ଆମ ସମସ୍ତଙ୍କର ଇଚ୍ଛା ଅନ୍ୟମାନେ ଆମକୁ ସମ୍ମାନ କରନ୍ତୁ ଓ ଭଲ ପାଆନ୍ତୁ। ମଞ୍ଚରେ ଚଉକିଟିଏ ନପାଇ କେଉଁ ନେତା ନିଜକୁ ଅସମ୍ମାନିତ ମନେ କରେ ତ ଆଉ କିଏ ମଞ୍ଚ ଉପରେ ଫୁଲମାଳ ଓ ଚାଦର ଖଣ୍ଡିଏ ପାଇବାକୁ ଲାଳାୟିତ ହୋଇଥାଏ। ଯୁଦ୍ଧରେ ପରାସ୍ତ ରାଜା ପୁରୁଙ୍କୁ ସିକନ୍ଦର ପଚାରିଲେ, “ମୋ ଠାରୁ ତୁମେ କିପରି ବ୍ୟବହାର ଆଶା କର?” ପୁରୁ ଉତ୍ତରରେ କହିଲେ, “ଜଣେ ରାଜା ଅନ୍ୟ ଜଣେ ରାଜାଙ୍କଠାରୁ ଯେଉଁପରି ସମ୍ମାନ ପାଇବା ଉଚିତ ତାହା ହିଁ ଆଶା କରେ।” ଜୀବନ ହେଉଛି ଲୋକପ୍ରିୟତା ହାସଲ କରିବାର ନିରନ୍ତର ପ୍ରତିଯୋଗିତା। ପାଇଥିବା ସମ୍ମାନ ଓ ଶ୍ରଦ୍ଧାର ଆଧାରରେ ଜୀବନର ସଫଳତାର ହିସାବ ହୁଏ। ଶ୍ରଦ୍ଧା ବାଣ୍ଟିବାର, ଓ ସମ୍ମାନ ଅର୍ଜନ କରିବାର ବିଷୟ। ମନୁଷ୍ୟ ଯେତେବେଳେ ନିଜର କାର୍ଯ୍ୟ, ଦାୟିତ୍ବବୋଧ ଓ ନମ୍ର ଚରିତ୍ର ପାଇଁ ଅନ୍ୟର ପସନ୍ଦ ହୋଇଯାଏ, ସେହିଠାରେ ଉତ୍ପନ୍ନ ହୁଏ ସମ୍ମାନବୋଧ ଓ ଭଲପାଇବା। କୌଣସି ବସ୍ତୁକୁ ପସନ୍ଦ କରିବାର ଅର୍ଥ ସେଥିରୁ କିଛି ପରୋକ୍ଷ ଆନନ୍ଦ ପାଇବା। ଆମ ରୁଚି ଅନୁରୂପ ଚରିତ୍ରର ବ୍ୟକ୍ତିକୁ ଆମେ ଭଲ ପାଇଥାଉ। ପ୍ରକାରାନ୍ତେ ସମ୍ମାନ ହେଉଛି କୌଣସି ବ୍ୟକ୍ତି ପ୍ରତି ତା’ର କ୍ଷମତା, ଗୁଣ ଓ ଉପଲବ୍ଧିର ଆଧାରରେ ଆମର ସପ୍ରଶଂସ ସ୍ବୀକୃତି। ସମ୍ମାନ ଦେବା ପ୍ରଶଂସା କରିବାର ଏକ ମାଧ୍ୟମ। ଦୁଇଟି ବିନ୍ଦୁ ମଧ୍ୟରେ ନିକଟତମ ଦୂରତା ଯେମିତି ଏକ ସରଳ ରେଖା, ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ସଂପର୍କର ନିକଟତମ ରାସ୍ତା ସେମିତି ଉଭୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ମାନବୋଧ। ସମ୍ମାନ ପାଇବା ପାଇଁ ଉଚ୍ଚ ବ୍ୟକ୍ତିତ୍ବ ଆବଶ୍ୟକ ହେଲାବେଳେ ଭଲପାଇବା ପାଇଁ ଆବଶ୍ୟକ ହୁଏ ପରିଚୟ ଓ ସଂପର୍କର ନିବିଡ଼ତା।
ସମ୍ମାନ ଓ ଭଲପାଇବାକୁ ନେଇ ଆରିଷ୍ଟୋଟଲ୍ ତାଙ୍କ ପ୍ରଣୀତ ‘ନିକୋମାକିୟାନ୍ ଏଥିକ୍ସ’ରେ ଆଲୋଚନା କରି ଏହାର ନାମ ରଖିଛନ୍ତି ‘ୟୁଡେମୋନିଆ’। ଏହାର ଅର୍ଥ, ଜୀବନରେ ଉନ୍ନତି କରିଯିବା ଓ ପ୍ରକୃତିର ଇଚ୍ଛା ଅନୁରୂପ ଏକ ସମ୍ମାନିତ ଜୀବନ ଜିଇଁବା। ୟୁଡେମୋନିଆ ହାସଲ କରିବାକୁ ମନୁଷ୍ୟକୁ ଚାରିଟି ସଦ୍ଗୁଣର ଅଧିକାରୀ ହେବାକୁ ପଡ଼ିବ, ଫଳତଃ ଅନ୍ୟର ହୃଦୟରେ ଆପଣଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନ ସୃଷ୍ଟି ହେବ। ଏହି ଚାରିଟି ଗୁଣ ହେଉଛି, ସୋଫିଆ ବା ବୁଦ୍ଧିମତ୍ତା, ଅର୍ଥାତ୍ ଭଲ ଓ ମନ୍ଦକୁ ପରଖିବାର କ୍ଷମତା; ଏଣ୍ଡ୍ରିଆ ବା ସାହସ, ଅର୍ଥାତ୍ ଆହ୍ବାନକୁ ସାମନା କରିପାରିବାର କ୍ଷମତା; ଡିକୋସିନ୍ ବା ନ୍ୟାୟ, ଅର୍ଥାତ୍ ମୂଲ୍ୟବୋଧ ଆଧାରରେ ପ୍ରଦର୍ଶିତ ବ୍ୟବହାର ଏବଂ ସଫ୍ରୋସିନ୍ ବା ଇନ୍ଦ୍ରିୟ ନିଗ୍ରହ, ଅର୍ଥାତ୍ ଇଚ୍ଛା ଓ କାର୍ଯ୍ୟ ଉପରେ ନିଜର ନିୟନ୍ତ୍ରଣ। ସଂକ୍ଷେପରେ କହିଲେ ଆମର କଥା ଓ କାର୍ଯ୍ୟରେ କ୍ରମାଗତ ଭାବରେ ଜ୍ଞାନ, ସାହସ, ନ୍ୟାୟ ଓ ସଂଯମ ପ୍ରଦର୍ଶନ କରିବାର ପରିଣାମ ସ୍ବରୂପ ଆମକୁ ଅନ୍ୟଠାରୁ ସମ୍ମାନ ମିଳିଥାଏ। ସମ୍ମାନ ଓ ଶ୍ରଦ୍ଧା ଏକା କଥା ନୁହନ୍ତି। ସମ୍ମାନ ଆମେ ସେହିପରି ଏକ ବ୍ୟକ୍ତିକୁ ଦେଇଥାଉ, ଯାହାର ଉଚ୍ଚତା ଆମ ପାଇଁ ସ୍ପର୍ଶାତୀତ। ଅପରପକ୍ଷେ ଶ୍ରଦ୍ଧାର ସୃଷ୍ଟି ବ୍ୟକ୍ତିଗତ ଗୁଣର ଆଧାରରେ। ଆମେ କାହାରିକୁ ପସନ୍ଦ କରୁଛେ ଅର୍ଥ ତା’ଠାରୁ କିଛି ଆନନ୍ଦ ଓ ଅନୁକୂଳ ଲୌକିକତା ଆମକୁ ମିଳୁଛି। ଭଲପାଇବା ସର୍ବଦା ଦିଆଯାଏ ଓ ସମ୍ମାନ ନିଆଯାଏ। ସ୍ଥଳବିଶେଷରେ ଶ୍ରଦ୍ଧାର ପ୍ରତିଦାନ ମଧ୍ୟ ସମ୍ମାନ ହୋଇଥାଏ। ମନେ କରନ୍ତୁ ଆପଣ ଜଣେ ବ୍ୟକ୍ତିକୁ ପସନ୍ଦ କରନ୍ତି କିନ୍ତୁ ତା’ପ୍ରତି ଆପଣଙ୍କ ମନରେ ସମ୍ମାନବୋଧ ନାହିଁ। ତା’ର ମନୋଭାବ, ମତ, ଇଚ୍ଛା ଓ ରୁଚି ସବୁକିଛି ଆପଣଙ୍କ ସ୍ବଭାବର ବିପରୀତ। ସେ କ୍ଷେତ୍ରରେ ତାକୁ ଆପଣ ଶ୍ରଦ୍ଧା କରିପାରିବେ କେମିତି? ଭଲପାଇବାର ଅର୍ଥ ତା’ର ବ୍ୟକ୍ତିତ୍ବ, ବିଶେଷତ୍ବ ଓ ଅସ୍ତିତ୍ବ ପ୍ରତି ସମ୍ମାନ ଦେବା। ପରସ୍ପରକୁ ସମ୍ମାନ ଦେଇପାରୁଥିବା ଦୁଇ ବ୍ୟକ୍ତି ହିଁ ପରସ୍ପରକୁ ପସନ୍ଦ କରିପାରିବେ। ଶ୍ରଦ୍ଧା ସମ୍ମାନର ପଶ୍ଚାତ୍ଧାବନ କରିଥାଏ।
ଦାର୍ଶନିକ କ୍ୟାଣ୍ଟଙ୍କର ‘ମେଟାଫିଜିକ୍ସ ଅଫ୍ ମୋରାଲ୍ସ’ ଅନୁଯାୟୀ ମନୁଷ୍ୟ ମାତ୍ରେ ହିଁ ସେ ସମ୍ମାନର ଯୋଗ୍ୟ, କାରଣ ସେ ସର୍ବପ୍ରଥମେ ଜଣେ ମନୁଷ୍ୟ ବା ନିଜ ଇଚ୍ଛାଶକ୍ତିର ଅଧିକାରୀ ଗୋଟିଏ ପ୍ରାଣୀ। ତାଙ୍କ ମତରେ ଅନ୍ୟକୁ ସମ୍ମାନ ଦେବା ପୂର୍ବରୁ ମନୁଷ୍ୟ ନିଜେ ନିଜକୁ ସମ୍ମାନ ଦେଇ ଶିଖିବା ଉଚିତ। ଆତ୍ମସମ୍ମାନ ବ୍ୟତିରେକ ଶ୍ରଦ୍ଧା ଓ ସମ୍ମାନ ପାଇବା ଅସମ୍ଭବ କାରଣ ହୀନମନ୍ୟତା ସମ୍ମାନ ଆଣିଦିଏନି। କ୍ୟାଣ୍ଟ୍ଙ୍କ ମତରେ ସମ୍ମାନ ଓ ଭଲପାଇବା ଦୁଇଟି ସଂପୂର୍ଣ୍ଣ ଅଲଗା ବିଷୟ। ଶ୍ରଦ୍ଧା ନିଜ ଆଡ଼କୁ ଆକର୍ଷିତ କଲାବେଳେ ସମ୍ମାନ ବ୍ୟକ୍ତିଗତ ସଂପର୍କରେ ଦୂରତା ନିର୍ବାହ କରେ। ଦାର୍ଶନିକ ଇରିଗ୍ୟାରେ ଏଥିରେ କିନ୍ତୁ ସହମତ ନୁହନ୍ତି। ତାଙ୍କର ଯୁକ୍ତି ହେଉଛି ସମ୍ମାନ ଓ ଭଲପାଇବା ପରସ୍ପରର ପରିପୂରକ। ଶ୍ରଦ୍ଧା ଏକ ସ୍ବତଃ ପ୍ରକାଶିତ ଆବେଗ ଓ ତା’ର ମୂଳରେ ଥାଏ ସମ୍ମାନବୋଧ। ସମ୍ମାନର ମୂଳ ଭିତ୍ତି ଉପରେ ପ୍ରତିଷ୍ଠିତ ହୁଏ ଭଲପାଇବା। ବିନା ସମ୍ମାନରେ ଭଲପାଇବା ଓ ବିନା ଭଲପାଇବାରେ ସମ୍ମାନ ନିରର୍ଥକ।
ଭଲପାଇବା ଏକ ସୁରକ୍ଷିତ ଭାବନା, ଯାହା ମନୁଷ୍ୟ ପାଇଁ ସୁରକ୍ଷାର ନିରାପଦ ଚଦରଟିଏ ପରି। ଅସହାୟ ଓ ହତୋତ୍ସାହିତ ମନୁଷ୍ୟ ସେ ଚଦରଟି ଢାଙ୍କିଦେଇ ନିଜକୁ ସନ୍ତୁଷ୍ଟି ଦିଏ ଓ ନିରାପଦ ଅନୁଭବ କରେ। ଅପରପକ୍ଷେ ସମ୍ମାନ ପାଇବା ଏପରି ଏକ ଆତ୍ମପ୍ରେରଣା ଯାହା ମନୁଷ୍ୟକୁ ଉଚ୍ଚତମ ଉପଲବ୍ଧି ପର୍ଯ୍ୟନ୍ତ ନେଇଯାଇଥାଏ। ଭଲପାଇବା ଆନନ୍ଦ ଓ ସନ୍ତୁଷ୍ଟି ଦେଲାବେଳେ ସମ୍ମାନ ନିଜ ଅଭ୍ୟନ୍ତରର ଶ୍ରେଷ୍ଠତା ପାଖରେ ପହଞ୍ଚିବାରେ ସାହାଯ୍ୟ କରେ। ସେଥିପାଇଁ ମନୁଷ୍ୟ ଉଭୟ ଶ୍ରଦ୍ଧା ଓ ସମ୍ମାନ ପାଇବାର ଲାଳସା ରଖିଥାଏ। ଭଲପାଇବା ଆଦାୟଯୋଗ୍ୟ ନୁହେଁ ମାତ୍ର ସମ୍ମାନ ବ୍ୟକ୍ତିତ୍ବର ଆଧାରରେ ହାସଲ କରାଯାଇପାରେ। ଭିଡ଼ ଭିତରେ ଆପଣଙ୍କୁ ଚିହ୍ନାଇ ଦେଇଥାଏ ସମ୍ମାନ। ଭଲପାଇବା ଅସ୍ଥାୟୀ ଓ ପାରସ୍ପରିକ ସଂପର୍କ ଉପରେ ନିର୍ଭରଶୀଳ। ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ସଂପର୍କର ଭଙ୍ଗୁର ସ୍ଥିତି ପାଇଁ ସମ୍ମାନବୋଧର ଅଭାବ ହିଁ ମୁଖ୍ୟ କାରଣ। ସମ୍ମାନର ମୂଳ ଉତ୍ସ ଆମର ବ୍ୟକ୍ତିତ୍ବ, ତାକୁ କେବେ ମଳିନ ହେବାକୁ ଦିଅନ୍ତୁନି। କଥାରେ ଅଛି ପରା, “ରୋଟି ଥାଲି ମୈଁ ଭଲେ ଚାରକି ଜଗହ୍ ବସ୍ ଦୋ ହୋ/ ଲେକିନ୍ ଇଜ୍ଜତକି ହୋ, ବରନା ନା ହୋ।” ଥାଳିରେ ଚାରି ବଦଳରେ ଦୁଇପଟ ରୁଟି ରହୁ ପଛେ ତାହା ସମ୍ମାନର ସହ ମିଳୁ ନଚେତ ନ ମିଳୁ।
ମୋ: ୯୩୩୭୬୪୮୬୩୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fshfhfhfhhffhs.jpg)