ନବକୃଷ୍ଣ ଚୌଧୁରୀଙ୍କୁ ଏବର ପିଢ଼ିର ଅଧିକାଂଶ ଜାଣନ୍ତି ନାହିଁ। କିଛି ଲୋକ କହିବେ ‘ସେ ଥିଲେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ’। ଏଭଳି ପରିଚୟକୁ ସେ ଅପସନ୍ଦ କରୁଥିଲେ- କହୁଥିଲେ ମୋର କ’ଣ ଅନ୍ୟ କିିଛି ପରିଚୟ ନାହିଁ?
ନବକୃଷ୍ଣ ଚୌଧୁରୀ ଥିଲେ ବହୁ ଦିଗରୁ ଅନନ୍ୟ। କିନ୍ତୁ ଯେଉଁ ବିଶିଷ୍ଟତା ପାଇଁ ତାଙ୍କୁ ଲୋକେ ମନେ ରଖିବେ, ତାହା ହେଲା, କ୍ଷମତା ପାଇଁ ତାଙ୍କର ଅନାସକ୍ତି ଏବଂ ନୀତିନିଷ୍ଠ ରାଜନୀତି। ତାଙ୍କର ସହକର୍ମୀ ତଥା ସମାଲୋଚକ ହରେକୃଷ୍ଣ ମହତାବ କହୁଥିଲେ ଯେ ସେ ଥିଲେ ଏକ ସମୟରେ ଓଡ଼ିଶା କଂଗ୍ରେସ ଦଳର ମୁଖ୍ୟ ଅଧିନାୟକ। ୧୯୩୭ ନିର୍ବାଚନରେ ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସଂଖ୍ୟାଧିକ ଆସନ ଲାଭ କରିଥିଲା। ସେ ଚାହିଁଥିଲେ ସେ ଥର ମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ସେ ନିଜେ ମନ୍ତ୍ରୀ ହେଲେ ନାହିଁ କିନ୍ତୁ ତାଙ୍କ ସୁପାରିସରେ ନିତ୍ୟାନନ୍ଦ କାନୁନଗୋ ତିନିଜଣିଆ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ହୋଇପାରିଥିଲେ। ଏହା ପରେ କଂଗ୍ରେସ ଦଳରୁ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ରଙ୍କ ଭଳି ତୁଙ୍ଗ ନେତା ଅଲଗା ହୋଇଥିବା କାଳରେ ୧୯୪୬ ମସିହା ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ସେ ଦଳର ନେତା ହେବା ପାଇଁ ଆଗ୍ରହ ପ୍ରକାଶ ନ କରି ହରେକୃଷ୍ଣ ମହତାବଙ୍କୁ ଦଳର ନେତୃତ୍ୱ ନେବା ଲାଗି ଘୋଷଣା କରିଥିଲେ।
ରାଜ୍ୟରେ ଛଅ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଭିତରେ କଂଗ୍ରେସ ଦଳ ଚାରିଟି ଉପ-ନିର୍ବାଚନରେ ହାରିଯିବାରୁ ସେ କଂଗ୍ରେସ ଦଳ ବିରୋଧୀ ଭାବରେ ରହି ଲୋକଙ୍କ ମନ ଜିଣିବା ପାଇଁ କାମ କରିବା ଲାଗି ମତ ପ୍ରକାଶ କରିଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ବହୁ ଲୋକାଭିମୁଖୀ ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ସେ ସବୁ ଆଇନ କାର୍ଯ୍ୟକାରୀ କରାଇବା ଲାଗି ଦଳ ମଧ୍ୟରେ ଆଗ୍ରହ ଦେଖା ନଯିବାରୁ ସେ ଇସ୍ତଫା ଦେଇଥିଲେ। କ୍ଷମତା ତାଙ୍କ ଲାଗି ମୁଣ୍ଡ ମୁକୁଟ ଭଳି ନ ହୋଇ, ହୋଇଥିଲା ପାଦର ଚପଲ ପରି; ଯାହାର ତଳି ଘୋରି ହୋଇ ଅକାମି ହୋଇଗଲେ ତାକୁ ଫିଙ୍ଗି ଦିଆଯାଏ।
ସେ ଶାସନରେ ଥିଲା ବେଳେ ଗାନ୍ଧୀଜୀଙ୍କ ମୌଳିକ ବିଚାରକୁ କାର୍ଯ୍ୟକାରୀ କରିବା ଲାଗି ସର୍ବଦା ଚେଷ୍ଟା କରୁଥିଲେ। ଗାନ୍ଧୀଜୀ କହୁଥିଲେ କୌଣସି କାମ କରିବା ବେଳେ ସେ କାମଟି ସମାଜର ସବୁଠାରୁ ଅଧିକ ଗରିବ ଲୋକଙ୍କ ମଙ୍ଗଳ କରୁଛି କି ନାହିଁ, ତା’ ଉପରେ ଲକ୍ଷ୍ୟ ରହିବା ଦରକାର। ନବକୃଷ୍ଣ ଚୌଧୁରୀ ସମାଜବାଦୀ ଧାରାରେ ବହୁ ଯୁଗାନ୍ତକାରୀ ଆଇନ ପ୍ରଣୟନ କରାଇଥିଲେ। କିନ୍ତୁ କଂଗ୍ରେସ ଦଳରେ ସେବା ମନୋବୃତ୍ତି ବଦଳେର ଭୋଗ ମନୋଭାବ ଓ ଦୁର୍ନୀତି ପଶିବାରୁ ଦଳର ନେତାମାନେ ନବକୃଷ୍ଣ ଚୌଧୁରୀଙ୍କ ଲୋକାଭିମୁଖୀ ଆଇନ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ ତ କଲେ ନାହିଁ; ତାଙ୍କୁ ହଟାଇ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ ହେବା ଦିଗରେ ଉଦ୍ୟମ କଲେ। ତ୍ୟାଗୀ ନବକୃଷ୍ଣ ଚୌଧୁରୀଙ୍କ ଲାଗି କ୍ଷମତା ଛାଡ଼ିବାର ବାଟ ଫିଟିଯାଇଥିଲା।
ପ୍ରଧାନମନ୍ତ୍ରୀ ନେହେରୁଙ୍କର ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିଲା। ନବକୃଷ୍ଣ ଚୌଧୁରୀ ଖାଲି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନାହିଁ; କଂଗ୍ରେସ ଦଳରୁ ଇସ୍ତଫା ଦେଇ ଦଳୀୟ ରାଜନୀତି ପରିତ୍ୟାଗ କଲେ। ସେ ଚାହିଁଥିଲେ କେନ୍ଦ୍ର ସରକାରରେ ମନ୍ତ୍ରୀ ବା ରାଜ୍ୟପାଳ ହୋଇପାରିଥାନ୍ତେ। କିନ୍ତୁ ରାଜନୈତିକ କ୍ଷମତା ବଳରେ ଗରିବ ଲୋକଙ୍କ ଲାଗି ମଙ୍ଗଳକାରୀ କାର୍ଯ୍ୟ ହୋଇ ପାରୁ ନଥିବାରୁ ସେ ସବୁ ପ୍ରକାର କ୍ଷମତା ଠାରୁ ଦୂରେଇ ଯାଇଥିଲେ। ତାଙ୍କ ଇସ୍ତଫା ପରେ ଜବାହରଲାଲ ନେହରୁ ଯେଉଁ ହାତ ଲେଖା ଚିଠିଟି ତାଙ୍କ ପାଖକୁ ପଠାଇଥିଲେ ତାହା ଥିଲା ଅତି ତାତ୍ପର୍ଯ୍ୟପୂର୍ଣ୍ଣ।
ନୂଆଦିଲ୍ଲୀରୁ ୧୧ ଅକ୍ଟୋବର ୧୯୫୬ ମସିହାରେ ନେହରୁ ପ୍ରିୟ ନବକୃଷ୍ଣ ବୋଲି ସଂବୋଧନ କରି ଲେଖିଥିଲେ- ତୁମେ ତା’ହେଲେ ସକ୍ରିୟ ରାଜନୀତି ଛାଡ଼ି ଏଥର ପୂରା ସମୟ ରଚନାତ୍ମକ କାମରେ ଯୋଗ ଦେବା ପାଇଁ ଚାଲିଲ! ଯାହା ସବୁ ଘଟିଗଲା, ସେଥିପାଇଁ ମୁଁ ଖୁବ୍ ଦୁଃଖିତ। ଯାହା ଘଟିଲା, ସେଥିଲାଗି ଯେତେ ଦୁଃଖିତ ନୁହେଁ, ଯେପରି ଭାବରେ ଘଟିଲା, ତା’ ପାଇଁ ଅଧିକ ଦୁଃଖିତ। ବୋଧହୁଏ ତୁମେ ଠିକ୍ ନିଷ୍ପତ୍ତି ନେଇଛ- ମୁଁ ଜାଣେନା। ରଚନାତ୍ମକ କାର୍ଯ୍ୟର ମହତ୍ତ୍ୱ ନିଃସନ୍ଦେହ ରୂପେ ଅଧିକ। ସେ ସବୁ ପ୍ରତ୍ୟେକ କାମର ମୌଳିକ ଆଧାର। ମାତ୍ର ମୋ’ର ଆଶଙ୍କା ଯେ ଆମର ରଚନାତ୍ମକ କର୍ମୀମାନେ ମାନସିକ ଅବସାଦରେ ବୁଡ଼ି ରହିଛନ୍ତି। ଏପରିକି ଜୟପ୍ରକାଶ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେଣି। କଂଗ୍ରେସ ଉପରେ ରାଗିରାଗି ତାଙ୍କର ଶକ୍ତି ନଷ୍ଟ ହୋଇଯାଉଛି। ତାଙ୍କର ଆଉ କିଛି କାମ ଥିଲା ପରି ମନେ ହେଉନାହିଁ। ଭୂଦାନ ଆନ୍ଦୋଳନ ବହୁସଂଖ୍ୟକ ଦରମାପ୍ରାପ୍ତ କର୍ମୀଙ୍କୁ ନେଇ ଚାଲିଛି; ଯେଉଁମାନେ କି ଆଦର୍ଶବାଦର ଦାଢ଼କୁ ଦନ୍ଥରା କରି ନିଜେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀରେ ପରିଣତ ହୋଇଛନ୍ତି। ଚିନ୍ତା କରିବାର ଶକ୍ତି କମିକମି ଯାଉଛି ଓ ଆମେ ସମସ୍ତେ ଊଣାଅଧିକେ ଆମ ନିଜ ନିଜର ସଂକୀର୍ଣ୍ଣ ମାନସିକ ଖାଇ ଭିତରେ ଚାଲିଛୁ। ତୁମେ ଥିଲ ଅଳ୍ପ କେତେକଙ୍କ ମଧ୍ୟରୁ ଜଣେ, ଯେ କି ସେହି ଖାଇ ଭିତରୁ ବାହାରି ଆସି ଆମ ଆଗରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଣ୍ଡ ଖେଳାଉଥିଲ। ସେ ସୁଯୋଗରୁ କ’ଣ ଆମେମାନେ ଏଣିକି ବଞ୍ଚିତ ହେବୁ? ନିରାଶ କରାଇବ ନାହିଁ, ଆଶା। ଦୁନିଆ, ବିଶେଷ କରି ଆମର ଛୋଟ ଦୁନିଆ, ଭାରତବର୍ଷଟି ଦିନକୁ ଦିନ ଜଟିଳ ହୋଇଚାଲିଛି, ଯାହାର କଳନା ବି କରି ହେଉ ନାହିଁ। ଆମେ ଆମ ଧରାବନ୍ଧା ଚିନ୍ତାଧାରା ଭିତରେ ପଡ଼ି ରହିଥିବା ବେଳେ ଦୁନିଆଟା ଆମ ଚାରିପଟେ ବଦଳି ଚାଲିଛି। ପରିବର୍ତ୍ତନର ଏଇ ନିରବଚ୍ଛିନ୍ନ ଧାରାଟିକୁ ମୁଁ ବୁଝୁଛି। ମନ ହେଉଛି, ସତେ ଯେମିତି ମୁଁ ପଛରେ ପଡ଼ିଯାଉଛି ଓ ସେଇଥି ପାଇଁ ପଡ଼ିଉଠି ସେହି ପରିବର୍ତ୍ତନ ସହ ତାଳ ଦେଇ ଆଗେଇବାକୁ ଚେଷ୍ଟା କରୁଛି। ଜନ୍ ଷ୍ଟ୍ରାଚି ଲେଖିଥିବା ‘କଣ୍ଟେମ୍ପରାରି କ୍ୟାପିଟାଲିଜିମ୍’ ବହିଟି ତୁମେ ଦେଖିଲଣି କି? ଭଲ ବହିଟିଏ। ନିଜର ଖୋଳପା ଭିତରକୁ ନିଜକୁ ନେଇଯାଅନି। ମୁଁ ଏ କଥା ଲେଖୁଚି; କାରଣ, ମୁଁ ଜାଣେ ଯେ ତୁମେ ଜଣେ ଖୁବ୍ ସମ୍ବେଦନଶୀଳ ଲୋକ ଓ ସେଇଥି ଯୋଗୁଁ ଖୋଳପା ଭିତରେ ପଶିଯିବା ଲାଗି ଏକ ପ୍ରବଣତା ତୁମ ଭିତରେ ଦେଖା ଦେଇପାରେ! ଊଣାଅଧିକେ ଆମ ସମସ୍ତଙ୍କର ସେପରି ହୋଇଯିବାର ପ୍ରବଣତା ରହିଛି। ମାତ୍ର ତାହା କରିବାଟା ସେତେ ଭଲ ନୁହେଁ।
ମୋର ସ୍ନେହ, ଶୁଭେଚ୍ଛା ଓ ବନ୍ଧୁତା ତମ ପ୍ରତି ରହିଛି- ଆଶା, ଏ କଥା ମନେ-ରଖିବ।’
ଏହା ଶେଷରେ ରହିଥିଲା ଜବାହରଲାଲ ନେହରୁଙ୍କ ସଶ୍ରଦ୍ଧ ସ୍ବାକ୍ଷର।
ନବକୃଷ୍ଣ ସ୍ୱଇଚ୍ଛାରେ କ୍ଷମତା ରାଜନୀତିରୁ ଦୂରେଇ ରହିବା ବେଳକୁ ବ୍ରହ୍ମଦେଶର (ମ୍ୟାମାର) ରାଷ୍ଟ୍ରପତି ଉନୁ ସ୍ୱଇଚ୍ଛାରେ ପଦରୁ ଇସ୍ତଫା ଦେଇଥିଲେ। ଏହା ଥିଲା ସମଗ୍ର ବିଶ୍ୱ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଖବର; ଯାହାକୁ ଲକ୍ଷ୍ୟ କରି ଇଂଲାଣ୍ଡର ଏକ ବିଖ୍ୟାତ ସମ୍ବାଦପତ୍ର ଲେଖିଥିଲା-‘ଟୁ ୱାଇଜ୍ ମେନ୍ ଅଫ୍ ଦି ଇଷ୍ଟ’ ଅର୍ଥାତ୍ ‘ପ୍ରାଚ୍ୟର ଦୁଇ ପ୍ରାଜ୍ଞ’। ଏହାର କିଛି କାଳ ପରେ ବିଦେଶରୁ ଭାରତ ଆସିଥିବା କେତେକ ବିଶିଷ୍ଟ ବ୍ୟକ୍ତି ନବକୃଷ୍ଣ ଚୌଧୁରୀଙ୍କ ଭଳି ବିଜ୍ଞ ଲୋକଙ୍କୁ ଦେଖିବାକୁ ଅନୁଗୋଳ ଆସିଥିଲେ। କିନ୍ତୁ ନବ ବାବୁ ମାଳ ଅଞ୍ଚଳରେ ଥିବାରୁ ସେମାନେ ତିନି ଦିନ ଅପେକ୍ଷା କରି ଶେଷରେ ଫେରି ଯାଇଥିଲେ। ଏଭଳି ଜଣେ ଜନନାୟକଙ୍କୁ ଇତିହାସ ବହୁ କାଳ ପାଇଁ ମନେ ରଖିବ।
(ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉପଲକ୍ଷେ)
ମୋ: ୯୯୩୮୮୯୩୪୪୫
ନବକୃଷ୍ଣ ଚୌଧୁରୀ; ପ୍ରାଚ୍ୟର ପ୍ରାଜ୍ଞ
ପଦ୍ମଚରଣ ନାୟକ
/sambad/media/post_attachments/wp-content/uploads/2023/03/nabakrushna-choudhury.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)