ନୂଆ ଶିକ୍ଷାନୀତିର ଆଦର୍ଶ ପରିକଳ୍ପନା- ବିଶ୍ବର ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥା, ସ୍ବୟ˚ସମ୍ପୂର୍ଣ୍ଣ ଶିକ୍ଷା, ଯାହା ପ୍ରତିଷ୍ଠିତ ହେବ ଭାରତୀୟ ଭାବଧାରା ଉପରେ ଏବ˚ ଭାରତକୁ ଜ୍ଞାନର ଅନ୍ୟତମ ଶକ୍ତିଶାଳୀ ଦେଶରେ ପରିବର୍ତ୍ତନ କରିବ। ଭାରତ ହେବ ବିଶ୍ବଗୁରୁ। ଏକବି˚ଶ ଶତାବ୍ଦୀର ସାମର୍ଥ୍ୟ ନେଇ ଦେଶର ଜ୍ଞାନ-ପର୍ଯ୍ୟବସିତ ସମାଜକୁ ଆଗେଇ ନେବା ପାଇଁ ଆମ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ପୁନର୍ବିନ୍ୟାସ ହେବ। ଏଇ ପରିକଳ୍ପନାକୁ ସାକାର କରିବେ ଅନେକ ବଡ଼ ବଡ଼ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ, ଯେଉଁଠାରେ ବିବିଧ ଶୃଙ୍ଖଳାର ସମନ୍ବିତ ଜ୍ଞାନ-ସମ୍ବଳିତ ଶିକ୍ଷା ଦିଆଯିବ। ଦେଶର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଅନ୍ୟୂନ ଗୋଟିଏ ଅନୁଷ୍ଠାନ ରହିବ ଏବ˚ ଏ ସବୁ ସମ୍ପୂର୍ଣ୍ଣ ସ୍ବାଧୀନ ଓ ସ୍ବୟ˚ଶାସିତ ଅନୁଷ୍ଠାନ ହେବ। ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ରହିବେ ଏବ˚ ଏଗୁଡ଼ିକ ହାର୍ଭାର୍ଡ, କର୍ନେଲ, କଲମ୍ବିଆ ଭଳି ‘ଆଇଭି ଲିଗ୍’ ବିଶ୍ବବିଦ୍ୟାଳୟ, ବା ଏମ୍ଆଇଟି କିମ୍ବା ଷ୍ଟାନ୍ଫୋର୍ଡର ସମକକ୍ଷ ହେବେ।
ଏହି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ କ୍ରମେ ବଳିଷ୍ଠ ଗବେଷଣା ଭିତ୍ତିକ ବିଶ୍ବବିଦ୍ୟାଳୟ (RU) କିମ୍ବା ଶିକ୍ଷାଦାନ ବିଶ୍ବବିଦ୍ୟାଳୟ (TU) ଭାବରେ ବିବର୍ତ୍ତିତ ହେବେ। ସେହିପରି ପ୍ରତ୍ୟେକ ମହାବିଦ୍ୟାଳୟ କ୍ରମଶଃ ଡିଗ୍ରୀ ପ୍ରଦାନକାରୀ ସ୍ବୟ˚ଶାସିତ ବା ଅଟୋନମସ୍ କଲେଜ (AC)ରେ ପରିଣତ ହେବେ। ୨୦୩୫ ମସିହା ସୁଦ୍ଧା ସମସ୍ତ ସହବନ୍ଧିତ ବା ଆଫିଲିଏଟେଡ୍ କଲେଜ ଅଟୋନମସ୍ କଲେଜରେ ପରିଣତ ହେବେ। ୨୦୨୫ ସୁଦ୍ଧା ଅନେକ ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ଯାହା ଫଳରେ କୌଣସିଟିରେ ୩୦୦ରୁ ଅଧିକ ସହବନ୍ଧିତ କଲେଜ ରହିବ ନାହିଁ। ଏ ସମସ୍ତ କଲେଜ ୨୦୩୫ ସୁଦ୍ଧା ମାନ୍ୟତା ଲାଭ କରି ସ୍ବୟ˚ଶାସିତ କଲେଜ ହେବେ ଏବ˚ ସହବନ୍ଧନ ପ୍ରଥା ଲୋପ ପାଇବ। ସହବନ୍ଧନ ଦେଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସାଧାରଣ କିମ୍ବା ବୈଷୟିକ ବିଶ୍ବବିଦ୍ୟାଳୟ, ଏକକ ବିଶ୍ବବିଦ୍ୟାଳୟ, ମାନିତ ବା ‘ଡିମ୍ଡ’ ବିଶ୍ବବିଦ୍ୟାଳୟ ଇତ୍ୟାଦି ବିଭିନ୍ନ ଶ୍ରେଣୀର ବିଶ୍ବବିଦ୍ୟାଳୟ ରୂପେ ପରିଚିତ ହେବା ପରିବର୍ତ୍ତେ କେବଳ ‘ବିଶ୍ବବିଦ୍ୟାଳୟ’ ହିଁ ହୋଇ ରହିବ, ଯାହାର ସ˚ଜ୍ଞା ହେବ, ସ୍ନାତକ, ସ୍ନାତକୋତ୍ତର ଏବ˚ ପିଏଚ୍.ଡି ପାଠ୍ୟକ୍ରମ ଦେଉଥିବା ବହୁ ଶୃଙ୍ଖଳାର ଉଚ୍ଚ ଶିକ୍ଷାନୁଷ୍ଠାନ, ଉଚ୍ଚ ମାନର ଶିକ୍ଷା ଓ ଗବେଷଣାର ଅନୁଷ୍ଠାନ। ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ରୂପାନ୍ତରିତ ହେବ, ବିଶ୍ବସ୍ତରୀୟ ହେବ, ଅନେକ ସମ୍ପ୍ରସାରିତ ହେବ ଆକାରରେ, ଗୁଣରେ ଓ ପ୍ରଭାବରେ। ସମୟ ସୀମିତ, ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଅନେକ। ନୂଆ ଶିକ୍ଷାନୀତିରେ ସ୍ବପ୍ନରେ କାର୍ପଣ୍ୟ ନାହିଁ।
କେବଳ ଉଚ୍ଚଶିକ୍ଷାନୁଷ୍ଠାନମାନ ବହୁଗୁଣିତ ହେବେ ନାହିଁ, ଶିକ୍ଷାର୍ଥୀ ସ˚ଖ୍ୟା ମଧୢ ବହୁଗୁଣିତ ହେବ। ୨୦୧୮ ମସିହା ସୁଦ୍ଧା ସ୍କୁଲ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ମଧୢରୁ ମାତ୍ର ୨୬.୩% ଭାଗ ଉଚ୍ଚ ଏବ˚ ବୈଷୟିକ ଶିକ୍ଷାରେ ଯୋଗ ଦେଉଥିଲେ। ନୂଆ ଶିକ୍ଷାନୀତିର ପରିକଳ୍ପନା ଅନୁସାରେ ୨୦୩୦ ସୁଦ୍ଧା ଏହି ହାର ବଢ଼ି ୫୦% ହେବ। ଅର୍ଥାତ୍, ଗୋଟିଏ ଦଶନ୍ଧି ମଧୢରେ ଉଚ୍ଚ ଓ ବୈଷୟିକ ଶିକ୍ଷାରେ ବର୍ତ୍ତମାନର ପ୍ରାୟ ଚାରିକୋଟି ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ବଢ଼ି ପ୍ରାୟ ୧୦ କୋଟି ହେବ। ତେଣୁ ଏହି ଦଶ ବର୍ଷ ମଧୢରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ସମ୍ପ୍ରସାରିତ ହେବେ, ଯାହା ଫଳରେ ପ୍ରାୟ ୬ କୋଟି ଅଧିକ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କୁ ସାମିଲ କରିପାରିବେ। ଏହି ଅନୁଷ୍ଠାନମାନଙ୍କରେ ଦୂର ନିରନ୍ତର ମୁକ୍ତ ଶିକ୍ଷା ବ୍ୟବସ୍ଥା ମଧୢ ରହିବ। ଏ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ସ୍ବତନ୍ତ୍ରତା ଏବ˚ ସ୍ବନିୟନ୍ତ୍ରଣର ସ୍ଥିରତା ସର୍ବସାଧାରଣ ସରକାରୀ ପାଣ୍ଠି ଯୋଗାଣ ଦ୍ବାରା ସମର୍ଥିତ ହେବ। ଏହି ଉଦ୍ଦେଶ୍ୟରେ, ସମାଜର ସମସ୍ତ ବର୍ଗର ଶିକ୍ଷାର୍ଥୀଙ୍କୁ ନ୍ୟାୟସଙ୍ଗତ ଶିକ୍ଷା ଯୋଗାଇବା ପାଇଁ ଆନ୍ତରିକତା ଥିବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରାଯିବ। କୌଣସି ନିର୍ଦ୍ଦିଷ୍ଟ ଢାଞ୍ଚା ବା ଆକୃତି ନ ଥିବା ଏକ ମୁକ୍ତ ଏବ˚ ଖୁବ ନମନୀୟ ପାଠ୍ୟଖସଡ଼ା ଓ ଶିକ୍ଷାପଦ୍ଧତି ନେଇ ଏହି ସମ୍ପ୍ରସାରିତ ଅନୁଷ୍ଠାନମାନେ ଯେ ଏତେ ସ˚ଖ୍ୟକ ଶିକ୍ଷାର୍ଥୀଙ୍କ ପାଇଁ ଉଚିତ ସୁଯୋଗ ସୃଷ୍ଟି କରିପାରିବେ, ତାହା ଏକ ଦିବାସ୍ବପ୍ନ ଭଳି ମନେହୁଏ। ସ୍କୁଲ ଶିକ୍ଷା ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥାର ପରିକଳ୍ପିତ ଢାଞ୍ଚା ଏତେ ଖୋଲା ଓ ନମନୀୟ ଯେ ମନେହୁଏ ବିଦ୍ୟାର୍ଥୀ ଏବ˚ ଅନୁଷ୍ଠାନ ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ପ୍ରଣାଳୀ ବା ଢାଞ୍ଚା ନାହିଁ।
ସ୍ନାତକ ଡିଗ୍ରୀ ପୂର୍ବର ଏବ˚ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥାର ପ୍ରସ୍ତାବନା ଏତେ ନମନୀୟ ଯେ ଜଣେ ହାଇସ୍କୁଲ ପାସ୍ କରିଥିବା ପିଲା ଏକାଧିକ ଢଙ୍ଗରେ ଓ ଏକାଧିକ ଶୃଙ୍ଖଳାରେ ଶିକ୍ଷା ଲାଭ କରିପାରିବ। ସ୍କୁଲ ଶିକ୍ଷା ପରେ ଓ ସ୍ନାତକ ଡିଗ୍ରୀ ମଧୢରେ ଜଣେ ପିଲା ଏକ ବର୍ଷ, ଦୁଇ ବର୍ଷ, ତିନି ବର୍ଷ କିମ୍ବା ଚାରି ବର୍ଷର ପାଠରେ ଯୋଗ ଦେଇପାରିବ ଏବ˚ ସେ ସ୍ନାତକ ପାଠ ପାଇଁ ଚାରି ବର୍ଷରୁ ଅଧିକ ସମୟ ମଧୢ ବିଧିବଦ୍ଧ ଭାବରେ ନେଇପାରେ। ସ୍ନାତକ ପୂର୍ବ ପାଠ୍ୟକ୍ରମ ତିନି କିମ୍ବା ଚାରିବର୍ଷର ଯହିଁରେ ବିଭିନ୍ନ ସମୟରେ ପ୍ରସ୍ଥାନର ବିକଳ୍ପ ରହିବ – ଏକ ବର୍ଷର ଡିପ୍ଲୋମା, ଦୁଇ ବର୍ଷର ଉନ୍ନତ ପେସାଦାର ବା ବୃତ୍ତିଗତ ଡିପ୍ଲୋମା, ତିନି ବର୍ଷର ସ୍ନାତକ ଡିଗ୍ରୀ କିମ୍ବା ଇଚ୍ଛାଧୀନ ଭାବରେ ଚାରିବର୍ଷର ବହୁ ଶୃଙ୍ଖଳାର ସ୍ନାତକ ଡିଗ୍ରୀ ହାସଲ କରିପାରିବ। ନିଜର ଈପ୍ସିତ ଡିପ୍ଲୋମା ବା ଡିଗ୍ରୀ ପାଇଁ ସମୟ ସୀମା ମଧୢ ଶିକ୍ଷାର୍ଥୀ ନିଜ ସୁବିଧାରେ ବଢ଼ାଇ ଦେଇପାରେ, କାରଣ ପ୍ରତ୍ୟେକଟି ନିର୍ଦ୍ଧାରିତ ପାଠ୍ୟ ବିଷୟ ବା କୋର୍ସ ଶେଷ କରିବା ପରେ ସେ ଯେଉଁ କ୍ରେଡିଟ୍ ହାସଲ କରିବ, ତାହାକୁ ଆକାଡେମିକ ବ୍ୟାଙ୍କ୍ର କ୍ରେଡିଟ୍ (ABC) ହିସାବରେ ଜମା କରିପାରିବ। ଏହି ଗଚ୍ଛିତ କ୍ରେଡିଟ୍ ବଦଳରେ ନିର୍ଦ୍ଦିଷ୍ଟ ଡିଗ୍ରୀ ବା ଡିପ୍ଲୋମା ହାସଲ କରିହେବ। ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏ ପ୍ରକାର ଖୋଲା ବ୍ୟବସ୍ଥା ନିଶ୍ଚୟ ଅତ୍ୟାଧୁନିକ ଏବ˚ ଏହାଦ୍ବାରା ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ଆଗ୍ରହ ଓ ଆବଶ୍ୟକତା ଅନୁସାରେ ଶିକ୍ଷାଲାଭ କରିପାରିବ, ଶିକ୍ଷାନୁଷ୍ଠାନରେ ବର୍ଷେ ଦି’ବର୍ଷ କଟେଇ, କର୍ମକ୍ଷେତ୍ରରେ ଯୋଗ ଦେଇପାରିବ ଏବ˚ ପରେ ପୁଣି ଶିକ୍ଷାଲାଭ ପାଇଁ ଫେରିପାରିବ। କିନ୍ତୁ ଏ ପ୍ରକାର ବ୍ୟବସ୍ଥା ଆମ ଦେଶର ସ୍ଥିତିରେ ଖୁବ୍ ଅବାସ୍ତବ ମନେ ହୁଏ। କାରଣ, ଆମର ଅର୍ଥନୀତି ଓ ନିଯୁକ୍ତି ସମ୍ଭାବନା ଏତେ ଉନ୍ମୁକ୍ତ ନୁହେଁ ଯେ ପିଲାଏ ପାଠ ଛାଡ଼ି କାମରେ ଓ ପୁଣି କାମ ଛାଡ଼ି ପାଠରେ ଏତେ ସହଜରେ ଓ ସାବଲୀଳ ଭାବରେ ଯୋଗ ଦେଇ ପାରିବେ। ଅଧିକ ସମସ୍ୟା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ। ଅନୁଷ୍ଠାନମାନଙ୍କରେ ଏବ˚ ବିଭିନ୍ନ ବିଷୟର ଶିକ୍ଷା ଦାନରେ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ପୂର୍ବ ନିର୍ଦ୍ଧାରିତ ହୋଇପାରିବ ନାହିଁ, କାରଣ, ପ୍ରବେଶ, ପ୍ରସ୍ଥାନ ଓ ପୁନଃ ପ୍ରବେଶର ବାଟମାନ ଏତେ ଖୋଲା ଯେ କୌଣସି ସ୍ଥିରତା ରକ୍ଷା କରି ହେବ ନାହିଁ। ନୂଆ ଶିକ୍ଷାନୀତିର ପ୍ରଣୟନ ପ୍ରକ୍ରିୟା ବୋଧହୁଏ ଆଦର୍ଶ ଓ ସ୍ବପ୍ନରେ ହିଁ ସୀମିତ ରହିଛି; ଏଥିରେ ବାସ୍ତବତା ନାହିଁ; କାରଣ ଏହା ଆମର ସାମ୍ପ୍ରତିକ ସ୍ଥିତି ଓ ଗତ ଶିକ୍ଷାନୀତି ପରର ୩୪ ବର୍ଷର ବିଶ୍ଳେଷଣ ଓ ସମୀକ୍ଷା କରି ନାହିଁ। ଏବେ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧୢରେ ଏ ସ୍ବପ୍ନମାନ କେତେଦୂର ବାସ୍ତବ?
ସ୍ନାତକୋତ୍ତର ଡିଗ୍ରୀ ଓ ପିଏଚ୍.ଡି କାର୍ଯ୍ୟକ୍ରମରେ ମଧୢ ସେଇଭଳି ଅନେକ ନମନୀୟତା, ବିଭିନ୍ନ ଡିଜାଇନ୍ର ସ୍ନାତକୋତ୍ତର ଡିଗ୍ରୀ। ଯେଉଁ ଛାତ୍ରଛାତ୍ରୀମାନେ ‘ଗବେଷଣା’ ସହିତ ଚାରି ବର୍ଷିଆ ସ୍ନାତକ ହାସଲ କରିଥିବେ ସେମାନଙ୍କ ପାଇଁ ଏକ ବର୍ଷର ସ୍ନାତକୋତ୍ତର ଡିଗ୍ରୀ। ତିନି ବର୍ଷିଆ ସ୍ନାତକମାନଙ୍କ ପାଇଁ ଦୁଇ ବର୍ଷର ସ୍ନାତକୋତ୍ତର ବା ମାଷ୍ଟରସ୍ ଡିିଗ୍ରୀ କାର୍ଯ୍ୟକ୍ରମ ଯେଉଁଥିରେ ଦ୍ବିତୀୟ ବର୍ଷଟି ସମ୍ପୂର୍ଣ୍ଣ ଭାବରେ ଗବେଷଣା ପାଇଁ ଉଦ୍ଦିଷ୍ଟ। ଏହା ବ୍ୟତୀତ, ଅନ୍ୟ ଏକ ତୃତୀୟ ପନ୍ଥା ହେଲା ପାଞ୍ଚ-ବର୍ଷର ସମ୍ମିଳିତ ବ୍ୟାଚଲର ଓ ମାଷ୍ଟର୍ସ୍ ଡିଗ୍ରୀ। ଠିକ୍ ସେମିତି ଭିନ୍ନ ପଥରେ ଯାଇ ପିଏଚ୍.ଡି ଡିିଗ୍ରୀ କାର୍ଯ୍ୟକ୍ରମ ମାଷ୍ଟରସ୍ ଡିଗ୍ରୀଧାରୀଙ୍କ ପାଇଁ କିମ୍ବା ଗବେଷଣା ଥାଇ ୪-ବର୍ଷିଆ ବ୍ୟାଚଲର ଡିଗ୍ରୀ ବା ସ୍ନାତକମାନଙ୍କ ପାଇଁ। ତେଣୁ ଡିପ୍ଲୋମାଠାରୁ ଆରମ୍ଭ କରି ପି.ଏଚ୍.ଡ଼ି ଡିଗ୍ରୀ ପାଇଁ, ନୂଆ ଶିକ୍ଷାନୀତିରେ ବାଟ ଏତେ ଯେ ମନେ ହେବ ଯେମିତି ଶିକ୍ଷା ନୁହେଁ ଶିକ୍ଷା ହାଟ ଚାଲିଛି ଯେଉଁଠି ଭିନ୍ନ ଭିନ୍ନ ବିକଳ୍ପର ଶେଷ ନାହିଁ। ଶିକ୍ଷା ସଉଦାର ଏ ନମନୀୟ ବିକଳ୍ପମାନଙ୍କ ମଧୢରେ ଏମ୍.ଫିଲ ପାଠ୍ୟକ୍ରମକୁ କାହିଁକି ବାଦ୍ ଦିଆଗଲା ତା’ର କାରଣ ଅସ୍ପଷ୍ଟ। ଯଦି ପିଏଚ୍.ଡି ପାଇଁ ଶିକ୍ଷାର୍ଥୀ କ୍ରେଡିଟ୍ ନିର୍ଦ୍ଧାରିତ କୋର୍ସ ନେବେ ଏବ˚ ତା’ ସହିତ ଅଧୢାପନା ଓ ଶିକ୍ଷଣ ପ୍ରକ୍ରିୟାରେ ଅଭିଜ୍ଞତା ଲାଭ କରିବେ, ତେବେ କେବଳ କୋର୍ସମାନ ଶେଷ କରି ଜଣେ ପ୍ରାକ୍-ପି.ଏଚ୍.ଡ଼ି ବା ଏମ୍.ଫିଲ ଡିଗ୍ରୀ ମଧୢ ପାଇପାରନ୍ତା ଏବ˚ ନିର୍ଦ୍ଦିଷ୍ଟ ସ୍ତରରେ ନିଜ ବିଷୟରେ ଅଧୢାପନା ବା ଶିକ୍ଷକତା ପାଇଁ କେବଳ ଶିକ୍ଷାଦାନ ଅନୁଷ୍ଠାନ (TU)ରେ ଯୋଗ ଦେଇପାରିଥାଆନ୍ତା। ପୁରୁଣା ଢାଞ୍ଚା ବଦଳେଇବା ପାଇଁ ଏମ୍.ଫିଲ ଡିଗ୍ରୀକୁ ବାଦ୍ ଦେବା ବିଷୟରେ ବୋଧହୁଏ ସବିଶେଷ ଚିନ୍ତା କରାଯାଇନାହିଁ। ଏ ପ୍ରଶ୍ନ ଉଠିବ ଏଇଥିପାଇଁ ଯେ ବାକି ଢାଞ୍ଚା ଅତ୍ୟଧିକ ଭାବରେ ଖୋଲା।
ଶିକ୍ଷା ହାଟରେ ନୂଆ ନୀତିରେ ପ୍ରସ୍ତାବିତ ବିକଳ୍ପମାନଙ୍କର ବିବିଧତା ଏତିକିରେ ସରିଲା ନାହିଁ। ଚଳନ୍ତି ବର୍ଷମାନଙ୍କରେ ପାରମ୍ପରିକ ଭାବରେ ଚାଲି ଆସିଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ଇତ୍ୟାଦି ପାଠ୍ୟକ୍ରମର ସ୍ରୋତମାନେ ଏକବି˚ଶ ଶତାବ୍ଦୀର ବିଶ୍ବ ସ୍ତରୀୟ ଶିକ୍ଷା ପାଇଁ ଖୁବ୍ ସୀମିତ ମନେ ହେଲେ। ତେଣୁ, ନୂଆ ନୀତିରେ ପାଠ୍ୟ ଖସଡ଼ାର ସ୍ରୋତମାନେ ଉନ୍ମୁକ୍ତ ଓ ପରସ୍ପର ସହ ସମନ୍ବିତ। ଶିକ୍ଷାରେ ଜ୍ଞାନର ପାରମ୍ପରିକ ବିଭାଜନ- କଳା, ବିଜ୍ଞାନ, ସୂକ୍ଷ୍ମକଳା, ସାହିତ୍ୟ ଇତ୍ୟାଦି- ରହିବ ନାହିଁ ଏବ˚ ଶିକ୍ଷାର୍ଥୀମାନେ ସୃଜନାତ୍ମକ ଭାବରେ ନିଜ ପସନ୍ଦରେ ବିଭିନ୍ନ ସ୍ରୋତରୁ ପାଠ୍ୟ ବିଷୟମାନ ବାଛି ପାରିବେ। ହ୍ୟୁମାନିଟିଜ୍ ବା ମାନବିକୀୟ ପାଠ୍ୟ ବିଷୟମାନେ ବିଜ୍ଞାନ, ବୈଷୟିକ ବିଦ୍ୟା, ପ୍ରାୟୋଗିକ ବିଦ୍ୟା ଏବ˚ ଗଣିତ (STEM) ସହିତ ସମ୍ମିଳିତ ହେବେ। ଅର୍ଥାତ୍, ଛାତ୍ରଛାତ୍ରୀମାନେ କିଛି ବିଜ୍ଞାନ ବିଷୟ ସହିତ ଦର୍ଶନ, କଳା, ଇତିହାସ, ଚାରୁକଳା ଇତ୍ୟାଦି ଏକତ୍ର ଚୟନ କରିପାରିବେ। ଶିକ୍ଷା ସାମଗ୍ରିକ ଏବ˚ ବିବିଧ ଜ୍ଞାନ ସମ୍ବଳିତ ହେବ। ନୂଆ ନୀତିରେ ଏକବି˚ଶ ଶତାବ୍ଦୀର ଉନ୍ମୁକ୍ତ ଶିକ୍ଷାକୁ ଭାରତୀୟ ପରମ୍ପରାର ସ୍ବୟ˚ ସମ୍ପୂର୍ଣ୍ଣ ଶିକ୍ଷା ଭାବରେ ବିବେଚନା କରାଯାଇଛି। ଏହି ସାମଗ୍ରିକ ଶିକ୍ଷା ଉଦ୍ଦେଶ୍ୟରେ ଆଇ.ଆଇ.ଟି ତଥା ଅନ୍ୟାନ୍ୟ ଇ˚ଜିନିୟରି˚ ଶିକ୍ଷାନୁଷ୍ଠାନଗୁଡ଼ିକ କଳା, ଚାରୁକଳା, ଉଦାର କଳା, ମୌଳିକ ବିଜ୍ଞାନ ଆଦି ବିଷୟମାନ ମଧୢ ନିଜ ପାଠ୍ୟକ୍ରମରେ ସାମିଲ କରିବେ। ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ପରି ଏଗୁଡ଼ିକରେ ମଧୢ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ରହିବ ଏବ˚ ଜୀବନ ବ୍ୟାପୀ ଶିକ୍ଷା ପ୍ରୋତ୍ସାହିତ ହେବ। ନୂଆ ଶିକ୍ଷା ପ୍ରଣାଳୀରେ ଘୋଷା ପାଠ ଅପେକ୍ଷା ବହୁମୁଖୀ ଜ୍ଞାନ, ବହୁ ଶୃଙ୍ଖଳାର ସମନ୍ବିତ ଚିନ୍ତନ ଓ ଗବେଷଣା ଉପରେ ଗୁରୁତ୍ବ ଦିଆଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଭାଷା, ସାହିତ୍ୟ, ସ˚ଗୀତ, ଦର୍ଶନ, ଭାରତୀୟ ବିଦ୍ୟା, କଳା, ନୃତ୍ୟ, ଅଭିନୟ, ଅର୍ଥନୀତି, ଗଣିତ, ପରିସ˚ଖ୍ୟାନ, ମୌଳିକ ଓ ପ୍ରାୟୋଗିକ ବିଜ୍ଞାନ, ସମାଜ ବିଜ୍ଞାନ ଇତ୍ୟାଦି ବିଭାଗ ସମେତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା- ସତ୍ୟ, ଧର୍ମ, ଶାନ୍ତି, ଅହି˚ସା, ପ୍ରେମ ଓ ନାଗରିକତ୍ବ ଇତ୍ୟାଦି- ମଧୢ ରହିବ। ୟା ବ୍ୟତୀତ, ବିଭିନ୍ନ ପ୍ରକାରର ଅବସର ବିନୋଦନ କାର୍ଯ୍ୟକ୍ରମ, ଯଥା: ତର୍କ କ୍ଲବ୍, କବିତା କ୍ଲବ୍, ଭାଷା କ୍ଲବ୍ ଏବ˚ ବିଭିନ୍ନ ଖେଳର କ୍ଲବ୍ ଇତ୍ୟାଦି ରହିବ ଏବ˚ ସେଗୁଡ଼ିକୁ ମଧୢ ମୁଖ୍ୟ ପାଠ୍ୟକ୍ରମ ସହିତ ଯୋଡ଼ା ଯାଇ ପାରିବ। ପ୍ରତ୍ୟେକ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ କର୍ମ ଯୋଜନା କାଉନ୍ସେଲି˚, ମାନସିକ ଓ ଆବେଗିକ ସମସ୍ୟା ପାଇଁ ପରାମର୍ଶ କେନ୍ଦ୍ର ଏବ˚ ଅବହେଳିତ ଗୋଷ୍ଠୀର ଛାତ୍ରଛାତ୍ରୀମାନଙ୍କ ସହାୟତା ପାଇଁ ବିଶେଷ କେନ୍ଦ୍ର ମଧୢ ରହିବ।
ନୂଆ ଶିକ୍ଷାନୀତିର ଉଚ୍ଚ ଶିକ୍ଷା ପରିକଳ୍ପନାର ଗୋଟିଏ ଗୋଟିଏ ପ୍ରସ୍ତାବ ବିଚାର କଲେ ହୁଏତ ଖୁବ୍ ଅଯୌକ୍ତିକ ମନେ ହୋଇ ନ ପାରେ ଏବ˚ ପ୍ରତ୍ୟେକଟି ଏକ ଭିନ୍ନ ଦର୍ଶନ ଏବ˚ ଉଚ୍ଚାଭିଳାଷର ପ୍ରତୀକ। ମାତ୍ର, ସାମଗ୍ରିକ ଭାବରେ ବିଚାର କଲେ ୨୦୨୦ ଶିକ୍ଷାନୀତିର ଉଚ୍ଚଶିକ୍ଷା ପରିକଳ୍ପନା ଖୁବ୍ ଅବାସ୍ତବ ମନେ ହୁଏ। ତାର କାରଣ ଦୁଇଟି। ପ୍ରଥମଟି ହେଲା, ପ୍ରସ୍ତାବିତ ବ୍ୟବସ୍ଥା ଏତେ ପରିମାଣରେ ଉନ୍ମୁକ୍ତ ଏବ˚ ନମନୀୟ ଯେ ମନେ ହେବ କୌଣସି ଏକ ନିର୍ଦ୍ଦିଷ୍ଟ ଯୋଜନା ବା ଢାଞ୍ଚା ନାହିଁ ବା ହୋଇପାରିବ ନାହିଁ। ନୂଆ ଶିକ୍ଷାନୀତିର ପରିକଳ୍ପନାରେ ଦ୍ବିତୀୟ ସମସ୍ୟା ହେଲା ଯେ ଉଚ୍ଚ ଶିକ୍ଷାର ସାମ୍ପ୍ରତିକ ସ୍ଥିତି ଏବ˚ ଗତ ତିନି ଚାରି ଦଶନ୍ଧି ମଧୢରେ ଏହାର ସ୍ଥାଣୁତା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆ ଯାଇନାହିଁ। ଯେଉ ଢଙ୍ଗରେ ଉଚ୍ଚ ଶିକ୍ଷା ବିଗତ ବର୍ଷମାନଙ୍କରେ ପରିବର୍ତ୍ତିତ ହୋଇଛି, ତାର ଦୁର୍ବଳତାମାନ ସମୀକ୍ଷା କରିଥିଲେ ଏବ˚ ଐତିହାସିକ ପୃଷ୍ଠଭୂମିରେ ନୂଆ ପରିକଳ୍ପନା ରୂପାୟନ କରିଥିଲେ ଅଧିକ ବାସ୍ତବ ହୋଇଥାଆନ୍ତା। ଗୋଟିଏ ଉଦାହରଣ ଦିଆଯାଇପାରେ। ଅନେକ ବର୍ଷ ଧରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଅଟୋନମସ୍ କଲେଜ କାର୍ଯ୍ୟକ୍ରମ ଆରମ୍ଭ କରି ଏ ପର୍ଯ୍ୟନ୍ତ ସାତ ଶହରୁ ଅଧିକ କଲେଜକୁ ଅଟୋନମସ୍ ବା ସ୍ବୟ˚ଶାସିତ କଲେଜର ମାନ୍ୟତା ଦେଇଛନ୍ତି। ମାତ୍ର, ବିଭିନ୍ନ ରାଜ୍ୟରେ ଏହି କଲେଜଗୁଡ଼ିକ ଖୁବ୍ ଦୟନୀୟ ସ୍ଥିତିରେ ଅଛନ୍ତି ଏବ˚ ଯେଉଁ ଆଶା ନେଇ ଏ ଯୋଜନା ଆରମ୍ଭ ହୋଇଥିଲା ତାହା ଅସଫଳ ହୋଇଛି। ଏ ସ୍ବୟ˚ଶାସିତ କଲେଜମାନ କେବଳ ନିଜର ପରୀକ୍ଷା କରି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଗ୍ରେଡ୍ ଦେବା ବ୍ୟତୀତ ବିଶେଷ କିଛି ଆଖି ଦୃୃଶିଆ ପରିବର୍ତ୍ତନ ଆଣି ପାରିନାହାନ୍ତି। ଓଲଟି ସେଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହୋଇ ଗୋଟିଏ ଢାଞ୍ଚାରେ ହିଁ ପରିଚାଳିତ ହେଉଛନ୍ତି ସରକାରୀ ନିୟନ୍ତ୍ରଣରେ। ଏ ପ୍ରକାର ସ୍ଥିତିର ସମୀକ୍ଷା ନ କରି ଦେଶର ସମସ୍ତ କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ହଠାତ୍ ସ୍ବୟ˚ଶାସିତ କରି ଦେବାର ପ୍ରସ୍ତାବ ଖୁବ୍ ଅବାସ୍ତବ। ଉଚ୍ଚ ଶିକ୍ଷାର ଉପସ୍ଥିତ ପରିବେଶରେ ଏ ପ୍ରକାର ବିପ୍ଳବାତ୍ମକ ପରିବର୍ତ୍ତନ, ତା’ ପୁଣି ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ, ଅସମ୍ଭବ ଭଳି ମନେ ହୁଏ। ଉଚ୍ଚ ଶିକ୍ଷାର ଉଚ୍ଚ ସ୍ବପ୍ନ ପାଇଁ ନା ଅଛି ଉପଯୁକ୍ତ ପରିବେଶ ନା ଅଛି ସମ୍ବଳ ଅବା ସମୟ!
ପ୍ରାକ୍ତନ ପ୍ରଫେସର, ଜେ.ଏନ.ୟୁ.
[email protected]