ନିଷ୍ପତ୍ତି ଭୁଲ୍‌ ହେଲେ ପରିଣତି ଠିକ୍ ହୋଇପାରିବ କି? ଆପଣ ତତ୍‌କ୍ଷଣାତ୍ ଉତ୍ତର ଦେବେ ନା’। ନିଷ୍ପତ୍ତି ଯଦି ଭୁଲ୍‌ ନିଆଯାଏ ତା’ର ପରିଣତି ମଧ୍ୟ ଭୁଲ୍‌ ହେବ। କିନ୍ତୁ ଏହା ସର୍ବକାଳୀନ ସତ୍ୟ ନୁହେଁ। ଏ ଉଦାହରଣ ଦୁଇଟି ଦେଖନ୍ତୁ: ଅନେକ ସମୟ ଅପେକ୍ଷା ପରେ ବିଳମ୍ବରେ ବନ୍ଧୁ ଆସି ପହଞ୍ଚି କହିଲେ, ରାସ୍ତା ଜାଣିନି ତ! ଭୁଲ୍‌ ରାସ୍ତାରେ ଚାଲିଆସିବାରୁ ପଚାରି ପଚାରି ଆସିବାକୁ ପଡ଼ିଲା, ସେଥିପାଇଁ ଡେରି ହୋଇଗଲା। ପାଖରେ ଥିବା ଅନ୍ୟ ଜଣେ କହିଲେ, ସିଧା ରାସ୍ତାରେ ନଆସି ଭଲ କରିଛନ୍ତି। ବର୍ଷାରେ ରାସ୍ତା ଧୋଇଯାଇଛି, ଆପଣ ଅସୁବିଧାରେ ପଡ଼ିଥାନ୍ତେ। ସେଦିନ କାନପୁର ରେଳ ଷ୍ଟେସନରେ ବସି ଚିନ୍ତାମଗ୍ନ ଥିଲେ ଟିକେଟ୍‌ କଲେକ୍ଟର ମହେନ୍ଦ୍ର ସିଂହ ଧୋନି। ପରିବାରର ଆର୍ଥିକ ଆବଶ୍ୟକତା ପାଇଁ ଚାକିରି କରିବେ ନା ଚାକିରି ଛାଡ଼ି କ୍ରିକେଟ୍‌ରେ ମନ ଦେବେ? ସହକର୍ମୀ ଜଣେ ପରାମର୍ଶ ଦେଲେ, ସ୍ବପ୍ନକୁ କେବଳ ଦେଖିଚାଲିଲେ ସାକାର ହୁଏନି, ତା’ର ପିଛା କରିବାକୁ ପଡ଼େ। ଧୋନି ତାଙ୍କ ପରାମର୍ଶ ମାନି ଚାକିରି ଛାଡ଼ିଦେଇ କ୍ରିକେଟ୍‌ରେ ମନୋନିବେଶ କଲେ। ସମସ୍ତେ କହିଲେ ଏତେ ଭଲ ଚାକିରିଟି ଛାଡ଼ି ସେ ଭୁଲ୍ କରିଛନ୍ତି। ସେଇ ଭୁଲ୍‌ରୁ ଜଣେ ମହାନ କ୍ରିକେଟ୍‌ ତାରକା ଜନ୍ମ ନେଲା। ଭୁଲ୍‌ ନିଷ୍ପତ୍ତି ଅନେକ ସମୟରେ ଆମକୁ ଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇଥାଏ।

Advertisment

ଜୀବନ-ପଥର ବିଭିନ୍ନ ଯାଞ୍ଚବିନ୍ଦୁଗୁଡ଼ିକରେ ଆମେ ଯେଉଁ ସବୁ ନିଷ୍ପତ୍ତି ନେଇଥାଉ ତାହା ଆମର ଲକ୍ଷ୍ୟସ୍ଥଳ ଉପରେ ସମୂହ ପ୍ରଭାବ ପକାଇଥାଏ। ଆମକୁ ପରାମର୍ଶ ମିଳେ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନିଷ୍ପତ୍ତିଗୁଡ଼ିକ ଠିକ୍‌ରେ ନିଆଯିବା ଉଚିତ। ଠିକ୍ ନିଷ୍ପତ୍ତିର ଅର୍ଥ କ’ଣ? ନିଷ୍ପତ୍ତିଟି ଠିକ୍ ନା ଭୁଲ୍ ଜାଣିବା କେମିତି? ଯେଉଁ ନିଷ୍ପତ୍ତିର ପରିଣାମ ଆମ ଇଚ୍ଛାର ଅନୁରୂପ ହୋଇଥାଏ ତାହା ଠିକ୍ ନିଷ୍ପତ୍ତି। ତା’ହେଲେ ଭୁଲ୍ ପରିଣାମ ଦେଇଥିବା ସିଦ୍ଧାନ୍ତକୁ ଭୁଲ୍ କୁହାଯିବ କି? ଡାକ୍ତରଙ୍କର ଉତ୍ତମ ଚିକିତ୍ସା ସତ୍ତ୍ବେ ରୋଗୀଟି ମରିଗଲା। ଏଠାରେ ଠିକ୍ ନିଷ୍ପତ୍ତି ଭୁଲ୍ ପରିଣାମ ଦେଲାନି କି? ପୁନଶ୍ଚ, ଠିକ୍ ପରିଣତିର ସଂଜ୍ଞା କ’ଣ? ଠିକ୍ ପରିଣତି ହେଉଛି ସେହି ସ୍ଥାନ, ଯେଉଁଠି ଆମେ ପହଞ୍ଚିବାକୁ ଇଚ୍ଛା କରିଥାଉ। ଏଠାରେ ଯେମିତି ରୋଗୀଟି ଆରୋଗ୍ୟ ହୋଇଯିବାର ଇଚ୍ଛା। ଆମର ନିଷ୍ପତ୍ତି ଆମକୁ ଠିକ୍ ସ୍ଥାନରେ ସବୁବେଳେ ପହଞ୍ଚାଇ ନଥାଏ ଓ ଠିକ୍ ଭାବି ନେଇଥିବା ନିଷ୍ପତ୍ତି ଅନେକ କ୍ଷେତ୍ରରେ ଭୁଲ୍ ପ୍ରମାଣିତ ହୋଇଥାଏ। ସେହିପରି ଭୁଲ୍‌ ନିଷ୍ପତ୍ତିର ପରିଣତି ସର୍ବଦା ଭୁଲ୍‌ ହୁଏ ନାହିଁ ଓ ଭୁଲ୍‌ ନିଷ୍ପତ୍ତି ମଧ୍ୟ ଅନେକ ସମୟରେ ଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଦିଏ। ବେଞ୍ଜାମିନ୍ ଫ୍ରାଙ୍କଲିନ୍ କହିଥିଲେ, “ମନୁଷ୍ୟ ପଚିଶ ବର୍ଷରୁ ମୃତ୍ୟୁ ଲଭେ ଓ ପଞ୍ଚସ୍ତରି ବର୍ଷ ପରେ ତା’ର ଶବ ସତ୍କାର ହୁଏ”। ଉକ୍ତିଟିର ତାତ୍ପର୍ଯ୍ୟ ହେଉଛି ଯୁବାବସ୍ଥାରୁ ମନୁଷ୍ୟ ସ୍ବପ୍ନକୁ ପିଛା କରିବା ଛାଡ଼ିଦେଇ ଅବଶିଷ୍ଟ ଜୀବନ କେବଳ ଅନୁଶୋଚନାରେ ବିତାଇ ଦେଇଥାଏ।

ଲକ୍ଷ୍ୟସ୍ଥଳ ଉଦ୍ଦେଶ୍ୟରେ ରାସ୍ତାଟିଏ ବାଛିବା ଆମର ବ୍ୟକ୍ତିଗତ ନିଷ୍ପତ୍ତି। ନିଷ୍ପତ୍ତିଟି ନିଜେ ଠିକ୍ କିମ୍ବା ଭୁଲ୍‌ ନୁହେଁ। ନିଷ୍ପତ୍ତିର ଫଳାଫଳ ଆଧାରରେ ଜଣାପଡ଼େ ତାହା ଠିକ୍ ଥିଲା ନା ଭୁଲ୍‌। ଠିକ୍ ସ୍ଥାନରେ ପହଞ୍ଚିବାକୁ ହେଲେ ନିଜର ମନୋବଳ ଓ ମାନସିକତା ଦୃଢ଼ ରହିବା ଆବଶ୍ୟକ। ନିଷ୍ପତ୍ତିଟି ଠିକ୍ ହେଉ ବା ଭୁଲ୍‌, ଠିକ୍ ନିଷ୍ପତ୍ତିର ଆଧାରରେ ଠିକ୍ ସ୍ଥାନରେ ପହଞ୍ଚିବାର କୌଣସି ପ୍ରତିଶ୍ରୁତି ନଥାଏ କି ଭୁଲ୍ ସିଦ୍ଧାନ୍ତ ଆମକୁ ସବୁ କ୍ଷେତ୍ରରେ ଭୁଲ୍ ସ୍ଥାନରେ ପହଞ୍ଚାଇ ଦିଏ ନାହିଁ। ରବର୍ଟ ଫ୍ରଷ୍ଟଙ୍କ କବିତା ‘ଦ ରୋଡ୍ ନଟ୍ ଟେକେନ୍’ରେ କବିଙ୍କ ସାମନାରେ ଦୁଇଟି ରାସ୍ତା ରହିଛି। ଠିକ୍ ରାସ୍ତା କେଉଁଟି ଜାଣିନପାରି କବି ଏକ ଅଳ୍ପ ଯାତାୟାତ ହେଉଥିବା ଦୁର୍ଗମ ଜଙ୍ଗଲୀ ରାସ୍ତାରେ ପାଦ ଦେଇ ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ଭୁଲ୍ ନିଷ୍ପତ୍ତି ମଧ୍ୟ ଆମକୁ ଠିକ୍ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦେବ। ତଥାପି ନିଷ୍ପତ୍ତି ନେବା ସମୟରେ ସାବଧାନତା ଅବଲମ୍ବନର ଆବଶ୍ୟକତା ରହିଛି, କାରଣ ଆମର ନିଷ୍ପତ୍ତି ଆଧାରରେ ଆମର ଭବିଷ୍ୟତଟି ରୂପ ନେବ। ପସନ୍ଦର ରାସ୍ତାଟିଏ ବାଛିବା ଆମର ବିଚାରବୋଧ ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ। ଛୋଟ ବୟସରୁ ଆମକୁ ଠିକ୍‌ ନିଷ୍ପତ୍ତି ନେବାକୁ ଓ ସଫଳତାର ସରଳ ଏବଂ ନିକଟତମ ପଥଟିଏ ବାଛିବାକୁ ଶିକ୍ଷା ଦିଆଯାଏ। ଫଳତଃ ଅନୁସନ୍ଧିତ୍ସୁ ହୋଇ ବିଭିନ୍ନ ସମ୍ଭାବ୍ୟ ବିକଳ୍ପ ପଥରେ ଚାଲିବା ଆମେ ଏଡ଼ାଇ ଯାଇଥାଉ, ଯଦିଓ ଆମେ ଜାଣିଛୁ ଯେ, ଜୀବନର ପଥ ଏଡ଼େ ସରଳ ନୁହେଁ। ଉଚ୍ଚା ନୀଚା ରାସ୍ତାରେ ବାରମ୍ବାର ଝୁଣ୍ଟିପଡ଼ି ସେଥିରୁ ଅଭିଜ୍ଞତା ହାସଲ କରିବାକୁ ପଡ଼େ। ଭୁଲ୍‌ ନିଷ୍ପତ୍ତି ଆମକୁ ଠିକ୍ ସ୍ଥାନରେ ପହଞ୍ଚାଇ ପାରିବାର କାରଣ ହେଉଛି ସେପରି ନିଷ୍ପତ୍ତି ଆମର ଦୁର୍ବଳତାଗୁଡ଼ିକ ସହିତ ଆମକୁ ପରିଚିତ କରାଇଦିଏ। ଭୁଲ୍‌ ନିଷ୍ପତ୍ତିରୁ ଯେଉଁ ଶିକ୍ଷା ମିଳେ ତାହାରି ଆଧାରରେ ଠିକ୍‌ ମାର୍ଗଟି ଆମକୁ ମିଳିଯାଏ। ଥମସ୍ ଏଡିସନ୍ ବିଦ୍ୟୁତ୍ ବଲବ୍ ଉଦ୍ଭାବନ କ୍ଷେତ୍ରରେ ବାରମ୍ବାର ଅସଫଳ ହୋଇ କହିଥିଲେ, “ମୁଁ ଅସଫଳ ହୋଇ ନାହିଁ, କେବଳ ଦଶ ହଜାରଟି ବିଭିନ୍ନ ରାସ୍ତାରେ ଚାଲି ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନି।” ଭୁଲ୍ ସିଦ୍ଧାନ୍ତ ଆମକୁ ଅପ୍ରତ୍ୟାଶିତ ସୁଯୋଗ ଓ ନୂତନ ଦୃଷ୍ଟିକୋଣ ସହିତ ପରିଚିତ କରାଇ ଦିଏ। ଭୁଲ୍‌ ମାର୍ଗରେ ଯିବାବେଳେ ଆମେ ଏପରି ଲୋକ ଓ ସୁଯୋଗର ସଂସ୍ପର୍ଶରେ ଆସୁ, ଯାହାକୁ ଆଧାର କରି ସଫଳତାର ନୂତନ ଦିଗନ୍ତ ଛୁଇଁ ହୁଏ। ଭୁଲ୍ ନିଷ୍ପତ୍ତି ଜନିତ ଅସଫଳ ହେବାର ଭୟ ଯୋଗୁଁ ମନରେ ଧୌର୍ଯ୍ୟ ଓ ଦୃଢ଼ତା ଆସିଥାଏ, ଯାହାର ଫଳ ସ୍ବରୂପ ସଫଳତାକୁ ଛୁଇଁବାର ସାହସ ଆମେ ପାଇଥାଉ।

ଯଦି ପଚରାଯାଏ ଆପଣଙ୍କ ସଫଳତାର ରହସ୍ୟ କ’ଣ? ଉତ୍ତର ମିଳିବ “ଠିକ୍‌ ନିଷ୍ପତ୍ତି ନେବା।” ଠିକ୍‌ ନିଷ୍ପତ୍ତି ନିଅନ୍ତି କିପରି? ଆପଣ ନିଶ୍ଚୟ ଉତ୍ତର ଦେବେ “ଅଭିଜ୍ଞତାର ଆଧାରରେ।” ପୁନଶ୍ଚ ଯଦି ପ୍ରଶ୍ନ କରାଯାଏ, ଅଭିଜ୍ଞତା ହାସଲ କରନ୍ତି କିପରି? ଆପଣଙ୍କର ଶେଷ ଉତ୍ତରଟି ହେବ, “ବାରମ୍ବାର ଭୁଲ୍‌ କରିବା ଜନିତ ବିଫଳତାରୁ।” ମନେ ରଖନ୍ତୁ, କେବେ ଯଦି ଆପଣ କୌଣସି ଭୁଲ୍‌ ନିଷ୍ପତ୍ତିର ପରିଣାମ ଭୋଗିବାକୁ ଯାଉଥାନ୍ତି, ଭାବି ନିଅନ୍ତୁ ଯେ, ତାହା ହିଁ ଆପଣଙ୍କୁ ଠିକ୍‌ ସ୍ଥାନରେ ପହଞ୍ଚାଇ ଦେବାର ପ୍ରାକ୍ ପ୍ରସ୍ତୁତି। କବି ଲେଖିଛନ୍ତି ପରା, “ହଜାରୋଁ ଉଲଝନେଁ ରାହୋଁ ମୈ, ଔର କୋଶିସେଁ ବେହିସାବ୍/ ଇସିକା ନାମ୍ ହୈ ଜିନ୍ଦଗୀ, ଚଲତେ ରହିୟେ ଜନାବ୍...” ନିଷ୍ପତ୍ତି ଭୁଲ୍‌ ହୋଇଥାଉ ମ! ଚାଲିବା ଜାରି ରହିବା ଜରୁରୀ।
ମୋ: ୯୩୩୭୬୪୮୬୩୮