ସି. ପି. ରାଧାକୃଷ୍ଣନ୍ 
ଉପରାଷ୍ଟ୍ରପତି

ଭାରତର ସାମାଜିକ ଓ ରାଜନୈତିକ ଢାଞ୍ଚାକୁ ଗଢ଼ିବାରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଔପନିବେଶିକ ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ଜନଜାତି ନେତାମାନେ ସେମାନଙ୍କର ମାଟି, ସଂସ୍କୃତି ଓ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଯେଉଁ ଶକ୍ତିଶାଳୀ ଆନ୍ଦୋଳନ ଚଳାଇଛନ୍ତି ତାହାର ଇତିହାସ ସାକ୍ଷୀ ରହିଛି। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ, ଭାରତର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବ୍ରିଟିଶ ଉପନିବେଶବାଦୀ ଶାସନ, ସ୍ଥାନୀୟ ଜମିଦାର ଓ ମହାଜନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ, ଯେଉଁମାନେ ସେମାନଙ୍କର ପାରମ୍ପରିକ ଜୀବନଶୈଳୀକୁ ବିପର୍ଯ୍ୟସ୍ତ କରିଦେଇଥିଲେ।
ଭଗବାନ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲଗୁଲାନ ଆନ୍ଦୋଳନଠାରୁ ଆରମ୍ଭ କରି ଆଲୁରି ସୀତାରାମ ରାଜୁ, ଟଣ୍ଟ୍ୟା ଭୀଲ, ବୀର ଗୁଣ୍ଡାଧୁର, ରାଣୀ ଗାଇଦିନଲ୍ୟୁ, ରାମଜୀ ଗୋଣ୍ଡ, ସହିଦ ବୀର ନାରାୟଣ ସିଂହ ଓ ସିଦ୍ଧୁ-କାନହୁଙ୍କ ଭଳି ବୀରମାନଙ୍କ ପ୍ରଖର ପ୍ରତିରୋଧ ପର୍ଯ୍ୟନ୍ତ- ଏହା ପ୍ରମାଣିତ କରେ ଯେ ଜନଜାତି ଆନ୍ଦୋଳନ କେବଳ ପୃଥକ୍‌ ସଂଘର୍ଷ ନଥିଲା, ବରଂ ସେଗୁଡ଼ିକ ଉପନିବେଶବାଦୀ ଅତ୍ୟାଚାର ବିରୋଧରେ ଏକ ଶକ୍ତିଶାଳୀ, ସ୍ଥାୟୀ ଓ ସଂଗଠିତ ପ୍ରତିରୋଧ ଥିଲା। ସେମାନଙ୍କ ସଂଘର୍ଷ କେବଳ ଆଦିବାସୀ ଅଧିକାରକୁ ସୁରକ୍ଷା ଦେଇ ନଥିଲା, ବରଂ ସ୍ୱାଧୀନତା ଓ ସମାନତା ପାଇଁ ଦେଶବ୍ୟାପୀ ସଂଘର୍ଷକୁ ମଧ୍ୟ ମଜବୁତ କରିଥିଲା।
୨୦୨୧ ମସିହାରେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଜନଜାତି ନେତାମାନଙ୍କୁ ଏବଂ ସେମାନଙ୍କ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ନଭେମ୍ବର ୧୫)କୁ ଆଦିବାସୀ ଗୌରବ ଦିବସ ଭାବରେ ପାଳନ କରିବାର ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ଯାହା ଭବିଷ୍ୟତ ପିଢ଼ିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଗୌରବମୟ ଐତିହ୍ୟ ଓ ସଂଘର୍ଷ ବିଷୟରେ ଗର୍ବ ଓ ସଚେତନତା ସୃଷ୍ଟି କରିଥିଲା।
ଚଳିତ ବର୍ଷର ଉତ୍ସବର ବିଶେଷ ଗୁରୁତ୍ୱ ରହିଛି, କାରଣ ଆଜି ଆମେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ (ଜନଜାତୀୟ ଗୌରବ ବର୍ଷ)ର ସମାପନ ପାଳନ କରୁଛୁ, ଯାହା ୨୦୨୪ ମସିହାରେ ଆରମ୍ଭ ହୋଇଥିଲା।
ଶ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଲୋକସଭାରେ ମୋତେ ସାଂସଦ ଭାବରେ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଥିଲା। ଅଟଳଜୀଙ୍କ କାର୍ଯ୍ୟକାଳରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା ହୋଇଥିଲା। ଲୋକସଭାର ସଦସ୍ୟ ଭାବରେ, ମୁଁ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରାଖଣ୍ଡର ପୃଥକ୍‌ ରାଜ୍ୟ ଗଠନ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲି। ପରେ ମୋତେ ଝାଡ଼ଖଣ୍ଡର ରାଜ୍ୟପାଳ ହେବାର ସୌଭାଗ୍ୟ ମିଳିଥିଲା।
ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବା ପରେ ସେହି ଦିନ ମୁଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଯାଇଥିଲି। ମୋର ମନେ ଅଛି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଉଲିହାଟୁ ପରିଦର୍ଶନ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ। ତାଙ୍କର ଗସ୍ତ କେବଳ ଶ୍ରଦ୍ଧାଞ୍ଜଳି ନଥିଲା, ବରଂ ଏକ ଜାତୀୟ ତୀର୍ଥଯାତ୍ରା ଥିଲା, ଯାହା ସମଗ୍ର ଦେଶ ଆଗରେ ଆଦିବାସୀ ସମାଜର ଗୁରୁତ୍ୱକୁ ପ୍ରତିଷ୍ଠିତ କରିଥିଲା।
ମାନ୍ୟବର ପ୍ରଧାନମନ୍ତ୍ରୀ ଖୁଣ୍ଟି (ଝାଡ଼ଖଣ୍ଡ)ଠାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଯୋଜନା ଘୋଷଣା କରିବା ସମୟରେ ମୁଁ ତାଙ୍କ ସହିତ ମଧ୍ୟ ଉପସ୍ଥିତ ଥିଲି, ଯାହାର ଲକ୍ଷ୍ୟ ବିଶେଷ ଭାବରେ ଦୁର୍ବଳ ଜନଜାତି ସମ୍ପ୍ରଦାୟକୁ ସୁରକ୍ଷା ଦେବା ଏବଂ ସଶକ୍ତ କରିବା।
ପ୍ରଧାନମନ୍ତ୍ରୀ ଏହି ଯୋଜନା ପାଇଁ ପ୍ରେରଣାର ଶ୍ରେୟ ଦେଶର ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିଲେ, ଯିଏ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଜନଜାତି ସମାଜର ଉନ୍ନତି ପାଇଁ ଉତ୍ସର୍ଗ କରିଛନ୍ତି।
ମୁଁ ଦେଖିଛି ଯେ ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ନୀତି ନିର୍ଦ୍ଧାରଣର ଆଭିମୁଖ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ପୂର୍ବରୁ ଯେଉଁ ଯୋଜନାସବୁ କେବଳ କଲ୍ୟାଣମୂଳକ ଥିଲା ତାହା ଏବେ ସଶକ୍ତୀକରଣଭିତ୍ତିକ ହୋଇଯାଇଛି।
୨୦୨୩ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ-ଜନମନ ଅଭିଯାନ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଯୋଜନା ୭୫ଟି ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କୁ ଲକ୍ଷ୍ୟ ରଖିଛି ଏବଂ ଏଥିରେ ନଅଟି ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱିତ କାର୍ଯ୍ୟକଳାପ ସାମିଲ ଅଛି। ଏହାର ଲକ୍ଷ୍ୟ ହେଉଛି ୧୧ଟି ପ୍ରମୁଖ ହସ୍ତକ୍ଷେପ ମାଧ୍ୟମରେ ଏହି ସମ୍ପ୍ରଦାୟଗୁଡ଼ିକୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠାଇବା- ପକ୍କା ଘର, ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଅନ୍ୟାନ୍ୟ ସେବା ଭଳି ମୌଳିକ ସୁବିଧା ପ୍ରଦାନ କରିବା ଏବଂ ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମାଧ୍ୟମରେ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରିବା।
ଏହି ଅଭିଯାନକୁ ତିନି ଆର୍ଥିକ ବର୍ଷ (୨୦୨୩-୨୦୨୬) ମଧ୍ୟରେ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ ଏହା ସଫଳତାର ସହ ଦୁଇ ବର୍ଷ ପୂରଣ କରିଛି। ୨୪,୧୦୪ କୋଟି ଟଙ୍କାର ବଜେଟ୍ ସହିତ ଏହି ଯୋଜନା ୧୮ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୨୦୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି, ଯାହା ପ୍ରାୟ ୪୮.୧୮ ଲକ୍ଷ ଆଦିବାସୀ ନାଗରିକଙ୍କ ନିକଟରେ ପହଞ୍ଚିବ।
ଅନ୍ୟ ଏକ ଉଲ୍ଲେଖନୀୟ ସରକାରୀ ପଦକ୍ଷେପ ହେଉଛି ‘ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ’, ଯାହା ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ଏକ ପରିବର୍ତ୍ତନକାରୀ ମିସନ। ଏହାର ଲକ୍ଷ୍ୟ ହେଉଛି ୬୩,୦୦୦ରୁ ଅଧିକ ଜନଜାତି ବହୁଳ ଗ୍ରାମରେ ମୌଳିକ ସେବା ଏବଂ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ପାଇଁ ୧୦୦% ଉପଲବ୍ଧତା ସୁନିଶ୍ଚିତ କରିବା। ଏହା ୧୭ଟି କେନ୍ଦ୍ରୀୟ ମନ୍ତ୍ରଣାଳୟରେ ୨୫ଟି ପଦକ୍ଷେପର ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରେ।
ଜନଜାତୀୟ ଉତ୍ପାଦଗୁଡ଼ିକର ଜିଓ-ଟ୍ୟାଗିଂ, ଜନଜାତି ବ୍ୟବସାୟ ସମ୍ମିଳନୀ ଏବଂ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ଜନଜାତି ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସଗୁଡ଼ିକ ଆଦିବାସୀ ସମ୍ପ୍ରଦାୟକୁ ବିଚ୍ଛିନ୍ନ ସମ୍ପ୍ରଦାୟରୁ ଜାତୀୟ ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ କରିବାରେ ସକ୍ଷମ କରିଛି।
ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ଦିଗରେ ଏହି ନୀତିଗତ ପରିବର୍ତ୍ତନକୁ ଧ୍ୟାନରେ ରଖି, ମୁଁ ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ପରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ସମୟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆର)ର ବିସ୍ତାର ପାଇଁ ଗୁରୁତ୍ୱ ଦେଇଥିଲି ଯାହାଦ୍ବାରା ଅଧିକରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ।
ମୁଁ ଜାଣି ଖୁସି ଯେ ସରକାରଙ୍କ ଦ୍ବାରା ୭୨୮ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୭୯ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ପ୍ରାୟ ୩.୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେଉଛନ୍ତି।
ଏହା ମଧ୍ୟ ଉତ୍ସାହଜନକ ଯେ ସରକାର ଆଦିବାସୀ ନେତାମାନଙ୍କ ଜୀବନକୁ ଅମର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ, ୧୦ଟି ରାଜ୍ୟରେ ୧୧ଟି ଅତ୍ୟାଧୁନିକ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି, ଏଥି ମଧ୍ୟରୁ ଚାରିଟିର ଉଦ୍‌ଘାଟନ ହୋଇସାରିଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିର ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ପାର୍କ ଏବଂ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ମୁଁ ତାଙ୍କ ସହିତ ଥିଲି। ଏହି ସଂଗ୍ରହାଳୟଗୁଡ଼ିକ ଇତିହାସର ପୃଷ୍ଠାଗୁଡ଼ିକୁ ଏକ ଜୀବନ୍ତ କାହାଣୀରେ ପରିଣତ କରିବା ପାଇଁ ଡିଜିଟାଲ୍ ଏବଂ ନିମଜ୍ଜିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲେ, ଜନଜାତି ନାୟକମାନଙ୍କ ବଳିଦାନକୁ ଜାତୀୟ ଏକତା ଓ ସ୍ୱାଧୀନତା ପାଇଁ ପ୍ରେରଣା ଭାବରେ ଉପସ୍ଥାପନ କରିଥିଲେ।
ସ୍ୱାଧୀନତା ଓ ମର୍ଯ୍ୟାଦାର ସଂଗ୍ରାମ ଭାରତର ଆଦିବାସୀ ଅଞ୍ଚଳର ଜଙ୍ଗଲ ଓ ପାହାଡ଼ରେ ଗଭୀର ଭାବରେ ପ୍ରଭାବ ବିସ୍ତାର କରିଥିଲା ବୋଲି ଜନଜାତି ନେତା ଓ ସେମାନଙ୍କର ଆନ୍ଦୋଳନ ଆମକୁ ନିରନ୍ତର ମନେ ପକାଇ ଦେଇଥାଏ। ସେମାନଙ୍କର ସାହସ, ତ୍ୟାଗ ଓ ଅତୁଟ ସଂକଳ୍ପ ସାମାଜିକ ନ୍ୟାୟ, ପରିବେଶ ସନ୍ତୁଳନ ଓ ମାନବାଧିକାର ପାଇଁ ଆନ୍ଦୋଳନଗୁଡ଼ିକୁ ପ୍ରେରଣା ଦେଇ ଚାଲିଛି।
ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବଞ୍ଚିଥିଲେ, କିନ୍ତୁ ତାଙ୍କ ଦ୍ୱାରା ପ୍ରଜ୍ଜ୍ବଳିତ ଦେଶପ୍ରେମର ବହ୍ନି ଆଗାମୀ ୨,୫୦୦ ବର୍ଷ ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ହୋଇ ରହିବ। ଏହା କହିବା ଯଥାର୍ଥ ହେବ ଯେ, ମଣିଷ ଆସିବେ ଓ ଚାଲିଯିବେ, କିନ୍ତୁ ଧରତୀ ଆବା ଓ ଅନ୍ୟ ଆଦିବାସୀ ମହାନାୟକଙ୍କ ଐତିହ୍ୟ ସଦୈବ ଅମର ହୋଇ ରହିବ।’’
ଜୟ ହିନ୍ଦ, ଜୟ ଭାରତ।
(ମତାମତ ଲେଖକଙ୍କ ନିଜସ୍ବ)

Advertisment