ଜାତୀୟ ବ୍ୟାଙ୍କର ସଂସ୍କାର ଜରୁରୀ

ଅରୁଣ ସିହ୍ନା

ଭାରତର ଦୁଇ ଜଣ ପ୍ରଖ୍ୟାତ ଅର୍ଥନୀତିଜ୍ଞ- ନୀତି ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଅରବିନ୍ଦ ପାନାଗରିୟା ଏବଂ ଜାତୀୟ ପ୍ରାୟୋଗିକ ଅର୍ଥନୀତି ଗବେଷଣା ପରିଷଦ (ଏନ୍‌ସିଏଇଆର୍‌)ର ମହାନିର୍ଦ୍ଦେଶକ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦ (ପିଏମ୍‌ଇଏସି)ର ସଦସ୍ୟ ପୁନମ ଗୁପ୍ତା, ଏକ ନୀତି ପତ୍ରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଛାଡ଼ି ବାକି ସବୁ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ସରକାର ଯଦି ସେମାନଙ୍କ କଥା ଶୁଣିଥା’ନ୍ତେ, ତେବେ ସେମାନେ ଷ୍ଟେଟ୍‌ ବ୍ୟାଙ୍କର ମଧ୍ୟ ଘରୋଇକରଣ ଚାହିଥା’ନ୍ତେ। ଏଥିପାଇଁ ସେମାନେ ଉଲ୍ଲେଖ କରିଛନ୍ତି, “ଆମେ ଜାଣୁ ଯେ ଭାରତୀୟ ଅର୍ଥନୀତିର ରୂପରେଖ ଓ ରାଜନୀତିର ନୈତିକତା ପରିସର ଭିତରେ ଥିବା କୌଣସି ସରକାର ଚାହିବେ ନାହିଁ ଯେ ନିଜ ବିଭାଗରେ ଗୋଟିଏ ବି ଜାତୀୟ ବ୍ୟାଙ୍କ ନ ରହୁ।’’

ଉଭୟ ପାନାଗରିୟା ଓ ଗୁପ୍ତା ହେଉଛନ୍ତି ସରକାରୀ ହସ୍ତକ୍ଷେପ ବିହୀନ ଅର୍ଥନୈତିକ ବ୍ୟବସ୍ଥା ଓ ସମାଜର ସମର୍ଥକ। ତେଣୁ ଜାତୀୟ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ବାବଦରେ ସେମାନଙ୍କ ପକ୍ଷ ଆଶ୍ଚର୍ଯ୍ୟଜନକ ନୁହେଁ। ସେମାନଙ୍କ ଭିତରୁ କେହି ଜଣେ ଯଦି ଭାରତର ପ୍ରଧାନମନ୍ତ୍ରୀ ହୋଇଥା’ନ୍ତେ, ତେବେ ସମସ୍ତ ଜାତୀୟ ସମ୍ପତ୍ତିର ସେ ଘରୋଇକରଣ କରିଦେଇଥା’ନ୍ତେ ଏବଂ ସରକାରଙ୍କୁ ଏକ କଙ୍କାଳରେ ପରିଣତ କରିଦେଇଥା’ନ୍ତେ, ଯାହା ନିଜ ସୀମା ଅତିକ୍ରମ ନ କରିବାର କେବଳ ଏକ ନିର୍ଜୀବ ସତର୍କ ସଂକେତ ହୋଇ ରହିଥା’ନ୍ତା। ତେବେ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ନେଇ ସେମାନଙ୍କ ସମର୍ଥନ ସମ୍ପର୍କରେ ବିଚାର କଲେ, ସେମାନଙ୍କ ଯୁକ୍ତି ଅତିଶୟ ଦୁର୍ବଳ ଗୋଡ଼ ଉପରେ ଛିଡ଼ା ହେଲା ପରି ମନେ ହେଉଛି।

ସେମାନଙ୍କ ପ୍ରଥମ ଯୁକ୍ତି ହେଉଛି ଜାତୀୟ ବ୍ୟାଙ୍କଗୁଡ଼ିକ ଦୁର୍ନୀତିପ୍ରବଣ। ସେମାନଙ୍କୁ ଆମର ପ୍ରଶ୍ନ ହେଉଛି, ଘରୋଇକରଣ କ’ଣ ଦୁର୍ନୀତିର ମୂଳୋତ୍ପାଟନ କରିପାରିବ? ଅରବିନ୍ଦ ପାନାଗରିୟା ଲକ୍ଷ୍ୟ କରିବାର କଥା କି ଆମେ ମୁକ୍ତ ଅର୍ଥନୀତିର ରାଜଧାନୀ ଆମେରିକା ବିଷୟରେ କହୁନାହୁଁ, ଯେଉଁଠି ସେ ଅର୍ଥନୀତି ପଢ଼ାଉଛନ୍ତି। ସେଠି ପାଖାପାଖି ପନ୍ଦର ବର୍ଷ ତଳେ ଘରୋଇ ବିତ୍ତ ଅନୁଷ୍ଠାନଗୁଡ଼ିକରେ ପ୍ରବଳ ଦୁର୍ନୀତି ଦେଖାଦେଇଥିଲା, ଯାହା ବୈଶ୍ବିକ ଆର୍ଥିକ ବ୍ୟବସ୍ଥାକୁ ଅସ୍ଥିର କରିଦେଇଥିଲା, ଯେଉଁ ଅସ୍ଥିରତାରୁ ସାରା ବିଶ୍ବ ତଥାପି ସଂପୂର୍ଣ୍ଣ ଭାବେ ମୁକୁଳିପାରିନାହିଁ। ୟେସ୍‌ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଣା କପୁର କରିଥିବା ଦୁର୍ନୀତିକୁ କ’ଣ ଆମେ ମନେ ରଖିନୁ? ଏକ ଜାଗାବାଡ଼ି କମ୍ପାନି ପାଇଁ ଋଣ କରାଇବା ଲାଗି ସଂପୃକ୍ତ କମ୍ପାନିଠାରୁ ଦିଲ୍ଲୀର ପ୍ରମୁଖ ଇଲାକାରେ ନିଜ ପତ୍ନୀଙ୍କ ନାମରେ ୪୦୦ କୋଟି ଟଙ୍କାର ସମ୍ପତ୍ତି ହାସଲ କରିବା ଅଭିଯୋଗରେ ସେ ଜେଲ୍‌ ଯାଇଥିଲେ।

ସେହିପରି ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚର କରିଥିବା ଦୁର୍ନୀତିକୁ କ’ଣ ଆମେ ଭୁଲିଯାଇଛୁ? ସେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଭିଡିଓକନ୍‌ ଇଣ୍ଟର୍‌ନେସ୍‌ନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ର ମାଲିକ ବେଣୁଗୋପାଳ ଧୂତଙ୍କୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ତାହା ବଦଳରେ ତାଙ୍କ ସ୍ବାମୀ ଦୀପକ କୋଚରଙ୍କ କମ୍ପାନି ନ୍ୟୁପାଵାର ରିନ୍ୟୁଏବଲ୍‌ସ ପାଇଭେଟ୍‌ ଲିମିଟେଡ୍‌ ଖାତାକୁ ୬୪ କୋଟି ଟଙ୍କା ସ୍ଥାନାନ୍ତର ହୋଇଥିଲା। ଚନ୍ଦା କୋଚରଙ୍କ ବିରୋଧରେ ଏହା ଏକମାତ୍ର ଦୁର୍ନୀତି ନୁହେଁ। ତାଙ୍କ କାର୍ଯ୍ୟକାଳ ବେଳେ ଏପରି ଋଣ ପ୍ରଦାନରେ ଅନେକ ଦୁର୍ନୀତି ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣି ପାରିଥିଲେ।

ପାନାଗରିୟା ଓ ଗୁପ୍ତା ଜୋର୍‌ ଦେଇଥିବା ଦ୍ବିତୀୟ ଯୁକ୍ତିଟି ହେଲା, ସରକାରୀ ବ୍ୟାଙ୍କଗୁଡ଼ିକର ସମ୍ମିଳିତ ଶାସନ (କର୍ପୋରେଟ୍‌ ଗଭର୍ଣ୍ଣାନ୍‌ସ) ଅତି ଦୁର୍ବଳ। ରାଣା କପୁର ଓ ଚନ୍ଦା କୋଚରଙ୍କ ଏହି ମାମଲା ୟେସ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ସମ୍ମିଳିତ ଶାସନକୁ ମଜଭୁତ କରିବା ଲାଗି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି? ପ୍ରକୃତରେ ଅର୍ଥନୀତିଜ୍ଞ ଦ୍ବୟ ପ୍ରମାଣ କରିବାକୁ ଚାହାନ୍ତି କି, ଯଦି ବ୍ୟାଙ୍କର ଶୀର୍ଷ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ ଖଳ ଋଣଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବ, ତେବେ ସରକାରୀ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କଗୁଡ଼ିକରେ ମଧ୍ୟ ସତର୍କତା, ତତ୍ପରତା ଓ କାର୍ଯ୍ୟଦକ୍ଷତାର ଅଭାବ ଦେଖାଦେବ। ସୌଭାଗ୍ୟବଶତଃ, ୟେସ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କରେ ସଂଘଟିତ ଦୁର୍ନୀତି ସେତେ ଉଚ୍ଚକୋଟୀର ନୁହେଁ ଯାହା ସେମାନଙ୍କୁ ଦେବାଳିଆ କରିଦେବ।  ମାତ୍ର ଗ୍ଲୋବାଲ ଟ୍ରଷ୍ଟ୍‌ ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରି ଘରୋଇ ବ୍ୟାଙ୍କରେ ସଦ୍ୟ ସଂଘଟିତ ଦୁର୍ନୀତି ମାମଲା ସେମାନଙ୍କ ପତନର କାରଣ ହୋଇଥିଲା।

ଏ କଥା ସତ ଯେ ସରକାରୀ ବ୍ୟାଙ୍କଗୁଡ଼ିକରେ ଘରୋଇ ବ୍ୟାଙ୍କ ତୁଳନାରେ ଅଧିକ ଅନାଦାୟ ଋଣ (ଏନ୍‌ପିଏ) ପଡ଼ିରହିଛି। ୨୦୧୭ ଡିସେମ୍ବରରେ ସରକାରୀ ବ୍ୟାଙ୍କରେ ଏନ୍‌ପିଏ ପରିମାଣ ମୋଟ ଋଣର ୧୩.୫ ପ୍ରତିଶତ ଥିଲା ବେଳେ ଘରୋଇ ବ୍ୟାଙ୍କରେ ତାହା ମାତ୍ର ୩.୮ ପ୍ରତିଶତ ଥିଲା। ମିଳିଥିବା ଚିତ୍ରରୁ ଏହା ସ୍ପଷ୍ଟ ଯେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କମାନଙ୍କରେ ପ୍ରଦତ୍ତ ଋଣ ଅନାଦାୟ ହୋଇ ପଡ଼ି ରହୁଛି, ମାତ୍ର ସରକାରୀ ବ୍ୟାଙ୍କରେ ତାହା ଘରୋଇ ବ୍ୟାଙ୍କର ତିନିଗୁଣ। ଏହା ସରକାରୀ ବ୍ୟାଙ୍କଗୁଡ଼ିକରେ ଉନ୍ନତ ପ୍ରଶାସନ ଓ ଆପଦା ପରିଚାଳନା ପାଇଁ ଆହ୍ବାନ କରୁଛି। ତେବେ ସେଗୁଡ଼ିକର ଘରୋଇକରଣ ନ କରି ମଧ୍ୟ ତାହା ହାସଲ କରିହେବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଘରୋଇ ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ପରିମାଣ ମୋଟ ଋଣର ୫.୯ ପ୍ରତିଶତକୁ ହ୍ରାସ ପାଇଛି।

ତଥାପି କେବଳ ମୁକ୍ତ ଅର୍ଥନୀତିର ସମର୍ଥକ କାହିଁକି, ମୋଦୀ ସରକାର ମଧ୍ୟ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ କଥା ଉଠାଉଛନ୍ତି। ସରକାର ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଥିଲେ। ଅବଶ୍ୟ ସେ କୌଣସି ବ୍ୟାଙ୍କର ନାଁ ନେଇନଥିଲେ। ତେବେ ସଂସଦର ଚଳିତ ମୋସୁମୀ ଅଧିବେଶନରେ ସେ ଏ ସଂକ୍ରାନ୍ତ ଏକ ବିଲ୍‌ ଆଣିବେ ବୋଲି ଆଶା କରାଯାଉଥିଲା, ମାତ୍ର ସେ ଏହାକୁ କୌଣସି କାରଣରୁ ବିଳମ୍ବ କରୁଥିବା ଜଣାପଡୁଛି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବ ହେଉଛି ମଜଭୁତ ପ୍ରଶାସନ ଦ୍ବାରା ଚିହ୍ନିତ, ଯାହା ଦୁର୍ନୀତିକୁ ପ୍ରଶ୍ରୟ ଦିଏନାହିଁ ଏବଂ ଦକ୍ଷତାର ସହ ସେବା ଯୋଗାଇଥାଏ। ଯଦି ଏ କଥା ସତ ହେଉଥାଏ, ତେବେ ମୋଦୀ ସରକାର କାହିଁକି ସରକାରୀ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ଉନ୍ନତି ଆଣି ପାରୁନାହାନ୍ତି? ଆପଣ ଦକ୍ଷତାର ସହ ବିଶାଳ ସରକାର ଚଳାଇ ପାରୁଛନ୍ତି ଅଥଚ ୧୨ଟି ବ୍ୟାଙ୍କକୁ ଚଳାଇ ପାରୁନାହାନ୍ତି, ଏହା କେମିତି କଥା?

ସବୁ କଥା ପରେ ବି ବ୍ୟାଙ୍କର ଉତ୍ତମ ପରିଚାଳନାର ଅର୍ଥ ହେଉଛି ଏଭଳି ପ୍ରଥାଗୁଡ଼ିକର ପ୍ରଚଳନ ଯାହା କୌଣସି ଦୁର୍ନୀତିଖୋର କି ଲାଞ୍ଚୁଆ ଅଧିକାରୀଙ୍କୁ ବ୍ୟାଙ୍କର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଅସାଧୁ ଋଣଗ୍ରହୀତାଙ୍କୁ କୃତଜ୍ଞ କରାଇବାରୁ ନିବୃତ୍ତ ରଖିବ। ତେଣୁ ଯୋଗ୍ୟତା ଭିତ୍ତିରେ ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରିବା ଜରୁରୀ। ସେହିପରି ବୁଦ୍ଧିମତ୍ତା ସଂପନ୍ନ ନେତୃତ୍ବକୁ ଆକର୍ଷିତ କରିବା ଲାଗି ମଧ୍ୟ ବଜାରୋପଯୋଗୀ ଦରମା, ଷ୍ଟକ୍‌ ବିକଳ୍ପ ଓ ବୋନସ ଯୋଗାଇବା ବାଞ୍ଛନୀୟ। ଏଥି ସହିତ ନିଷ୍ଠାବାନ ଓ ସ୍ବତନ୍ତ୍ର ପାରଦର୍ଶିତା ଥିବା ନିର୍ଦ୍ଦେଶକଙ୍କର ନିଯୁକ୍ତି ଅପରିହାର୍ଯ୍ୟ ଯାହାଙ୍କର କୌଣସି ରାଜନୈତିକ ବାଧ୍ୟବାଧକତା ନଥିବ, ଅର୍ଥାତ୍‌ ଯାଞ୍ଚରେ ସାଧୁତା ବଜାୟ ରହିବ।

ଉଚ୍ଚ ମାନର ପରିଚାଳନା ଋଣ ବିପତ୍ତି ମୂଲ୍ୟାୟନର ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିଥାଏ। ତାହା ଋଣ କର୍ତ୍ତାର ଋଣ ଇତିହାସ ଯାଞ୍ଚ କରିଥାଏ, ଯଥେଷ୍ଟ ‘କୋଲାଟେରାଲ ସିକ୍ୟୁରିଟି’ (ଋଣରାଶି ମୂଲ୍ୟ ସମତୁଲ ସଂପତ୍ତି) ମାଗି ଥାଏ, ଛଳନାତ୍ମକ ଭାବେ ଅଧିକ ଋଣ ରାଶି ଦାବି କରାଯାଉଛି କି ନାହିଁ, ତାହାର ସନ୍ଧାନ କରିଥାଏ, ଋଣ ଆଦାୟର ନିୟମିତତାକୁ ନିରନ୍ତର ନିରୀକ୍ଷଣ କରିଥାଏ ଏବଂ ଖିଲାପୀ ଋଣ ଆଦାୟର ଠୋସ୍‌ ବ୍ୟବସ୍ଥା କରିଥାଏ। ଏହାର ଅର୍ଥ, ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରତି ବ୍ୟାଙ୍କରେ ଶହେ କୋଟିରୁ ଅଧିକ ଋଣ ଥିବା ପ୍ରମୁଖ ଜମାଖାତାଗୁଡ଼ିକ ଉପରେ ନିଘା ରଖିବା ଆବଶ୍ୟକ ହେବ। ଏଥି ଲାଗି ସରକାରଙ୍କୁ ସର୍ବେକ୍ଷଣ ଓ ନିରୀକ୍ଷଣ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ ପଡ଼ିବ। ଏଥି ସହିତ ଗୋଟିଏ ବ୍ୟାଙ୍କରୁ ଋଣ ଉଠାଇ ଅନ୍ୟ ବ୍ୟାଙ୍କର ବକେୟା ପରିଶୋଧ କରୁଥିବା ଅଭିସନ୍ଧିକୁ ମଧ୍ୟ ଚିହ୍ନଟ କରାଯିବା ଜରୁରୀ।

ସରକାରୀ ବ୍ୟାଙ୍କଗୁଡ଼ିକର ମୁଖ୍ୟ ପଦବି ନିଯୁକ୍ତି ପାଇଁ ସରକାର ବିତ୍ତୀୟ ସେବା ଅନୁଷ୍ଠାନ ବ୍ୟୁରୋ (ପୂର୍ବରୁ ବ୍ୟାଙ୍କ ପରିଷଦ ବ୍ୟୁରୋ ଥିଲା) ନାମରେ ଏକ ସ୍ବାୟତ୍ତ ସଂସ୍ଥା ସ୍ଥାପନ କରି ସାରିଛନ୍ତି। ଏପରିକି ସରକାରୀ ବ୍ୟାଙ୍କମାନଙ୍କରେ ନେତୃତ୍ବର ବିକାଶ ପାଇଁ ଭାରତୀୟ ବ୍ୟାଙ୍କ ସଂଘ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ଆସୁଛି। ତେବେ ଦେଖାଦେଇଥିବା ଦୁର୍ନୀତିରୁ ଶିକ୍ଷା ପାଇ ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କର ଅନ୍ତଃନିୟନ୍ତ୍ରଣକୁ ଯଥା ସ୍ଥାନରେ ସକ୍ରିୟ କରାଇବା ସହ ବହିଃନିୟନ୍ତ୍ରଣକୁ ନିଜ ପାଖରେ ରଖିଛନ୍ତି। ସୁତରାଂ ଏବେ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ଉନ୍ନତି ପରିଲକ୍ଷିତ ହେବାରେ ଲାଗିଛି। ତେଣୁ ଏ ପରିପ୍ରେକ୍ଷୀରେ ମୋଦୀ ସରକାର ସେଗୁଡ଼ିକୁ ବିକ୍ରି କରିଦେବା ପରିବର୍ତ୍ତେ ସେଗୁଡ଼ିକୁ ସମର୍ଥନ କରି ଉତ୍ତରୋତ୍ତର ଉନ୍ନତି ଲାଗି ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ଦରକାର।
[email protected]

ସମ୍ବନ୍ଧିତ ଖବର