ନୂତନ ଶିକ୍ଷାନୀତିରେ ଆଦିବାସୀ ଅଞ୍ଚଳ

ଡ. ଦୁଷ୍ମନ୍ତ କୁମାର ମହାନ୍ତି

ନୂତନ ଶିକ୍ଷାନୀତି-୨୦୨୦ ଏକ ଐତିହାସିକ ସ୍ବପ୍ନଭରା ନିଷ୍ପତ୍ତି ଯାହାକି ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନର ବ୍ୟବସ୍ଥା ରଖିଛି। ଏହା ଅନେକ ଆଶା ସଂଚାର କରିଛି। ଏକ ସାମ୍ୟତା ଭିତ୍ତିକ ଶିକ୍ଷାନୀତି ଭାରତବର୍ଷ ପରି ଦେଶରେ ଅପରିହାର୍ଯ୍ୟ ଅଟେ। କାରଣ ଆମ ଜାତୀୟ ଶିକ୍ଷାନୀତିରେ ଅନୁସୂଚିତ ଜାତି, ଜନଜାତି, ମହିଳା, ସଂଖ୍ୟାଲଘୁମାନଙ୍କ ପାଇଁ ନ୍ୟାୟ ସଙ୍ଗତ ଶିକ୍ଷାଦାନର ବ୍ୟବସ୍ଥା ରହିବା ଉଚିତ। ବିଶେଷକରି ଭାରତବର୍ଷର ସବୁଠାରୁ ପଛୁଆ ଆଦିବାସୀ ଅଞ୍ଚଳରେ ନ୍ୟାୟ ସଙ୍ଗତ ଶିକ୍ଷାଦାନର ଆବଶ୍ୟକତା ରହିଛି। ନୂତନ ଶିକ୍ଷାନୀତିକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି; କିନ୍ତୁ ଏହି ଶିକ୍ଷାନୀତିରେ ନ୍ୟାୟ ସଙ୍ଗତ ଓ ଅନ୍ତର୍ଭୁକ୍ତ ଶିକ୍ଷା (inclusive education) ବିଷୟରେ ଖୁବ କମ ଆଲୋଚନା ହେଇଛି। ଏହାକୁ ଭିତ୍ତିକରି ଏହି ପ୍ରବନ୍ଧରେ ନୂତନ ଶିକ୍ଷାନୀତିରେ ଆଦିବାସୀ ଅଞ୍ଚଳରେ ଶିକ୍ଷା ସମସ୍ୟା ଦୂର କରିବା କ୍ଷେତ୍ରରେ କେତେଦୂର ଗୁରୁତ୍ବ ଦିଆଯାଇଛି ସେ ବିଷୟରେ ଆଲୋଚନା ପାଇଁ ପ୍ରଚେଷ୍ଟା କରାଯାଇଛି।

ଗ୍ରୀକ ସଭ୍ୟତା ଠାରୁ ଆଜି ପର୍ଯ୍ୟନ୍ତ ଯେତେସବୁ ପରିବର୍ତ୍ତନ ପରିଲକ୍ଷିତ ହୁଏ, ତାର ଶ୍ରେୟାଂଶ ଶିକ୍ଷା ବ୍ୟବସ୍ଥାର ଭୂମିକାକୁ ଯାଏ। ଶିକ୍ଷା ହେଉଛି ଏକ ମାଧ୍ୟମ ଯାହାଦ୍ୱାରା ସାମାଜିକ ପରିବର୍ତ୍ତନର ଧାରା ନିଃସୃତ ହୁଏ। ଏହା ମଣିଷକୁ ଅନ୍ଧାରରୁ ଆଲୋକ ଆଡକୁ ନେଇଯାଏ। ସାମାଜିକ ଓ ମାନସିକ ପରିବର୍ତ୍ତନ ଆଣେ। ଆଜି ଯଦି ଭାରତବର୍ଷରେ ଏକ ବିରାଟ ପରିବର୍ତ୍ତନର ଧାରା ପ୍ରବାହିତ ହେଉଛି, ସେଥିରେ ଶିକ୍ଷାର ବଡ଼ ଅବଦାନ ରହିଛି। ଶିକ୍ଷା ହେଉଛି ସମାଜର ଭିତ୍ତିଭୂମି। ଅନେକ ଦିନ ଧରି ଶିକ୍ଷାବିତମାନେ ମାନସ ମନ୍ଥନ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଚେଷ୍ଟିତ। ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ସମ୍ବିଧାନର ୪୫ ଧାରାରେ କୁହାଯାଇଛି ଯେ ସ୍ବାଧୀନତା ପ୍ରାପ୍ତିର ୧୦ ବର୍ଷ ଭିତରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା ରାଜ୍ୟର କର୍ତ୍ତବ୍ୟ ଅଟେ। କିନ୍ତୁ ଏହି ଲକ୍ଷ୍ୟ ପୂରଣ ଦିଗରେ ଆମେ ଆଜିସୁଦ୍ଧା ସଫଳ ହୋଇପାରିନାହୁଁ। ୨୦୧୯ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ଭାରତବର୍ଷର ସାକ୍ଷରତା ହାର ୬୯.୦୧ ଅଟେ। ସେଥିରୁ ଅନୁମାନ କରାଯାଇପାରେ ଭାରତବର୍ଷରେ ପ୍ରାଥମିକ ଶିକ୍ଷାଲାଭ କରିଥିବା ଲୋକମାନଙ୍କ ସଂଖ୍ୟା କେତେ ହୋଇଥିବ। ଏହା ସତ ଯେ ୨୦୧୧ ଜନଗଣନା ଅନୁସାରେ ଭାରତରେ ଶିକ୍ଷିତମାନଙ୍କ ସଂଖ୍ୟା ଅଭିବୃଦ୍ଧି ହୋଇଛି। କିନ୍ତୁ ଅନ୍ୟ ବିକଶିତ ଦେଶ ତୁଳନାରେ ଏହା ସନ୍ତୋଷଜନକ ନୁହେଁ। ବିଶେଷକରି ଆଦିବାସୀ ଅଞ୍ଚଳରେ ଶିକ୍ଷିତ ଲୋକମାନଙ୍କ ସଂଖ୍ୟା ନୈରାଶ୍ୟଜନକ ଅଟେ। ଭାରତବର୍ଷ ଏପରି ଏକ ସମ୍ବିଧାନ ଦ୍ବାରା ପରିଚାଳିତ ଯେଉଁଥିରେ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ସମାଜର ବିଭିନ୍ନ ଶ୍ରେଣୀର ଅବହେଳିତ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ହେବ। ଏଥିପାଇଁ ଏକ ନ୍ୟାୟ ସଙ୍ଗତ ଓ ଅନ୍ତର୍ଭୁକ୍ତ ଶିକ୍ଷାର ଆବଶ୍ୟକତା ରହିଛି।

ଭାରତ ଏପରି ଏକ ଦେଶ ଯେଉଁଠାରେ ବିଭିନ୍ନ ମୂଳ ବାସିନ୍ଦାଲୋକେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ସବୁଠାରୁ ଅବହେଳିତ ଓ ପଛୁଆବର୍ଗ ଲୋକ ହେଉଛନ୍ତି ଆଦିବାସୀ। ସେମାନେ ଏପରି ଅଞ୍ଚଳରେ ବସବାସ କରନ୍ତି ଯାହାର ଦୁଃଖ କହିଲେ ନସରେ। ପ୍ରାୟ ଅଞ୍ଚଳ ଦୁର୍ଗମ ଅଟେ। ଗମନାଗମନ, ବିଜୁଳି ଆଲୁଅର ସୁବିଧା କମ ଥାଏ। ବର୍ଷା ଦିନେ ଅନେକ ଗୁଡିଏ ଗ୍ରାମ ବିଚ୍ଛିନ୍ନ ହୋଇଯାଏ। ଭାରତରେ ଆଦିବାସୀମାନଙ୍କର ସଂଖ୍ୟା ୧୦. ୨ କୋଟିରୁ ଅଧିକ ଅଟେ। ଏହା ପୃଥିବୀର ଆଦିବାସୀ ଜନସଂଖ୍ୟାର ଏକକ ସଂଖ୍ୟାଗରିଷ୍ଠ ଅଟେ। ତେଣୁ ଭାରତରେ ଆଦିବାସୀ ମାନଙ୍କର ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ଉଚିତ।

ଆଦିବାସୀ ମାନଙ୍କର ସାମାଜିକ, ଅର୍ଥନୈତିକ ଓ ମାନସିକ ବିକାଶ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ଭାରତ ସରକାର ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ୧୯୬୧ ମସିହାରେ ଆଦିବାସୀମାନଙ୍କ ଭିତରେ ସାକ୍ଷରତା ହାର ୮.୫୪ ଥିଲାବେଳେ ୨୦୧୧ ପରେ ତାହା ୬୩.୧ ପ୍ରତିଶତରେ ପହଞ୍ଚିଛି। କିନ୍ତୁ ଏହି ପରିସଂଖ୍ୟାନ ଅନେକଙ୍କ ଦ୍ବାରା ଗ୍ରହଣୀୟ ନୁହେଁ। କେତେକ ଆଦିବାସୀ ଅଞ୍ଚଳରେ ରାସ୍ତା,ପୋଲ ,ସ୍କୁଲ , କଲେଜ ପ୍ରତିଷ୍ଠା ହେଇଛି ସତ କିନ୍ତୁ ଭାରତର ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ଆଦିବାସୀମାନେ ପଛରେ ପଡିରହିଛନ୍ତି। ବିଶେଷ କରି ଆଦିବାସୀ ମହିଳାମାନେ ବହୁ ପଛରେ ପଡିରହିଛନ୍ତି । ଆମ ରାଜ୍ୟ ଓଡିଶାରେ ୬୨ ପ୍ରକାର ଆଦିବାସୀ ବସବାସ କରନ୍ତି ଓ ରାଜ୍ୟ ଜନସଂଖ୍ୟା ର ୨୨.୮୫ ଭାଗ ହେଉଛନ୍ତି ଆଦିବାସୀ। ଆଦିବାସୀ ମାନଙ୍କ ଭିତରେ ଶିକ୍ଷାର ହାର ନିଶ୍ଚିତ ବଢିଛି। କିନ୍ତୁ ତାହା ସନ୍ତୋଷଜନକ ନୁହେଁ । ଏସବୁ ପରିସଂଖ୍ୟାନ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ଭାରତରେ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଶିକ୍ଷା କ୍ଷେତ୍ରରେ ଅବହେଳିତ ହେଇ ପଡିରହିଥିବାର କାରଣମାନ ଖୋଜି ବାହାର କରିବା।

ଆଦିବାସୀ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ। ମୁଖ୍ୟ ସମସ୍ୟା ହେଲା ଆଦିବାସୀ ଅଞ୍ଚଳରେ ଛୋଟ ଛୋଟ ଗାଁ ଗୁଡିକ ସ୍କୁଲ ଠାରୁ ଦୂରରେ ଥାଏ। ଯିବା ଆସିବା କ୍ଷେତ୍ରରେ ପ୍ରାଥମିକ ସ୍ତରରେ ପିଲାମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଦ୍ବିତୀୟରେ ଶିକ୍ଷାଦାନର ଭାଷା ଓ ଆଦିବାସୀ ପିଲାମାନଙ୍କର କଥିତ ଭାଷା ଭିତରେ ସାମଞ୍ଜସ୍ୟ ନଥାଏ। ତେଣୁ ପିଲାମାନେ ପାଠ ପଢାରେ ଆଗ୍ରହ ନେଇ ନଥାନ୍ତି। ସବୁଠାରୁ ବଡ କାରଣ ହେଲା ପିତାମାତାଙ୍କର ଅର୍ଥନୈତିକ ଅନଗ୍ରସରତା ଯେଉଁଥିପାଇଁ ପିଲାମାନଙ୍କୁ ଜୀବିକା ଉପାର୍ଜନରେ ନିୟୋଜିତ କରାଯାଏ। ଭାରତରେ ଆଜି ପର୍ଯ୍ୟନ୍ତ ଚାଲିଆସୁଥିବା ଶିକ୍ଷା ପଦ୍ଧତି ଜୀବିକା ଅର୍ଜନକ୍ଷମ ହୋଇପାରିନାହିଁ। ଏହାଛଡା ଆଦିବାସୀ ଅଞ୍ଚଳରେ ବିଭିନ୍ନ ଅସୁବିଧା ଯୋଗୁଁ ଶିକ୍ଷକମାନେ ରହିବାକୁ ରାଜି ହୁଅନ୍ତି ନାହିଁ। ସାମାଜିକ କୁସଂସ୍କାର,ଅନ୍ଧ ବିଶ୍ବାସ ନାରୀ ଶିକ୍ଷାରେ ପ୍ରତିବନ୍ଧକ ହୁଏ। ଆଦିବାସୀ ଅଞ୍ଚଳରେ ଦେଖାଯାଏ ଅଧାରୁ ପାଠ ପଢା ଛାଡି ରହୁଥିବା ପିଲାମାନଙ୍କର ସଂଖ୍ୟା ଅଧିକ ଅଟେ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଭିତରେ ପ୍ରାୟ ୭୦ ପ୍ରତିଶତ ପିଲା ପାଠ ପଢା ଛାଡି ଦିଅନ୍ତି । ଏସବୁ ସମସ୍ୟାକୁ ଦୂର କରିବା ପାଇଁ ନୂତନ ଶିକ୍ଷାନୀତିରେ ଥିବା ବିଭିନ୍ନ ବ୍ୟବସ୍ଥା ଆଲୋଚନା ବିଧେୟ ଅଟେ।

ନୂତନ ଶିକ୍ଷାନୀତି ୨୦୨୦ର ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହେଲା ଯେ ଦେଶରେ ଏପରି ଏକ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଯେଉଁଠି ପ୍ରତ୍ୟେକ ପିଲା ନ୍ୟାୟ ସଙ୍ଗତ ଓ ସମାନ ଶିକ୍ଷା ପାଇ ଲାଭବାନ ହେବେ; ଯାହା ଫଳରେ କୌଣସି ପିଲା ଜନ୍ମ କିମ୍ବା ପୃଷ୍ଠଭୂମି ବା ପରିସ୍ଥିତି କାରଣରୁ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବେନାହିଁ । ଏକ ନ୍ୟାୟ ସଙ୍ଗତ ଓ ଅନ୍ତର୍ଭୁକ୍ତ ଶିକ୍ଷା (inclusive education) ହାସଲ କରିବା ଫଳରେ ୨୦୩୦ ସୁଦ୍ଧା ସମସ୍ତବର୍ଗ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ପାଇବାରେ ସକ୍ଷମ ହେବେ।

ଆଦିବାସୀ ଅଞ୍ଚଳରେ ବର୍ତ୍ତମାନ ଦିଆଯାଉଥିବା ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମକୁ ନୂତନ ଶିକ୍ଷାନୀତି ବଳବତ୍ତର ରଖିବା ସହିତ ଭାଷା ନୀତିକୁ ସ୍ପଷ୍ଟ କରିଦେଇଛି। ଭାଷାଗତ ସ୍ବାଧୀନତା ଦିଆଯାଇଛି। ଆଦିବାସୀ ଅଞ୍ଚଳରେ ମୁଖ୍ୟ ସମସ୍ୟା ଥିଲା ଯେ ପିଲାମାନଙ୍କର କଥିତ ଭାଷା ଓ ଶିକ୍ଷା ଦାନର ଭାଷା ଭିତରେ ଅନେକ ପାର୍ଥକ୍ୟ ଥିଲା। ଆଦିବାସୀ ପିଲାମାନେ ସ୍କୁଲ ଶିକ୍ଷାରେ ଆଗ୍ରହ ନେଉ ନଥିଲେ। ସେ ସମସ୍ୟା ଦୂରୀକରଣ ନିମନ୍ତେ ୨୦୦୭-୨୦୦୮ ମସିହାରୁ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡିଶା ପରି ରାଜ୍ୟରେ ୧୦ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରକାଶିତ ହୋଇ ସେହି ଭାଷା ଆଦିବାସୀ ଶିକ୍ଷକମାନଙ୍କ ଦ୍ବାରା ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି ଯଥା ସଉରା ଭାଷା- ଗଜପତି ଓ ରାୟଗଡା ଜିଲ୍ଲା,ମୁଣ୍ଡା –ମୟୂରଭଞ୍ଜ ଜିଲ୍ଲା କିସାନ- ସମ୍ବଲପୁର ଜିଲ୍ଲା, ମୁଣ୍ଡା – ସୁନ୍ଦରଗଡ ଜିଲ୍ଲା, ବଣ୍ଡା- ମାଲକାନାଗିରି, କୁଇ –କନ୍ଧମାଳ ଜିଲ୍ଲା, କୋୟା- ମାଲକାନାଗିରି ଜିଲ୍ଲା ,କୁଭି- ରାୟଗଡା ଜିଲ୍ଲା ,ଓରାମ- ସୁନ୍ଦରଗଡ ଜିଲ୍ଲା, ଜୁଆଙ୍ଗ- କେନ୍ଦୁଝର ଜିଲ୍ଲା । ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଦେବାପରେ ପରବର୍ତ୍ତୀ ସମୟରେ ଆଉ ୧୧ ଜନଜାତି ଭାଷାରେ ପୁସ୍ତକ ପ୍ରକାଶିତ ହୋଇଛି। ଆଦିବାସୀ ଅଞ୍ଚଳରେ ଚାଲିଥିବା ଏହି ବହୁଭାଷୀ ପ୍ରୟାସକୁ ନୂତନ ଶିକ୍ଷା ନୀତିରେ ସ୍ଥାନ ଦିଆଯିବା ସହିତ କୁହାଯାଇଛି ଯେ ଆଦିବାସୀ ଅଞ୍ଚଳରେ ଉତ୍ତମ ଶିକ୍ଷକ ସୃଷ୍ଟି କରିବାପାଇଁ ସେହି ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃ୍ତ୍ତି ପ୍ରଦାନ କରାଯିବ ଓ ସେମାନଙ୍କୁ ଶିକ୍ଷକତା ପ୍ରଶିକ୍ଷଣ ଦିଆଯିବ। ଯାହାଫଳରେ ବର୍ତ୍ତମାନ ଆଦିବାସୀ ଅଞ୍ଚଳରେ ଦେଖାଦେଇଥିବା ଶିକ୍ଷକ ମାନଙ୍କର ଅଭାବର ସମ୍ଭାବନା ରହିବ ନାହିଁ । ଆଦିବାସୀ ଅଞ୍ଚଳର ଆଉ ଗୋଟିଏ ସମସ୍ୟା ଥିଲା ପିଲାମାନେ ପଢୁଥିବା ବିଷୟବସ୍ତୁ ସହିତ ଆଦିବାସୀ ପିଲାମାନଙ୍କର ସଂସ୍କୃତି, ପରମ୍ପରା,ଚାଲିଚଳନ ଓ ମୂଲ୍ୟବୋଧ ସହିତ କୌଣସି ସମ୍ପର୍କ ରହୁନଥିଲା । ନୂତନ ଶିକ୍ଷା ନୀତିରେ ଏଦିଗରେ ପାଠ୍ୟକ୍ରମ ତିଆରିବେଳେ ଓ ଶିକ୍ଷାଦାନ ବେଳେ ଆଦିବାସୀ ଅଞ୍ଚଳର ସଂସ୍କୃତି ପରମ୍ପରା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ତେବେ ଏଠାରେ ଏକ ସମସ୍ୟା ସୃଷ୍ଟି ହୋଇପାରେ ଯେଉଁଠାରେ ବିଭିନ୍ନ ଭାଷାର ଆଦିବାସୀ ରହୁଛନ୍ତି ସେଠାରେ ବହୁଭାଷୀ ଶିକ୍ଷାଦାନ ପୁସ୍ତକ ଆକାରରେ ସମ୍ଭବ ହେଇନପାରେ। ସେ କ୍ଷେତ୍ରରେ ବହୁଭାଷା କୌଶଳ ସ୍ୱରୂପ ପ୍ରାଥମିକ ସ୍ତରରେ ଲିଖିତ ପାଠ୍ୟ ପୁସ୍ତକ ଉପରେ ଗୁରୁତ୍ବ ନଦେଇ ଶିଶୁ ଉପଯୋଗୀ କାର୍ଯ୍ୟକ୍ରମ ଯଥା ଖେଳ, ନୃତ୍ୟଗୀତ, କାହାଣୀ ସେମାନଙ୍କ ନିଜ ନିଜ ଭାଷାରେ କୁହାଗଲେ ବହୁଭାଷୀ ଅଞ୍ଚଳର ସମସ୍ୟା ଦୂର ହୋଇପାରିବ ।

ନୂତନ ଶିକ୍ଷା ନୀତିରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ଉପରେ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ଉପାର୍ଜନକ୍ଷମ କରିପାରିବ ଏବଂ ଶିକ୍ଷାପ୍ରତି ପିଲାମାନଙ୍କର ଆଗ୍ରହ ବଢିବ। ତେବେ ଆଦିବାସୀ ଅଞ୍ଚଳରେ ଅନ୍ୟାନ୍ୟ ବୃତ୍ତି ବା ଧନ୍ଦାମୂଳକ ଶିକ୍ଷା ସହିତ ଆଧୁନିକ ପ୍ରଣାଳୀର କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରସ୍ତୁତି, କୁକୁଡା ଚାଷ, ମାଛ ଚାଷ, ଗୋପାଳନ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଗଲେ ଅଧିକ ଗ୍ରହଣୀୟ ହେବ । କିନ୍ତୁ ସେସବୁ ପାଇଁ ସ୍କୁଲ ମାନଙ୍କରେ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଓ ଭିତ୍ତିଭୂମିର ଆବଶ୍ୟକତା ରହିଛି । ନୂତନ ଶିକ୍ଷା ନୀତି ଜି. ଡି. ପି ର ଶତକଡା ୬ ଭାଗ ଶିକ୍ଷାକ୍ଷେତ୍ରରେ ଖର୍ଚ୍ଚ କରିବେ ବୋଲି କୁହାଯାଇଛି ଯାହାକି ଅନ୍ୟ ଦେଶ ତୁଳନାରେ କମ ଅଟେ । ତେବେ ଏହି ଖର୍ଚ ଖସଡା ତିଆରିବେଳେ ସେହି ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଗଲେ ଆଦିବାସୀ ଅଞ୍ଚଳରେ ଶିକ୍ଷା ଅଧିକ ଆକର୍ଷଣୀୟ ହୋଇପାରିବ ଏବଂ ନୂତନ ଶିକ୍ଷା ନୀତିର ଲକ୍ଷ୍ୟ, ନ୍ୟାୟ ସଙ୍ଗତ ଓ ଅନ୍ତର୍ଭୁକ୍ତ ଶିକ୍ଷା ଏକ ବାସ୍ତବ ରୂପ ନେଇପାରିବ। ଆଦିବାସୀ ମାନଙ୍କର ବିକାଶ ପାଇଁ ଶିକ୍ଷା ଯେ ଏକ ଅମୂଲ୍ୟ ସମ୍ପଦ ତାହା ଆମ ସମସ୍ତଙ୍କୁ ହୃଦୟଙ୍ଗମ କରିବାକୁ ପଡିବ। ପୂର୍ବ ଅପେକ୍ଷା ଆଦିବାସୀ ମାନଙ୍କର ଶିକ୍ଷାକ୍ଷେତ୍ରରେ ବିକାଶ ହୋଇଛି ସତ କିନ୍ତୁ ଆହୁରି ଅନେକ ବାଟ ଚାଲିବାକୁ ପଡିବ। ସେଥିପାଇଁ ନୂତନ ଶିକ୍ଷା ନୀତିକୁ ସଂକଳ୍ପବଦ୍ଧ ଭାବରେ ଏଠାରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକର କାର୍ଯ୍ୟକାରିତା ଆବଶ୍ୟକ।

ମାତୃ ନିବାସ
କୋପେରଟିଭ କୋଲୋନି, ରାୟଗଡ଼ା
ମୋ-୯୪୩୭୮୬୩୨୯୯

ସମ୍ବନ୍ଧିତ ଖବର