ନାଦିଆ ନଦିମକୁ ଯେତେବେଳେ ମାତ୍ର ଆଠ ବର୍ଷ ବୟସ, ତାଲିବାନ ସମର୍ଥକମାନେ ଆଫଗାନିସ୍ତାନର ହେରାଟ ସହରରେ ଥିବା ତାଙ୍କ ଘରୁ ତାଙ୍କ ବାପାଙ୍କୁ ଉଠାଇ ନେଇ ହତ୍ୟା କଲେ। ନାଦିଆଙ୍କ ପିତା ଥିଲେ ଆଫଗାନ ରାଷ୍ଟ୍ରୀୟ ସେନାବାହିନୀର ଜଣେ କମାଣ୍ଡର। ଏହା ପରେ ୨୦୦୦ ମସିହାରେ ସେ ତାଙ୍କ ମା’ ଓ ପରିବାର ସହିତ ଜନ୍ମମାଟି ଛାଡ଼ି ଇଟାଲୀକୁ ପଳାୟନ କଲେ। ପରିଶେଷରେ ଡେନ୍ମାର୍କର ଏକ ଶରଣାର୍ଥୀ ଶିବିରରେ ସେମାନଙ୍କୁ ଆଶ୍ରୟ ମିଳିଲା। ଦିନେ ଶିବିର ନିକଟରେ ଥିବା ପଡ଼ିଆରେ ଶରଣାର୍ଥୀ ପରିବାରର ପିଲାମାନଙ୍କ ସହିତ ମିଶି ଫୁଟ୍ବଲ୍ ଖେଳୁଥିବା ବେଳେ ନାଦିଆଙ୍କ ଦକ୍ଷତାକୁ ବାରି ପାରନ୍ତି ଜଣେ ପ୍ରତିଭା ଚିହ୍ନରା, ଯିଏ ଥାଆନ୍ତି ଗୋଟିଏ ପେସାଦାର ଫୁଟ୍ବଲ୍ କ୍ଲବ୍ରେ କୋଚ୍। ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ନାଦିଆ ନଦିମ ଏଭଳି ଚମତ୍କାର କ୍ରୀଡ଼ା ପ୍ରଦର୍ଶନ କରନ୍ତି ଯେ ଅବିଳମ୍ବେ ସେ ଡେନମାର୍କ ଜାତୀୟ ଦଳର ଅଂଶ ହୋଇଯାଆନ୍ତି। ନାଦିମଙ୍କ କ୍ରୀଡ଼ାନୈପୁଣ୍ୟ କାରଣରୁ ଡେନ୍ମାର୍କର ମହିଳା ଫୁଟ୍ବଲ୍ ଦଳ ୟୁରୋପିଆନ କପ୍ ଟୁର୍ନାମେଣ୍ଟରେ ପ୍ରବେଶ କରି ପାରନ୍ତି। ବର୍ତ୍ତମାନ ନଦିମ ପୃଥିବୀ ପ୍ରସିଦ୍ଧ ଏ.ସି. ମିଲାନ କ୍ଲବ୍ ସହିତ ଚୁକ୍ତିବଦ୍ଧ।
ଯୁଦ୍ଧ, ଗୃହଯୁଦ୍ଧ ଓ ଆତଙ୍କବାଦ ଭଳି କାରଣରୁ ସଂପ୍ରତି ଶରଣାର୍ଥୀମାନଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି। ଏହି ଶରଣାର୍ଥୀଙ୍କ ମଧ୍ୟରେ ଅନେକ ଏଭଳି ପ୍ରତିଭା ଅଛନ୍ତି, ଯେଉଁମାନେ ଲୋକଲୋଚନକୁ ନ ଆସିପାରି ମଉଳି ଯାଉଛନ୍ତି। ହୁଏତ ସେମାନେ ସୁଯୋଗ ପାଇଥିଲେ ବିଚକ୍ଷଣ ବୈଜ୍ଞାନିକ ବା କଳାକାର ବା ଖେଳାଳି ଆଦି ହୋଇପାରିଥାନ୍ତେ। ଏହି ଆଲେଖ୍ୟରେ କେତେକ ମହିଳା ଶରଣାର୍ଥୀଙ୍କ ଉପରେ ଆଲୋକପାତ କରାଯାଉ। ୨୦୧୬ ମସିହାରେ ଆର୍ନ୍ତଜାତିକ ଅଲିମ୍ପିକ୍ ସଂଘର ସଭାପତି ଥୋମାସ୍ ବାଚ୍ ଅଲିମ୍ପିକ୍ ପ୍ରତିଯୋଗିତାରେ ସ୍ବତନ୍ତ୍ର ଭାବେ ଶରଣାର୍ଥୀମାନେ ଭାଗ ନିଅନ୍ତୁ ବୋଲି ଏକ ଶରଣାର୍ଥୀ ଦଳର ପରିକଳ୍ପନା କରିଥିଲେ। ସେହି ବର୍ଷ ବ୍ରାଜିଲ ଅଲିମ୍ପିକ୍ରେ ୧୦ ଜଣ ଶରଣାର୍ଥୀ ଖେଳାଳି ଭାଗ ନେଇଥିଲେ, ଯହିଁରୁ ଚାରି ଜଣ ଥିଲେ ମହିଳା। ଶରଣାର୍ଥୀ ହୋଇଥିବାରୁ ସେମାନଙ୍କର କୌଣସି ଦେଶ ନ ଥିଲା। ତେଣୁ ସେମାନେ ରାଷ୍ଟ୍ରହରା ହତଭାଗ୍ୟଙ୍କ ଦଳେର ସାମିଲ ହୋଇ ଆପଣା ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।
ନଦିମଙ୍କ ଭଳି ଆଉ ଜଣେ ଆଫଗାନ ମହିଳା ଫୁଟ୍ବଲ୍ ଖେଳାଳି ହେଉଛନ୍ତି ଖଲିଦା ପୋପଲ। ଏହା ସମସ୍ତେ ଜାଣନ୍ତି ଯେ ତାଲିବାନମାନଙ୍କ ପ୍ରଥମ ଓ ଦ୍ବିତୀୟ ପାଳିର ଶାସନର ମଧ୍ୟବର୍ତ୍ତୀ ଦୁଇ ଦଶନ୍ଧି ଅବଧିରେ ଆଫଗାନିସ୍ତାନ ଏକ ମୁକ୍ତ ଗଣତନ୍ତ୍ର ଦେଖିଥିଲା। ସେହି ସମୟରେ ଆଫଗାନିସ୍ତାନରେ ମଧ୍ୟ ଏକ ମହିଳା ଫୁଟ୍ବଲ୍ ଦଳ ଗଢ଼ି ଉଠିଥିଲା। ୟୁରୋପରୁ ଉଚ୍ଚ ଶିକ୍ଷା ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଖଲିଦାଙ୍କ ଉଦ୍ୟମରେ ତଥା ଆଫଗାନିସ୍ତାନ ପ୍ରଶାସନର ସହଯୋଗରେ ଏହା ସମ୍ଭବ ହୋଇଥିଲା। କିନ୍ତୁ ଇସଲାମୀ ମୌଳବାଦୀମାନେ ମହିଳାଙ୍କ ଫୁଟ୍ବଲ୍ ଖେଳକୁ ବିରୋଧ କରୁଥିବାରୁ ଖଲିଦା ୨୦୧୧ ମସିହାରେ ମାତୃଭୂମି ପରିତ୍ୟାଗ କରି ଡେନ୍ମାର୍କରେ ଆଶ୍ରୟ ନେଲେ। ୨୦୨୦ ମସିହାରେ ତାଲିବାନର ଦ୍ବିତୀୟ ପାଳି ଶାସନ ଆରମ୍ଭ ହେବା ପରେ ସେଠାକାର ମହିଳା ଟିମ୍ ଭାଙ୍ଗିଗଲା ଏବଂ ଖେଳାଳିମାନେ ଦେଶ ଛାଡ଼ି ପଳାୟନ କଲେ। ଇତିମଧ୍ୟରେ ଆଣ୍ଠୁରେ ପାଇଥିବା ଆଘାତ ହେତୁ ଖଲିଦାଙ୍କ ଫୁଟ୍ବଲ୍ କ୍ୟାରିଅରରେ ଅନ୍ତ ଘଟିଥିଲା। କିନ୍ତୁ ସେ ଫୁଟ୍ବଲ୍ ସହିତ ସଂପର୍କ ଛିନ୍ନ କରି ନାହାନ୍ତି। ଉଚ୍ଚ ଶିକ୍ଷିତା ଖଲିଦା ଏବେ ସେହି ଉଦ୍ବାସ୍ତୁ ମହିଳା ଫୁଟ୍ବଲ୍ ଖେଳାଳିମାନଙ୍କ ଖେଳ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ କାର୍ଯ୍ୟରତ।
ଆଫ୍ରିକାର ବିଭିନ୍ନ ଦେଶ ଏବେ ଯୁଦ୍ଧ ଓ ଗୃହ ଯୁଦ୍ଧରେ ଲିପ୍ତ। ତେଣୁ ସେଠାରେ ଶରଣାର୍ଥୀ ସମସ୍ୟା ଅତି ଗୁରୁତର। ସୁଦାନର ରୋଜ ଲୋକନେନ ଏବେ କେନିଆରେ ଶରଣାର୍ଥୀ। ସେମିତି ଆଞ୍ଜେଲିନା ଲୋହାଲିଜ। ସେ ମଧ୍ୟ କେନିଆ ଆଶ୍ରିତ। ଉଭୟ ଯୁବତୀ ଦୀର୍ଘ ଦୂରତା ଦୌଡ଼ ସ୍ପର୍ଦ୍ଧାରେ ଶରଣାର୍ଥୀ ଦଳର ସଦସ୍ୟ ଭାବେ ଅଲିମ୍ପିକ୍ରେ ଅଂଶ ଗ୍ରହଣ କରିଛନ୍ତି। ସେମିତି ୟୋଲାଣ୍ଡେ ମାବିକା। ତାଙ୍କ ଜନ୍ମମାଟି ହେଲା କଙ୍ଗୋ, କିନ୍ତୁ ପରିବାର ସହିତ ସେ ବ୍ରାଜିଲରେ ଶରଣାର୍ଥୀ। ସେ ଜଣେ ଉଚ୍ଚକୋଟୀର ଜୁଡୋ ଖେଳାଳି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜନ୍ମଭୂମି ବିଚ୍ଛିନ୍ନ ଅେନକ ମହିଳା ଶରଣାର୍ଥୀ ଖେଳାଳି ଏବେ ଲୋକଲୋଚନକୁ ଆସିଲେଣି। ତାଇକ୍ବାଣ୍ଡୋ ଭଳି କ୍ରୀଡ଼ା ସ୍ପର୍ଦ୍ଧାରେ ଜର୍ମାନିରେ ବସବାସ କରୁଥିବା ଇରାନୀ ଶରଣାର୍ଥୀ କାମିଆ ହଲିଜାଦେ ଓ ନେଦରଲାଣ୍ଡରେ ଶରଣ ନେଇଥିବା ସେହି ଇରାନୀ ମହିଳା ଖେଳାଳି ଦିନ କୋରିନେଓ ହୁଅନ୍ତୁ ବା ବନ୍ଧୁକ ଚାଳନାରେ ଏରିଟ୍ରିଆ ଦେଶରୁ ବିସ୍ଥାପିତ ସୁଇଜରଲାଣ୍ଡରେ ଆଶ୍ରୟପ୍ରାପ୍ତ ଲୁନା ସୋଲମନ ହୁଅନ୍ତୁ ବା ଆଫଗାନିସ୍ତାନରେ ଜନ୍ମିତ ଏବଂ ରୁଷିଆରେ ଆଶ୍ରୟ ପ୍ରାପ୍ତ ଜୁଡୋ ଖେଳାଳି ନିଗାରା ସାହିନ ହୁଅନ୍ତୁ, ଏମାନେ ସମସ୍ତେ ହେଉଛନ୍ତି ପ୍ରତିକୂଳତାକୁ ଅତିକ୍ରମ କରି ସୁନାମ ଅର୍ଜନ କରିଥିବା କେତେକ ମହିଳା ଶରଣାର୍ଥୀ। ଏହି ତାଲିକା କିନ୍ତୁ ଲମ୍ବା ଏବଂ କ୍ରମବର୍ଦ୍ଧିଷ୍ଣୁ ଶରଣାର୍ଥୀ ସଂଖ୍ୟା ହେତୁ ତାହା ଆହୁରି ଦୀର୍ଘ ହେବା ସୁନିଶ୍ଚିତ।
ଏମାନେ ସମସ୍ତେ ମହିଳା ହୋଇଥିବାରୁ ପୁରୁଷଙ୍କ ତୁଳନାରେ ଅଧିକ ପ୍ରପୀଡ଼ିତ ହୋଇଛନ୍ତି। ଗୃହଯୁଦ୍ଧ ଓ ଯୁଦ୍ଧ ଭଳି ସ୍ଥିତିରେ ମହିଳାମାନେ ହିଁ ଅଧିକ ଶରବ୍ୟ ହୋଇଥାଆନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଆଶ୍ରୟ ପ୍ରଦାନ କରିଥିବା ରାଷ୍ଟ୍ରଗୁଡ଼ିକର ମୁକ୍ତ ବାତାବରଣ ଓ ପ୍ରୋତ୍ସାହନ ସେମାନଙ୍କ ପ୍ରତିଭାକୁ ଚମକାଇଛି ଏବଂ ସେମାନଙ୍କୁ ଆତ୍ମ ପରିଚୟ ତଥା ପ୍ରସିଦ୍ଧି ପ୍ରଦାନ କରିଛି।
ମୋ: ୯୯୩୭୮୬୩୫୨୮
ନାଦିଆ ନଦିମ ଓ ଅନ୍ୟମାନେ
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2024/06/gjgdgjgj.jpg)