଭ ଲେଖିବାରେ ଆଜି ବିଲକୁଲ ଇଚ୍ଛା ନାହିଁ। ସାମନା ଟି-ପୟ ଉପରେ ପଡ଼ିଛି କିଛି ଖବରକାଗଜ ଓ ପତ୍ରପତ୍ରିକା। ସବୁଥିରେ ବର୍ଷାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା। ବର୍ଷାକୁ ଆଧାର କରି ସୁନ୍ଦର ଗଳ୍ପ ଓ କବିତା ସବୁ। ଜଣେ ସ୍ତମ୍ଭକାର ପାଇଁ ସେସବୁ ଈର୍ଷଣୀୟ। ବର୍ଷାକୁ ନେଇ ସାହିତ୍ୟ ଲେଖିବା ସ୍ତମ୍ଭକାରର ସାଧ୍ୟର ବାହାରେ। ସେ କେବଳ ବର୍ଷାକୁ ଉପଭୋଗ କରିପାରେ ସିନା, ଲେଖନୀରେ ତାକୁ ଜୀବନ୍ୟାସ ଦେଇପାରିବନି। ଜଳବନ୍ଦୀ ସମସ୍ୟା, ଜଳବାୟୁ ପରିବର୍ତ୍ତନ, ସ୍ବଳ୍ପ ବୃଷ୍ଟି ଓ ବନ୍ୟା ବିତ୍ପାତ, ଏସବୁକୁ ନେଇ ସେ ଲେଖିପାରେ, କିନ୍ତୁ ବର୍ଷାକୁ ନେଇ ସୃଜନଶୀଳ ହୋଇପାରିବନି।
ବର୍ଷା ଗୋଟିଏ ନିଆରା ଅନୁଭବ। ବର୍ଷା ସମୟରେ ବର୍ଷା କଥା ନଭାବି ଆପଣ ଚୁପ୍ ରହିପାରିବେନି। ଆପଣଙ୍କ ବାହାର ଓ ଭିତରକୁ ବର୍ଷା ଭିଜାଇ ଦେଉଥିବାବେଳେ ସମସ୍ତ ଇନ୍ଦ୍ରିୟ ବର୍ଷା ଉପରେ କେନ୍ଦ୍ରୀଭୂତ ହୋଇଥିବ। କାରଣ ସେ ତ ପାଣିର କିଛି ବୁନ୍ଦା ନୁହେଁ, ବର୍ଷା ହେଉଛି ଧରଣୀର ହସ, ସମୁଦ୍ରର ଦୀର୍ଘଶ୍ବାସ ଓ ଆକାଶ ଆଖିରୁ ଝରୁଥିବା ଅଶ୍ରୁ। ଲେଖକ ପାଇଁ ବର୍ଷା ଚଳନ୍ତି କବିତା। ବର୍ଷା ସୁଅରେ କାଗଜ ଡଙ୍ଗା ଯିଏ ନ ଭସାଇଛି, ସିଏ ବର୍ଷାକୁ ଚିହ୍ନିନି। ବର୍ଷା ପାଣିରେ ଯିଏ କୁଦା ନ ମାରିଛି ସିଏ ତାକୁ ଜାଣିନି। ବର୍ଷାରେ ଛତାଧରି ସ୍କୁଲରେ ପହଞ୍ଚି ଯିଏ ‘ରେନି ହଲିଡେ’ର ନୋଟିସ ନ ପଢ଼ିଛି ସିଏ ବର୍ଷାକୁ ଚିହ୍ନିନି। ବର୍ଷା ପାଗରେ ରାସ୍ତାକଡ଼ର ନୁଆଁଣିଆ କ୍ୟାବିନ୍ ସାମ୍ନାରେ ଠିଆହୋଇ ଗରମ ଚା’ ପିଇବା ଲୋକ ହିଁ ବର୍ଷାକୁ ବୁଝିଛି। ମନୁଷ୍ୟ ପାଇଁ ସିଏ ଆକାଶରୁ ଖସୁଥିବା ହଜାର ପାଣିବୁନ୍ଦା ନୁହେଁ, ହଜାର ମୁହୂର୍ତ୍ତର ଟୋପାଟୋପା ସ୍ମୃତି। କାଳିଦାସଙ୍କଠାରୁ ଫ୍ରଷ୍ଟ୍, ଏଲିୟଟ୍ ଓ ମାର୍କ୍ବେଜ୍ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସୃଜନୀପାଇଁ ବର୍ଷା ଶ୍ରଦ୍ଧାଶୀଳ ଶତ୍ରୁଟିଏ। ବର୍ଷା ଝରିଲେ କବିପାଇଁ ପାଣିର ଦେହରେ ପାଦ କଅଁଳିଯାଏ। କିନ୍ତୁ ସ୍ତମ୍ଭକାର ବର୍ଷାକୁ ନେଇ କ’ଣ ଲେଖିବ? ତା’ପାଇଁ ବର୍ଷା କେବଳ ଗୋଟିଏ ଖରାପ ପାଗ। ବ୍ୟାଡ୍ ୱେଦର୍। ଅବଶ୍ୟ ଜୀବନର ସରଳତମ ସୁଖକୁ ଖୋଜିଦେବାରେ ବର୍ଷାଠାରୁ ଆଉ ଉତ୍ତମ ବନ୍ଧୁ କେହିନାହିଁ। କେବେ ବର୍ଷାରେ ଭିଜିସାରିବା ପରେ ଆଖିଖୋଲି ଦେଖନ୍ତୁ, ଆପଣଙ୍କ ଜୀବନର ସବୁ କଷ୍ଟକୁ ସିଏ ଧୋଇ ଦେଇଛି ଏବଂ ସାମ୍ନାରେ ଆପଣଙ୍କର ଅପେକ୍ଷା କରିଛି ଉଜ୍ଜ୍ବଳ, ସଫେଦ ଆକାଶଟିଏ।
ବର୍ଷା ଆପଣଙ୍କୁ ନିଜ ସହିତ ପ୍ରେମରେ ପଡ଼ିବାକୁ ବାଧ୍ୟ କରେ। ତା’ ଭିତରେ ନିଜକୁ ହଜାଇଦେଲେ ହିଁ ଆପଣ ତାକୁ ବୁଝିପାରିବେ, ଠିକ୍ ଏଇ ତଳ ମହଲାରେ ଏକାକୀ ରହୁଥିବା ବୃଦ୍ଧ ଦମ୍ପତିଙ୍କ ପରି। “ମତେ ଟିକିଏ ଶେଷ ଥରପାଇଁ ବର୍ଷାରେ ଭିଜିବାକୁ ବାହାରକୁ ନେଇଚାଲନା!” ଜିଦ୍ କରୁଛନ୍ତି ଅସୁସ୍ଥ ପତ୍ନୀ। “ବାହାରେ ପାଗ ବହୁତ ଖରାପ। ଅଶି ବର୍ଷ ବୟସରେ ତମେ ହ୍ବିଲ୍ ଚେୟାର୍ରେ ବସି ବର୍ଷାରେ ଭିଜିବ!” ବୁଝାଉଛନ୍ତି ବୃଦ୍ଧ ସ୍ବାମୀ। ପତ୍ନୀ ପ୍ରତିବାଦ କରି କହୁଛନ୍ତି: “ସବୁଠାରୁ ମଧୁର ମହକ କେଉଁ ସୁଗନ୍ଧର ଜାଣିଛ? ବର୍ଷାଭିଜା ମାଟିର ବାସ୍ନା। ମନୋରମ ଶବ୍ଦ ଆଉ କିଛି ନୁହେଁ, ଝରକା ପାଖ ମନିପ୍ଲାଣ୍ଟ ଉପରେ ପଡୁଥିବା ପାଣିର ଟପ୍ ଟପ୍ ଶବ୍ଦ। ଅବ୍ୟକ୍ତ ଶିହରଣ କାହାର ସ୍ପର୍ଶରୁ ମିଳେ କହିଲ? ହାତ ପାପୁଲି ଉପରେ ଚାଳରୁ ଖସୁଥିବା ଟୋପାଟୋପା ପହିଲି ବର୍ଷା ପାଣିର। ଆଉ ମନୋରମ ଦୃଶ୍ୟ? ବର୍ଷା ପବନରେ ଢଳିଢଳି ନୃତ୍ୟ କରୁଥିବା ଅଦୂରର ଡେଙ୍ଗା କୃଷ୍ଣଚୂଡ଼ା ଗଛ। ଏ ବର୍ଷାଟୋପା ପରି ଜୀବନଟା ମିଳେଇଯିବାକୁ ଆଉ କେତେକ୍ଷଣ ବାକୀ ଅଛି କୁହ ତ”? ପୋର୍ଟିକୋ ପାଖରେ ପହଞ୍ଚି ଚେୟାରରୁ ଉଠି ଠିଆହେବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧା। ପଡ଼ିଯାଉଯାଉ ଧରିନେଉଛନ୍ତି ସ୍ବାମୀ। ଏବେ ଉଭୟେ ଦୁଇହାତ ପ୍ରସାରିତ କରି ବର୍ଷାର ଫୁଆରା ତଳେ ଭିଜୁଛନ୍ତି। ‘ସବୁଠାରୁ ସ୍ବାଦିଷ୍ଠ ବସ୍ତୁ କ’ଣ, କହିପାରିବ?’ ମୁହଁ ମେଲାରଖି ଆକାଶକୁ ଚାହିଁ ପଚାରୁଛନ୍ତି ବୃଦ୍ଧା। ପାଟିରେ ତାଙ୍କର ଝରିପଡୁଛି ବର୍ଷାଟୋପା ସବୁ। ପଞ୍ଚେନ୍ଦ୍ରିୟ ଦ୍ବାରା ଗ୍ରହଣ କରିହେଉଥିବା ଏ ସୁଖବୋଧ ଆଉ କେଉଁ ଋତୁରୁ ମିଳେ ନାହିଁ। ବାକୀ ସବୁ ଋତୁ ତ କେବଳ ଅନୁଭବର ବିଷୟ।
ଉପନ୍ୟାସର ଶେଷ ପରିଚ୍ଛେଦଟି ଥିଲା ଅତ୍ୟନ୍ତ କରୁଣ। ମାକୋଣ୍ଡୋ ସହରରେ ଚାରି ବର୍ଷ ଏଗାର ମାସ ଦୁଇଦିନ ଧରି ଲାଗିରହିଥିଲା ଅବିଶ୍ରାନ୍ତ ବର୍ଷା। ତା’ ମଧ୍ୟରେ ବୁୟେନ୍ଦିଆ ପରିବାରର ସୁଖଦୁଃଖର କାହାଣୀ ଗତିଶୀଳ। ମାର୍କ୍ବେଜ୍ଙ୍କର ବର୍ଷା ଏଠି ହୋଇଯାଇଛି ବିନାଶ ଓ ସଂଘର୍ଷର ପ୍ରତୀକ। ଉପନ୍ୟାସକୁ ଶେଷଦୃଷ୍ଟି ଦେବାବେଳେ ନଜର ପଡ଼ିଲା ଅଦୂରର ଝୋପଡ଼ି ଘରଟି ଉପରେ। ଘର ଉପରେ ଝରିପଡୁଛି ରୁପା ଟଙ୍କା ପରି ବର୍ଷା ପାଣି। ଦୁଆର ମୁହଁରେ ଆଣ୍ଠୁ ଉପରେ ହାତ ଓ ମୁହଁ ରଖି ମା’ର ଫେରିବା ବାଟକୁ ଅପେକ୍ଷା କରି ବସିଛି ନୁଖୁରାମୁଣ୍ଡୀ ଛୋଟ ଝିଅଟି। ଭାଇ ତା’ର ଚାଳରୁ ଖସୁଥିବା ନାଲି ଚା’ ରଙ୍ଗର ବର୍ଷାପାଣିରେ ଭସାଉଛି ବାରମ୍ବାର ଓଲଟିପଡୁଥିବା ତା’ର କାଗଜଡଙ୍ଗା। ଫୁଙ୍ଗୁଳା ଦେହରେ କଅଁଳା ଶିଶୁକୁ ପଣତକାନି ତଳେ ଜାକିଧରି କାମରୁ ଫେରୁଛି ସେମାନଙ୍କର ମା’। ମୁଣ୍ଡରୁ ଆଖି ଉପରଦେଇ ଝରୁଛି ବର୍ଷାପାଣି। ଫରକ ବାରିହେଉନି ବର୍ଷାପାଣି ଓ ଲୁହର। ମାର୍କ୍ବେଜ୍ଙ୍କ ଉପନ୍ୟାସ ଶେଷ ହୋଇଗଲାଣି।
ପ୍ରକୃତି ଓ ମନୁଷ୍ୟର ଭାଗ୍ୟ ମଧ୍ୟରେ ଥିବା ଅତୁଟ ସମ୍ବନ୍ଧ ବର୍ଷାର ଇନ୍ଦ୍ରଜାଲ ମଧ୍ୟରେ କାହାଣୀରେ ଚିତ୍ରାୟିତ ହୋଇଛି। ବାଲକୋନି ଆରପଟର ବର୍ଷା, ମାକୋଣ୍ଡୋ ସହରର ବର୍ଷା ଓ ବୁୟେନ୍ଦିଆ ପରିବାରର ସୁଖଦୁଃଖ ସହିତ ତଳ ମହଲାର ବୃଦ୍ଧ ଦମ୍ପତି ଓ ବର୍ଷାରେ ଲୁହକୁ ଲୁଚାଇ ଘରକୁ ଫେରୁଥିବା ଦୁଃଖିନୀ ମା’, ସବୁ ଚିତ୍ର ବର୍ଷାର ଫ୍ରେମ୍ରେ ବନ୍ଧା ଜୀବନର ଗୋଟିଏ ଜୀବନ୍ତ ସଂକଳନ। ଫଟୋ କୋଲାଜ୍। ଜଣେ ସ୍ତମ୍ଭକାର ପାଇଁ ଏ ସବୁର ମୂଲ୍ୟ ବା କ’ଣ? ସେ ମାର୍କ୍ବେଜ୍ଙ୍କ ପରି ଲେଖକ ନୁହେଁ ଯେ, ସେସବୁ ଚିତ୍ରକୁ ଶବ୍ଦରେ ରଙ୍ଗେଇ ଦେଇପାରିବ! ବୃଦ୍ଧ ଦମ୍ପତିଙ୍କର ଏକଲାପଣ ଓ ଅସହାୟତାକୁ ନେଇ ସେ ସ୍ତମ୍ଭ ଲେଖିଦେଇପାରେ, ବର୍ଷାରେ ତାଙ୍କର ନୃତ୍ୟକୁ ନେଇ ନୁହେଁ। ଗରିବ ମା’ଟିର ଚାଳ ଉଡ଼ିଯାଇଥିବା ଝୋପଡ଼ିକୁ ନେଇ ଦୀର୍ଘ ପ୍ରବନ୍ଧ ଲେଖିପାରେ, ତା’ ଫୁଙ୍ଗୁଳା ଦେହରୁ ଝରୁଥିବା ବର୍ଷାପାଣିର ଦୃଶ୍ୟକୁ ନେଇ ନୁହେଁ। କବି ଜଣେ ଲେଖିଥିଲେ, “ଫିର୍ ବାରିଶ୍ ହୋ ରହି ହୈ, ଶାୟଦ୍ ବାଦଲ୍ ରୋୟା ହୈ/ ଲଗତା ହୈ ଜୈସେ ଉସନେ ଭି, ମେରି ତର୍ହ କୋଇ ଅପନା ଖୋୟା ହୈ।” ସ୍ତମ୍ଭକାରର ଆପଣାର କିଏ ହଜିଯାଇଛି ଜାଣନ୍ତି? ତା’ର ସୃଜନଶୀଳତା। ବର୍ଷାକୁ ନେଇ ସେ କିଛିବି ସର୍ଜନା କରିନପାରେ। କିଛି ନୁହେଁ, କେବେବି ନୁହେଁ।
ମୋ: ୯୩୩୭୬୪୮୬୩୮