ଜାତୀୟ ଶିକ୍ଷାନୀତି ୨୦୨୦, ସଫଳ ରୂପାୟନ ସମ୍ଭବ ହେବ ତ?

ପ୍ରକାଶ ଚନ୍ଦ୍ର ମହାନ୍ତି

ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି ୨୦୧୯ ଜୁନ୍‌ ୧ ତାରିଖରୁ ସର୍ବସାଧାରଣଙ୍କ ମତାମତ ପାଇଁ ଜାରି ହେବା ପରେ ଦେଶର ସର୍ବତ୍ର ଏ ନେଇ ଚର୍ଚ୍ଚା ଚାଲିଛି। ଶିକ୍ଷାକୁ ଘଷି ମାଜି ଶାଣ ଦେଇ ନବ ରୂପ ଦେବା ପାଇଁ ବା ଶିକ୍ଷାର ନବ ନ୍ୟାସ କରିବା ପାଇଁ ସରକାର, ପ୍ରଶାସନ, ବିଭିନ୍ନ ସ˚ଗଠନ ଓ ଶିକ୍ଷାବିତ୍‌ମାନେ ଏହା ଉପରେ ନିଜର ମତାମତ ପଠାଇଥିଲେ। ଆମ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଏହା ଉପରେ ଅନ୍ୟୂନ ୨୦ଟି ସେମିନାର ଓ ଵାର୍କସପ୍‌ ହୋଇଥିଲା। ଏ ନେଇ ରାଜ୍ୟର ନାମକରା ଶିକ୍ଷାବିତ୍‌ମାନେ ସେମାନଙ୍କର ମତ ପରିପ୍ରକାଶ କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦ ଜୁନ୍‌ ୨୦୧୯କୁ ମତାମତ ଦେବାର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା ଏବ˚ ପରେ ଏହାକୁ ଆଉ କିଛିଦିନ ଘୁଞ୍ଚାଇ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମେ ୬୦୦ ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ୍‌ ପ୍ରକାଶ ପାଇଥିଲା। ଏହା ଉପରେ ବହୁ ଆଲୋଚନା ଓ ବିଚାରବିମର୍ଶ ପରେ ଗ୍ରହଣୀୟ ପ୍ରସ୍ତାବଗୁଡ଼ିକୁ ଭିିତ୍ତି କରି ଏବେ ୬୫ ପୃଷ୍ଠାର ଏକ ଦସ୍ତାବିଜ୍‌ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ଲଗାଇଛନ୍ତି। ତେବେ, ଏହାର ପ୍ରଥମ ରୂପରେ କେତେ ପରିବର୍ତ୍ତନ ଘଟିଛି କିମ୍ବା ରାଜ୍ୟଗୁଡ଼ିକର ଅର୍ଥନୈତିକ ଅବସ୍ଥା, ଭିିତ୍ତିଭୂମିଗତ ପରିସ୍ଥିତିକୁ ଆଧାର କରି କିଭଳି ପରିବର୍ତ୍ତନ ସବୁ ଅଣାଯିବାର ବ୍ୟବସ୍ଥା କରାଯାଇଛି, ତାହା ଆଲୋଚନା ସାପେକ୍ଷ।

ଭାରତ ବର୍ଷରେ ଶିକ୍ଷାର ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ପାଇଁ ସ୍ବାଧୀନତା ପୂର୍ବରୁ ଏବ˚ ସ୍ବାଧୀନତା ପର ଠାରୁ ଅଦ୍ୟାବଧି ବହୁ ବିଚାରବିମର୍ଶ ଓ ଆଲୋଚନା ଚାଲି ଆସିଛି। ଏଥିପାଇଁ ଦେଶର ସ୍ବାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କର ‘ମୌଳିକ ଶିକ୍ଷା’ ସମ୍ପର୍କିତ ତତ୍ତ୍ବ; ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଅଧୢକ୍ଷତାରେ ପ୍ରସ୍ତୁତ ଏବ˚ ପ୍ରଣୀତ ଶିକ୍ଷା କମିସନଙ୍କ ରିପୋର୍ଟ; ଡ. ମୁଦାଲିୟରଙ୍କ ଅଧୢକ୍ଷତାରେ ଗଠିତ ମାଧୢମିକ ଓ ଉଚ୍ଚ ମାଧୢମିକ ଶିକ୍ଷା ସମ୍ପର୍କିିତ ରିପୋର୍ଟ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ ତାଙ୍କର ମତାମତ; ପୃଥିବୀର ବହୁ ରାଷ୍ଟ୍ର ତଥା ଆମ ଦେଶର ଶିକ୍ଷାବିତ୍‌ମାନଙ୍କୁ ନେଇ ୧୯୬୪-୬୬ ମସିହାରେ ଡ. କୋଠାରୀଙ୍କ ଅଧୢକ୍ଷତାରେ ଗଠିତ ଶିକ୍ଷା କମିସନଙ୍କ ରିପୋର୍ଟ(ଯାହାକୁ ଭିିତ୍ତିକରି ପାର୍ଲିଆମେଣ୍ଟରେ ୧୯୬୮ରେ ସ୍ବାଧୀନତା ପରବର୍ତ୍ତୀ କାଳୀନ ପ୍ରଥମ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଥିଲା); ଡ.ଡି.ପି. ଚଟ୍ଟୋପାଧୢାୟାଙ୍କ ଅଧୢକ୍ଷତାରେ ଗଠିତ ଶିକ୍ଷା କମିସନଙ୍କ ରିପୋର୍ଟ ଏବ˚ ୧୯୮୬ ଜାତୀୟ ଶିକ୍ଷାନୀତି ତଥା ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଆଦିକୁ ପଛରେ ଥୋଇ ଦେଇ ଜାତୀୟ ଶିକ୍ଷାନୀତି ୨୦୧୯ ଦ୍ବାରା ଉଭୟ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାକୁ ଉଦାରୀକରଣ ଓ ବଜାରୀକରଣ ଯୁଗରେ ଘରୋଇକରଣର ଗଣ୍ତି ଭିତରକୁ ଠେଲି ଦିଆଯିବାର ପ୍ରୟାସ କରାଯାଇଛି ବୋଲି ମନେ ହୁଏ।

ସର୍ବଦା ଜାତୀୟ ରାଜନୈତିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷାନୀତି ଉପରେ ପ୍ରଭାବ ବିସ୍ତାର କରିଥାଏ, ଯାହା ନ ହେବା ଉଚିତ। ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟ କରି ଶିକ୍ଷାରେ ପରିବର୍ତ୍ତନ ଅଣାଯିବା ଯୁକ୍ତିଯୁକ୍ତ। କିନ୍ତୁ, ଏକ ବିଶାଳ ଦେଶର ଶିକ୍ଷାନୀତିକୁ ଗ୍ରହଣ କରାଯିବା ପୂର୍ବରୁ ଯେତିକି ବିଚାର ଆଲୋଚନା କରାଯିବା କଥା, ତାହା ହୋଇନଥିବା ଭଳି ମନେ ହୁଏ। ଭାରତବର୍ଷ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏ ନେଇ ଆଲୋଚନା ରାଜ୍ୟ ବିଧାନସଭା ଓ କେନ୍ଦ୍ର ପାର୍ଲିଆମେଣ୍ଟରେ କରାଯାଇ ତହିଁରୁ ମିଳିଥିବା ନିଷ୍କର୍ଷକୁ ନେଇ ନିଷ୍ପତ୍ତି କରାଯାଇଥିଲେ ଭଲ ହୋଇଥାଆନ୍ତା। ଦ୍ବିତୀୟ କଥାଟି ହେଉଛି ଆମ ଦେଶ ଭାରତ ହେଉଛି ଏକ ବହୁ ଭାଷୀ ଦେଶ। ଆମ ଦେଶରେ ପ୍ରାୟ ୧୦୮ଟି କଥିତ ଓ ୧୪ରୁ ଅଧିକ ଲିଖିତ ଭାଷା ପ୍ରଚଳିତ। କିନ୍ତୁ ଜାତୀୟ ଶିକ୍ଷାନୀତିକୁ ଆଲୋଚନା କରିବା ପାଇଁ କେବଳ ଇ˚ରେଜୀ ଓ ହିନ୍ଦୀ ଭାଷୀର ବ୍ୟବହାରର ସୁବିଧା ଥିବାରୁ ତାହାକୁ ଠିକ୍‌ ଭାବରେ ବୁଝିବା ଓ ଏ ସ˚ପର୍କରେ ମତାମତ ଦେବା ଅନ୍ୟ ଭାଷାଭାଷୀ ଲୋକଙ୍କ ଲାଗି କଷ୍ଟପ୍ରଦ ହେଲା। ଆଞ୍ଚଳିକ ଭାଷାରେ ଜାତୀୟ ଶିକ୍ଷାନୀତିର ଖସଡ଼ାର ଅନୁବାଦ କରାଯାଇ ଆଲୋଚନା ଓ ବିତର୍କ ସକାେଶ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବା ଉଚିତ ହୋଇଥାଆନ୍ତା।

ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କଲା ବେଳେ ରାଜ୍ୟ ପାଇଁ ପ୍ରଚଳିତ ଥିବା ଶିକ୍ଷା ବ୍ୟବସ୍ଥା, ରାଜ୍ୟର ଆର୍ଥିକ ସ୍ଥିତି, ଏହାର ଭୌଗୋଳିକ, ସା˚ସ୍କୃତିକ ଓ ଭାଷାଗତ ସ୍ବାତନ୍ତ୍ର୍ୟକୁ ବିଚାରକୁ ନ ନେଲେ ଏହାର କାର୍ଯ୍ୟକାରିତା ଦିଗରେ ଅବ୍ୟବସ୍ଥା ଦେଖା ଦେବ। ଏହା ଦ୍ବାରା ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରୀକରଣ ହେବ; ଯାହା ବିବିଧତା ଭରା ଏକ ରାଷ୍ଟ୍ରରେ ଶିକ୍ଷାର ସ୍ବାସ୍ଥ୍ୟ ଲାଗି ଅନୁକୂଳ ହେବନାହିଁ। ଗୋଟିଏ ଉଦାହରଣ ନିଆଯାଇ ପାରେ। ୧୯୮୬ ଶିକ୍ଷା ନୀତି ଲାଗୁ ହେବା ଫଳରେ ୧୦ + ୨ + ୩ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ସେହି ସମୟରେ ରାଜ୍ୟମାନଙ୍କରେ ପ୍ରଚଳିତ ଥିବା ଶିକ୍ଷାର ଅବସ୍ଥା, ଭିିତ୍ତିଭୂମି ଓ ଅର୍ଥନୈତିକ ଅବସ୍ଥାକୁ ଆକଳନ କରାଯାଇ ନ ଥିବାରୁ ଓଡ଼ିଶା ଭଳି ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏବେ ବି ଏକାଦଶ ଓ ଦ୍ବାଦଶ ଶ୍ରେଣୀ ମହାବିଦ୍ୟାଳୟ ବା ଉଚ୍ଚଶିକ୍ଷା ସହିତ ଯୋଡ଼ି ହୋଇ ଅଛି। ସେହିଭଳି ଭାବରେ ଶିକ୍ଷା ଅଧିକାର ଆଇନ ୨୦୦୯ ମସିହାରେ କେନ୍ଦ୍ର ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରି ୨୦୧୦ ମସିହାରେ ଲାଗୁ ହେଲା। କିନ୍ତୁ ଓଡ଼ିଶା ଭଳି ଅନେକ ରାଜ୍ୟରେ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇପାରୁନାହିଁ। ଆମ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉଭୟ ଭିତ୍ତିଭୂମିଗତ ଓ ମାନବସମ୍ବଳଗତ (ଶିକ୍ଷକ ଅଭାବ) ଦୁର୍ବଳତା ରହିଛି। ତେଣୁ ପ୍ରଶ୍ନ ଉଠେ ଯେ ଦୀର୍ଘ ୩୪ ବର୍ଷ ଭିତରେ ଯଦି ପୂର୍ବ ଜାତୀୟ ଶିକ୍ଷାନୀତିକୁ ଆମ ରାଜ୍ୟରେ ଠିକଣା ଭାବେ ଲାଗୁ କରା ଯାଇପାରିନାହିଁ, ସେଭଳି ସ୍ଥଳେ ଏକ ବିପୁଳ ପରିବର୍ତ୍ତନ ଆଣି ଆସିଥିବା ଏହି ନୂତନ ଶିକ୍ଷାନୀତି ଠିକଣା ଭାବେ କାର୍ଯ୍ୟକାରୀ ହେବାକୁ କେତେ ସମୟ ଲାଗିବ? ପୁଣି ଏବେ କରୋନା ମହାମାରୀ ବିରୋଧରେ ରାଜ୍ୟ ସରକାର ଲଢ଼ୁଥିବା ସମୟରେ ଏହାର ରୂପାୟନ କିଭଳି ହେବ ତାହା କେବଳ ଅନୁମାନସାପେକ୍ଷ।

ନୂତନ ଜାତୀୟ ଶିକ୍ଷାନୀତିରେ ଗଣତାନ୍ତ୍ରିକ ମୂଲ୍ୟବୋଧ ବା ଧର୍ମନିରପେକ୍ଷତାର ପ୍ରତିଫଳନ ନାହିଁ ବୋଲି ଅଭିଯୋଗ ଶୁଣିବାକୁ ମିଳୁଛି। ଏକବି˚ଶ ଶତାବ୍ଦୀ ଜ୍ଞାନ-ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାର ବିସ୍ଫୋରଣର ଯୁଗ ହୋଇଥିବା ବେଳେ ଏହି ଶିକ୍ଷାନୀତିରେ ବୈଜ୍ଞାନିକ-ମନସ୍କତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇ ନ ଥିବା ଦେଖିବାକୁ ମିଳିଥାଏ। କେବଳ ଅନ୍‌ଲାଇନ୍‌ ଶିକ୍ଷା କଥା କୁହାଯାଇଛି ଯାହା। ଏଥିରେ ସ˚ସ୍କୃତ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବା କଥା କୁହାଯାଇଥିଲା ବେଳେ ଇ˚ରେଜୀର ବ୍ୟବହାର କେବଳ କଥୋପକଥନ ଭାଷାର ମାଧୢମ ଭାବରେ କରାଯିବ ବୋଲି କୁହାଯାଇଛି।
ଶିକ୍ଷାକୁ ପରିବର୍ତ୍ତିତ, ପରିବର୍ଦ୍ଧିତ ଓ ସୁବିନ୍ୟସ୍ତ କରିବାକୁ ଯେତେ ଉଦ୍ୟମ ବା ଅନୁମୋଦନ କରାଯିବ ଶିକ୍ଷାର ସେତେ ଗୁଣାତ୍ମକ ଅଭିବୃଦ୍ଧି ଘଟିବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ସ୍ବାଧୀନତାର ୭୩ ବର୍ଷ ପରେ କେରଳ ଭଳି କିଛି ରାଜ୍ୟକୁ ବାଦ୍‌ ଦେଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପୂର୍ବର ଜାତୀୟ ଶିକ୍ଷାନୀତିଗୁଡ଼ିକର ଆଧାରରେ ବିଶେଷ କିଛି ପରିବର୍ତ୍ତନ ଆଣି ପାରି ନାହାନ୍ତି। ଏହି କାରଣରୁ ଜାତୀୟ ଶିକ୍ଷାନୀତି ୨୦୨୦ ଆସିବା ପୂର୍ବରୁ ଏଭଳି ବିଫଳତାର କାରଣ ବାବଦରେ ଅନୁସନ୍ଧାନ କରାଯିବା ଆବଶ୍ୟକ ଥିଲା। ସମସ୍ୟାର କାରଣ ଜାଣିଲେ ହିଁ ତାର ନିରାକରଣ କରାଯିବା ସମ୍ଭବ ହେବ। ଶିକ୍ଷାନୀତି ଯେତେ ସ୍ପଷ୍ଟ ହେବ, ଯେତେ ସାର୍ବଜନୀନ ହେବ; ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ଶିକ୍ଷକ ତାଲିମ ପର୍ଯ୍ୟନ୍ତ ସବୁ କିଛି ସେତେ ଅଧିକ ଗ୍ରହଣୀୟ ହେବ ଏବ˚ ତାର ସଫଳ ରୂପାୟନ ସମ୍ଭବପର ହୋଇ ପାରିବ।

ଶିକ୍ଷାର ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ସକାଶେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ବିଚାରକୁ ନିଆଯିବା ଆବଶ୍ୟକ। ରାଜ୍ୟ ବଜେଟ ଓ କେନ୍ଦ୍ର ବଜେଟରେ ଶିକ୍ଷା କ୍ଷେତ୍ର ଲାଗି ବ୍ୟୟ ବୃଦ୍ଧି କରା ନ ଗଲେ ଶିକ୍ଷା ବ୍ୟବସ୍ଥାରେ ବିଶେଷ ଉନ୍ନତି ଅଣାଯିବା ସମ୍ଭବପର ହେବ ନାହିଁ। ଜାତୀୟ ଶିକ୍ଷାନୀତି ୨୦୨୦ରେ କୁହାଯାଇଛି ଯେ ଜି.ଡି.ପି.ର ୬% ଅର୍ଥ ଶିକ୍ଷା ଲାଗି ବ୍ୟୟ କରାଯିବ। ଏହା ବ୍ୟତୀତ ରାଜ୍ୟଗୁଡ଼ିକ କେତେ ବ୍ୟୟବରାଦ କରିବେ କିମ୍ବା ରାଜ୍ୟରେ ଜାତୀୟ ଶିକ୍ଷାନୀତିକୁ ଲାଗୁ କରିବା ପାଇଁ କେନ୍ଦ୍ର ବଜେଟରୁ କେତେ ଅନୁଦାନ ଦିଆଯିବ ସେ ସ˚ପର୍କରେ ସେଭଳି କିଛି ଦିଗ ନିର୍ଦ୍ଦେଶ ନାହିଁ। ଜାତୀୟ ଶିକ୍ଷାନୀତିକୁ ବିଶ୍ବ ସ୍ତରକୁ ବା ଜ୍ଞାନ ବିସ୍ଫୋରଣ ଆଡ଼କୁ ଟାଣି ନେବା ପାଇଁ ପ୍ରକୃତ ମାଧୢମଟି ସମ୍ପର୍କରେ ଆଲୋଚନା ହେଉ ନାହିଁ। ବିଦ୍ୟାଳୟ ସ୍ତରରେ ଭିତ୍ତିଭୂମି ନଥିଲେ, ବିଦ୍ୟାଳୟରେ ଶିକ୍ଷକ ନଥିଲେ ଶିକ୍ଷାର କି ଗୁଣାତ୍ମକ ବା ପରିମାଣାତ୍ମକ ବିକାଶ ହୋଇପାରିବ? ପ୍ରତ୍ୟେକ ରାଜ୍ୟମାନଙ୍କରେ ଆଜି ଏହି ଅବସ୍ଥା ଦେଖିବାକୁ ମିଳୁଛି। ସରକାରୀ ଶିକ୍ଷାରୁ ମୁହଁ ମୋଡ଼ି ଅଧିକା˚ଶ ପରିବାର ଅର୍ଥ ଦେଇ ଘରୋଇ ବିଦ୍ୟାଳୟ ଆଡ଼କୁ ମୁହାଁଉଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ ମଧୢ ଘରୋଇ ଶିକ୍ଷାନୁଷ୍ଠାନକୁ ଅଧିକ ଗୁରୁତ୍ବ ଦେଇ ଶିକ୍ଷାର ଘରୋଇକରଣ ଆଡ଼କୁ ବାଟ ଫିଟାଇଥିବା ଭଳି ମନେ ହୋଇଥାଏ। ଏହି ଶିକ୍ଷାନୀତି ଗରିବ ରାଜ୍ୟ ବା ଗରିବ ପିଲାମାନଙ୍କ ପାଇଁ ବିଶେଷ ଉପଯୋଗୀ ନ ହୋଇ ସ୍ବଚ୍ଛଳ ବର୍ଗର ପିଲାମାନଙ୍କ ଅଧିକ ଉପକାରରେ ଆସିବ। ଫଳରେ ସମାଜରେ ଥିଲା ବାଲାଙ୍କ ପାଇଁ ଶିକ୍ଷା ଓ ନ ଥିଲା ବାଲାଙ୍କ ପାଇଁ ସାକ୍ଷରତା ଭଳି ଗୋଟିଏ ବିରାଟ ବ୍ୟବଧାନ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ। କହିବା ବାହୁଲ୍ୟ ଯେ ବଡ଼ ବଡ଼ ବିଦ୍ବାନ ଶିକ୍ଷାବିତ୍‌ମାନଙ୍କ ମାଧ୍ୟମରେ ଯେତେ ଶିକ୍ଷାନୀତିର ଖସଡ଼ା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଛି ବା ଆଜି ପ୍ରସ୍ତୁତ ହୋଇଛି, ତାହାର କାର୍ଯ୍ୟକାରିତା ସର୍ବଦା ଆଶାନୁରୂପକ ଭାବେ ଫଳପ୍ରଦ ହୋଇପାରିନାହିଁ। ତେଣୁ ତୃଣମୂଳ ସ୍ତରର ସ୍ଥିତି ଓ ସମ୍ଭାବନାକୁ ନ ପରଖି ଉପରୁ ଦେଖି କୌଣସି ଶିକ୍ଷା ନୀତି କରି ଦେଇ ତାକୁ ଲଦି ଦିଆଗଲେ ତାହା ଆଦୌ ଲାଭପ୍ରଦ ହେବନାହିଁ।
ସାଧାରଣ ସ˚ପାଦକ, ଓଷ୍ଟା
ଫୋନ୍‌ – ୮୭୬୩୦୪୪୫୮୪

ସମ୍ବନ୍ଧିତ ଖବର