ଯେପରି ଆଇନା ମିଛ କହେନାହିଁ, ସେହିପରି କ୍ୟାମେରା ମଧ୍ୟ ମିଛ କହେନାହିଁ। ଆମେ ଏହି ଏହିପରି ଢଙ୍ଗରେ ବୁଝିପାରିବା ଯେ ସତ ହେଉଛି ପ୍ରାକୃତିକ; ମିଛ ଗଢ଼ିବାକୁ ପଡ଼ିଥାଏ- ସୌନ୍ଦର୍ଯ୍ୟ ପ୍ରସାଧନ ବୋଳି ଅଥବା ମଣିଷର ଖଳ ସ୍ବାର୍ଥପର ମସ୍ତିଷ୍କ ଜରିଆରେ! ଗୋଆରେ ଆୟୋଜିତ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଅନ୍ତିମ ଦିନ ତାହାର ଜୁରି ଅଧ୍ୟକ୍ଷ ତଥା ଇସ୍ରାଏଲୀ ଚିତ୍ରନିର୍ମାତା ନଦାବ ଲାପିଡ୍ ଏହି କଥା କହିଥିଲେ, ଏଥିରୁ କିଛି କମ୍ ନୁହେଁ କି ଅଧିକ ନୁହେଁ! ତା’ପରେ ଏଠି ଗର୍ହିତ ରାଜନୀତିର ଯେଉଁ ବିବାଦ ବିସ୍ଫୋଟିତ ହେଲା, ତାହା ମଧ୍ୟ ଏହି ସତ୍ୟକୁ ଆହୁରି ମଜଭୁତ କଲା ଯେ ସତ୍ୟର ବୃଦ୍ଧି ବା ହ୍ରାସ ଘଟିଲେ ତାହା ସତ୍ୟ ହୋଇ ରହେନାହିଁ ଆଉ ମିଛର କୌଣସି ଅନ୍ତ ନାହିଁ।
ଇତିହାସ ସୃଷ୍ଟି କରିବା ହେଉଛି ମାନବୀୟ ସାହସର ଚରମ ଉପଲବ୍ଧି; ଇତିହାସକୁ ବିକୃତ କରିବା ହେଉଛି ମାନବୀୟ ମାନସିକ ବିକୃତିର ଚରମ ସୋପାନ। ଦୁଇଟି ଯାକ ଶକ୍ତି ଏକାସଙ୍ଗରେ କାମ କରୁଥିବା ଆମେ ଦେଖୁ। ମାନବୀୟ ଓ ସାମାଜିକ ଜୀବନରେ କଳାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ହେଲା ଏ ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ଓ ବୁଝାଇବା। ଯେଉଁ କଳା ତାହା କରିପାରେନାହିଁ, ତାହା କଳା ନୁହେଁ ଆବର୍ଜନା। ସେଥିପାଇଁ ପିକାସୋ ‘ଗୁଏର୍ଣ୍ଣିକା’ ସୃଷ୍ଟି କରିଛନ୍ତି ତ ଚାର୍ଲି ଚାପ୍ଲିନ୍ ‘ଦି ଗ୍ରେଟ୍ ଡିକ୍ଟେଟର୍’ ନିର୍ମାଣ କରିଛନ୍ତି ଏବଂ ଆଟେନବରୋ ‘ଗାନ୍ଧୀ’ ଦେଖାଇଛନ୍ତି। ଅଗଣିତ କଳାକୃତି ଓ ଚଳଚ୍ଚିତ୍ର ଭିତରେ ସେମାନେ କାହିଁକି ନିଜ ପାଇଁ ଭିନ୍ନ ତଥା ଅମର ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି? କାରଣ ଏହି ଫିଲ୍ମଗୁଡ଼ିକ ଯୁଦ୍ଧର ଖଳ ସଂସ୍କୃତି, ବିଷାକ୍ତ ମନର ଜଟିଳତା ଏବଂ ମାନବିକ ସମ୍ଭାବନାର ଅସୀମତାକୁ ବୁଝାଇବାରେ ସହାୟକ ହୋଇଥାଏ। ତେଣୁ କଳାର ଏକ ସରଳ ପରିଭାଷା ହେଲା, ଯାହା ମନକୁ ଉନ୍ମୁକ୍ତ ଓ ଉଦାର କରେନାହିଁ, ତାହା କଳା ନୁହେଁ।
ଅପରପକ୍ଷେ, କଳାକୁ ନଷ୍ଟ କରିବା ପାଇଁ ମଧ୍ୟ କିଛି ଶକ୍ତି ଏପରି କାମ କରି ଚାଲିଛନ୍ତି ଯେ ସତ୍ୟ ଓ ମିଥ୍ୟା ଭିତରେ, ଭଲ ଓ ମନ୍ଦ ଭିତରେ ଏବଂ ମଳିନତା ଓ ମହନୀୟତା ଭିତରେ ଥିବା ପାର୍ଥକ୍ୟ ଲୋକଲୋଚନକୁ ନ ଆସିବ, ଯଦ୍ଦ୍ବାରା ସେମାନେ ଅଦରକାରୀ ହୋଇଯିବେ। ବିବେକ ଦୃଷ୍ଟିରୁ ଗୋଆ ଫିଲ୍ମ ମହୋତ୍ସବରେ ଗଠିତ ବିଚାରକମଣ୍ଡଳୀଙ୍କୁ ୧୪ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଦେଖିବା ସହ ତାହାର ମୂଲ୍ୟାଙ୍କନ କରିବାକୁ ଥିଲା। ଲାପିଡ୍ ଏହି ବିଚାରକମଣ୍ଡଳୀର ଅଧ୍ୟକ୍ଷ ଥିଲେ। ବିଚାରକମଣ୍ଡଳୀରେ ସାମିଲ ହେବା ବା ଏହାର ଅଧ୍ୟକ୍ଷ ଭାବେ ମନୋନୀତ ହେବାଟା ଠିକ୍ ଥିଲା ନା ଭୁଲ୍, ତାହାର ଉତ୍ତର ତ ସେମାନଙ୍କୁ ଦେବାକୁ ହେବ, ଯେଉଁମାନେ ସେ ନିଷ୍ପତ୍ତି ନେଇଥିଲେ। ମାତ୍ର ୫ ସଦସ୍ୟ ବିଶିଷ୍ଟ ବିଚାରକମଣ୍ଡଳୀର ଯଦି ଗୋଟିଏ ରାୟ ହେଲା କି ‘କାଶ୍ମୀର ଫାଇଲ୍ସ’ କୌଣସି ସମ୍ମାନର ଅଧିକାରୀ ନୁହେଁ, ତେବେ କୌଣସି ସ୍ତରରେ ବା କୌଣସି ପ୍ରକାରର ଆପତ୍ତି କରିବା କେବଳ ଅନୈତିକ ନୁହେଁ, ତାହା କଳୁଷିତ ରାଜନୀତି ପଦବାଚ୍ୟ ମଧ୍ୟ, ଯାହା ଏବେ ଆମ ଦେଶରେ ଚାଲୁ ରହିଛି।
ବିଚାରକମଣ୍ଡଳୀର ଅଧ୍ୟକ୍ଷ ହିସାବରେ ଲାପିଡ୍ ଯେବେ ମହୋତ୍ସବ ମଞ୍ଚରେ ‘କାଶ୍ମୀର ଫାଇଲ୍ସ’କୁ ଅଶ୍ଳୀଳ କୋଳାହଳ (ଭଲ୍ଗାର ପ୍ରୋପାଗଣ୍ଡା) ବୋଲି କହିଲେ, ସେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ରଖିନଥିଲେ, ବରଂ ବିଚାରକମଣ୍ଡଳୀର ଭାବନାକୁ ପ୍ରକାଶ କରିଥିଲେ। ବିଚାରକମଣ୍ଡଳୀର ବାକି ତିନି ଜଣ ବିଦେଶୀ ସଦସ୍ୟ ଲାପିଡ୍ଙ୍କୁ ସମର୍ଥନ କରିଛନ୍ତି। ଭାରତୀୟ ସଦସ୍ୟ ସୁଦୀପ୍ତ ସେନ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ତାହା ପ୍ରସଙ୍ଗକୁ ଠିକଣା ଭାବେ ଉପସ୍ଥାପିତ କରିଛି: “ଏକଥା ସତ ଯେ ଆମେ ଫିଲ୍ମଟିକୁ କଳାର କଷଟିରେ ଖାରଜ କରିଦେଇଛୁ। ମାତ୍ର ତାହା କଳାତ୍ମକ ନଥିଲା ବୋଲି ଅଧ୍ୟକ୍ଷଙ୍କ ବକ୍ତବ୍ୟ ନେଇ ମୋର ଆପତ୍ତି ରହିଛି। ‘ଭଲ୍ଗାର’ ଓ ‘ପ୍ରୋପାଗଣ୍ଡା’ କେବେ କଳାତ୍ମକ ଅଭିବ୍ୟକ୍ତିର ଶବ୍ଦ ହୋଇନପାରେ।’’ ଏହା ସ୍ପଷ୍ଟ ଯେ ‘କାଶ୍ମୀର ଫାଇଲ୍ସ’ କୌଣସି ମତେ କଳା ସହ ଜଡ଼ିତ ନୁହେଁ, ଏଥିରେ ବିଚାରକମଣ୍ଡଳୀ ଏକମତ ଥିଲେ। ଏହାର କାରଣ ଦର୍ଶାଇବା ଲାଗି ଲାପିଡ୍ ସବୁଠୁ ଅଣରାଜନୈତିକ ସ୍ପଷ୍ଟୀକରଣ ଦେଇଥିଲେ। ସେ ଏହା ସ୍ପଷ୍ଟ କରିଦେବା ଠିକ୍ ଥିଲା ଯେ ସେମାନେ କାହିଁକି ୧୩ଟି ଫିଲ୍ମକୁ ବାଛିଲେ ଏବଂ ଚତୁର୍ଦ୍ଦଶ ଫିଲ୍ମଟିକୁ ଫିଲ୍ମ ବୋଲି ସୁଦ୍ଧା ଗ୍ରହଣ କରିନଥିଲେ। ଅଧ୍ୟକ୍ଷ ହିସାବରେ ତାହା କହିବା ଲାପିଡ୍ଙ୍କର କର୍ତ୍ତବ୍ୟ ଥିଲା। ଯେଉଁ ଭାଷାରେ ଲାପିଡ୍ ତାହା କହିଲେ, ତାହା କୌଣସି ମତେ ରାଜନୈତିକ ନ ଥିଲା କି ଅନୁଚିତ ବା ଅଶୋଭନୀୟ ନ ଥିଲା କିମ୍ବା କଳାର ଭୂମିକାକୁ କଳଙ୍କିତ କରିନଥିଲା।
ଆମ ଦେଶରେ କଳା-ସାହିତ୍ୟ-ସାମ୍ବାଦିକତାର ଆକାଶ ଆଜିକାଲି ଏଭଳି ଭାବରେ ଭୀରୁ ତଥା କଳୁଷିତ ହୋଇପଡ଼ିଛି ଯେ ସେଠି କଳା ଓ ସତ୍ୟର ସ୍ଥାନ ନାହିଁ। ବିଚାରକମଣ୍ଡଳୀର ବିଦେଶୀ ସଦସ୍ୟମାନେ ତାହା ଠିକ୍ ବୁଝିପାରିଛନ୍ତି: ‘ଆମେ ଲାପିଡ୍ଙ୍କ ବକ୍ତବ୍ୟରେ ଏକମତ ଏବଂ ଏକଥା ସ୍ପଷ୍ଟ କରିଦେବାକୁ ଚାହୁଁ କି ଆମେ ଏହି ଫିଲ୍ମର ବିଷୟବସ୍ତୁ ବାବଦରେ ନିଜର କୌଣସି ରାଜନୈତିକ ଦୃଷ୍ଟିକୋଣ ରଖିନାହୁଁ। ଆମେ କେବଳ କଳା ସନ୍ଦର୍ଭରେ ଆଲୋଚନା କରୁଥିଲୁ ଏବଂ ମହୋତ୍ସବର ମଞ୍ଚକୁ ନିଜର ରାଜନୀତି ତଥା ଲାପିଡ୍ଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ପାଇଁ ଯେଭଳି ବ୍ୟବହାର କରାଯାଉଛି, ଆମେ ସେଥିପାଇଁ ଦୁଃଖିତ। ଆମ ବିଚାରକମଣ୍ଡଳୀର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା।’
ଯେତେବେଳେ ନଦାବଙ୍କୁ ପଚରାଗଲା କି ଯେଉଁ ଫିଲ୍ମକୁ ବିଚାରକମଣ୍ଡଳୀ କୌଣସି ସମ୍ମାନ ପାଇଁ ଯୋଗ୍ୟ ନୁହେଁ ବୋଲି ମାନିଲେ, ଆପଣ ସେହି ଫିଲ୍ମ ଉପରେ ଟିପ୍ପଣୀ କରିବାକୁ ଚାହିଁଲେ କାହିଁକି, ସେ ଅତି ସାଧୁତାର ସହ ନିଜ ଉତ୍ତର ରଖିଥିଲେ। ଏହା କହିବା ବାହୁଲ୍ୟ ଯେ ସାଧୁତା ଠାରୁ ଅଧିକ ସୁନ୍ଦର କଳାତ୍ମକ ଅଭିବ୍ୟକ୍ତି ନାହିଁ। ନଦାବ କହିଥିଲେ, ‘ହଁ, ଆପଣ ଠିକ୍ କହୁଛନ୍ତି, ବିଚାରକମଣ୍ଡଳୀ ସ୍ବାଭାବିକ ଭାବରେ ଏପରି କରେନାହିଁ। ଫିଲ୍ମଗୁଡ଼ିକୁ ସଂପୂର୍ଣ୍ଣ ଦେଖିସାରିଲା ପରେ ଭଲମନ୍ଦ ବିଚାର କରି ବିଜେତା ଚୟନ କରିବା ସେମାନଙ୍କ ଠାରୁ ଆଶା କରାଯାଏ। ମାତ୍ର ଏହି ଅବସରରେ ଏକ ମୌଳିକ ସାବଧାନତା ଅବଲମ୍ବନ କରିବା ଉଚିତ କି ‘କାଶ୍ମୀର ଫାଇଲ୍ସ’ ପରି ଫିଲ୍ମ ମହୋତ୍ସବର ପ୍ରତିଯୋଗିତା ବିଭାଗରେ ସ୍ଥାନ ନପାଉ। ବର୍ଲିନ୍, କାନ୍, ଲୋକାର୍ନୋ ଓ ଭେନିସ୍ ଆଦି ଡଜନେରୁ ଅଧିକ ମହୋତ୍ସବରେ ମୁଁ ବିଚାରକମଣ୍ଡଳୀର ସଦସ୍ୟ ରହି ଆସିଛି। କୌଣସିଟିରେ ବି କେବେ ‘କାଶ୍ମୀର ଫାଇଲ୍ସ’ ପରି ଫିଲ୍ମ ଦେଖିନାହିଁ। ଯେବେ ଆପଣ ବିଚାରକମଣ୍ଡଳୀ ଉପରେ ଏଭଳି ଫିଲ୍ମ ଦେଖିବାର ବୋଝ ଲଦୁଛନ୍ତି, ତେବେ ଆପଣଙ୍କୁ ଏଭଳି ଅଭିବ୍ୟକ୍ତି ପାଇଁ ପ୍ରସ୍ତୁତ ରହିବା ଦରକାର।’
ଏହା ହିଁ ପୂରା ଖେଳ ଥିଲା। ଏହା ସରକାରୀ ନିର୍ଦ୍ଦେଶ ଥିଲା ନା ଆୟୋଜକମାନଙ୍କ ଗୁରୁଭକ୍ତିର ନଗ୍ନ ପ୍ରଦର୍ଶନ ଥିଲା, ସେକଥା ତ ସେମାନେ ଜାଣନ୍ତି, ମାତ୍ର ଛଳନାପୂର୍ବକ ଏକ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ସରକାରୀ ସମର୍ଥନପ୍ରାପ୍ତ ଚଳଚ୍ଚିତ୍ରଟିକୁ ଦେଖାଇବା ଏକ ଚାଲ୍ ଥିଲା।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ