ଯୁଗ ଯୁଗ ଧରି ଆଫଗାନିସ୍ତାନ ଆର୍ଯ୍ୟାବର୍ତ୍ତର ମୁଣ୍ତ ବ୍ୟଥାର କାରଣ ହୋଇଅଛି। ଗାନ୍ଧାର ରାଜା, ଶକୁନି (ଏବକାର କାନ୍ଦାହାର) ମହାଭାରତ ଯୁଦ୍ଧର ସୂତ୍ରଧର ଥିଲେ। ହିନ୍ଦୁକୁଶ ପାର୍ବତ୍ୟମାଳା ଓ ପାମର ଅଞ୍ଚଳ ମଧୢ ଦେଇ ଅବିଭକ୍ତ ଭାରତ ସହିତ ଏହାର ସୀମାରେଖା। ପାରମ୍ପରିକ ଭାବରେ ହିନ୍ଦୁକୁଶକୁ ହିନ୍ଦୁମାନଙ୍କର ଶେଷ ସୀମା ରେଖା ବୋଲି ଧରାଯାଏ। ଅତୀତରେ ଆଫଗାନ ଯୋଦ୍ଧାମାନେ ଭାରତରେ ପ୍ରବେଶ କରି ଲୁଟତରାଜ କରୁଥିଲେ ଓ କାଳକ୍ରମେ ଭାରତରେ ଶାସନ ବିସ୍ତାର କରିଥିଲେ। ଉଜ୍ବେକ, ପର୍ସିଆନ, ମୋଗଲମାନେ ଆଫଗାନିସ୍ତାନ ମଧୢ ଦେଇ ଭାରତରେ ପ୍ରବେଶ କରିଥିଲେ ଓ ଭାରତର ସମଗ୍ର ଉତ୍ତର ପଶ୍ଚିମାଞ୍ଚଳକୁ ମୁସଲିମ ଧର୍ମରେ ଦୀକ୍ଷିତ କରାଇଲେ। ସେଇ ଅଞ୍ଚଳ ବର୍ତ୍ତମାନ ପାକିସ୍ତାନ ଦେଶ ନାମରେ ପରିଚିତ ଯାହା ଆମ ଦେଶ ପ୍ରତି ଅନେକ ସମସ୍ୟା ସୃଷ୍ଟି କରୁଛି। ବ୍ରିଟିସ ଶାସକମାନେ ଆଫଗାନମାନଙ୍କୁ ଦେଶର ଶାସନରୁ ବିଚ୍ୟୁତ କଲେ ଓ ତତ୍କାଳୀନ ବିଦେଶ ସଚିବ ସାର୍ ମୋରଟିମୋର ଡୁୁରାଣ୍ତ ଦୁଇ ଦେଶ ମଧୢରେ ଏକ ସୀମାରେଖା (୧୮୯୩) ସ୍ଥିର କରିଥିଲେ ଓ ଆଫଗାନିସ୍ତାନର ଅମୀର ତାହାକୁ ମାନି ନେଇଥିଲେ। ବ୍ରିଟିସ ଶାସକମାନେ ଆଫଗାନିସ୍ତାନକୁ ଏକ ନିରପେକ୍ଷ ମଧୢବର୍ତ୍ତୀ (Buffer) ଦେଶ ରୂପେ ବ୍ୟବହାର କରୁଥିଲେ ଓ ସେ ଦେଶରେ ରୁଷିଆର ପ୍ରଭାବ ବିସ୍ତାରକୁ ପ୍ରତିହତ କରୁଥିଲେ।
ପାକିସ୍ତାନ ଗଠନ ପରେ ଏକ ବଳଶାଳୀ ବ୍ରିଟିସ ସରକାର ଏକ ଦୁର୍ବଳ ଆଫଗାନ ସରକାର ଉପରେ ଏହି ଡୁରାଣ୍ତ ଲାଇନଟିକୁ ଜବରଦସ୍ତି ଲଦି ଦେଇଥିଲେ ବୋଲି ଅଭିଯୋଗ କରି, ଆଫଗାନିସ୍ତାନ ଏ ସୀମାରେଖା ପରିବର୍ତ୍ତନ ଦାବି କରି ଆସୁଛି। ପୁସ୍ତୁନ ପାର୍ବତୀୟ ଅଞ୍ଚଳ ଲୋକମାନେ ମଧୢ ଏ ସୀମାରେଖାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଓ ଦୁଇ ଦେଶରେ ବାସ କରୁଥିବା ପୁସ୍ତୁନ ଅଞ୍ଚଳକୁ ମିଶାଇ ପାଖତୁନୀ-ସ୍ଥାନ ବା ପୁସ୍ତୁନିସ୍ତାନ ଗଠନ କରିବାକୁ ଚାହାନ୍ତି। ଆଫଗାନିସ୍ତାନରେ ପୁସ୍ତୁନ (ପଠାଣ)ମାନଙ୍କ ସ˚ଖ୍ୟା ଶତକଡ଼ା ୪୭ ଭାଗ ଓ ତା’ପରେ ତାଜିବମାନଙ୍କ ସ˚ଖ୍ୟା ୨୭ ଭାଗ। ଏଇ ଦୁଇ ମୁଖ୍ୟ ଉପଜାତି ମଧୢରେ କ୍ଷମତା ନିମନ୍ତେ ସ˚ଘର୍ଷ ସବୁବେଳେ ଲାଗି ରହିଛି ଓ ଆଫଗାନର ପୁସ୍ତୁନମାନେ ପାକିସ୍ତାନର ପୁସ୍ତୁନମାନଙ୍କ ପାଖରୁ ସାହାଯ୍ୟ ସମର୍ଥନ ଲାଭ କରନ୍ତି। ଦୁଇ ଦେଶର ପୁସ୍ତୁନ ଅଧ୍ୟୁଷିତ ଅଞ୍ଚଳ ଗୋଟିଏ ଦେଶର ଲୋକ ଭଳି ପରସ୍ପର ମଧୢରେ ବ୍ୟବହାର କରନ୍ତି। ଏହା ପାକିସ୍ତାନର ରାଜନୀତି ଓ ନିରାପତ୍ତାକୁ ଅନେକା˚ଶରେ ପ୍ରଭାବିତ କରେ। ପାକିସ୍ତାନ ଆଫଗାନିସ୍ତାନକୁ ନିଜର ପ୍ରଭାବିତ ଅଞ୍ଚଳ ଓ ଏକ ପ୍ରକାର କରଦ ରାଜ୍ୟ କରି ରଖିବାକୁ ଚାହେଁ। ଆଫଗାନିସ୍ତାନ ଏକ ଭୂମି-ବେଷ୍ଟିତ ରାଜ୍ୟ ହୋଇଥିବାରୁ ବହିର୍ବାଣିଜ୍ୟ ନିମନ୍ତେ ପାକିସ୍ତାନ ଉପରେ ଅନେକଟା ନିର୍ଭରଶୀଳ। ଆଫଗାନିସ୍ତାନରୁ ଭାରତର ସମସ୍ତ ପ୍ରଭାବ ଲୋପ ପାକିସ୍ତାନ କୂଟନୀତିର ଏକ ମୌଳିକ ଉଦ୍ଦେଶ୍ୟ। ସେଇଯୋଗୁ ପାକିସ୍ତାନ ସମର୍ଥିତ ତାଲିବାନ ସରକାର ସମୟରେ ଭାରତୀୟ ଦୂତାବାସ ଓ କନସଲେଟ୍ ଦୁଇଟିକୁ ଆଫଗାନିସ୍ତାନରେ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଆଫଗାନ ସରକାରଙ୍କର ଭାରତ ସହିତ ବନ୍ଧୁତ୍ବପୂର୍ଣ୍ଣ ସ˚ପର୍କ ରହିଛି ଓ ଅନେକ ଭାରତୀୟ ସାହାଯ୍ୟକାରୀ ସ˚ସ୍ଥା ଆଫଗାନିସ୍ତାନରେ କାର୍ଯ୍ୟରତ। ଆଫଗାନିସ୍ତାନରେ ଭିତ୍ତିଭୂମିର ଉନ୍ନତି ନିମନ୍ତେ ଭାରତ ଦୁଇ ବିଲିଅନ ଆମେରିକାନ ଡଲାର ବିନିଯୋଗ କରିଛି ଓ ସେଥି ଲାଗି ବର୍ତ୍ତମାନ ସରକାର ଓ ଜନସାଧାରଣଙ୍କର ପ୍ରଶ˚ସାଭାଜନ ହୋଇଛି। ଏହା ପାକିସ୍ତାନର ଗାତ୍ରଦାହ ସୃଷ୍ଟି କରୁଛି।
ଆଫଗାନିସ୍ତାନରୁ ସୋଭିଏତ୍ ସୈନ୍ୟ ଅପସାରଣ କରିବା ପରେ ପରେ ତାଲିବାନମାନେ କାବୁଲ ଦଖଲ କରି ମଧୢଯୁଗୀୟ ଶାସନ ଆରମ୍ଭ କଲେ ଓ ମହିଳାମାନେ ପ୍ରଭୂତ ନିର୍ଯାତନାର ଶିକାର ହେଲେ। ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏଇ ସନ୍ତ୍ରାସବାଦୀ ସରକାରକୁ ସ୍ବୀକାର କଲେ ନାହିଁ ଓ ସୈନ୍ୟ ପ୍ରେରଣ କରି ସେମାନଙ୍କୁ ଗାଦିଚ୍ୟୁତ କଲେ ଓ ଏକ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କଲେ। ଆମେରିକାନ ଓ ନାଟୋ ସୈନ୍ୟମାନେ କିନ୍ତୁ ଦଶ ବର୍ଷ ଯୁଦ୍ଧ ପରେ ମଧୢ ତାଲିବାନର ମୂଳୋତ୍ପାଟନ କରିପାରିଲେ ନାହିଁ ଓ ବର୍ତ୍ତମାନ ଦେଶର ୨୦ ଭାଗ ତାଲିବାନଙ୍କ ଶାସନାଧୀନ ଓ ଆହୁରି ପଚାଶ ଭାଗରେ ସେମାନଙ୍କର ପ୍ରଭାବ ପରିଦୃଷ୍ଟ। ଭିଏତ୍ନାମ ଓ ଇରାକରେ ଆମେରିକା ସୈନ୍ୟଙ୍କ ପରାଭବକୁ ହେଜ କରି, ଆମେରିକା ସରକାର ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସ୍ଥିର କଲେ ଓ ତାଲିବାନମାନଙ୍କ ସଙ୍ଗରେ ଆଲୋଚନା ଆରମ୍ଭ ହେଲା। ଦୀର୍ଘ ଦୁଇ ବର୍ଷ କାଳ ଆଲୋଚନା ପରେ ୨୦୨୦ ଫେବ୍ରୁଆରିରେ ଆମେରିକା ଓ ତାଲିବାନ ମଧୢରେ ଦୋହା ଚୁକ୍ତିନାମା ସ୍ବାକ୍ଷରିତ ହେଲା। ଏ ଆଲୋଚନାରେ ପାକିସ୍ତାନକୁ ଏକ ସକ୍ରିୟ ଭୂମିକା ପ୍ରଦାନ କରାଯାଇଥିଲେ ମଧୢ, ଭାରତକୁ ଏଥିରେ ସ˚ପୃକ୍ତ କରା ହୋଇନଥିଲା। ଏ ଚୁକ୍ତିନାମା ଅନୁସାରେ ଆମେରିକା ତାର ସମସ୍ତ ସୈନ୍ୟ ୧୪ ମାସ ମଧୢରେ ପ୍ରତ୍ୟାହାର କରିନେବ। ଯୁଦ୍ଧ ବିରତି ହେବ ଓ ତାଲିବାନ ଓ କାବୁଲ ସରକାର ଯୁଦ୍ଧବନ୍ଦୀମାନଙ୍କୁ ମୁକ୍ତ କରିଦେବେ। କିନ୍ତୁ ଗୋଟିଏ ଭୟ ଯେ କାବୁଲ ସରକାରଙ୍କର ସାମରିକ ଶକ୍ତି ଦୁର୍ବଳ ହୋଇଥିବାରୁ ଆମେରିକା-ନାଟୋ ସୈନ୍ୟ ପ୍ରତ୍ୟାହୃତ ହେଲେ ତାଲିବାନ ଅକ୍ଳେଶରେ କାବୁଲ ଅଧିକାର କରିନେବ। ସେଠାରେ ଗଣତନ୍ତ୍ର ପୁଣି ଲୋପ ପାଇଯିବ।
ଏ ରାଜିନାମା ପାକିସ୍ତାନକୁ ସହାୟକ ହେବ ସିନା, ଭାରତ ପକ୍ଷରେ ଏହା ଉଦ୍ବେଗଜନକ। ତାଲିବାନ ସରକାର କ୍ଷମତାକୁ ଆସିଲେ, ଭାରତର ସମସ୍ତ ପ୍ରଭାବ କ୍ଷୁଣ୍ଣ କରିବାକୁ ଉଦ୍ୟମ କରିବ ଓ ଭାରତ ସ˚ପୃକ୍ତ ଥିବା ସମସ୍ତ ଦେଶ ହିତକର କାର୍ଯ୍ୟରୁ ଭାରତକୁ ଅବ୍ୟାହତି ଦେବ। ଭାରତର ଦୁଇ ବିଲିଅନ ଆମେରିକାନ ଡଲାରର ପୁଞ୍ଜି ବିନିଯୋଗ ନିଷ୍ଫଳ ହୋଇଯିବ। ଭାରତ ଏ ଆଶଙ୍କା ଆମେରିକା ଆଗରେ ପ୍ରକାଶ କରିବାରୁ ଆମେରିକା ସରକାର ଭାରତକୁ ତାଲିବାନ ସହିତ ସ˚ପର୍କ ସ୍ଥାପନ ନିମନ୍ତେ ପରାମର୍ଶ ପ୍ରଦାନ କଲେ। କେନ୍ଦ୍ର ଏସିଆର ଦେଶ ସମୂହ ଓ ଇରାନ ସହିତ ବ୍ୟବସାୟିକ ସ˚ପର୍କ ନିମନ୍ତେ ଭାରତ ଇରାନରେ ଚାବାହାର ବନ୍ଦର ନିର୍ମାଣ କରୁଛି ଓ ସେଇ ବନ୍ଦର ଠାରୁ ଆଫଗାନିସ୍ତାନ ମଧୢ ଦେଇ ଉଜ୍ବେକିସ୍ତାନକୁ ରାସ୍ତା ନିର୍ମାଣ କରାଯାଉଛି। ଆଫଗାନିସ୍ତାନ ସହିତ ସ୍ଥଳପଥରେ ବ୍ୟବସାୟ କରିବାରେ ଭାରତ ଲାଗି ପାକିସ୍ତାନ ବାଧକ ହେବ ଓ ତାଲିବାନୀମାନେ ଯଦି ଚାବାହାର ବନ୍ଦରରୁ ଆଫଗାନିସ୍ତାନ ଯିବା ରାସ୍ତାକୁ ବନ୍ଦ କରିଦେବେ, ଭାରତ ଓ କେନ୍ଦ୍ର ଏସୀୟ ରାଜ୍ୟମାନଙ୍କ ଭିତରେ ବାଣିଜ୍ୟିକ ସ˚ପର୍କ ସ୍ଥାପିତ ହୋଇପାରିବ ନାହିଁ।
କାବୁଲ ସରକାର ଓ ତାଲିବାନ, ଦୋହା ରାଜିନାମାର ସର୍ତ୍ତ ପୂରଣ କରୁ ନ ଥିବାରୁ, ଆମେରିକା ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଆଶାର କଥା ଆମେରିକାର ନୂଆ ବାଇଡେନ ସରକାର ଦୋହା ଚୁକ୍ତିର ପୁନଃ ବିଚାର କରିବେ ବୋଲି ଘୋଷଣା କରିଛନ୍ତି ଓ ନାଟୋ ଶକ୍ତିମାନେ ସେମାନଙ୍କର ସୈନ୍ୟ ଏବେ ପ୍ରତ୍ୟାହାର କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦୋହାରେ ଆଫଗାନ ସମ୍ବନ୍ଧୀୟ ଆଲୋଚନା ୧୨.୯.୨୦୨୦ରେ ପୁଣି ଆରମ୍ଭ ହୋଇଥିଲା ଯହିଁରେ ଭାରତର ଏକ ପ୍ରତିନିଧି ଦଳକୁ ଯୋଗ ଦେବା ନିମନ୍ତେ ଅନୁମତି ମିଳିଥିଲା। ଭାରତ ଏ ଶାନ୍ତି ଆଲୋଚନା ପ୍ରକ୍ରିୟାରେ ଆଫଗାନ ସ୍ବାର୍ଥକୁ ପ୍ରାଥମିକତା ଦେବା ଉଚିତ ଓ ଭାରତର ସ୍ବାର୍ଥ ହାନି ଘଟିଲା ଭଳି କୌଣସି କାର୍ଯ୍ୟ ଆଫଗାନିସ୍ତାନରେ କରାନଯାଉ ବୋଲି ଦାବି କରିଛି। ଭାରତ ଏକ ଶାନ୍ତିପୂର୍ଣ୍ଣ ନିରପେକ୍ଷ ଆଫଗାନିସ୍ତାନ ଚାହେଁ। ସେଥିନିମନ୍ତେ ତାଲିବାନମାନଙ୍କୁ ପାକିସ୍ତାନ ପ୍ରଭାବରୁ ମୁକ୍ତ କରାଯିବା ଆବଶ୍ୟକ। ତାଲିବାନ ପ୍ରତି ନିଜର ନକାରାତ୍ମକ ମନୋଭାବ ପରିତ୍ୟାଗ କରି ଭାରତ ମଧ୍ୟ ସେମାନଙ୍କ ସଙ୍ଗେ ଆଲୋଚନା କରିବା ଆବଶ୍ୟକ। ତାଲିବାନମାନେ ମଧୢ ଭାରତ ସହିତ ଆଲୋଚନା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଆଫଗାନମାନେ ବଡ଼ ସ୍ବାଧୀନଚେତା। ବିଦେଶୀ ପ୍ରଭାବିତ ସରକାର ସେମାନେ ଚାହାନ୍ତି ନାହିଁ। ଆଫଗାନିସ୍ତାନର ଇତିହାସକୁ ଆଲୋଚନା କଲେ ପ୍ରତ୍ୟୟମାନ ହୁଏ ଯେ ପ୍ରଥମ ଇ˚ରେଜ ଆଫଗାନ ଯୁଦ୍ଧ (୧୮୩୯-୪୦) ପର ଠାରୁ ଏ ଯାବତ୍ ବିଦେଶୀ ସାହାଯ୍ୟରେ ଗଠିତ କାବୁଲ ସରକାର କେବେ ହେଲେ ସେଠାରେ ତିଷ୍ଠି ପାରିନାହିଁ।
ଆମେରିକା ସୈନ୍ୟ ସବୁ ଦିନ ନିମନ୍ତେ ଆଫଗାନିସ୍ତାନରେ ରହିପାରିବେ ନାହିଁ। ଆମେରିକା ସୈନ୍ୟ ଅପସାରଣ ହେଲେ, ତାଲିବାନ କାବୁଲରେ ଶାସନ ପ୍ରତିଷ୍ଠା କରିବା ଏକ ପ୍ରକାର ସୁନିଶ୍ଚିତ। ତେଣୁ ଏବେ ଠାରୁ ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ତାର କୂଟନୈତିକ ପ୍ରଚେଷ୍ଟା ଆରମ୍ଭ କରିବା ଆବଶ୍ୟକ।
ମୋ- ୯୯୩୭୪୨୨୫୨୧