କ୍ରୀଡ଼ାବିତ୍‌ମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ ଭାରତୀୟ ଭାବରେ ଆମେ ଆଉ ଏକ ସୌଭାଗ୍ୟ ପାଇବାକୁ ଚାହିଁଥାଉ- ତାହା ହେଉଛି ମତଦାନ।
ନିର୍ବାଚନ ଗଣତନ୍ତ୍ରର ଆଧାର। ଏହା ନାଗରିକମାନଙ୍କୁ ସେମାନଙ୍କ ପ୍ରତିନିଧି ଚୟନ କରିବାର ଗୁରୁତ୍ୱପୂର୍ଣ୍ଣ ଅଧିକାର ପ୍ରଦାନ କରିଥାଏ। ତେବେ ଏହି ଅଧିକାର ନିଷ୍କ୍ରିୟ ନୁହେଁ; ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ଏକ କର୍ତ୍ତବ୍ୟ, ବିଶେଷ କରି ଯୁବବର୍ଗଙ୍କ ପାଇଁ। ଐତିହାସିକ ଦୃଷ୍ଟିରୁ ଯୁବପିଢ଼ି ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେଇଛନ୍ତି ଏବଂ ନିର୍ବାଚନରେ ସେମାନଙ୍କ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଭୋଟର ପଞ୍ଜୀକରଣଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ପ୍ରଚାର ପର୍ଯ୍ୟନ୍ତ ସବୁ ସ୍ତରରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ।
ପ୍ରଥମ ଥର ମତଦାତାମାନେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ନୂତନ ଦୃଷ୍ଟିକୋଣ ଏବଂ ସର୍ବଶ୍ରେଷ୍ଠ ଉଦାହରଣ ଉପସ୍ଥାପନ କରିଥାନ୍ତି। ଜଣେ ଯୁବ ଭୋଟରଙ୍କ ଶକ୍ତି ଓ ଜ୍ଞାନକୌଶଳସମ୍ପନ୍ନ ପ୍ରକୃତ ନିର୍ବାଚନୀ ଦୃଶ୍ୟପଟରେ ଗତିଶୀଳତା ସୃଷ୍ଟି କରି ନାଗରିକଙ୍କ ଆବଶ୍ୟକତା ପ୍ରତି ଉପଲବ୍ଧତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥାଏ। ନିର୍ବାଚିତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା, ସ୍ୱର ଉତ୍ତୋଳନ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା ଏବଂ ଜନସାଧାରଣଙ୍କ ସହ ଅନୁକୂଳ ପ୍ରସଙ୍ଗଗୁଡ଼ିକର ପକ୍ଷ ଉପସ୍ଥାପନ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ଯାହା ଗଣତନ୍ତ୍ରର ଅଖଣ୍ଡତା ଏବଂ ସକ୍ରିୟତାକୁ ସୁରକ୍ଷିତ ରଖିଥାଏ।
ମହାତ୍ମା ଗାନ୍ଧୀଙ୍କ ଉକ୍ତି ଅନୁସାରେ: ଆଜି ଆପଣ ଯାହା କରୁଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରେ। ୨୦୨୪ରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗଣତନ୍ତ୍ର ପୁଣି ଥରେ ପାର୍ଶ୍ୱ ପରିବର୍ତ୍ତନ କରୁଛି। ଏହି ସମୟରେ ଦେଶର ଭାଗ୍ୟ ଗଢ଼ିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଜରୁରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ନିର୍ବାଚନ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ମତଦାତାଙ୍କ ଉଦ୍ଦେଶ୍ୟରେ ନିର୍ବାଚନ କମିସନଙ୍କ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଭାରତର ଯୁବଗୋଷ୍ଠୀଙ୍କ ଆଗ୍ରହ ଓ ଉତ୍ସାହକୁ ପ୍ରଶଂସା କରିବା ସହ ଦେଶର ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରୁଥିବାରୁ ସକ୍ରିୟ ଭାବେ ମତଦାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।
ପ୍ରଥମ ଥର ମତଦାତାଙ୍କୁ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରି ସେ ଦେଶର ଭାଗ୍ୟ ଗଢ଼ିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ଅଭିଯାନରେ ସାମିଲ ହେବା ଏବଂ ଯୁବ ଭୋଟରମାନଙ୍କୁ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନୀ ଉତ୍ସାହ ଭିତରେ କେବଳ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ନୁହେଁ, ସମାଜରେ ଚାଲିଥିବା ଆଲୋଚନା ଓ ବିତର୍କ ସମ୍ପର୍କରେ ସଚେତନ ରହିବାକୁ ସେ ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।
ନିର୍ବାଚନରେ ଯୁବବର୍ଗଙ୍କ ସାର୍ବଜନୀନ ଭାଗୀଦାରିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ନେତୃତ୍ୱ ନେଉଛନ୍ତି। ଯୁବ ଭୋଟରଙ୍କୁ ସେମାନଙ୍କ ଗାଣତନ୍ତ୍ରିକ ଅଧିକାର ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ଦେଶ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ଭାବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଅଭିଯାନ ସଙ୍ଗୀତର ଉନ୍ମୋଚନ କରିଛନ୍ତି। ମତଦାତା ସଚେତନତା ଅଭିଯାନର ଗୋଟିଏ ଅଂଶବିଶେଷ ପାଲଟିଥିବା ଏହି ସଙ୍ଗୀତ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ଭାବନାର ପ୍ରତିଫଳନ କରୁଛି। ସାରା ଦେଶର ଯୁବକମାନେ ନିଜ ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ଏହି ସଙ୍ଗୀତକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରୁଛନ୍ତି।
ଦେଶବ୍ୟାପୀ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଭୌତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଷୟବସ୍ତୁ ସୃଷ୍ଟିରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ମାଇଁଗଭ୍‌ ପ୍ଲାଟଫର୍ମରେ ବ୍ଲଗ୍ ରାଇଟିଂ, ପଡ୍‌କାଷ୍ଟ, ବିତର୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଅନ୍‌ଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। କର୍ମଶାଳା, ସେମିନାର, ଫ୍ଲାସ୍ ମବ୍ ଓ ଭୋଟର ପ୍ରତିଶ୍ରୁତି ଅଭିଯାନ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଆକର୍ଷିତ ଓ ଶିକ୍ଷିତ କରୁଛି। ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଏବଂ ଅନୁଷ୍ଠାନ କ୍ଲବ୍‌ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍ ଏବଂ ମନୋରଞ୍ଜନ ଶିଳ୍ପ ସମେତ ବିଭିନ୍ନ ପ୍ଲାଟଫର୍ମରୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନେ ଏହି ଅଭିଯାନକୁ ସକ୍ରିୟ ଭାବେ ସମର୍ଥନ କରୁଛନ୍ତି ଏବଂ ପ୍ରଥମ ଥର ମତଦାତାଙ୍କୁ ଉତ୍ସାହିତ କରୁଛନ୍ତି। ଦେଶର କୋଣଅନୁକୋଣରୁ କ୍ରୀଡ଼ା, ମନୋରଞ୍ଜନ, ବ୍ୟବସାୟ ଓ ଶିଳ୍ପ ଭଳି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ବାର୍ତ୍ତାକୁ ଦୂରଦୂରାନ୍ତରେ ପହଞ୍ଚାଇଛନ୍ତି।
ଜଶପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଅବନୀ ଲେଖରା, ସାଇଖୋମ ମୀରାବାଇ ଚାନୁଙ୍କ ଭଳି ମୋର ସାଥୀ କ୍ରୀଡ଼ାବିତ୍, ଅନିଲ କପୁର, ପ୍ରସେନଜିତ୍ ଚାଟାର୍ଜୀ, ରବିନା ଟଣ୍ଡନ, ରାଣା ଦଗୁବାତୀ, କୈଳାସ ଖେର, ଶ୍ରେୟା ଘୋଷାଲ, ରିତେଶ ଅଗ୍ରୱାଲ, ବିଭିଆର୍ ମୋହନ ରେଡ୍ଡୀଙ୍କ ଭଳି ଶିଳ୍ପ ନେତା ଏବଂ ଅନେକ ପଦ୍ମ ପୁରସ୍କାର ବିଜେତା ଏହି ଅଭିଯାନରେ ଅଂଶଗ୍ରହଣ କରି ଏହାକୁ ଭୋଟର ସଚେତନତାର ଏକ ‘ଜାତୀୟ ଆନ୍ଦୋଳନ’ରେ ପରିଣତ କରିଛନ୍ତି।
ଏହି ‘ଜନ ଆନ୍ଦୋଳନ’ ଯୁବଗୋଷ୍ଠୀଙ୍କ ସ୍ୱରର ସାମୂହିକ ଶକ୍ତି ଏବଂ ଦେଶର ଗାଣତନ୍ତ୍ରିକ ପରିଦୃଶ୍ୟ ଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱକୁ ସୂଚାଇଥାଏ। ଆସନ୍ତୁ ଏକାଠି ହୋଇ ଏହି ଦାୟିତ୍ୱକୁ ଗ୍ରହଣ କରିବା ଏବଂ ଆମର ସାମୂହିକ ସ୍ୱରର ଶକ୍ତିକୁ ଉପଯୋଗ କରିବା। ଆସନ୍ତୁ ଆହ୍ୱାନର ସାମ୍ନା କରିବାକୁ ଆଗେଇ ଆସିବା, ସ୍ୱର ଉତ୍ତୋଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବା ପାଇଁ ସଶକ୍ତ କରିବା।

Advertisment

ନୀରଜ ଚୋପ୍ରା

ପୁରୁଷ ଜାଭେଲିନ୍ ଥ୍ରୋରେ ବର୍ତ୍ତମାନର
ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିଅନ